- ପ୍ରେମ-ପ୍ରଶାନ୍ତିର ଅଗଣା ପାଲଟିଛି ଅର୍କକ୍ଷେତ୍ର
- ହୋଇଛି ଜନମାନସର ଅବିଶ୍ୱସନୀୟ ବିସ୍ମୟ
କୋଣାର୍କ ଉତ୍ସବର ଚତୁର୍ଥ ସନ୍ଧ୍ୟାରେ କୋଣାର୍କ ଝୁରି ହୋଇଛି ତା’ର ଶିଳ୍ପୀ କୁଳଙ୍କୁ ଆଉ ତାର ଗାଥାକୁ ଲିପିବଦ୍ଧ କରିଥିବା କବି ଓ ସାହିତ୍ୟିକଙ୍କୁ। କୋଣାର୍କ ଶିଳ୍ପୀର ନିହଣ ମୁନର କେବଳ ମାତ୍ର ଏକ ଶିଳ୍ପ କଳା ହୋଇ ରହିନାହିଁ, ହୋଇଯାଇଛି ବିଶ୍ୱର ଅଗଣିତ ଜନ ମାନସର ଏକ ଅବିଶ୍ୱସନୀୟ ବିସ୍ମୟ। ବିଶ୍ୱର ବହୁ ଭାଷାର କବି ସାହିତ୍ୟିକଙ୍କ କଲମ ମୁନର ଏକ ଅନବଦ୍ୟ ସୃଷ୍ଟି। କବିର କଳା ଓ କଳ୍ପନାରେ କୋଣାର୍କର ଗାଥା, ରୂପ, ଲାବଣ୍ୟ ଫୁଟି ଉଠିଛି । କୋଣାର୍କ ହୋଇ ଉଠିଛି ଶିଳ୍ପୀ ମାନସର “ଶିଳାପଦ୍ମ” ଆଉ ଲିପିର ଶିଳାଲେଖ । ନୃତ୍ୟଶିଳ୍ପୀ ଓ ସଙ୍ଗୀତଜ୍ଞଙ୍କର ସ୍ଵପ୍ନର ଚଉହଦୀ ଆଉ ପ୍ରେମ-ପ୍ରଶାନ୍ତିର ଅଗଣା ପାଲଟି ଯାଇଛି।
କୋଣାର୍କ ମନ୍ଦିର ହେଉଛି ଅପୂର୍ବ ଶିଳ୍ପକଳା, ପ୍ରାଚୀନ କୀର୍ତ୍ତିରାଜି ଓ ମୂଲ୍ୟବାନ ସାଂସ୍କୃତିକ ପରମ୍ପରାର ଚରମ ନିଦର୍ଶନ। ଓଡ଼ିଶୀ ମନ୍ଦିରର ଚାରୁକାରୁ କଳା ସହିତ ପୁରୁଷ ଓ ପ୍ରକୃତିର ଏକ ଶୋଭନୀୟ ପ୍ରତିଷ୍ଠାନ-ଏହି ମନ୍ଦିର। ମନ୍ଦିର କଳାର ଶିଖର, ମଣ୍ଡପ, ଗର୍ଭଗୃହ, ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ସହ ବହୁଳ କଳା ନିପୁଣତା ଏବଂ ମିଥୁନ କ୍ରିୟାର କଳା ଓ କୌଶଳର ନିଦର୍ଶନ ମିଳେ ।
ବୁଧବାର ପ୍ରଥମ ପର୍ଯ୍ୟାୟରେ ହାଇଦ୍ରାବାଦରୁ ଆସିଥିବା ଦୀପିକା ରେଡ୍ଡୀ ଓ ସାଥୀଶିଳ୍ପୀମାନଙ୍କ ଦ୍ଵାରା ପରିବେଷିତ ହୋଇଥିଲା “କୁଚିପୁଡ଼ି”ନୃତ୍ୟ । ଦୀପିକା ରେଡ୍ଡୀ ବିଗତ ପାଞ୍ଚ ଦଶନ୍ଧି ଧରି କୁଚିପୁଡ଼ି ନୃତ୍ୟ ଶୈଳୀର ଜଣେ ଧୂରୀଣ ନୃତ୍ୟାଙ୍ଗନା । ସେ ତାଙ୍କର ଦୀପାଞ୍ଜଳି ଅନୁଷ୍ଠାନ ମାଧ୍ୟମରେ କୁଚିପୁଡ଼ି ନୃତ୍ୟ ଶୈଳୀକୁ ଶିଖରରେ ପହଁଞ୍ଚେଇବାରେ ସଫଳ ହୋଇଛନ୍ତି। ଶାରୀରିକ ଅକ୍ଷମମାନଙ୍କୁ ମଧ୍ୟ ନୃତ୍ୟର କଳା ଓ ଚାତୁରୀରେ ରସତୀର୍ଣ୍ଣ କରାଇବାରେ ସେ ସଫଳ ହୋଇଛନ୍ତି। ଦୀପିକାଙ୍କ ପାଇଁ କେବଳ ଏକ ରୁଚି ନୁହେଁ ବରଂ ଈଶ୍ଵର-ନୀରାଜନାର ମାଧ୍ୟମ। ଆଜି ତାଙ୍କର “କୁଚିପୁଡ଼ି ବନ୍ଦନା”ମାଧ୍ୟମରେ ଅଗ୍ରପୂଜ୍ୟ ଗଣେଶଙ୍କର ବନ୍ଦନା ସହିତ “ଥାକୁଭେମିମନାକୁ”ଓ “ମଧୁରମ ମଧୁରମ”ରେ କୃଷ୍ଣଙ୍କର ଲୀଳା ଓ ରାସର ପ୍ରଦର୍ଶନ କରାଇଥିଲେ। ନିତ୍ୟ “ନିରଞ୍ଜନମ”ରେ ଆନନ୍ଦ ଓ ଉଲ୍ଲାସ ମଧ୍ୟରେ ବିଭିନ୍ନ ତାଳ ଓ ନୃତ୍ୟାଙ୍ଗନାମାନଙ୍କର ଅଙ୍ଗରାଗ କୁଚିପୁଡ଼ି ନୃତ୍ୟ ଶୈଳୀରେ ପରିବେଷଣ କରିଥିଲେ। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟିକୁ ଦୀପିକା ରେଡ୍ଡୀ ନିର୍ଦ୍ଦେଶନା ଦେଇଥିବାବେଳେ ସଙ୍ଗୀତର ରୂପ ଦେଇଥିଲେ ଡି ଏସ୍ ଭି ଶାସ୍ତ୍ରୀ ।
ଦ୍ୱିତୀୟ ପର୍ଯ୍ୟାୟରେ ଭୁବନେଶ୍ଵରର “ରୁଦ୍ରାକ୍ଷ ଫାଉଣ୍ଡେସନ”ର ଗୁରୁ ବିଚିତ୍ରାନନ୍ଦ ସ୍ଵାଇଁ ଓ ସାଥୀଶିଳ୍ପୀମାନଙ୍କ ଦ୍ଵାରା ପରିବେଷଣ ହୋଇଥିଲା ଓଡିଶୀ ନୃତ୍ୟ। ଓଡ଼ିଶୀ ନୃତ୍ୟର ରୂପ, ରସ, ରାଗ, ଛନ୍ଦ ଓ ଭଙ୍ଗୀମାର ଅପୂର୍ବ ପରିପ୍ରକାଶ ଘଟିଥିଲା। ଶିଳ୍ପୀମାନଙ୍କ “ହଂସ କଲ୍ୟାଣୀ ପଲ୍ଲବୀ”ଓ “, ଶାକ୍ୟ ମୁନି ବୁଦ୍ଧ” ଦୁଇ ନୃତ୍ୟ ସଂରଚନାରେ । ଓଡ଼ିଶୀ ନୃତ୍ୟର ସମସ୍ତ ବ୍ୟାକରଣକୁ ଆଧାର କରି ରୁଦ୍ରାକ୍ଷ ଫାଉଣ୍ଡେସନର ଶିଳ୍ପୀଗଣ ଦର୍ଶକଙ୍କୁ ସେମାନଙ୍କ ନୃତ୍ୟ ଶୈଳୀରେ ବିମୋହିତ କରି ରଖିଥିଲେ। ନିର୍ଦ୍ଦେଶନାରେ ଗୁରୁ ବିଚିତ୍ରାନନ୍ଦ ସ୍ଵାଇଁ ଏବଂ ସଙ୍ଗୀତରେ ଗୁରୁ ରାମହରି ଦାସ,,ଗୁରୁ ଶ୍ରୀଜନ ଚାଟାର୍ଜି ଓ ଗୁରୁ ଧନେଶ୍ଵର ସ୍ଵାଇଁଙ୍କ ଅପୂର୍ବ କଳା ଚାତୁରୀ ପ୍ରଦର୍ଶିତ ହୋଇଥିଲା।
ଆଜି କୋଣାର୍କ ଉତ୍ସବର ପଞ୍ଚମ ଓ ଉଦଯାପନୀ ଦିବସରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ କୋଲକାତା ସ୍ଥିତ “ଦୀକ୍ଷା ମଞ୍ଜରୀ”ର ଗୁରୁ ଡ଼ୋନା ଗାଙ୍ଗୁଲୀ ଓ ସାଥୀଶିଳ୍ପୀବୃନ୍ଦ। ଦ୍ୱିତୀୟ ପର୍ଯ୍ୟାୟରେ “ଭାରତନାଟ୍ୟମ୍” ନୃତ୍ୟ ଶୈଳୀକୁ ପରିବେଷଣ କରିବେ ନୂଆ ଦିଲ୍ଲୀର “ନାଟ୍ୟ ବୃକ୍ଷ ଡ୍ୟାନ୍ସ କଲେକ୍ଟଭି”ର ଗୀତା ଚନ୍ଦ୍ରନ ଓ ସାଥୀଶିଳ୍ପୀ ବୃନ୍ଦ। ଚତୁର୍ଥ ଦିନର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦୀନବନ୍ଧୁ ସାହୁ ପ୍ରିନ୍ସିପାଲ ଆକାଉଣ୍ଟାଣ୍ଟ ଜେନେରାଲ (ଏ ଆଣ୍ଡ ଇ), ଡକ୍ଟର ଦିବ୍ୟଶଦା ବ୍ରଜସୁନ୍ଦର ଗଡ଼ନାୟକ ପୁରୀ ସର୍କଲର ଏଏସ୍ଆଇର ଅଧୀକ୍ଷକ ପ୍ରତ୍ନତତ୍ତ୍ୱବିତ୍ ଓ ପର୍ଯ୍ୟଟନ ବିଭାଗର ଅତିରିକ୍ତ ନିର୍ଦ୍ଧେଶକ ବିଶ୍ଵଜିତ ରାଉତରାୟ ଯୋଗ ଦେଇ ଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ଵଳନ କରିଥିଲେ ଓ ଶିଳ୍ପୀ ବୃନ୍ଦଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।
ଚନ୍ଦ୍ରଭାଗର ବାଲୁକା ବେଳା ଭୁଇଁ ରେ ୧୪ତମ ନ୍ତର୍ଜାତୀୟ ବାଲୁକା ମହୋତ୍ସବର ଚତୁର୍ଥ ଦିନର ବିଷୟ ବସ୍ତୁ ପୁରୁଷ ବାଲୁକା ଶିଳ୍ପୀଙ୍କ ପାଇଁ ଥିଲା। ସେବାରେ ସ୍ୱଚ୍ଛତା,ମହିଳା ମାନଙ୍କ ପାଇଁ ଥିଲା ସାମୁଦ୍ରିକ ଜୀବନ ସୌନ୍ଦର୍ଯ୍ୟବୋଧ ଏବଂ ରାଜ୍ୟ ବାହାରୁ ଆସିଥିବା ବାଲୁକା ଶିଳ୍ପୀ ମାନଙ୍କ ପାଇଁ ବିଷୟ ବସ୍ତୁ ଥିଲା ବନ୍ୟାପ୍ରାଣୀ ଓ ପରିବେଶ ।
previous article: https://purvapaksa.com/devendra-fadnavis-to-be-sworn-in-as-maharashtra-cm-for-third-time/