ଚଳିତ ମାସ ୨୧ତାରିଖରୁ ରାଜ୍ୟ ସରକାର ଖରିଫ ଧାନ କିଣା ଆରମ୍ଭ କରିବେ। ଏଥିପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ୩୧ଶହ ଟଙ୍କାରେ ଧାନ କିଣିବାକୁ ବିଜେପିର ନିର୍ବାଚନ ପ୍ରତିଶ୍ରୁତି ରହିଥିବା ଦୃଷ୍ଟିରୁ ଚଳିତ ଖରିଫ ଧାନ ସଂଗ୍ରହର ବିଶେଷ ଗୁରୁତ୍ୱ ରହୁଛି। ତେବେ ରାଜ୍ୟ ସମବାୟ ବିଭାଗ ପକ୍ଷରୁ ଧାନ ସଂଗ୍ରହ କେନ୍ଦ୍ର ବା ମଣ୍ଡିଗୁଡ଼ିକରେ ଆବଶ୍ୟକତା ଅନୁସାରେ ସିସିଟିଭି କ୍ୟାମେରା ସ୍ଥାପନ ଏବଂ ଧାନର ମାନ ପରୀକ୍ଷା ଉପକରଣ(ପ୍ୟାଡ଼ି କ୍ଲିନର) ବ୍ୟବସ୍ଥା ହୋଇପାରି ନ ଥିବାରୁ ଧାନ ସଂଗ୍ରହରେ ସ୍ବଚ୍ଛତା ରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଭାଗ ପକ୍ଷରୁ ବିଧାନସଭା ସ୍ଥାୟୀ କମିଟିକୁ ଦିଆଯାଇଥିବା ରିପୋର୍ଟରୁ ଏହା ଜଣାପଡ଼ିଛି।
ଷ୍ଟାଣ୍ଡିଂ କମିଟି ସୁପାରିସ ଅନୁପାଳନ ରିପୋର୍ଟରେ ସମବାୟ ବିଭାଗ ପକ୍ଷରୁ ଦର୍ଶାଯାଇଛି ଯେ ସବୁ ମଣ୍ଡିରେ ସିସିଟିଭି ବ୍ୟବସ୍ଥା କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ଜିଲାପାଳଙ୍କୁ ନିର୍ଦେଶ ଦିଆଯିବା ସହିତ ଉପଖଣ୍ଡସ୍ତରରେ ଥିବା ସମବାୟ ବିଭାଗର ଡ଼ିଆରସି ଜିଲା ପ୍ରଶାସନ ସହିତ ସମନ୍ବୟ ରକ୍ଷା କରି ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନେବାକୁ କୁହାଯାଇଥିଲା।
ବିଭାଗ ପକ୍ଷରୁ କମିଟିକୁ ଦିଆଯାଇଥିବା ରିପୋର୍ଟରୁ ଜଣାପଡ଼ିଛି ଯେ ରାଜ୍ୟରେ ୨୬୨୨ଟି ପ୍ୟାକ୍ସରେ ୩୪୫୭ଟି ଧାନ କ୍ରୟ କେନ୍ଦ୍ର ବା ମଣ୍ଡି ରହିଥିବାବେଳେ ସେଥିମଧ୍ୟରୁ ମାତ୍ର ୧୮୧୯ଟି କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯାଇଛି। ସେହିପରି ଧାନର ମାନ ପରୀକ୍ଷା ପାଇଁ ସବୁ କେନ୍ଦ୍ରରେ ଏ ପର୍ଯ୍ୟନ୍ତ ଆବଶ୍ୟକ ଉପକରଣ ଲଗାଯାଇ ପାରିନି। ଏସବୁ ଉପକରଣ ଯୋଗାଇଦେବାକୁ ବିଭାଗ ପକ୍ଷରୁ ଓଡ଼ିଶା କୃଷି ଶିଳ୍ପ ନିଗମକୁ ପ୍ରସ୍ତାବ ପଠା ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଅଳ୍ପ କିଛି ମଣ୍ଡିକୁ ଏହା ଯୋଗାଇ ଦିଆଯାଇଛି।
ହାତରେ ଧାନ ସଂଗ୍ରହ ପାଇଁ ଖୁବ୍ କମ ସମୟ ଥିବାରୁ ଏସବୁ ଉପକରଣ ସ୍ଥାପନ ନ ହେଲେ ଧାନ କିଣା କ୍ଷେତ୍ରରେ ସ୍ବଚ୍ଛତା ରକ୍ଷା କରାଯିବା ସମ୍ଭବ ହୋଇନପାରେ। ସୂଚନାଯୋଗ୍ୟ ଯେ ଗତ ୪ତାରିଖରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଗଠିତ ମନ୍ତ୍ରୀସ୍ତରୀୟ କମିଟି ବୈଠକ ପରେ ଧାନ କିଣା ପାଇଁ ସବୁ ପ୍ରକାର ବ୍ୟବସ୍ଥା ଚୂଡ଼ାନ୍ତ ହୋଇଥିବା ନେଇ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା।
ପଡ଼ୋଶୀ ରାଜ୍ୟରୁ ଧାନ ଯେପରି ଓଡ଼ିଶାରେ ପ୍ରବେଶ ନକରିବ ଏବଂ କଟନି ଛଟନି ଯେପରି ନହେବ ତାହାକୁ ଦୃଷ୍ଟିରେ ରଖି ପୁଲିସ ପାଟ୍ରୋଲିଂ ସହିତ ସବୁ ମଣ୍ଡିରେ ସିସିଟିଭି ବ୍ୟବସ୍ଥା କରାଯିବ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ।
Previous articlehttps://purvapaksa.com/three-maoist-killed/
1 Comment
Pingback: ୨୪ରେ ପୁଣି ‘ସୁଭଦ୍ରା’ ଟଙ୍କା ; ୨୦ ଲକ୍ଷ ମହିଳା ହେବେ ଉପକୃତ