କନ୍ଧମାଳ ଜିଲ୍ଲାରେ ଆଇନ-ଶୃଙ୍ଖଳାକୁ ଚ୍ୟାଲେଞ୍ଜ କରିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ଫୁଲବାଣୀ ଟାଉନ ପୋଲିସ ଷ୍ଟେସନ ଅଧୀନ ସାଇ ମନ୍ଦିର ନିକଟରେ ଦିନ ଦିପହରେ ଜଣେ କାର୍ଯ୍ୟରତ ପୋଲିସ କନେଷ୍ଟବଳଙ୍କୁ ଦୁଇ ନିଶାଗ୍ରସ୍ତ ଯୁବକ ମରଣାନ୍ତକ ଆକ୍ରମଣ କରିଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ପୋଲିସ ନିଜେ ଯେଉଁଠାରେ ସୁରକ୍ଷାର ପ୍ରତୀକ, ସେଠାରେ ତାଙ୍କ ଉପରେ ଏପରି ନିର୍ମମ ଆକ୍ରମଣ ଘଟିବା ଘଟଣାକୁ ଗୁରୁତର ଭାବେ ନେଇଛି ପ୍ରଶାସନ।

ସୂଚନା ଅନୁସାରେ, ଦୁଇ ଯୁବକ କୌଣସି କାରଣରୁ ସେହି କନେଷ୍ଟବଳଙ୍କ ସହ ଝଗଡାରେ କରିଥିଲେ। ପରେ ବିବାଦ ଉତ୍ତେଜନାର ରୂପ ନେଇଥିଲା । ଯୁବକମାନେ କନେଷ୍ଟବଳଙ୍କୁ ବିଚ୍ ରାସ୍ତାରେ ଗୋଡାଇ ଗୋଡାଇ ମାଡ଼ ମାରିଥିଲେ । ତାଙ୍କୁ ତଳେ ପକେଇ ମୁହଁ, ବେକ୍ ଓ ଛାତି ଉପରେ ଗୋଇଠା ଓ ମୁଥା ମାଡ଼ ମାରିଥିବା ସାକ୍ଷୀମାନେ କହିଛନ୍ତି । କେବଳ ମାଡ଼ ମାରିବାରେ ସୀମିତ ରହିନଥିଲେ, ଏହା ସହ ଛୁରୀ ଦ୍ୱାରା ଆକ୍ରମଣ କରିବାର ଚେଷ୍ଟା ମଧ୍ୟ କରିଥିଲେ ବୋଲି ଜଣାପଡ଼ିଛି। ଏହି ଆକ୍ରମଣରେ କନେଷ୍ଟବଳ ଗୁରୁତର ଆହତ ହୋଇଥିଲେ।
କିଛି ସମୟ ପରେ ପୋଲିସ ଦଳ ଘଟଣାସ୍ଥଳରେ ପହଞ୍ଚି ଆହତ କନେଷ୍ଟବଳଙ୍କୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଚିକିତ୍ସାଳୟକୁ ପଠାଯାଇଥିଲା। ଏହି ଘଟଣା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଯୁବକମାନେ ହେଲେ ସନ୍ତୋଷ କୁମାର ପ୍ରଧାନ ଓ ଅଞ୍ଜନ କୁମାର ସ୍ଵାଇଁ। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ, ଦୁହେଁ ନିଶାଗ୍ରସ୍ତ ଅବସ୍ଥାରେ ଥିଲେ ଏବଂ ନିୟନ୍ତ୍ରଣ ହାରାଇ ଏପରି ଅପରାଧ ଘଟାଇଥିଲେ। ସେମାନଙ୍କ ବିରୋଧରେ ହତ୍ୟାଚେଷ୍ଟା ସହିତ ବିଭିନ୍ନ ଆଇନ ଧାରାରେ ମାମଲା ରୁଜୁ କରାଯାଇଛି।
ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟ ଓ ଆତଙ୍କ ସୃଷ୍ଟି କରିଛି। ଦିନ ଦିପହରେ ଏପରି ଭାବରେ ଜଣେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରାଯିବା ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଆଇନ-ଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରଶ୍ନ ଉଠିଛି।
also read https://purvapaksa.com/haroscope-28/


