- ସାହିବଜାଦାମାନଙ୍କ ବୀରତା ଏବଂ ବଳିଦାନକୁ ସ୍ମରଣ କରୁଛୁ;ପ୍ରଧାନମନ୍ତ୍ରୀ
- ଭାରତର ପ୍ରଗତିରେ ଯୁବଶକ୍ତିର ବଡ଼ ଭୂମିକା ରହିଛି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଆୟୋଜିତ ବୀର ବାଲ୍ ଦିବସରେ ଅଂଶଗ୍ରହଣ କରିଥିଲେ । ୩ୟ ବୀର ବାଲ୍ ଦିବସ ପାଳନ ଉପଲକ୍ଷେ ଉପସ୍ଥିତ ଲୋକମାନଙ୍କୁ ସମ୍ବୋଧନ କରି ମୋଦି କହିଥିଲେ ଯେ ସାହିବଜାଦେମାନଙ୍କ ଅତୁଳନୀୟ ସାହସିକତା ଓ ବଳିଦାନକୁ ସ୍ମରଣ କରିବାକୁ ସରକାର ବୀର ବାଲ ଦିବସ ଆରମ୍ଭ କରିଥିଲେ । ଏହି ଦିବସ ଏବେ କୋଟି କୋଟି ଭାରତୀୟଙ୍କ ପାଇଁ ଜାତୀୟ ପ୍ରେରଣାର ପର୍ବ ପାଲଟିଯାଇଛି ବୋଲି ସେ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ଏହି ଦିବସ ଅନେକ ପିଲା ଏବଂ ଯୁବକଯୁବତୀଙ୍କୁ ଅଦମ୍ୟ ସାହସ ଓ ପ୍ରେରଣା ଦେବା ପାଇଁ କାର୍ଯ୍ୟ କରିଛି । ସାହସିକତା, ଉଦ୍ଭାବନ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା ଓ କଳା ଆଦି କ୍ଷେତ୍ରରେ ବୀର ବାଲ ପୁରସ୍କାର ହାସଲ କରିଥିବା ୧୭ ଜଣ ପିଲାମାନଙ୍କ ପ୍ରସଂଶା କରିଥିଲେ । ପୁରସ୍କାର ବିଜେତାମାନେ ବିଭିନ୍ନ କ୍ଷେତ୍ରରେ ସଫଳ ହେବା ଲାଗି ଭାରତର ପିଲା ଓ ଯୁବପିଢିମାନଙ୍କ କ୍ଷମତାର ପ୍ରତୀକ ବୋଲି ସେ କହିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଗୁରୁ ଓ ସାହସୀ ସାହିବଜାଦେଙ୍କ ପ୍ରତି ନିଜର ଶ୍ରଦ୍ଧାଞ୍ଚଳି ଅର୍ପଣ କରିବା ସହ ପୁରସ୍କୃତ ପିଲା ଓ ତାଙ୍କ ପରିବାରମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।
ସାହିବଜାଦେମାନଙ୍କ ବଳିଦାନକୁ ମନେପକାଇ ମୋଦି କହିଥିଲେ ଯେ ଆଜିର ଯୁବପିଢି ସେମାନଙ୍କ ବୀରତ୍ୱ ବିଷୟରେ ଜାଣିବା ଉଚିତ ଏବଂ ତା ସହିତ ସେସବୁ ଘଟଣାବଳିକୁ ବି ମନେପକାଯିବା ଗୁରୁତ୍ୱପୂର୍ଣ୍ଣ । ପ୍ରାୟ ତିନି ଶହ ବର୍ଷ ପୂର୍ବେ ବୀର ସାହିବଜାଦାମାନେ ନିଜର ବାଳୁତ ବୟସରେ ପ୍ରାଣବଳୀ ଦେଇଥିଲେ । ବାଳୁତ ବୟସରେ ଥିଲେ ବି ସାହିବ ଜୋରାଓ୍ୱର ସିଂ ଓ ସାହିବ ଫତେ ସିଂଙ୍କ ସାହସର କୌଣସି ସୀମା ନ ଥିଲା । ସେ ଆହୁରି ମଧ୍ୟ କହିଥିଲେ ଯେ ସାହିବଜାଦାମାନେ ମୋଗଲ ସାମ୍ରାଜ୍ୟର ସମସ୍ତ ପ୍ରଲୋଭନକୁ ପ୍ରତ୍ୟାଖ୍ୟାନ କରିଥିଲେ, ସମସ୍ତ ଅତ୍ୟାଚାର ସହିଥିଲେ ଏବଂ ୱାଜିର ଖାଁ ଦ୍ୱାରା ଦିଆଯାଇଥିବା ମୃତ୍ୟୁ ଦଣ୍ଡାଦେଶକୁ ଅତ୍ୟନ୍ତ ବୀରତ୍ୱର ସହ ଗ୍ରହଣ କରିବାକୁ ପସନ୍ଦ କରିଥିଲେ।
ସାହିବଜାଦାମାନେ ତାଙ୍କୁ ଗୁରୁ ଅର୍ଜନ ଦେବ, ଗୁରୁ ତେଗ ବାହାଦୁର ଏବଂ ଗୁରୁ ଗୋବିନ୍ଦ ସିଂହଙ୍କ ବୀରତ୍ୱକୁ ମନେ ପକାଇଦିଅନ୍ତି ଏବଂ ଏହି ସାହସିକତା ହେଉଛି ଆମ ବିଶ୍ୱାସର ଆଧ୍ୟାତ୍ମିକ ଶକ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ସାହିବଜାଦାମାନେ ସେମାନଙ୍କ ଜୀବନ ବଳିଦାନ କରିବାକୁ ପସନ୍ଦ କରିଥିଲେ କିନ୍ତୁ ନିଜ ବିଶ୍ୱାସର ମାର୍ଗରୁ କେବେ ବି ବିଚ୍ୟୁତ ହୋଇନଥିଲେ। ବୀର ବାଲ ଦିବସ ଆମକୁ ଶିକ୍ଷା ଦେଇଥାଏ ଯେ ପରିସ୍ଥିତି ଯେତେ କଠିନ ହେଉ ନା କାହିଁକି, ଦେଶ ଏବଂ ଜାତୀୟ ସ୍ୱାର୍ଥ ଠାରୁ ବଡ଼ କିଛି ନୁହେଁ । ସେ କହିଥିଲେ ଯେ ଦେଶ ପାଇଁ କରାଯାଇଥିବା ପ୍ରତ୍ୟେକ କାର୍ଯ୍ୟ ସାହସିକତାର କାର୍ଯ୍ୟ ଏବଂ ଦେଶ ପାଇଁ ବଞ୍ଚୁଥିବା ପ୍ରତ୍ୟେକ ପିଲା ଓ ଯୁବକ ଜଣେ ଜଣେ ବୀର ବାଳକ ।
ଭାରତୀୟ ସମ୍ବିଧାନର ଏହି ୭୫ତମ ବର୍ଷରେ ଦେଶର ପ୍ରତ୍ୟେକ ନାଗରିକ ବୀର ସାହିବଜାଦାଙ୍କ ଠାରୁ ପ୍ରେରଣା ନେଇ ଦେଶର ଏକତା ଓ ଅଖଣ୍ଡତା ପାଇଁ କାମ କରୁଛନ୍ତି। ଭାରତର ସୁଦୃଢ଼ ଗଣତନ୍ତ୍ର ଗର୍ବିତ ଯେ ଏହି ଦିନକୁ ସାହିବଜାଦାଙ୍କ ସାହସିକତା ଏବଂ ବଳିଦାନର ଦିନ ଭାବରେ ପାଳନ କରାଯାଏ । ସମାଜର ଶେଷରେ ଥିବା ବ୍ୟକ୍ତିଙ୍କ ଉନ୍ନତି ପାଇଁ ଆମ ଗଣତନ୍ତ୍ର ଆମକୁ ପ୍ରେରଣା ଦେଇଥାଏ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ଅତୀତରୁ ଆଜି ପର୍ଯ୍ୟନ୍ତ ଯୁବଶକ୍ତି ଭାରତର ପ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ସ୍ୱାଧୀନତା ସଂଗ୍ରାମଠାରୁ ଆରମ୍ଭ କରି ଏକବିଂଶ ଶତାବ୍ଦୀର ଆନ୍ଦୋଳନ ପର୍ଯ୍ୟନ୍ତ ପ୍ରତ୍ୟେକ ବିପ୍ଳବରେ ଭାରତୀୟ ଯୁବକଙ୍କ ଅବଦାନ ରହିଛି ବୋଲି ସେ ଉଲ୍ଲେଖ କରିଥିଲେ। ଆଜି ଷ୍ଟାର୍ଟଅପ୍ ଠାରୁ ଆରମ୍ଭ କରି ବିଜ୍ଞାନ, କ୍ରୀଡ଼ାଠାରୁ ଆରମ୍ଭ କରି ଉଦ୍ୟୋଗ, ଯୁବଶକ୍ତି ନୂଆ ନୂଆ ବିପ୍ଳବକୁ ଜନ୍ମ ଦେଉଥିବାରୁ ଯୁବବର୍ଗଙ୍କୁ ସଶକ୍ତ କରିବା ଉପରେ ସରକାରଙ୍କ ନୀତିରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି।
ଦେଶର ବିକାଶ ସହ ଜଡିତ ପ୍ରତ୍ୟେକ କ୍ଷେତ୍ରରେ ଯୁବପିଢ଼ିଙ୍କୁ ନୂଆ ସୁଯୋଗ ମିଳୁଛି ଏବଂ ସେମାନଙ୍କ ପ୍ରତିଭା ଓ ଆତ୍ମବିଶ୍ୱାସକୁ ସରକାରଙ୍କ ତରଫରୁ ସମର୍ଥନ ମିଳୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଥିଲେ ଯେ ଆଜିର ଦ୍ରୁତ ଗତିରେ ବଦଳୁଥିବା ବିଶ୍ୱରେ ଭବିଷ୍ୟତର ନୂତନ ଆବଶ୍ୟକତା, ଆଶା ଏବଂ ଭବିଷ୍ୟତର ଦିଗ ଉଭା ହେଉଛି । ପାରମ୍ପରିକ ସଫ୍ଟୱେରରୁ ଏଆଇ ଏବଂ ମେସିନ ଲର୍ଣ୍ଣିଂ ପର୍ଯ୍ୟନ୍ତ ବିକାଶକୁ ଦୃଷ୍ଟିରେ ରଖି ଆମର ଯୁବପିଢ଼ିଙ୍କୁ ଭବିଷ୍ୟତବାଦୀ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ନୂତନ ଜାତୀୟ ଶିକ୍ଷା ନୀତି ସହିତ ଦେଶ ଏଥିପାଇଁ ବହୁ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲା, ଯେଉଁଥିରେ ଶିକ୍ଷାର ଆଧୁନିକୀକରଣ କରାଯାଇଥିଲା ଏବଂ ଶିକ୍ଷା ପାଇଁ ଖୋଲା ସୁଯୋଗ ପ୍ରଦାନ କରାଯାଇଥିଲା । ଛୋଟ ପିଲାଙ୍କ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ପାଇଁ ୧୦,୦୦୦ରୁ ଅଧିକ ଅଟଳ ଟିଙ୍କରିଂ ଲ୍ୟାବ୍ ପ୍ରତିଷ୍ଠା କରାଯାଇଛି ବୋଲି ସେ ସୂଚନା ଦେଇଥିଲେ। ‘ମେରା ଯୁବ ଭାରତ’ ଅଭିଯାନର ଉଦ୍ଦେଶ୍ୟ ହେଉଛି ଶିକ୍ଷା ସହିତ ବ୍ୟବହାରିକ ସୁଯୋଗ ପ୍ରଦାନ କରିବା, ଯୁବପିଢ଼ିଙ୍କ ମଧ୍ୟରେ ସମାଜ ପ୍ରତି କର୍ତ୍ତବ୍ୟ ଭାବନା ସୃଷ୍ଟି କରିବା ବୋଲି ମୋଦି କହିଥିଲେ।
ଅମୃତ କାଳର ୨୫ ବର୍ଷର ସଂକଳ୍ପକୁ ପୂରଣ କରିବା ପାଇଁ ଆଗାମୀ ଦଶନ୍ଧି, ବିଶେଷ କରି ଆଗାମୀ ପାଞ୍ଚ ବର୍ଷ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଦେଶର ସମଗ୍ର ଯୁବଶକ୍ତିକୁ ଉପଯୋଗ କରିବାର ଆବଶ୍ୟକତା ଉପରେ ସେ ଆଲୋକପାତ କରିଥିଲେ। ଯୁବବର୍ଗଙ୍କ ସମର୍ଥନ, ସହଯୋଗ ଓ ଶକ୍ତି ଭାରତକୁ ନୂତନ ଉଚ୍ଚତାକୁ ନେଇଯିବ ବୋଲି ପ୍ରଧାନମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଥିଲେ । ଗୁରୁ, ବୀର ସାହିବଜାଦା ଓ ମାତା ଗୁଜରୀଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସେ ନିଜର ଅଭିଭାଷଣ ଶେଷ କରିଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀଙ୍କ ସହ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।
previous article:https://purvapaksa.com/i-have-served-the-people-of-odisha-with-the-cooperation-of-all-governor/
