ଓଡ଼ିଶା ଭିଜିଲାନ୍ସ ଇତିହାସରେ ୧ କୋଟିରୁ ଅଧିକ ନଗଦ ଜବତର ତାଲିକା
ଘରେ ଗଦା କରିଥିଲେ ପୁଳାପୁଳା ଟଙ୍କା। ଠୁଳ କରିଥିଲେ ସୁନା ଅଳଙ୍କାର। ଜୟପୁରରେ ୬ ହଜାର ବର୍ଗଫୁଟ ଅଞ୍ଚଳରେ ୩ ମହଲାର ବିଳାସପୂର୍ଣ୍ଣ କୋଠା। ଜୟପୁର ଓ ଭୁବନେଶ୍ୱରରେ ରହିଛି ୪ଟି ଦାମୀ ପ୍ଲଟ୍। ଗୋଟିଏ କାର, ଦୁଇଟି ବାଇକ୍, ବୀମା, ବ୍ୟାଙ୍କ ଜମା ଏମିତି କାହିଁ କେତେ ସମ୍ପତ୍ତି। କୁବେର ବାବୁଙ୍କ ଅମାପ ସମ୍ପତ୍ତି ଦେଖି ଚଢ଼ଉ କରୁଥିବା ଭିଜିଲାନ୍ସ ଟିମ୍ ତାଜୁବ୍ ହୋଇଯାଇଛି। ମାଲକାନଗିରି ଜିଲ୍ଲା ଜଳ ବିଭାଜିକା ପ୍ରକଳ୍ପ ଉପନିର୍ଦ୍ଦେଶକ ଶାନ୍ତନୁ କୁମାର ମହାପାତ୍ରଙ୍କ ବାସଭବନ ସମେତ ୭ଟି ସ୍ଥାନରେ ଚଢ଼ଉ ଜାରି ରହିଥିଲେ ସୁଦ୍ଧା ପୂରା ସଂପତ୍ତିର ଆକଳନ ଏଯାଏଁ କରିପାରିନି ଭିଜିଲାନ୍ସ ଟିମ୍।
ବୁଧବାର ଭୋର୍ ସମୟରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ଜିଲ୍ଲା ଜଳ ବିଭାଜିକା ପ୍ରକଳ୍ପ ଉପନିର୍ଦ୍ଦେଶକ ଶାନ୍ତନୁ କୁମାର ମହାପାତ୍ରଙ୍କ ବାସଭବନରେ ଚଢ଼ଉ କରିଛି ଭିଜିଲାନ୍ସ। ଜୟପୁର ପାୱାର ହାଉସ୍ ଅଷ୍ଟମ ଲାଇନ୍ରେ ଥିବା ବାସଭବନ ସମେତ ୭ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଛି ଭିଜିଲାନ୍ସ। ଚଢ଼ଉ ସମୟରେ ଜୟପୁର ବାସଭବନରେ ଠାବ ହୋଇଥିବା ସମ୍ପତ୍ତି ଦେଖି ତାଜୁବ୍ ହୋଇଯାଇଛନ୍ତି ଭିଜିଲାନ୍ସ ଅଧିକାରୀ। ସନ୍ଧ୍ୟା ସୁଦ୍ଧା ୧ କୋଟି ୯୮ ଲକ୍ଷ ଟଙ୍କା ଠାବ ହୋଇଥିବା ବେଳେ ଆହୁରି ଗଣତି ଚାଲିଥିବାରୁ ନଗଦ ଟଙ୍କା ପରିମାଣ ସମ୍ପର୍କରେ ସ୍ପଷ୍ଟ କରିନି ଭିଜିଲାନ୍ସ। ଘରେ ୮ଟି ବ୍ୟାଗ୍ରେ ଥିବା ଟଙ୍କାକୁ ଦୁଇଟି ମେସିନ୍ ମାଧ୍ୟମରେ ଗଣାଯାଉଛି। ଚଢ଼ଉ ବେଳେ ୩୦୦ ଗ୍ରାମ୍ ସୁନା ଅଳଙ୍କାର ଠାବ ହୋଇଛି।
ସମୟ ଗଡ଼ିବା ସହ ସମ୍ପତ୍ତି ପରିମାଣ ବଢ଼ିବାରେ ଲାଗିଛି। ୨୦ରୁ ଊର୍ଦ୍ଧ୍ୱ ଚେକ୍ ବହି ସମେତ ଦୁଇଟି ପାସପୋର୍ଟ ଜବତ କରିଛି ଭିଜିଲାନ୍ସ। ଶାନ୍ତନୁଙ୍କ ବାସଭବନ ସମେତ ମାଲକାନଗିରି ଅଫିସ୍, କଟକ ବାଲିସାହି ନୂଆପଡ଼ାସ୍ଥିତ ପୈତୃକ ବାସଭବନ, ଭୁବନେଶ୍ୱର ଭୀମଟାଙ୍ଗିରେ ସମ୍ପର୍କୀୟଙ୍କ ଘର, ବିଭାଗୀୟ ଡାଟାଏଣ୍ଟ୍ରି ଅପରେଟର୍ ବିଶ୍ୱଜିତ୍ ମଣ୍ଡଳ, ଚୁକ୍ତିଭିତ୍ତିକ କର୍ମଚାରୀ ଅମୀୟକାନ୍ତ ସାହୁ, ମାଲକାନଗିରିର ସହକାରୀ କୃଷି ଇଞ୍ଜିନିୟର ମୋହନ ମଣ୍ଡଳଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢ଼ଉ କରିଛି। ବିଭିନ୍ନ ସ୍ଥାନରୁ ଭିଜିଲାନ୍ସ ପୁଳା ପୁଳା ସମ୍ପତ୍ତିର ସୁରାକ୍ ପାଇଛି।
ମାଲକାନଗିରି, ଜୟପୁର, ନବରଙ୍ଗପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ହୋଇଥିବା ଚଢ଼ଉରେ ୨ଜଣ ଅତିରିକ୍ତ ଏସ୍ପି, ୪ଜଣ ଡିଏସ୍ପି, ୧୦ଜଣ ଇନ୍ସପେକ୍ଟର, ୬ଜଣ ଏଏସ୍ଆଇ ସାମିଲ ହୋଇଥିଲେ। ଶାନ୍ତନୁ ୨୦୨୧ ଅଗଷ୍ଟରେ ମାଲକାନଗିରି ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ। ପୂର୍ବରୁ ସେ କୋରାପୁଟ, ବ୍ରହ୍ମପୁର ଭଳି ସ୍ଥାନରେ କାର୍ଯ୍ୟ କରିଛନ୍ତି। ଜାନୁଆରି ୨୦୨୭ରେ ସେ ଅବସର ଗ୍ରହଣ କରିଥାନ୍ତେ। ଶାନ୍ତନୁ ମହାପାତ୍ରଙ୍କ ଘରୁ ୧ କୋଟି ୯୮ ଲକ୍ଷ ଟଙ୍କା ଜବତ କରିବା ପରେ ଓଡ଼ିଶା ଭିଜିଲାନ୍ସ ଇତିହାସରେ ୧ କୋଟିରୁ ଅଧିକ ନଗଦ ଜବତର ତାଲିକା ପ୍ରଦାନ କରିଛି।
ଏହି ତାଲିକା ଉପରେ ନଜର ପକାନ୍ତୁ
- ମାଲକାନଗିରି ଜିଲ୍ଲା-ମାଲକାନଗିରି ଜଳସେଚନ ଉପନିର୍ଦ୍ଦେଶକ ତଥା ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ବିରୋଧରେ ଚଢ଼ାଉ କରି ନଗଦ ୧ କୋଟି ୯୮ ଲକ୍ଷ ଟଙ୍କା ଜବତ ହୋଇଛି।
- ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ବିରୋଧରେ ୨୨/୨୩.୦୬.୨୦୨୩ରେ ଘରେ ଚଢ଼ାଉ କରି ନଗଦ ୩ କୋଟି ୧୨ ଲକ୍ଷ ୩୦ ହଜାର ୮୦୦ ଟଙ୍କା ଜବତ କରାଯାଇଛି।
- ଭୁବନେଶ୍ୱର ଖଣି ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନାଙ୍କ ବିରୋଧରେ ଚଢ଼ାଉ କରି ନଗଦ ୧ କୋଟି ୬୪ ଲକ୍ଷ ଟଙ୍କା ଜବତ ହୋଇଛି।
- ୭.୦୪.୨୦୨୨ ରେ ଗଞ୍ଜାମର କାର୍ତ୍ତିକେଶ୍ୱର ରାଉଳ, ଏଇ, ଏମଆଇ, ଭଞ୍ଜନଗର, ଗଞ୍ଜାମ ବିରୋଧରେ ଘରେ ଚଢ଼ାଉ କରି ନଗଦ ୩ କୋଟି ୪୧ ଲକ୍ଷ ୬୬ ହଜାର ୨୮୦ ଟଙ୍କା ଜବତ ହୋଇଥିଲା।
- ମାଲକାନଗିରି ଆରଡବ୍ଲୁ ଡିଭିଜନର ଏସଇ ଆଶିଷ କୁମାର ଦାସଙ୍କ ବିରୋଧରେ ୨୫.୦୩.୨୦୨୨ରେ ଘରେ ଚଢ଼ାଉ କରି ନଗଦ ୧,୪୦,୧୮,୦୭୦/- ଟଙ୍କା ଜବତ କରାଯାଇଥିଲା।
- ୧୬.୦୨.୨୦୨୨ରେ ଚରିଚକା ସିଏଚ୍ସିର ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସୁକାନ୍ତ ଜେନାଙ୍କ ବିରୋଧରେ ଘରେ ଚଢ଼ାଉ କରି ନଗଦ ୧ କୋଟି ୧୩ ଲକ୍ଷ ୧୬ ହଜାର ୭୨୦ ଟଙ୍କା ଜବତ ହୋଇଥିଲା।
- ୨୦/୨୧/୧୨.୨୦୨୨ରେ ଇଡ଼କଲର ଯୁଗ୍ମ ପରିଚାଳକ ଗୟା ସାନ୍ତରାଙ୍କ ବିରୋଧରେ ଘରେ ଚଢ଼ାଉ କରି ନଗଦ ୧,୦୬,୪୪,୫୦୦ ଟଙ୍କା ଜବତ କରାଯାଇଥିଲା।
- ଘରୁ ନଗଦ ୧,୦୧,୭୦,୯୫୦ ଟଙ୍କା ଜବତ, ଆଠଗଡ଼ ଡିଏଫଓ ସୁଧାଂଶୁ ଶେଖର ମିଶ୍ରଙ୍କ ବିରୋଧରେ ଗତ ୨୪.୦୨.୨୦୧୬ରେ ଚଢ଼ାଉ କରାଯାଇଥିଲା।
ଦୁର୍ନୀତି ନିବାରଣ ଟିମ୍ କହିଛି ଯେ ଓଡ଼ିଶା ଭିଜିଲାନ୍ସ ଇତିହାସରେ ଗତ ୩ ବର୍ଷ (୨୦୨୨-୨୦୨୫)ରେ ୮ଟି ବଡ଼ ଧରଣର ନଗଦ ଟଙ୍କା ଜବତ ହୋଇଛି।
previous article:https://purvapaksa.com/580-residential-lease-plots-freeholded/
