ଅମୀରଙ୍କୁ କଲେ ସାକ୍ଷାତ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଲା କୁଏତର ସର୍ବୋଚ୍ଚ ବେସାମରିକ ସମ୍ମାନ। ଦୁଇ ଦିନିଆ କୁଏତ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହାର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ୍ ମୁବାରକ୍ ଅଲ୍-କବୀର’ ପ୍ରଦାନ କରାଯାଇଛି। ଏହା ହେଉଛି କୌଣସି ଦେଶ ଦ୍ୱାରା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଦାନ କରାଯାଇଥିବା ୨୦ଶ ଅନ୍ତର୍ଜାତୀୟ ସମ୍ମାନ। ‘ଅର୍ଡର ଅଫ୍ ମୁବାରକ୍ ଅଲ୍-କବୀର’ ସମ୍ମାନ ବନ୍ଧୁତାର ପ୍ରତୀକ ଭାବେ କୌଣସି ରାଷ୍ଟ୍ରର ମୁଖ୍ୟ କିମ୍ବା ବିଦେଶ ରାଜ ପରିବାରର ସଦସ୍ୟଙ୍କୁ ପ୍ରଦାନ କରାଯାଇଥାଏ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ପୂର୍ବରୁ ବିଲ କ୍ଲିଣ୍ଟନ, ପ୍ରିନ୍ସ ଚାର୍ଲ୍ସ ଓ ଜର୍ଜ ବୁଶଙ୍କ ଭଳି ବ୍ୟକ୍ତି ବିଶେଷ କୁଏତର ଏହି ସର୍ବୋଚ୍ଚ ସମ୍ମାନ ପାଇ ସାରିଛନ୍ତି। ରବିବାର କୁଏତ ଗସ୍ତର ଦ୍ୱିତୀୟ ଦିନରେ ମୋଦି ଏହି ସମ୍ମାନ ଗ୍ରହଣ କରିବା ପରେ ତାଙ୍କୁ ବୟାନ ପ୍ୟାଲେସଠାରେ ଔପଚାରିକ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ଏହି ସମୟରେ ସେଠାରେ କୁଏତର ଅମୀର (ପ୍ରିନ୍ସ) ଶେଖ୍ ମେଶାଲ ଅଲ୍-ଅହମ୍ମଦ ଅଲ୍-ଜାବେର ଅଲ୍-ସବା ମଧ୍ୟ ଉପସ୍ଥିତ ଥିଲେ। ଯାହାଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ମୋଦି ଦୁଇ ଦିନିଆ ଗଲ୍ଫ ରାଷ୍ଟ୍ର ଗସ୍ତରେ ଯାଇଛନ୍ତି। ମୋଦି ଏହି ପୁରସ୍କାରକୁ ଭାରତ ଏବଂ କୁଏତ ମଧ୍ୟରେ ଦୀର୍ଘ ଦିନ ଧରି ରହିଥିବା ବନ୍ଧୁତ୍ୱ, କୁଏତରେ ପ୍ରବାସୀ ଭାରତୀୟ ଏବଂ ଭାରତର ୧୪୦ କୋଟି ଲୋକଙ୍କୁ ଉତ୍ସର୍ଗ କରିଛନ୍ତି।
କୁଏତରେ ଥିବା ଭାରତୀୟ ସମୁଦାୟ ହେଉଛନ୍ତି ବିଶ୍ୱର ସବୁଠାରୁ ବଡ଼ ପ୍ରବାସୀ ଭାରତୀୟ ସମୁଦାୟ। ଦୀର୍ଘ ୪୩ ବର୍ଷ ପରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ କୁଏତ ଗସ୍ତରେ ଯାଇଥିବାରୁ ସେଠାରେ ଥିବା ଭାରତୀୟ ନାଗରିକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ମୋଦି ସେଠାରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରିବାକୁ ପ୍ରବାସୀ ଭାରତୀୟ ସମୁଦାୟଙ୍କ ପକ୍ଷରୁ ‘ହାଲା ମୋଦି’ (ସ୍ୱାଗତ ମୋଦି) କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଓଡ଼ିଶାରେ ଆୟୋଜନ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମକୁ ଆସିବାକୁ ପ୍ରଧାନମନ୍ତ୍ରୀ ସେଠାରେ ଭାରତୀୟ ସମୁଦାୟଙ୍କୁ ନିମନ୍ତ୍ରଣ କରିଥିଲେ।
ଏହି ପୁରସ୍କାର ୧୯୭୪ରେ ସ୍ଥାପିତ ହୋଇଥିଲା ଏବଂ ସେବେଠାରୁ ବିଶ୍ୱର ହାତଗଣତି କିଛି ନେତାଙ୍କୁ ଏଥିରେ ସମ୍ମାନିତ କରାଯାଇଛି । ମୋଦି ରବିବାର କୁଏତର ଅମୀର ମହାମହିମ ଶେଖ ମେଶାଲ ଅଲ-ଅହମ୍ମଦ ଅଲ-ଜବର ଅଲ-ସବାଙ୍କୁ ଭେଟିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ଏହା ପ୍ରଥମ ବୈଠକ ଥିଲା। ବାୟନ ପ୍ୟାଲେସରେ ପହଞ୍ଚିବା ପରେ ମୋଦିଙ୍କୁ ଆନୁଷ୍ଠାନିକ ସ୍ୱାଗତ କରାଯାଇଥିଲା ଏବଂ କୁଏତର ପ୍ରଧାନମନ୍ତ୍ରୀ ମହାମହିମ ଅହମ୍ମଦ ଅଲ-ଅବଦୁଲ୍ଲା ଅଲ-ଅହମ୍ମଦ ଅଲ-ସବା ତାଙ୍କୁ ସ୍ୱାଗତ କରିଥିଲେ।
ଦୁଇ ନେତା ଉଭୟ ଦେଶ ମଧ୍ୟରେ ଦୃଢ଼ ଐତିହାସିକ ଏବଂ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ସ୍ମରଣ କରିଥିଲେ ଏବଂ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ବୃଦ୍ଧି ତଥା ଗଭୀର କରିବା ପାଇଁ ସେମାନଙ୍କର ପୂର୍ଣ୍ଣ ପ୍ରତିବଦ୍ଧତାକୁ ଦୋହରାଇଥିଲେ। ଏହି ପରିପ୍ରେକ୍ଷୀର ସେମାନେ ଦ୍ୱିପାକ୍ଷିକ ସମ୍ପର୍କକୁ ଏକ “ରଣନୀତିକ ଭାଗିଦାରୀ” ସ୍ତରକୁ ଉନ୍ନୀତ କରିବାକୁ ରାଜି ହୋଇଥିଲେ। କୁଏତରେ ୧୦ ଲକ୍ଷରୁ ଅଧିକ ପ୍ରବାସୀ ଭାରତୀୟଙ୍କ କଲ୍ୟାଣ ସୁନିଶ୍ଚିତ କରିଥିବାରୁ ପ୍ରଧାନମନ୍ତ୍ରୀ ମହାମହିମ ଅମୀରଙ୍କୁ ଧନ୍ୟବାଦ ଜଣାଇଥିଲେ। କୁଏତର ବିକାଶରେ ବୃହତ ଏବଂ ସକ୍ରିୟ ଭାରତୀୟ ସମୁଦାୟର ଅବଦାନକୁ ମହାମହିମ ଅମୀର ପ୍ରଶଂସା କରିଥିଲେ।
କୁଏତ ଦ୍ୱାରା ନିଜର ଭିଜନ ୨୦୩୫କୁ ପୂରଣ କରିବା ଲାଗି କରାଯାଉଥିବା ପ୍ରୟାସକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ଏବଂ ଚଳିତ ମାସ ଆରମ୍ଭରେ ଜିସିସି ଶିଖର ସମ୍ମିଳନୀର ସଫଳ ଆୟୋଜନ ଲାଗି ମହାମହିମ ଅମୀରଙ୍କୁ ଅଭିନନ୍ଦନ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ଶନିବାର ଆରବିୟାନ ଗଲ୍ଫ କପର ଉଦଘାଟନୀ ସମାରୋହରେ ତାଙ୍କୁ ‘ସମ୍ମାନିତ ଅତିଥି’ ରୂପରେ ଆମନ୍ତ୍ରଣ କରିବା ଲାଗି ମଧ୍ୟ ଅମୀରଙ୍କୁ କୃତଜ୍ଞତା ଜଣାଇଥିଲେ । ମହାମହିମ ଅମୀର ପ୍ରଧାନମନ୍ତ୍ରୀଙ୍କ ଭାବନା ପାଇଁ କୃତଜ୍ଞତା ବ୍ୟକ୍ତ କରିଥିଲେ ଏବଂ କୁଏତ ଓ ଉପସାଗରୀୟ କ୍ଷେତ୍ରରେ ଏକ ମୂଲ୍ୟବାନ ଭାଗିଦାର ରୂପେ ଭାରତର ଭୂମିକାକୁ ପ୍ରଶଂସା କରିଥିଲେ। ମହାମହିମ ଅମୀର କୁଏତ ଭିଜନ ୨୦୩୫କୁ ସାକାର କରିବା ଦିଗରେ ଭାରତର ବଡ଼ ଭୂମିକା ଓ ଯୋଗଦାନ ପାଇଁ ଆଶା ବ୍ୟକ୍ତ କରିଥିଲେ। ମହାମହିମ ଅମୀରଙ୍କୁ ଭାରତ ଆସିବା ପାଇଁ ପ୍ରଧାନମନ୍ତ୍ରୀ ନିମନ୍ତ୍ରଣ କରିଥିଲେ ।
previous article:https://purvapaksa.com/rs-668-crore-for-development-of-tripura/
