ସଂସଦରେ ବିଜେପି-ଇଣ୍ଟିଆମେଣ୍ଟ ମୁହାଁମୁହିଁ
ବିଆର୍ ଆମ୍ବେଦକରଙ୍କୁ ନେଇ ଥମୁନି ବିବାଦ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଆମ୍ୱେଦକରଙ୍କ ପ୍ରତି ଅରୁଚିକର ଓ କଟୁ ମନ୍ତବ୍ୟ ନେଇ ଉଭୟ ଗୃହ ତିନି ଦିନ ହେଲା ସରଗରମ ହୋଇଉଠିଛି। ଅମିତ ଶାହଙ୍କ ତୁରନ୍ତ ଇସ୍ତଫା କଂଗ୍ରେସ ଓ ଇଣ୍ଡିଆମେଣ୍ଟ ଦାବି କରିଥିବା ବେଳେ ଆଜି କଂଗ୍ରେସ ଅଧ୍ୟକ୍ଷ ତଥା ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଗୁରୁବାର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିଛନ୍ତି।
ଆରଏସ ଅଧ୍ୟକ୍ଷଙ୍କୁ ଦିଆଯାଇଥିବା ନୋଟିସରେ ଖଡ଼ଗେ ଅଭିଯୋଗ କରିଛନ୍ତି ଯେ ଶାହଙ୍କ ମନ୍ତବ୍ୟ ସମ୍ବିଧାନର ସ୍ଥାପକଙ୍କ ପ୍ରତି ଅପମାନ, ଏହା ଅଧିକାର ଉଲ୍ଲଂଘନ ଏବଂ ଗୃହର ଅବମାନନା ସଦୃଶ। ଖଡ଼ଗେ ତାଙ୍କ ନୋଟିସରେ ଲେଖିଛନ୍ତି, “ମୁଁ ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ରାଜ୍ୟ ପରିଷଦ (ରାଜ୍ୟସଭା)ରେ କାର୍ଯ୍ୟ ପ୍ରଣାଳୀ ଏବଂ କାର୍ଯ୍ୟ ଆଚରଣ ନିୟମର ନିୟମ ୧୮୮ ଅନୁଯାୟୀ ସ୍ୱାଧିକାର ଭଙ୍ଗର ନୋଟିସ୍ ଦେଉଛି। ଡିସେମ୍ବର ୧୭ ତାରିଖରେ ‘ଭାରତୀୟ ସମ୍ବିଧାନର ୭୫ ବର୍ଷର ଗୌରବମୟ ଯାତ୍ରା’ ଉପରେ ଆଲୋଚନା ଉପରେ ରାଜ୍ୟସଭାରେ ଶାହ ଉଆମ୍ବେଦକରଙ୍କ ବିଷୟରେ ଯାହା ଉଲ୍ଲେଖ କରିଥିଲେ, ତାହା ଅତ୍ୟନ୍ତ ଅପମାନଜନକ ଥିଲା। ଗୃହରେ ଏପରି କଟୁ ମନ୍ତବ୍ୟ ଓ ଅପମାନଜନକ ମନ୍ତବ୍ୟ ଦେବା ଗୃହର ଅଧିକାର ଉଲ୍ଲଂଘନ ଓ ଅବମାନନା ବୋଲି ପ୍ରମାଣିତ କରିଛନ୍ତି।
ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ଗୃହମନ୍ତ୍ରୀ ଦେଇଥିବା ମନ୍ତବ୍ୟର ଶବ୍ଦ ସ୍ପଷ୍ଟ ଭାବରେ ବ୍ୟଙ୍ଗାତ୍ମକ ଏବଂ ଅତ୍ୟନ୍ତ ଖରାପ ଭାବରେ ପ୍ରସ୍ତୁତ କରାଯାଇଛି। ଭାରତୀୟ ସମ୍ବିଧାନର ମୁଖ୍ୟ ନିର୍ମାତା ଡକ୍ଟର ବିଆର ଆମ୍ବେଦକରଙ୍କ ନାମ ବ୍ୟବହାର କରିବା ଡ. ଆମ୍ବେଦକରଙ୍କ ପ୍ରତି ଏକ ସ୍ପଷ୍ଟ ଅପମାନ। ଗୃହରେ ଯେଉଁ ମନ୍ତବ୍ୟ ଦିଆଯାଇଛି ତାହା ସମ୍ପୂର୍ଣ୍ଣ ଅପମାନଜନକ ଏବଂ ଡ. ଆମ୍ବେଦକରଙ୍କ ପ୍ରତି ଅପମାନଜନକ ବୋଲି ସେ ତାଙ୍କ ନୋଟିସରେ ଦାବି କରିଛନ୍ତି।
ଗୃହମନ୍ତ୍ରୀଙ୍କ ଏଭଳି ଆଚରଣ ସ୍ୱାଧିକାର ଉଲ୍ଲଂଘନ ଓ ଗୃହ ଅବମାନନା ସଦୃଶ ବୋଲି ଉଲ୍ଲେଖ କରି ଖଡଗେ କହିଛନ୍ତି, ଉପରୋକ୍ତ ତଥ୍ୟକୁ ଦୃଷ୍ଟିରେ ରଖି ମୁଁ ଅନୁରୋଧ କରୁଛି ଯେ ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଉ। ଏଆଇସିସି ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି, ରାଜ୍ୟସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ରାଜ୍ୟସଭାରେ ଡକ୍ଟର ଆମ୍ବେଦକରଙ୍କ ଉପରେ ଅପମାନଜନକ ମନ୍ତବ୍ୟ ଦେଇଥିବାରୁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଦାଖଲ କରିଛନ୍ତି। ଶାହଙ୍କ ମନ୍ତବ୍ୟ ପାଇଁ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳମାନେ ତାଙ୍କ ଇସ୍ତଫା ଓ ବହିଷ୍କାର ଦାବି କରୁଛନ୍ତି।
ଆମ୍ବେଦକରଙ୍କ ସମ୍ପର୍କିତ ରାଜ୍ୟସଭାରେ ବିଜେପି ନେତାମାନେ ବିରୋଧୀ ଦଳର ସମ୍ବିଧାନର ସ୍ଥାପକଙ୍କୁ ବାରମ୍ବାର ଅପମାନିତ କରିବା ଘଟଣାକୁ ପଦାରେ ପକାଇବା ପରେ ଶାହ ବୁଧବାର ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ତାଙ୍କ ତଥ୍ୟ ଏବଂ ମନ୍ତବ୍ୟକୁ ବିକୃତ କରୁଛି। ଅପରପକ୍ଷରେ ସଂସଦରେ ବିଜେପି-ଇଣ୍ଡିଆମେଣ୍ଟ ମୁହାଁମୁହିଁ ହୋଇଛନ୍ତି। ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସମେତ କଂଗ୍ରେସ ନେତାମାନେ ସଂସଦ ପରିସରରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରୁ ସଂସଦ ଭବନ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ‘ଜୟ ଭୀମ’ ସ୍ଲୋଗାନ ଦେବା ସହ ଗୃହମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିଜେପି ନେତୃତ୍ୱାଧୀନ ଏନଡିଏ ସାଂସଦମାନେ ମଧ୍ୟ ଆମ୍ବେଦକରଙ୍କୁ ଅପମାନିତ କରିଥିବା ଅଭିଯୋଗରେ ବିରୋଧୀ କଂଗ୍ରେସକୁ କ୍ଷମା ମାଗିବା ପାଇଁ ଦାବି କରି ସ୍ଲୋଗାନ ଦେବା ସହ ପ୍ଲାକାର୍ଡ ଧରି ସଂସଦ ପରିସରରେ ଶୋଭାଯାତ୍ରା କରିଛନ୍ତି।
previous article: https://purvapaksa.com/mumbai-boat-tragedy-2-still-missing/
