KIIT: ଟିମ୍ ଗଠନ କରି କିଟ୍ ବିଶ୍ୱବିଦ୍ୟାଳୟ ପରିସରକୁ ଯାଇ ତଦନ୍ତ ପାଇଁ ଡିଜି ଇନଭେଷ୍ଟିଗେସନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
କିଟ୍ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ପ୍ରକୃତି ଲାମସାଲଙ୍କ ମୃତ୍ୟୁ ଘଟଣାକୁ ଜାତୀୟ ମାନବାଧିକାର କମିସନ୍ ଗୁରୁତର ସହ ନେଇଛନ୍ତି। ଏହି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଟିମ୍ ଗଠନ କରି କିଟ୍ ବିଶ୍ୱବିଦ୍ୟାଳୟ ପରିସରକୁ ଯାଇ ତଦନ୍ତ ପାଇଁ ଡିଜି ଇନଭେଷ୍ଟିଗେସନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତରେ ସହାୟତା କରିବା ପାଇଁ ରେଜିଷ୍ଟ୍ରାରଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତକାରୀ ଟିମ୍ ମାର୍ଚ୍ଚ ୧୦ ତାରିଖ ସୁଦ୍ଧା ତଦନ୍ତ ଶେଷ କରି ରିପୋର୍ଟ ପ୍ରଦାନ କରିବାକୁ ଜାତୀୟ ମାନବାଧିକାର କମିସନ୍ ନିର୍ଦ୍ଦେଶ ଦେଇଛନ୍ତି।
ଗତ ଫେବ୍ରୁଆରି ୧୬ ତାରିଖ ଅପରାହ୍ନରେ ପୂର୍ବତନ ବିଜେଡି ସାଂସଦ ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ପ୍ରତିଷ୍ଠିତ କିଟ୍ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳନ କରୁଥିବା ବେଳେ ହଷ୍ଟେଲ ରୁମରୁ ୨୦ ବର୍ଷୀୟା ନେପାଳୀ ନାବାଳିକା ପ୍ରକୃତି ଲାମସାଲଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।
ଡିଜି(ଆଇ)ଙ୍କୁ ଏନ୍ଏଚ୍ଆରସିଙ୍କ ନିର୍ଦ୍ଦେଶ:
ଏନଏଚଆରସି ଚିଠିରେ ଉଲ୍ଲେଖ କରାଯାଇଛି ଯେ, ୧୯୯୩ ପିଆରଏର ବ୍ୟବସ୍ଥା ଅନୁଯାୟୀ ଭୁବନେଶ୍ୱରସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟରେ ଘଟଣାସ୍ଥଳରେ ତଦନ୍ତ କରିବା ଏବଂ ମାର୍ଚ୍ଚ ୧୦ ତାରିଖ ସୁଦ୍ଧା ତଦନ୍ତ ରିପୋର୍ଟ କମିଶନଙ୍କ ନିକଟରେ ଦାଖଲ କରିବାକୁ କମିଶନ ତଦନ୍ତ ମହାନିର୍ଦ୍ଦେଶକ (ତଦନ୍ତ) ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି କମିଶନ ରେଜିଷ୍ଟ୍ରାର (ଆଇନ)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ତଦନ୍ତ ବିଭାଗର ଦୁଇ ଜଣ ଅଧିକାରୀ, ଏସଏସପି ପାହ୍ୟାର ଜଣେ ଏବଂ ଆଇନ ବିଭାଗର ଜଣେ ଅଧିକାରୀ/ଅଧିକାରୀଙ୍କୁ ନେଇ ଗଠିତ ଟିମ୍ ସହ ଘଟଣାସ୍ଥଳରେ ତଦନ୍ତ କରି ମାର୍ଚ୍ଚ ୧୦ ତାରିଖ ସୁଦ୍ଧା କମିଶନଙ୍କୁ ତଦନ୍ତ ରିପୋର୍ଟ ପ୍ରଦାନ କରନ୍ତୁ।
ଅଭିଯୋଗକାରୀଙ୍କ ଅଭିଯୋଗ ଅନୁଯାୟୀ, କିଟ୍ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ପ୍ରକୃତି ଲାମସାଲ ତାଙ୍କ ପୂର୍ବତନ ପ୍ରେମିକ ଅଦ୍ଭିକ ଶ୍ରୀବାସ୍ତବଙ୍କ ଦ୍ୱାରା ନିର୍ଯାତନାର ସମ୍ମୁଖୀନ ହୋଇଥିଲେ ଏବଂ ବିଶ୍ୱବିଦ୍ୟାଳୟର ଅନ୍ତର୍ଜାତୀୟ ସମ୍ପର୍କ କାର୍ଯ୍ୟାଳୟ (ଆଇଆରଓ) ତାଙ୍କ ଅଭିଯୋଗକୁ ଅଣଦେଖା କରି ତାଙ୍କ ଦୁଃଖଦ ଆତ୍ମହତ୍ୟାର କାରଣ ହୋଇଥିଲା। ନ୍ୟାୟ ଦାବିରେ ନେପାଳୀ ଛାତ୍ରଛାତ୍ରୀଙ୍କ ବିକ୍ଷୋଭକୁ କିଟ୍ ଅଧିକାରୀ ଓ ସୁରକ୍ଷା କର୍ମୀମାନେ ମୌଖିକ ନିର୍ଯାତନା, ଧମକ ଓ ଶାରୀରିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।
ଏଥିସହିତ କିଟ୍ ଓ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସେସ୍ (କିସ୍) ଆଦିବାସୀ ପିଲାଙ୍କୁ ଶୋଷଣ କରିବା, ସେମାନଙ୍କ ମାନବିକ ଅଧିକାର ଉଲ୍ଲଂଘନ କରିବା ସହ ବେଆଇନ ଜମି ଅଧିଗ୍ରହଣରେ ଲିପ୍ତ ଥିବା ଅଭିଯୋଗକାରୀ ଅଭିଯୋଗ କରିଛନ୍ତି।
୨୦୧୭ ଶିଶୁ କଲ୍ୟାଣ ସମିତି ର ଏକ ରିପୋର୍ଟରୁ ଜଣାପଡିଛି ଯେ କିସ୍ ରେ ଅତ୍ୟଧିକ ଭିଡ଼, ଅପରିଷ୍କାର ସୁବିଧା ଏବଂ ମୌଳିକ ସୁବିଧାର ଅଭାବ ସମେତ ଖରାପ ଜୀବନଶୈଳୀ ରହିଛି । ନିର୍ଯାତନା ଅଭିଯୋଗର ସମାଧାନ କରିବାରେ ବିଫଳ ହେବା ଏବଂ ଆଦିବାସୀ ଛାତ୍ରଛାତ୍ରୀଙ୍କ ଶୋଷଣରେ ସମ୍ପୃକ୍ତି ଅଭିଯୋଗରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସମେତ କିଟ୍ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଯୋଗକାରୀ କମିଶନଙ୍କୁ ଅନୁରୋଧ କରିଛନ୍ତି।
ଏନଏଚଆରସି ସଦସ୍ୟ ପ୍ରିୟଙ୍କ କାନୁନଗୋ କହିଛନ୍ତି, କଳିଙ୍ଗ ରାଇଟ୍ସ ଫୋରମ ନାମକ ଏକ ସଂଗଠନ ପକ୍ଷରୁ ଅଭିଯୋଗ ଆସିଛି। ନେପାଳର ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗରେ ଦର୍ଶାଯାଇଛି। ଏହା ଆତ୍ମହତ୍ୟା କି ନାହିଁ ତାହା ଆମେ ଏପର୍ଯ୍ୟନ୍ତ ଜାଣିନାହୁଁ। ଅଭିଯୋଗକାରୀ ଆମକୁ ଏହା ମଧ୍ୟ କହିଛନ୍ତି ଯେ କ୍ରୋଧିତ ନେପାଳୀ ଛାତ୍ରମାନେ ଯେଉଁମାନେ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ଚାହୁଁଥିଲେ ସେମାନଙ୍କୁ ମାଡ଼ ମରାଯାଇଥିଲା । ଆମେ ଏକ ଟିମ୍ ଗଠନ କରିଛୁ ଏବଂ ଏହା ବିଶ୍ୱବିଦ୍ୟାଳୟକୁ ଯାଇ ତଦନ୍ତ କରିବ। ୧୦ ତାରିଖ (ମାର୍ଚ୍ଚ) ପୂର୍ବରୁ ସେମାନେ ରିପୋର୍ଟ ଦାଖଲ କରିବେ।
ସୂଚନାଯୋଗ୍ୟ, କିଟ୍ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ପ୍ରକୃତି ଲାମସାଲଙ୍କ ଆତ୍ମହତ୍ୟା ତଥା ପରବର୍ତ୍ତୀ ଘଟଣାକ୍ରମକୁ ନେଇ କିଟ୍ ବିଶ୍ୱବିଦ୍ୟାଳୟକୁ ବିସ୍ତୃତ ରିପୋର୍ଟ ଦେବା ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପତ୍ର ଲେଖିଛନ୍ତି। ଦେଶବ୍ୟାପୀ ଏହି ଘଟଣା ଆଲୋଡ଼ନ ସୃଷ୍ଟି କରିଥିବାବେଳେ ୟୁଜିସି ଘଟଣାକୁ ଗମ୍ଭୀରତାର ସହ ନେଇଛି। କିଟ୍ ଘଟଣାରେ ହସ୍ତକ୍ଷେପ କରି ନେପାଳ ମାନବାଧିକାର ଆୟୋଗ ଭାରତର ଜାତୀୟ ମାନବାଧିକାର ଆୟୋଗଙ୍କୁ ଏକ ଚିଠି ଲେଖି ଘଟଣାର ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କୁ ଦଣ୍ଡହେବାକୁ ଅନୁରୋଧ କରିଛନ୍ତି।
ସେହିଭଳି କିଟ୍ ଘଟଣାକୁ ନେଇ ଗତ ସପ୍ତାହରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଗଭୀର ଦୁଃଖ ପ୍ରକାଶ କରିଥିଲା। ଏହି ଘଟଣା ଜଣାପଡ଼ିବା ପରଠାରୁ ମନ୍ତ୍ରାଳୟ ଓଡ଼ିଶା ସରକାର ଓ କିଟ୍ କର୍ତ୍ତୃପକ୍ଷଙ୍କ ସହ ଲଗାତାର ଯୋଗାଯୋଗରେ ଥିବା ତଥା ଭାରତରେ ପଢ଼ୁଥିବା ଅନ୍ତର୍ଜାତୀୟ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଏବଂ ମଙ୍ଗଳ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ଏବଂ ଏଥିପ୍ରତି ସର୍ବାଧିକ ପ୍ରାଥମିକତା ଦିଆଯାଉଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି।
previous article:https://purvapaksa.com/wrong-e-challans-for-traffic-violations-a-new-bother-for-citizens/
