ରାଜ୍ୟ ରାଜନୀତିରେ ଆଜିର ଦିନଟି ବେଶ୍ ସ୍ମରଣୀୟ ରହିବ। କାରଣ ଗତବର୍ଷ ଏହିଦିନ ରାଜ୍ୟ ରାଜନୀତି ପଲ୍ଟି ମାରିଥିଲା। ଅଚାନକ ରାଜ୍ୟରେ ବିଜେଡି ଦୁର୍ଗ ଭାଙ୍ଗି ବିଜେପିର ଶାସନ ପ୍ରତିଷ୍ଠା ହୋଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ ଅପରାଜେୟ ନବୀନଙ୍କର ବି ପରାଜୟ ଘୋଷଣା ହୋଇଥିଲା। ସେ ଯେ ରାଜ୍ୟର ଅପ୍ରତିଦ୍ୱନ୍ଦ୍ୱୀ ନେତା ନୁହଁନ୍ତି ତାହା ପ୍ରମାଣିତ ହେଲା।
ଏହାସହ ବିଜେଡିର ନେତାମାନଙ୍କୁ ଏକ ପ୍ରକାର ସ୍ୱାଧୀନତା ମିଳିଲା। ଦଳରେ ବରିଷ୍ଠ ନେତାଙ୍କ ମୁଣ୍ଡ କାଟ୍ ହେଲେ ବି ଅନ୍ୟନେତାମାନେ ବିରୋଧ କରିବାକୁ ସାହସ କରୁନଥିଲେ। ସେହି ଦଳରେ କଙ୍କି ପେହେଲମାନ୍ ବି ନେତାଙ୍କୁ ଆଙ୍ଗୁଠି ଦେଖାଇବାକୁ ସାହସ କଲା। ଏପରିକି ସଭାପତିଙ୍କ ଘରେ ପଶି ସଭାପତିଙ୍କୁ ନାଲି ଆଖି ଦେଖାଇବାକୁ ବି ପଛାଇଲେ ନାହିଁ ବିଜେଡି ନେତା। କୁହାଯାଏ ଏହା ହେଉଛି ପାଣ୍ଡିଆନ୍ ବନ୍ଧନରୁ ମୁକ୍ତି, ଗୋତିରୁ ମୁକ୍ତି।
ବିଜୁ ଜନତା ଦଳ ଆରମ୍ଭ ହେଲା ଦିନରୁ ଏହା ନେତାଙ୍କ ଦଳ ନ ହୋଇ ଅମଲାଙ୍କ ସରକାରରେ ପରିଣତ ହୋଇଥିଲା। କାରଣ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜନେତା ହୋଇନଥିବାରୁ ସେ ଯେ କୌଣସି ନିଷ୍ପତ୍ତି ନେଲାବେଳେ ମୁଖ୍ୟତଃ ଅମଲାମାନଙ୍କ ପରାମର୍ଶ ଉପରେ ନିର୍ଭର କରୁଥିଲେ। ରାଜନୈତିକ ନିଷ୍ପତ୍ତି ନେବା ପାଇଁ ନବୀନ ଦଳୀୟ ନେତାମାନଙ୍କ ଅପେକ୍ଷା ଅମଲାଙ୍କ ଉପରେ ଅଧିକ ଭରଷା କରୁଥିଲେ। ଯାହା ଫଳରେ ରାଜ୍ୟରେ ଗତ ୨୪ ବର୍ଷ ହେଲା ବିଜେଡିରେ ବରିଷ୍ଠ ନେତାମାନେ କୋଣଠେସା ହୋଇ ରହିଲେ। ଯେଉଁ ନେତାମାନେ ନିଜର ସ୍ୱାଭିମାନକୁ ଜଗିଲେ ସେମାନେ ଦୂରେଇ ରହିଲେ। ଯେଉଁମାନେ କ୍ଷମତା ପଛରେ ଗୋଡ଼ାଇଲେ ସେମାନେ ନବୀନଙ୍କ କର୍ମଚାରୀ ରୂପକ କ୍ଷମତା କେନ୍ଦ୍ରକୁ ଭଗବାନ ଭଳି ମାନିବା ସହିତ ସେମାନଙ୍କର ଗୋତି ଶ୍ରମିକ ପାଲଟିଗଲେ।
ଏହି କ୍ରମରେ ପ୍ରଥମେ ଆସିଲେ ପ୍ୟାରୀ ମୋହନ ମହାପାତ୍ର। ସେ ନିଜର ଗୁରୁତ୍ୱ ବଢ଼ାଇବା ପାଇଁ ବିଜେଡିର ବରିଷ୍ଠ ନେତାମାନଙ୍କୁ ଦଳରୁ ତଡ଼ିବା ଆରମ୍ଭ କଲେ। ବରିଷ୍ଠ ନେତାମାନଙ୍କ ସ୍ଥାନକୁ ପୂରଣ କରିବା ପାଇଁ ନିଜର ଅନୁଗତମାନଙ୍କୁ ସେଠାରେ ବସାଇଲେ। ପ୍ୟାରୀମୋହନ ମହାପାତ୍ର ଏତେ କ୍ଷମତାଶାଳୀ ଥିଲେ ଯେ ତାଙ୍କୁ ଭେଟିବା ପାଇଁ ବରିଷ୍ଠ ନେତାମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଥିଲେ, ଏପରି କି ତାଙ୍କ ଚରଣ ପାଦୁକା ନେବା ପାଇଁ ପ୍ରତିଯୋଗୀତା କରୁଥିଲେ। ୨୦୧୨ମଇ ମାସ ୨୯ ତାରିଖର ମିଡ୍ ନାଇଟ ଅପରେସନ ପରେ ତାଙ୍କ ଯୁଗ ଶେଷ ହେବା ସହିତ ନବୀନଙ୍କ ବ୍ୟକ୍ତଗତ ସଚିବ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ଯୁଗ ଆରମ୍ଭ ହେଲା।
ପାଣ୍ଡିଆନ ଯୁଗରେ ବିଜେଡି ନେତାମାନେ ତାଙ୍କୁ ନିର୍ଦ୍ଦେଶ ଦେବା ପରିବର୍ତ୍ତେ ତାଙ୍କ ନିର୍ଦ୍ଦେଶକୁ ପାଳନ କରିବା ପାଇଁ ଚାତକ ପକ୍ଷୀ ଭଳି ଅନାଇ ରହିଲେ। ନେତାମାନେ ନବୀନଙ୍କ ପରିବର୍ତ୍ତେ ପାଣ୍ଡିଆନଙ୍କୁ ଦଳର ସର୍ବେସର୍ବା ବୋଲି ବିବେଚନା କଲେ। ଫଳରେ ତାଙ୍କ ନାମ ଧରି ଡାକିବା ପରିବର୍ତ୍ତେ ପାଣ୍ଡିଆନଙ୍କୁ ସାର ବୋଲି ସମ୍ବୋଧନ କରିବାକୁ ତିଳେମାତ୍ର କୁଣ୍ଠିତ ହେଲେ ନାହିଁ। ଏହି ସାର୍ ସମ୍ବୋଧନ ବିଜେଡି ନେତାମାନଙ୍କର ଏତେ ଅସ୍ଥିମଜ୍ଜାଗତ ହୋଇଯାଇଛି ତାଙ୍କ ପାଇଁ ଦଳ କ୍ଷମତାରୁ ଗଲା ପରେ ବି ତାଙ୍କୁ ଜଣେ ରାଜ୍ୟସଭା ସାଂସଦ ସାର୍ ଡାକିବାକୁ ଭୁଲି ନାହାନ୍ତି।
ଏହି ପରିବର୍ତ୍ତିତ ପରିସ୍ଥିତିରେ ପାଣ୍ଡିଆନ ନିଜକୁ ପ୍ରତିଷ୍ଠା କରିବା ପାଇଁ ସୁଯୋଗକୁ ଉପଯୋଗ କଲେ। ବିଜେଡି ନେତାମାନଙ୍କୁ ନିଜର ଭୃତ୍ୟଭଳି ବ୍ୟବହାର କଲେ। ଯେଉଁ ନେତାମାନେ ତାଙ୍କ କଥା ମାନିଲେ ନାହିଁ ସେମାନଙ୍କୁ ଭିଜିଲାନ୍ସ ଭୟ ଦେଖାଇ ଚୁପ୍ ରହିବାକୁ ବାଧ୍ୟ କଲେ। ଯେଉଁମାନେ ତାଙ୍କର ବଶ୍ୟତା ସ୍ୱୀକାର କଲେ ନାହିଁ ତାଙ୍କ ଘରୋଇ ମାମଲାରେ ମୁଣ୍ଡ ଖେଳାଇ ସେହି ନେତାମାନଙ୍କର ରାଜନୀତିକ କ୍ୟାରିୟରକୁ ମାଟରେ ମିଶାଇବା ସହିତ ଘର ଭାଙ୍ଗି ଦେଲେ। ଏଭଳି ବରବାଦ୍ ହୋଇଥିବା ନେତାଙ୍କ ତାଲିକା ବିଜେଡିରେ ବେଶ୍ ଲମ୍ବା ରହିଛି। ଖାଲି ସେତିକି ନୁହେଁ ବିରୋଧୀ ଦଳରେ ଥିବା ଟାଣୁଆ ନେତାମାନଙ୍କୁ କ୍ଷମତାର ପ୍ରଲୋଭନ ଦେଖାଇ ନିଜ ଖୁଆଡ଼କୁ ଆଣି ସେମାନଙ୍କୁ ମଧ୍ୟ ଚୁପ୍ କରାଇ ଦେଇଥିବାର ଅନେକ ନଜିର ରହିଛି।
୨୦୧୯ ପରଠାରୁ ବିଜେଡି ରାଜନୀତିରେ ପାଣ୍ଡିଆନଙ୍କର ଦୌରାତ୍ମ୍ୟ ଶୀର୍ଷରେ ପହଞ୍ଚିଥିଲା। ନବୀନଙ୍କ ପ୍ରତିନିଧି ସାଜି ସେ ରାଜ୍ୟସାରା ବୁଲିବା ସହିତ ଦଳର ତଥାକଥିତ ବରିଷ୍ଠ ନେତାମାନଙ୍କୁ ଟ୍ରାଫିକ ପୁଲିସ୍, କ୍ରୀତ ଦାସ, ଟେଣ୍ଟ ମରା ଶ୍ରମିକରେ ପରିଣତ କଲେ। ଜଣେ ସରକାରୀ ଅଧିକାରୀଙ୍କ ପାଇଁ ଏଭଳି ଭୃତ୍ୟ କାମ କରିବା ବିଜେଡି ନେତାମାନଙ୍କୁ ସେମାନଙ୍କ ବିବେକ ସାମନ୍ୟ ବାଧା ଦେଲା ନାହିଁ। ଏପରିକି ପାଣ୍ଡିଆନଙ୍କର ଏଭଳି ଅନୁଗତମାନେ ଲଜ୍ୟା ଅନୁଭବ କରିବା ପରିବର୍ତ୍ତେ ଗର୍ବ ଅନୁଭବ କଲେ। କିଛି ନେତାମାନଙ୍କର ଏଭଳି କାମକୁ ବରିଷ୍ଠ ନେତାମାନେ ଦେଖୁଥିଲେ ମଧ୍ୟ କ୍ଷମତା ଭୟରେ ଚୁପ୍ ରହିବାକୁ ଉଚିତ ମନେକରୁଥିଲେ।
ଏ ପୃଥିବୀରେ କାହାର ଗର୍ବ ରହିନାହିଁ। ମହାପରାକ୍ରମୀ ରାବଣ କୁହନ୍ତୁ କି ମହାମାନୀ ଦୁର୍ଯ୍ୟୋଧନଙ୍କ କଥା କୁହନ୍ତୁ, କାହାର ଗର୍ବ ଅଂହକାର ରହିନାହିଁ। ଏପରିକି ଭାରତୀୟ ରାଜନୀତିରେ ମଧ୍ୟ ଅନେକ ନେତା ସେମାନଙ୍କ ଗର୍ବ ଯୋଗୁ ମାଟିରେ ମିଶି ଯାଇଛନ୍ତି। ପାଣ୍ଡିଆନ୍ଙ୍କ ନିଜ ରାଜ୍ୟ ତାମିଲନାଡୁରେ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଶେଷ ପର୍ଯ୍ୟାୟରେ ଶଶିକଳା କ୍ଷମତା ଅପହରଣ ପାଇଁ ଯୋଜନା କରି ବିଫଳ ହୋଇଛନ୍ତି। ଏଥିରୁ ପାଣ୍ଡିଆନ୍ କିଛି ଶିକ୍ଷାଲାଭ କରିନାହାନ୍ତି। ପାଣ୍ଡିଆନ ବିଜେଡି ମୁଖିଆ ନବୀନଙ୍କୁ ଅକ୍ତିଆର କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ପାଇଁ ଯେଉଁ ସ୍ୱପ୍ନ ଦେଖୁଥିଲେ ତାହାକୁ ରାଜ୍ୟବାସୀ ଭଣ୍ଡୁର କରିଦେଇଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପାଇଁ ପାଣ୍ଡିଆନଙ୍କ ସବୁ ଯୋଜନା ଗତବର୍ଷ ଆଜିର ଦିନରେ ଅର୍ଥାତ୍ ଜୁନ୍ ୪ ତାରିଖରେ ବିଫଳ ହେଲା। ବିଗତ ୨୪ ବର୍ଷ ଧରି ନିର୍ବାଚନ ରାଜନୀତିରେ ଅପରାଜେୟ ଥିବା ବିଜୁ ଜନତା ଦଳ ମାଟି କାମୁଡ଼ିବା ସହିତ ପରାଜିତ ହେଲା।
ବିଜେଡିର ଏହି ପରାଜୟରେ ବିଜେଡି ମୁଖିଆ ନବୀନ ପଟ୍ଟନାୟକ ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ହେବାର ରେକର୍ଡରୁ ବଞ୍ଚିତ ହୋଇ ମନଦୁଃଖରେ ଥିବାବେଳେ ନବୀନଙ୍କ ଅସୁସ୍ଥତା ଯୋଗୁ ତାଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ପାଣ୍ଡିଆନ୍ଙ୍କର ଦୁସ୍ୱପ୍ନରେ ପରିଣତ ହୋଇଛି। କିନ୍ତୁ ଏହି ପରାଜୟରେ ଅନେକ ବିଜେଡିର ଅନେକ ନେତା ଖୁସି ମନାଉଛନ୍ତି। କାରଣ ଦଳ ପରାଜିତ ହେବାରୁ ବିଜେଡି ନେତାମାନେ ପାଣ୍ଡିଆନ୍ଙ୍କ ଗୋତି ଖଯିବାରୁ ମୁକ୍ତି ପାଇଛନ୍ତି। ଏକଥାକୁ ବିଜେଡିର କୌଣସି ନେତା ସର୍ବସମ୍ମୁଖରେ କହୁନଥିଲେ ମଧ୍ୟ ବ୍ୟକ୍ତଗତ ଆଲୋଚନାବେଳେ କହିବା ସହିତ ନିଜର କ୍ଷୋଭକୁ ପ୍ରକାଶ କରୁଛନ୍ତି।
ରାଜ୍ୟରେ ବିଜେପି ସରକାର ତା’ର ପ୍ରଥମ ବର୍ଷ ପୂରଣ ଉତ୍ସବ ମନାଇବା ପାଇଁ ଅନେକ ଯୋଜନା କରିଛି। କିନ୍ତୁ ଆଜର ଦିନକୁ ଗୋତିରୁ ମୁକ୍ତି ଦିବସଭାବେ ଅନେକ ବିଜେଡି ନେତା ବିବେଚନା କରି ନିଜ ନିଜ ମଧ୍ୟରେ ଶୁଭେଚ୍ଛା ବାର୍ତ୍ତା ଦେଉଥିବା ଖବର ମିଳୁଛି।
Also readhttps://purvapaksa.com/pandian-is-the-all-powerful-figure-in-odisha-politics/
Pandian is the all-powerful figure in Odisha politics. ।। ଓଡ଼ିଶା ରାଜନୀତିରେ ପାଣ୍ଡିଆନ ସର୍ବଶକ୍ତିମାନ