ନୂଆପଡ଼ା ଉପନର୍ବାଚନ ଏବେ ପରୀକ୍ଷାର ବେଳ । କିଏ ଜିତିବ, କିଏ ହାରିବ ରାଜ୍ୟ ସରକାର ସେତେଟା କିଛି ପ୍ରଭାବ ନ ପକାଉଥିବାବେଳେ ତିନି ଦଳ ପାଇଁ ଏହା କିନ୍ତୁ ଇଜ୍ଜତର କଥା ହୋଇଯାଇଛି। ଏବେ ବିଜେଡିରେ ପାଣ୍ଡିଆନ ନାହାନ୍ତି । ଗତ ନିର୍ବାଚନରେ ଯେଉଁଭଳି ଭାବରେ ପାଣ୍ଡିଆନଙ୍କ ମୁଣ୍ଡରେ ଦୋଷ ଲଦି ଖସି ଯାଇଥିଲେ ବିଜେଡି ନେତା ଏଥର ସେମାନଙ୍କ ପରୀକ୍ଷାର ବେଳ । ବାସ୍ତବରେ ନବୀନଙ୍କ ଲୋକପ୍ରିୟତା ଏବେ ବି ବଜାୟ ରହିଛି କି ନାହିଁ ତାହା ଜଣା ପଡିବ, ଆଉ ଯଦି ରହିଛି କେତେ ରହିଛି ତାର ହିସାବ ଦେଖାଇବ ଏହି ଉପନିର୍ବାଚନ ଫଳାଫଳ ।
ଅନ୍ୟପଟରେ ଗଲା ଦେଢ଼ ବର୍ଷ ଧରି ମୁଖ୍ୟମନ୍ତ୍ରି ହୋଇଥିବା ମୋହନ ମାଝୀ କେତେ ଲୋକଙ୍କ ବିଶ୍ୱାସ ଜିତି ପାରିଛନ୍ତି ତାକୁ ବି ଆଇନା ଦେଖାଇବ ଏହି ନିର୍ବାଚନ ଫଳାଫଳ ଅର୍ଥାତ ତାର ବି ହିସାବ କହିବ ନିର୍ବାଚନୀ ଫଳାଫଳ । ଏପଟେ କଂଗ୍ରେସର ପିସିସି ଦାୟିତ୍ୱ ନେଲା ପରେ କଂଗ୍ରେସକୁ ଫ୍ରଣ୍ଟ୍ ଫୁଟକୁ ଆଣିପାରିଥିବା ଭକ୍ତ ଦାସ ଭୋଟ ରାଜନୀତିରେ କେତେ ସଫଳ ତାହା ବି ଜଣାଇବ ଏହି ଉପନିର୍ବାଚନ । କିଏ ଜିତିବ କିଏ ହାରିବ ତାହା ବଡ଼ କଥା ନୁହେଁ । ଜିତିଗଲେ କିଏ କଣ ଅଧିକ କରି ପକେଇବ ସେ କଥା ବି ନୁହେଁ, କିନ୍ତୁ ଇଜ୍ଜତ କାହାର ବଢ଼ିବ ଆଉ କାହାର କମିବ ତାକୁ ନିର୍ଣୟ କରିବ ଏହି ଉପନିର୍ବାଚନ ।
ପୂରା ନିର୍ବାଚନମଣ୍ଡଳୀ ପ୍ରଚାରରେ କମ୍ପୁଛି। ତିନିଟି ଯାକ ଦଳର ଅସ୍ଥାୟୀ କାର୍ଯ୍ୟାଳୟ ନିର୍ବାଚନମଣ୍ଡଳୀ ସାରା ଛାଇଯାଇଛି। ପ୍ରାର୍ଥୀମାନେ ଘରକୁ ଘର ବୁଲି ପ୍ରଚାରକୁ ଅଧିକ ଫୋକସ୍ କରୁଥିବା ଦେଖିବାକୁ ମିଳୁଛି । ନୂଆପଡ଼ା ପ୍ରଚାର ମଇଦାନରେ ଛତିଶଗଡ଼ୀ ନେତାଙ୍କର ଚାହିଦା ଅଧିକ। ଉଭୟ ବିଜେପି ଓ କଂଗ୍ରେସର ବହୁ ସଂଖ୍ୟାରେ ଛତିଶଗଡ଼ୀ ନେତା ଡେରା ପକାଇଛନ୍ତି। ଛତିଶଗଡ଼ ବିଧାୟକମାନେ ପ୍ରାର୍ଥୀଙ୍କ ସହ ଘର ଘର ବୁଲୁଛନ୍ତି। ନୂଆପଡ଼ା ବ୍ଲକ୍ ଓ ନୂଆପଡ଼ା ଏନ୍ଏସିରେ ଓଡ଼ିଆ ଭାଷା ବ୍ୟତୀତ ହିନ୍ଦୀ ଓ ଲରିଆ ଭାଷାର ବହୁଳ ବ୍ୟବହାର ରହିଛି। ଛତିଶଗଡ଼ର ପ୍ରଭାବରେ ଏଠାରେ ବହୁ ଲୋକ ଲରିଆ ଭାଷାରେ କଥା ହେଉଛନ୍ତି। ଓଡ଼ିଶାର ଅନ୍ୟ ଜିଲ୍ଲାରୁ ଯାଇଥିବା ନେତାମାନେ ଏହି ଭାଷାରେ କଥା ହୋଇ ପାରୁନଥିବାରୁ ଅଡ଼ୁଆରେ ପଡୁଛନ୍ତି।
ବର୍ତ୍ତମାନ କୋମନା ବ୍ଲକ୍ ପାଇଁ ତିନିଟି ଯାକ ଦଳ ସ୍ୱତନ୍ତ୍ର ରଣନୀତି କରି ଫୋକସ୍ କରୁଛନ୍ତି। ନୂଆପଡ଼ା ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ଦୁଇଟି ବ୍ଲକ୍ ଓ ଦୁଇଟି ଏନ୍ଏସି ମଧ୍ୟରେ କୋମନାରେ ସର୍ବାଧିକ ଭୋଟର୍ ରହିଛନ୍ତି। ଏହି ବ୍ଲକ୍ ହିଁ ନିର୍ବାଚନୀ ଫଳାଫଳକୁ ସର୍ବାଧିକ ପ୍ରଭାବିତ କରିବା ପୂର୍ବ ନିର୍ବାଚନରେ ବିଜେଡି ଏଠାରୁ ଅଧିକ ଭୋଟ୍ ପାଇଥିଲା ଓ ସେବେ ସ୍ବାଧୀନ ପ୍ରାର୍ଥୀ ଘାସିରାମ ମାଝୀ ଦ୍ଵିତୀୟ ସ୍ଥାନରେ ଥିଲେ। ତାଙ୍କର ଏଠାରେ ସ୍ଵତନ୍ତ୍ର ଭୋଟ୍ ବ୍ୟାଙ୍କ ରହିଛି। କିନ୍ତୁ ଏହି ବ୍ଲକ୍ରେ ଗତ ନିର୍ବାଚନ ଭଳି ସ୍ଥିତି ନାହିଁ। ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଏବେ ବିଜେପି ପ୍ରାର୍ଥୀ। ତେଣୁ ଏଠାରେ ମତଦାନକୁ ନେଇ ଆକଳନ କରିବା ମୁସ୍କିଲ୍ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଗସ୍ତ ପରେ ପୁରୁଣା ବିଜେଡି ଭୋଟକୁ ବାନ୍ଧି ରଖିବା ପାଇଁ ନେତାମାନେ ଜୋରଦାର ଚେଷ୍ଟା କରୁଛନ୍ତି। ତେବେ ବିଜେପିକୁ ଅଧିକ ବଳ ଦେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସଭା ପରେ ବିଜେପିର ସ୍ଥିତି ସମ୍ପର୍କରେ ଆଉ ଟିକେ ଚିତ୍ର ସ୍ପଷ୍ଟ ହେବ । ନିଜ ଭୋଟ ବ୍ୟାଙ୍କ ଯେପରି ନ ଭାଙ୍ଗେ, ସେଥିପାଇଁ ଘାସିରାମ ମଧ୍ୟ ବ୍ୟକ୍ତିଗତ ଜନସମ୍ପର୍କ ଉପରେ ଜୋର୍ ଦେଉଛନ୍ତି।

ଉପନିର୍ବାଚନକୁ ବିଜେଡି ସମ୍ମାନ ଭାବେ ନେଇଛି। ଏଣୁ ୭ ତାରିଖରେ ଦ୍ଵିତୀୟଥର ପାଇଁ ନବୀନ ନୂଆପଡ଼ାକୁ ଆସି ପ୍ରଚାର କରିବେ। ଏହା ସହ ଖରିଆର୍ ରୋଡ୍ ଓ ନୂଆପଡ଼ା ଏନ୍ଏସିରେ ରୋଡ୍ ସୋ କରିବାର କାର୍ଯ୍ୟକ୍ରମ ରହିଛି। ଏଥି ପାଇଁ ବିଜେଡି ନେତାମାନେ ଘନ ଘନ ପ୍ରସ୍ତୁତି ବୈଠକ ଚଳାଇଛନ୍ତି। ପ୍ରାର୍ଥିପତ୍ର ଦାଖଲ ପରେ ଏ ଯାଏଁ ବିଜେପିର ବଡ଼ ସଭା ହୋଇନାହିଁ। ଦଳର ୪୦ରୁ ଅଧିକ ବିଧାୟକ ଏଠାରେ ଡେରା ପକାଇଛନ୍ତି। ୮ ମନ୍ତ୍ରୀ ୮ଟି ଜୋନ୍ ଦାୟିତ୍ୱ ନେଇଥିଲେ ବି ଅନ୍ୟ ମନ୍ତ୍ରୀମାନେ ମଧ୍ୟ ମଝିରେ ମଝିରେ ଆସି ପ୍ରଚାର ଅଭିଯାନରେ ସାମିଲ ହେଉଥିବା ଦେଖିବାକୁ ମିଳୁଛି। ଗୁରୁବାର ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ନୂଆପଡ଼ା ଆସୁଛନ୍ତି। ସେ ନୂଆପଡ଼ା ବ୍ଲକ୍ରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ଉଭୟ ମୋହନ ଓ ବିଷ୍ଣୁଦେଓଙ୍କ ସଭା ସଫଳ କରିବାକୁ ବିଜେପି ନେତାମାନେ ଲାଗି ପଡିଛନ୍ତି। ନବୀନଙ୍କ କୋମନା ସଭାଠାରୁ ଯେପରି ଅଧିକ ଲୋକ ଯୋଗଦେବେ, ତା’ଉପରେ ଜୋର ଦିଆ ଯାଉଛି। କଂଗ୍ରେସରେ କୌଣସି ବଡ଼ସଭା ଏ ପର୍ଯ୍ୟ ହୋଇନି, ୮ ତାରିଖରେ ସଚିନ ପାଇଲଟ୍ଙ୍କ ସଭା ହେବ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଆସିବେ ବୋଲି କୁହାଯାଉଥିଲେ ମଧ୍ୟ ସେ ସମ୍ପର୍କରେ ଚୂଡ଼ାନ୍ତ ସୂଚନା ମିଳିପାରି ନାହିଁ।
AlsoRead;https://purvapaksa.com/wp-content/uploads/2025/11/irc-village-.jpg



