ହାଇଦ୍ରାବାଦରେ ନିଜାମ ଓ ରଜାକାରମାନଙ୍କର ଅତ୍ୟାଚାର ଇତିହାସରେ ଲିପିବଦ୍ଧ ଅଛି। ଏହାକୁ ରୋକିବା ପାଇଁ ଭାରତ ସରକାର ଅପରେସନ ପୋଲୋ ଚଳାଇଥିଲେ ଏବଂ ନିଜାମଙ୍କର ଏକଛତ୍ର ଶାସନରୁ ହାଇଦ୍ରାବାଦକୁ ମୁକ୍ତ କରାଇଥିଲେ। ଏବେ ସେପ୍ଟେମ୍ବର ୧୭ରେ ଏହାକୁ ସ୍ମରଣ କରି ହାଇଦ୍ରାବାଦ ମୁକ୍ତି ଦିବସ ପାଳନ କରାଯିବ। ମନ କି ବାତରେ ପ୍ରଧାନମନ୍ତ୍ରୀ ମୋଦୀ ଏହାର ଘୋଷଣା କରିଛନ୍ତି। ଆସନ୍ତୁ ଜାଣିବା, ହାଇଦ୍ରାବାଦର ନିଜାମଙ୍କର ଏକଛତ୍ର ଶାସନ ଓ ଷଡଯନ୍ତ୍ରର କାହାଣୀ। କେମିତି ସେ ନିଜ ହିନ୍ଦୁ ପ୍ରଜାଙ୍କ ଉପରେ କରୁଥିଲେ ଅକଥନୀୟ ଅତ୍ୟାଚାର ।
ସ୍ୱାଧିନତା ପ୍ରାପ୍ତି ପରେ ଭାରତର ପ୍ରାୟ ସବୁ ରାଜା ଭାରତରେ ମିଶିବାକୁ ସ୍ୱୀକୃତି ଦେଇଥିଲେ । କିନ୍ତୁ ହାଇଦ୍ରାବାଦର ନିଜାମ ଏହାର ଅପବାଦ ଥିଲେ । ହାଇଦ୍ରାବାଦର ନିଜାମ ନିଜକୁ ସ୍ୱାଧିନ ଶାସକ ଭାବେ ଦେଖୁଥିଲେ । ସେ ଭାରତ ମଝିରେ ଗୋଟିଏ ସ୍ୱତନ୍ତ୍ର ରାଷ୍ଟ୍ର କଥା ଚିନ୍ତା କରୁଥିଲେ । ଆଉ ତାଙ୍କ ସ୍ୱପ୍ନକୁ ବଳ ଦେଉଥିଲେ ଜିନ୍ନା ।
ହାଇଦ୍ରାବାଦର ପରିସ୍ଥିତି ଅତ୍ୟନ୍ତ ସଙ୍କଟଜନକ ଥିଲା। ନିଜାମ ଉସମାନ ଅଲୀଙ୍କ ସହ ଭାରତ ସରକାରଙ୍କର ଆଲୋଚନା ଲମ୍ବା ହେଉଥିଲା। ଅନ୍ୟପକ୍ଷରେ ସେ ପାକିସ୍ତାନ ସହ ଗାଢ଼ ସମ୍ପର୍କ ଗଢୁଥିଲେ। ସେ ଏହି ମାମଲାକୁ ଜାତିସଂଘକୁ ନେଇ ବିବାଦକୁ ଆନ୍ତର୍ଜାତୀୟ କରିବାର ଚେଷ୍ଟା ମଧ୍ୟ କରିଥିଲେ। କରାଚୀକୁ ଆଧାର କରି ଅଷ୍ଟ୍ରେଲିଆରୁ ହାଇଦ୍ରାବାଦକୁ ବିମାନ ମାର୍ଗରେ ଅସ୍ତ୍ରଶସ୍ତ୍ର ପହଞ୍ଚୁଥିଲା। ରାଜ୍ୟର ହିନ୍ଦୁ ଜନସଂଖ୍ୟାଙ୍କ ବିରୁଦ୍ଧରେ ହତ୍ୟା, ଲୁଟପାଟ ଓ ହିଂସା ଚାଲିଥିଲା, ଯାହା ଯୋଗୁଁ ସେମାନଙ୍କର ପଳାୟନ ତୀବ୍ର ହେଉଥିଲା। ୨୦ ହଜାରରୁ ଅଧିକ ସଶସ୍ତ୍ର ରଜାକାରଙ୍କ ସାମ୍ନାରେ ହିନ୍ଦୁ ପ୍ରଜା ଅସହାୟ ଥିଲେ। ଅନ୍ୟ ସ୍ଥାନରୁ ଆସିଥିବା ପଠାନମାନଙ୍କର ସମର୍ଥନ ମଧ୍ୟ ସେମାନଙ୍କୁ ମିଳିଥିଲା। ନିଜାମଙ୍କର ୪୨ ହଜାର ସୈନ୍ୟ ଏହା ବ୍ୟତୀତ ଥିଲେ। ଏହି ମିଳିତ ଶକ୍ତି ଭାରତ ସହ ସିଧାସିଧି ମୁକାବିଲା ପାଇଁ ପ୍ରସ୍ତୁତ ଥିଲା।
ନିଜାମଙ୍କୁ ପାକିସ୍ତାନରୁ ଥିଲା ସାହାଯ୍ୟର ଆଶା
କଶ୍ମୀର ଓ ଜୁନାଗଡ଼ ସହ ହାଇଦ୍ରାବାଦ ସେହି ତିନୋଟି ରାଜ୍ୟ ମଧ୍ୟରୁ ଥିଲା, ଯାହା ୧୯୪୭ ଅଗଷ୍ଟ ୧୫ ସୁଦ୍ଧା ଭାରତରେ ସମ୍ମିଳିତ ହୋଇପାରି ନଥିଲା। ପରବର୍ତୀ କିଛି ମାସରେ କଶ୍ମୀର ଓ ଜୁନାଗଡ଼ ଭାରତରେ ସାମିଲ ହେଲା, କିନ୍ତୁ ହାଇଦ୍ରାବାଦ ପ୍ରଶ୍ନ ଅମୀମାଂସିତ ରହିଲା। ଲର୍ଡ ମାଉଣ୍ଟବେଟନ ହାଇଦ୍ରାବାଦ ମାମଲାର ସମାଧାନ ନ ହେବାରୁ ଦୁଃଖୀ ଥିଲେ। ଏହାକୁ ନିଜର ବିଫଳତା ମନେ କରି ୧୯୪୮ ଜୁନ ୨୧ରେ ସେ ଭାରତ ଛାଡ଼ିଥିଲେ। ମାଉଣ୍ଟବେଟନଙ୍କ ପରାମର୍ଶରେ ସରଦାର ପଟେଲ ହାଇଦ୍ରାବାଦକୁ ତିନି ମାସର ଅତିରିକ୍ତ ସମୟ ଦେଇଥିଲେ। ହାଇଦ୍ରାବାଦରୁ ଦିଲ୍ଲୀ ଆସୁଥିବା ପ୍ରତିନିଧି ମଣ୍ଡଳୀ ଚୁକ୍ତିର ଖସଡ଼ାକୁ ମଞ୍ଜୁରୀ ଦେଉଥିଲେ ଏବଂ ହାଇଦ୍ରାବାଦ ଫେରିବା ପରେ ଅସ୍ୱୀକାର କରୁଥିଲେ।
ପ୍ରତ୍ୟେକ ଥର ନୂଆ ସର୍ତ୍ତ ସହ ଆଲୋଚନା ଟେବୁଲକୁ ଆସୁଥିଲେ। ହାଇଦ୍ରାବାଦ ପାଇଁ ଅଲଗା ଫର୍ମୁଲା ଗ୍ରହଣ କରିବାକୁ ଭାରତ ପ୍ରସ୍ତୁତ ନଥିଲା। ବାସ୍ତବରେ ନିଜାମଙ୍କର ପ୍ରସ୍ତୁତି ଅଲଗା ଥିଲା। ଆଗାମୀ ଦିନରେ ସେ ଭାରତ ସହ ମୁକାବିଲା ପାଇଁ ଶକ୍ତି ସଞ୍ଚୟ କରୁଥିଲେ। ନିଜ ସୈନ୍ୟବାହିନୀକୁ ଶକ୍ତିଶାଳୀ କରିବା ସହ ପାକିସ୍ତାନରୁ ସିଧାସିଧି ସାହାଯ୍ୟର ଆଶା ରଖିଥିଲେ। ସେ ପାକିସ୍ତାନକୁ ୨୦ କୋଟିର ଋଣ ମଧ୍ୟ ଦେଇଥିଲେ। ଅନ୍ୟ ଦେଶମାନଙ୍କଠାରୁ ମଧ୍ୟ ସେ ସମର୍ଥନ ମାଗୁଥିଲେ।
ଅଲଗା ଦେଶର ନିଜାମଙ୍କର ସ୍ୱପ୍ନ
ଏକ କୋଟି ଷାଠିଏ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ହାଇଦ୍ରାବାଦ ରିଆସତରେ ୮୫ ପ୍ରତିଶତ ହିନ୍ଦୁ ଜନସଂଖ୍ୟା ଥିଲା। ଶାସନ ନିଜାମ ଉସମାନ ଅଲ୍ଲୀ ଖାନଙ୍କ ହାତରେ ଥିଲା। ପୁଲିସ, ସୈନ୍ୟବାହିନୀ ଓ ପ୍ରଶାସନରେ ମୁସଲମାନମାନଙ୍କର ପ୍ରାଧାନ୍ୟ ଥିଲା। ୮୨,୦୦୦ ବର୍ଗମାଇଲରେ ବିସ୍ତୀର୍ଣ୍ଣ ଏହି ରିଆସତ ଉତ୍ତରରେ ସେନ୍ଟ୍ରାଲ ପ୍ରୋଭିନ୍ସ, ପଶ୍ଚିମରେ ବମ୍ବେ ଓ ପୂର୍ବ ଓ ଉତ୍ତରରେ ମଦ୍ରାସ ଦ୍ୱାରା ଘେରା ଥିଲା। ବାର୍ଷିକ ଆୟ ୨୬ କୋଟି ଥିଲା। ନିଜର ସୈନ୍ୟବାହିନୀ ଓ ମୁଦ୍ରା ମଧ୍ୟ ଥିଲା। ଜନସଂଖ୍ୟାରେ ମୁସଲମାନଙ୍କର ଅଂଶ ମାତ୍ର ୧୫ ପ୍ରତିଶତ ଥିଲା, କିନ୍ତୁ ୧୯୪୬ରେ ନିଜାମଙ୍କ ଦ୍ୱାରା ଗଠିତ ୧୩୨ ସଦସ୍ୟ ବିଶିଷ୍ଟ ବିଧାନସଭାରେ ହିନ୍ଦୁଙ୍କ ତୁଳନାରେ ମୁସଲମାନ ସଦସ୍ୟଙ୍କ ସଂଖ୍ୟା ଦଶ ଅଧିକ ଥିଲା।
ଭୌଗୋଳିକ ଦୃଷ୍ଟିରୁ ହାଇଦ୍ରାବାଦ ଭାରତର ମଝିରେ ଅବସ୍ଥିତ, କିନ୍ତୁ ନିଜାମ ଏକ ଅଲଗା ଦେଶର ସ୍ୱପ୍ନ ଦେଖୁଥିଲେ। ପାକିସ୍ତାନର ସମର୍ଥନ ତାଙ୍କୁ ମିଳିଥିଲା। ସେଠାରେ କାସିମ ରଜଭୀଙ୍କ ନେତୃତ୍ୱରେ ଇତ୍ତେହାଦ-ଉଲ-ମୁସଲମୀନର ରଜାକାରମାନେ ପରିବେଶରେ ବିଷ ମିଶାଉଥିଲେ। କମ୍ୟୁନିଷ୍ଟମାନଙ୍କ ସହ ସେମାନଙ୍କର ମେଳମିଶା ଥିଲା। ରାଜ୍ୟରେ ଦିନରେ ରଜାକାରଙ୍କ ଓ ରାତିରେ କମ୍ୟୁନିଷ୍ଟମାନଙ୍କର ଅରାଜକତା ପ୍ରଭାବ ବିସ୍ତାର କରିଥିଲା।
ରଜାକାର ରଜଭୀଙ୍କ ଲଲକାର!
ହାଇଦ୍ରାବାଦରେ କାସିମ ରଜଭୀ ନିଜର ଉତ୍ତେଜକ ଭାଷଣରେ ଆହ୍ୱାନ କରୁଥିଲେ ଯେ ମୁସଲମାନମାନେ ଗୋଟିଏ ହାତରେ କୁରାନ ଓ ଅନ୍ୟ ହାତରେ ତଲୱାର ଧରି ଶତ୍ରୁଙ୍କୁ ନିପାତ କରିବାକୁ ବାହାରି ପଡ଼ନ୍ତୁ। କେବଳ ହାଇଦ୍ରାବାଦ ନୁହେଁ, ସାଢ଼େ ଚାରି କୋଟି ଭାରତୀୟ ମୁସଲମାନଙ୍କୁ ସେ ଉତ୍ତେଜିତ କରୁଥିଲେ ଯେ ହାଇଦ୍ରାବାଦର ଯୁଦ୍ଧରେ ସେମାନେ ତାଙ୍କ ସହ ଅଛନ୍ତି। ରଜଭୀ ସ୍ୱପ୍ନ ଦେଖାଉଥିଲେ ଯେ ସେହି ଦିନ ଦୂର ନୁହେଁ ଯେତେବେଳେ ବଙ୍ଗୋପସାଗର ତାଙ୍କ ସାମ୍ରାଜ୍ୟର ପାଦ ଧୋଇବ। ଦିଲ୍ଲୀର ଲାଲକିଲ୍ଲାରେ ଆସଫ ଜାହୀ ପତାକା ଉଡ଼ିବ। ଏହି ଭାଷଣଗୁଡ଼ିକ କେବଳ ହାଇଦ୍ରାବାଦ ନୁହେଁ, ସମଗ୍ର ଦେଶର ପରିବେଶକୁ ଖରାପ କରୁଥିଲା।
ରଜାକାରମାନଙ୍କ ଦଳ ହାଇଦ୍ରାବାଦର କଂଗ୍ରେସ କର୍ମୀ ଓ ହିନ୍ଦୁ ଜନସଂଖ୍ୟା ଉପରେ ଆକ୍ରମଣ କରୁଥିଲେ। ସେମାନଙ୍କର ହତ୍ୟା ଓ ସମ୍ପତ୍ତି ଲୁଟ୍ ଜାରି ରହିଥିଲା। ରଜାକାରମାନଙ୍କୁ ନାପସନ୍ଦ କରୁଥିବା ମୁସଲମାନମାନେ ମଧ୍ୟ ହଇରାଣ ହେଉଥିଲେ। ରିଆସତ ଦେଇ ଯାଉଥିବା ଟ୍ରେନ ଉପରେ ଆକ୍ରମଣର ଘଟଣା ବଢୁଥିଲା। ହାଇଦ୍ରାବାଦ ସହ ଲାଗିଥିବା ପ୍ରାନ୍ତଗୁଡ଼ିକ ମଧ୍ୟ ରଜାକାରମାନଙ୍କ ଆକ୍ରମଣର ଶିକାର ହେଉଥିଲେ। ଆତଙ୍କ ମଧ୍ୟରେ ହିନ୍ଦୁ ଜନସଂଖ୍ୟାର ହାଇଦ୍ରାବାଦରୁ ପଳାୟନ ଆରମ୍ଭ ହୋଇଥିଲା। ଏହା ରଜାକାରମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ହାଇଦ୍ରାବାଦରେ ପରିସ୍ଥିତି ଅତ୍ୟନ୍ତ ଖରାପ ହେଉଥିଲା। ହତ୍ୟା, ଲୁଟପାଟ, ବଳାତ୍କାର ଓ ହିନ୍ଦୁ ଜନସଂଖ୍ୟାକୁ ଧମକାଇବାର ଘଟଣା ବଢୁଥିଲା, ଯାହା ଯୋଗୁଁ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲା। ରଜାକାରମାନଙ୍କୁ ମନମାନି କରିବାର ପୂର୍ଣ୍ଣ ସ୍ୱାଧୀନତା ମିଳିଥିଲା। ରାଜ୍ୟ ମିଶ୍ରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ଭି.ପି. ମେନନ ତାଙ୍କର ପ୍ରସିଦ୍ଧ ପୁସ୍ତକ ‘ଇଣ୍ଟିଗ୍ରେସନ ଅଫ ଦି ଇଣ୍ଡିଆନ ଷ୍ଟେଟସ’ରେ ନିଜାମଙ୍କ ଏକଜିକ୍ୟୁଟିଭ କାଉନସିଲର ସଦସ୍ୟ ଜେ.ଭି. ଜୋଶୀଙ୍କ ଇସ୍ତଫାକୁ ଉଦ୍ଧୃତ କରିଛନ୍ତି।
ଜୋଶୀଙ୍କ କହିବା ଅନୁସାରେ, “ପରଭନୀ ଓ ନାନଦେଡ଼ରେ ଆତଙ୍କର ସାମ୍ରାଜ୍ୟ ରହିଛି। ଲୋହାରେ ହୋଇଥିବା ଅତ୍ୟାଚାର ଓ ଧ୍ୱଂସ ଦେଖି ମୋ ଆଖିରୁ ଲୁହ ବାହାରି ପଡ଼ିଲା। ବ୍ରାହ୍ମଣମାନଙ୍କୁ ହତ୍ୟା କରାଗଲା ଏବଂ ସେମାନଙ୍କ ଆଖି ଉପାଡ଼ି ନିଆଗଲା। ମହିଳାମାନଙ୍କ ସହ ବଳାତ୍କାର କରାଗଲା। ଘରଗୁଡ଼ିକୁ ନିଆଁ ଲଗାଇ ଦିଆଗଲା। ଏସବୁ ମୁଁ ମୋ ଆଖିରେ ଦେଖିଛି। ଏପରି ସରକାର, ଯାହା ଏହି ଅତ୍ୟାଚାରକୁ ରୋକି ପାରୁ ନାହିଁ, ତା ସହ ମୁଁ ଜଡ଼ିତ ରହି ପାରିବି ନାହିଁ।”
ଏବେ ସରଦାର ପଟେଲ ଅଟକିବାକୁ ପ୍ରସ୍ତୁତ ନଥିଲେ। ଅସୁସ୍ଥତା ପରେ ମଧ୍ୟ ୧୯୪୮ ଏପ୍ରିଲ ୧୫ରେ ହାଇଦ୍ରାବାଦର ପ୍ରଧାନମନ୍ତ୍ରୀ ଲଏକ ଅଲୀ ଦିଲ୍ଲୀ ପହଞ୍ଚିବାରେ ସେ ତାଙ୍କ ସହ ଦେଖା କରିଥିଲେ। ସରଦାର ସ୍ପଷ୍ଟ ଶବ୍ଦରେ କହିଥିଲେ, “ମୁଁ ଭଲ ଭାବେ ଜାଣେ ହାଇଦ୍ରାବାଦର ଶାସନ କାହା ହାତରେ ଅଛି? ଯେଉଁ ହଜରତ (କାସିମ ରଜଭୀ) ହାଇଦ୍ରାବାଦ ଉପରେ ପ୍ରଭାବ ବିସ୍ତାର କରିଛନ୍ତି, ସେ କହିଛନ୍ତି ଯଦି ଭାରତ ହାଇଦ୍ରାବାଦରେ ପ୍ରବେଶ କରେ ତେବେ ଡେଢ଼ କୋଟି ହିନ୍ଦୁଙ୍କର କେବଳ ହାଡ଼ ଓ ଛାଇ ମିଳିବ। ଯଦି ଏପରି ସ୍ଥିତି ତେବେ ନିଶ୍ଚିତ ଭାବେ ସେ ନିଜାମ ଓ ତାଙ୍କ ବଂଶର ଭବିଷ୍ୟତକୁ ଧ୍ୱଂସ କରୁଛନ୍ତି। ଯାଇ ନିଜାମଙ୍କ ସହ ଆଲୋଚନା କରି ଅନ୍ତିମ ଉତ୍ତର ଦିଅନ୍ତୁ। ଯାହା ଫଳରେ ଆମେ ନିଷ୍ପତ୍ତି ନେଇ ପାରିବୁ ଯେ ଆମକୁ କ’ଣ କରିବାକୁ ହେବ? ଦେଶର ଯେଉଁ ଏକତାକୁ ଆମେ ନିଜ ରକ୍ତ ଦେଇ ଗଢ଼ିଛୁ, ତାହାକୁ କେହି ଧ୍ୱଂସ କରୁ, ଏହାକୁ ଆମେ ବରଦାସ୍ତ କରିବୁ ନାହିଁ।”
୧୯୪୮ ଅଗଷ୍ଟ ସୁଦ୍ଧା ହାଇଦ୍ରାବାଦର ପରିସ୍ଥିତି ଅତ୍ୟନ୍ତ ସଙ୍କଟଜନକ ହୋଇପଡ଼ିଥିଲା। ସରଦାର ପଟେଲ ବହୁ ପୂର୍ବରୁ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ଚାପ ପକାଉଥିଲେ। କଶ୍ମୀରର ପରିସ୍ଥିତି, ପାକିସ୍ତାନର ହସ୍ତକ୍ଷେପ, ଦେଶର ସାମ୍ପ୍ରଦାୟିକ ସ୍ଥିତି ଓ ଆନ୍ତର୍ଜାତୀୟ ଚାପ ଭଳି ମାମଲା ବୈଠକରେ ଉଠୁଥିଲା। ନେହରୁଙ୍କର ନିଜସ୍ୱ ଯୁକ୍ତି ଥିଲା। ଗଭର୍ଣ୍ଣର ଜେନେରାଲ ରାଜଗୋପାଳାଚାରୀ ଏବେ ମଧ୍ୟ ଶାନ୍ତିପୂର୍ଣ୍ଣ ସମାଧାନର ଆଶା ରଖିଥିଲେ। କିନ୍ତୁ ପ୍ରତ୍ୟେକ ଆପତ୍ତିକୁ ପଟେଲ ଖାରଜ କରୁଥିଲେ। କୌଣସି ମୂଲ୍ୟରେ ହାଇଦ୍ରାବାଦକୁ ହରାଇବାକୁ ସେ ପ୍ରସ୍ତୁତ ନଥିଲେ। ଏହା ଯୋଗୁଁ ଦେଶ ପାଇଁ ନୂଆ ସମସ୍ୟା ସୃଷ୍ଟି ହେବା ପୂର୍ବରୁ ଉପଯୁକ୍ତ ସମାଧାନ ପାଇଁ ସେ କମର କସି ରଖିଥିଲେ। ଅନ୍ତତଃ କ୍ୟାବିନେଟ ହାଇଦ୍ରାବାଦରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ଏକମତ ହେଲା।
ଅପରେସନ ପୋଲୋ
୧୯୪୮ ସେପ୍ଟେମ୍ବର ୧୩ର ପ୍ରଭାତରେ ସୈନ୍ୟବାହିନୀ ଆଗକୁ ବଢ଼ିଲା। ଏହାକୁ “ଅପରେସନ ପୋଲୋ” ନାମ ଦିଆଗଲା। ଜେନେରାଲ ବୂଚର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଅଭିଯାନକୁ ଅଟକାଇବାକୁ ଚେଷ୍ଟା କରିଥିଲେ। ସେ ହାଇଦ୍ରାବାଦ ସୈନ୍ୟବାହିନୀର ବୋମାବର୍ଷକ ବିମାନର ଭୟ ଦେଖାଇଥିଲେ। କିନ୍ତୁ ଲେଫ୍ଟିନାଣ୍ଟ ଜେନେରାଲ ରାଜେନ୍ଦ୍ର ସିଂହଙ୍କ ନିର୍ଦ୍ଦେଶ ଓ ମେଜର ଜେନେରାଲ ଜେ.ଏନ. ଚୌଧୁରୀଙ୍କ ନେତୃତ୍ୱରେ ସୈନ୍ୟବାହିନୀର ଏକ ଡିଭିଜନ ଶୋଲାପୁର-ହାଇଦ୍ରାବାଦ ରାସ୍ତାରେ ଆଗକୁ ବଢ଼ିଲା। ଅନ୍ୟ ଡିଭିଜନ ବେଜବାଡ଼ା-ହାଇଦ୍ରାବାଦ ରାସ୍ତାରେ ଆକ୍ରମଣ କଲା।ହାଇଦ୍ରାବାଦରୁ ପ୍ରାୟ ୧୨ ମାଇଲ ଦୂରରେ ନାଲଦର୍ଗ ବ୍ରିଜ ଅତିକ୍ରମ କରୁଥିବା ସମୟରେ ଭାରତୀୟ ସୈନ୍ୟ ଦଳ ହାଇଦ୍ରାବାଦ ସୈନ୍ୟବାହିନୀର ଲେଫ୍ଟିନାଣ୍ଟ ଟି.ଟି. ମୂରଙ୍କୁ ବିସ୍ଫୋରକରେ ଭର୍ତ୍ତି ଏକ ଜିପ ସହ ଧରିଥିଲେ। ସେ ପୋଲକୁ ଉଡ଼ାଇବାର ପ୍ରସ୍ତୁତିରେ ଥିଲେ। ଭାରତୀୟ ସୈନ୍ୟବାହିନୀ ଯଦି ଅଭିଯାନରେ ଗୋଟିଏ ଦିନର ମଧ୍ୟ ବିଳମ୍ବ କରିଥାନ୍ତେ, ତେବେ ଅପରେସନ ପୋଲୋ ସପ୍ତାହ ସପ୍ତାହ ଧରି ବିଳମ୍ବିତ ହୋଇଥାନ୍ତା।
ହାଇଦ୍ରାବାଦର ସୈନ୍ୟବାହିନୀ ତୁଳନାରେ ରଜାକାରମାନେ ଅଧିକ ମୁକାବିଲା କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ୧୭ ସେପ୍ଟେମ୍ବର ସନ୍ଧ୍ୟା ସୁଦ୍ଧା ସବୁ ଶେଷ ହୋଇଥିଲା। ହାଇଦ୍ରାବାଦ ରେଡ଼ିଓ ସନ୍ଧ୍ୟାରେ ଏହାର ସତ୍ୟତା ସ୍ୱୀକାର କରିଥିଲା। ହାଇଦ୍ରାବାଦର ସୈନ୍ୟବାହିନୀ ପରଦିନ ଆତ୍ମସମର୍ପଣ କରିଥିଲା। ଭାରତୀୟ ସୈନ୍ୟବାହିନୀର ୪୨ ଜଣ ସୈନିକ ଶହୀଦ ହୋଇଥିଲେ। ୨୪ ଜଣ ନିଖୋଜ ହୋଇଥିଲେ ଏବଂ ୯୭ ଜଣ ଆହତ ହୋଇଥିଲେ। ହାଇଦ୍ରାବାଦର ସୈନ୍ୟବାହିନୀର ୪୯୦ ଜଣ ସୈନିକ ମୃତ୍ୟୁବରଣ କରିଥିଲେ। ୧୨୨ ଜଣ ଆହତ ହୋଇଥିଲେ। ୨,୭୨୭ ଜଣ ରଜାକାର ମୃତ୍ୟୁବରଣ କରିଥିଲେ। ୧୦୨ ଜଣ ଆହତ ହୋଇଥିଲେ। ୩,୩୬୪ ଜଣଙ୍କୁ ଗିରଫ କରାଯାଇଥିଲା। ରଜଭୀଙ୍କ ବଡ଼ବୋଲାପଣ ପାଇଁ ରଜାକାରମାନଙ୍କୁ ଭାରୀ ମୂଲ୍ୟ ଚୁକାଇବାକୁ ପଡ଼ିଥିଲା। ୧୯ ସେପ୍ଟେମ୍ବରରେ ରଜଭୀଙ୍କୁ ମଧ୍ୟ ଗିରଫ କରାଗଲା।
ଏହି ସମୟରେ ସମଗ୍ର ଦେଶରେ ଶାନ୍ତି ବଜାୟ ରହିଥିଲା। ସାମ୍ପ୍ରଦାୟିକ ହିଂସାର ଗୋଟିଏ ମଧ୍ୟ ଘଟଣା ଘଟି ନଥିଲା। ଦେଶର ମୁସଲମାନମାନେ ଭାରତ ସରକାରଙ୍କ ସହ ରହିଥିଲେ। ନିଜାମଙ୍କୁ ସାଂବିଧାନିକ ମୁଖ୍ୟ ଭାବେ ଭାରତ ଗ୍ରହଣ କରିଥିଲା। ଯଦିଓ ଏହି ପ୍ରଶ୍ନରେ ୧୪ ସେପ୍ଟେମ୍ବରରେ କ୍ୟାବିନେଟରେ ପୁନର୍ବାର ବାଦବିବାଦର ସ୍ଥିତି ସୃଷ୍ଟି ହୋଇଥିଲା। ପଟେଲ କହିଥିଲେ ଯେ ନିଜାମ ଶେଷ। ଆମେ ଏହି ଘାକୁ ପୋଷି ରଖି ପାରିବୁ ନାହିଁ। ତାଙ୍କର ରାଜବଂଶ ଶେଷ।
ନେହରୁ ରାଗି ଉଠି ବୈଠକ ଛାଡ଼ି ଚାଲିଗଲେ। ପରେ ପଟେଲ ମାନିଗଲେ ଯେ ସାଂବିଧାନିକ ମୁଖ୍ୟ ଭାବେ ନିଜାମ ବିଶେଷ କ୍ଷତି କରି ପାରିବେ ନାହିଁ। ନିଜାମ ହାଇଦ୍ରାବାଦର ଭାରତରେ ସମ୍ମିଳନ ଦସ୍ତାବିଜରେ ହସ୍ତାକ୍ଷର କରିଦେଇଥିଲେ। ମେଜର ଜେନେରାଲ ଜେ.ଏନ. ଚୌଧୁରୀ ହାଇଦ୍ରାବାଦର ମିଲିଟାରୀ ଗଭର୍ଣ୍ଣର ହେଲେ। ୨୩ ସେପ୍ଟେମ୍ବରରେ ସେ ଜାତିସଂଘରୁ ନିଜର ଅଭିଯୋଗ ପ୍ରତ୍ୟାହାର କରିନେଲେ। ରିଆସତର ଏକୀକରଣର ଶେଷ ଅଡ଼ୁଆ ଦୂର ହୋଇଥିଲା। ହାଇଦ୍ରାବାଦ ଏବେ ଭାରତର ଥିଲା।
Also Read https://purvapaksa.com/what-is-americas-operation-37-what-are-the-plans-going-forward/
What is America’s Operation 37 ? ।। ଆମେରିକାର ଅପରେସନ ୩୭ କ’ଣ? ଆଗକୁ କି ଯୋଜନା?
