ଭାରତରେ ନିଯୁକ୍ତି ସଙ୍କଟ ଏକ ବଡ଼ ସମସ୍ୟାର ରୂପ ନେବାରେ ଲାଗିଛି। ଏକ ସାମ୍ପ୍ରତିକ ରିପୋର୍ଟ ଅନୁଯାୟୀ, ଭାରତରେ ପ୍ରତି ୧୦ ଜଣଙ୍କ ମଧ୍ୟରୁ ୮ ଜଣ ଚାକିରି ସନ୍ଧାନରେ ରହିଛନ୍ତି। ନୂତନ ବର୍ଷରେ ଚାକିରି ଖୋଜିବା ଅଧିକ କଷ୍ଟକର ହୋଇପଡ଼ିଛି ବୋଲି ଅଧାରୁ ଅଧିକ ଅର୍ଥାତ୍ ୫୫% ଉତ୍ତରଦାତା କହିଛନ୍ତି। ଲିଙ୍କ୍ଡ ଇନ୍ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ ଏହି ସୂଚନା ସାମ୍ନାକୁ ଆସିଛି।
ଭାରତରେ ୬୯% ମାନବ ସମ୍ବଳ ବୃତ୍ତିଗତଧାରୀ ବିଶ୍ୱାସ କରନ୍ତି ଯେ ଦକ୍ଷ କର୍ମଚାରୀ ଖୋଜିବା ପୂର୍ବ ଅପେକ୍ଷା ବର୍ତ୍ତମାନ ଅଧିକ କଷ୍ଟକର ହୋଇଯାଇଛି। ଏହାର ଅର୍ଥ ହେଉଛି ଯେ ୨୦୨୫ରେ ଆମେ ଚାକିରି ଖୋଜିବାର ଶୈଳୀରେ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିବ।
ଗତ ବର୍ଷ ମଧ୍ୟ ଚାକିରି ଖୋଜୁଥିବା ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ତଥାପି, ୩୭ ପ୍ରତିଶତ ଲୋକ କହୁଛନ୍ତି ଯେ ସେମାନେ ୨୦୨୫ ମସିହାରେ ଚାକିରି ଖୋଜୁନାହାଁନ୍ତି। ଏହାସତ୍ତ୍ୱେ ୫୮ ପ୍ରତିଶତ ଲୋକ ଆଶା କରୁଛନ୍ତି ଯେ ଚଳିତବର୍ଷ ନିଯୁକ୍ତି ବଜାରରେ ଉନ୍ନତି ହେବ ଏବଂ ସେମାନେ ଏକ ନୂତନ ଚାକିରି ପାଇପାରିବେ। ଅନେକ ଲୋକ ଏକକାଳୀନ ବିଭିନ୍ନ ସ୍ଥାନରେ ଚାକିରି ପାଇଁ ଆବେଦନ କରୁଛନ୍ତି। ୪୯ ପ୍ରତିଶତ ଲୋକ ପୂର୍ବ ଅପେକ୍ଷା ଅଧିକ ଚାକିରି ପାଇଁ ଆବେଦନ କରୁଛନ୍ତି, କିନ୍ତୁ ସେଥିରେ ସୋମନଙ୍କୁ ବହୁତ କମ୍ ରେସପନ୍ସ ବା ପ୍ରତିକ୍ରିୟା ମିଳୁଛି।
ଅପରପକ୍ଷେ ସେହି ସମୟରେ, ୨୭ ପ୍ରତିଶତ ମାନବ ସମ୍ବଳ ଅଧିକାରୀ ପ୍ରତିଦିନ କେବଳ ନିଯୁକ୍ତି ଆବେଦନ ଦେଖିବାରେ ତିନିରୁ ପାଞ୍ଚଘଣ୍ଟା ବିତାଉଛନ୍ତି। ଯେତେବେଳେ କି ମାନବ ସମ୍ବଳ ସହ ଜଡ଼ିତ ୫୫ ପ୍ରତିଶତ ଲୋକ କୁହନ୍ତି ଯେ ସେମାନେ ପାଇଥିବା ଆବେଦନଗୁଡ଼ିକରେ ପ୍ରାର୍ଥୀମାନଙ୍କର ଆବଶ୍ୟକ ଦକ୍ଷତା ନାହିଁ।
ଲିଙ୍କ୍ଡ ଇନ୍ ଇଣ୍ଡିଆର କ୍ୟାରିଅର ବିଶେଷଜ୍ଞ ନିରଜିତା ବାନାର୍ଜୀଙ୍କ ମତରେ, ନିଯୁକ୍ତି ବଜାର କଠିନ, କିନ୍ତୁ ଏହା ଭାରତୀୟମାନଙ୍କୁ ଚାକିରି ଖୋଜିବାର ଉପାୟରେ ସଚେତନ ପରିବର୍ତ୍ତନ ଆଣିବାକୁ ମନେପକାଇ ଦେଉଛି।
ଭାରତରେ ୬୦ ପ୍ରତିଶତ ଲୋକ ନୂତନ କର୍ମ କ୍ଷେତ୍ରରେ କାମ କରିବାକୁ ପ୍ରସ୍ତୁତ, ଯେତେବେଳେ କି ୩୯ ପ୍ରତିଶତ ଚଳିତବର୍ଷ ନୂତନ କୌଶଳ ଶିଖିବାକୁ ପ୍ରସ୍ତୁତ ହେଉଛନ୍ତି। ଭବିଷ୍ୟତରେ ଅଧିକାଂଶ ଚାକିରିରେ କୃତ୍ରିମ ବୁଦ୍ଧିମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛି। ଏହା ସମସ୍ତ କାର୍ଯ୍ୟରେ ଅନ୍ତର୍ଭୁକ୍ତ ହେବ। ଲିଙ୍କ୍ଡ ଇନ୍ ସର୍ବାଧିକ ଚାକିରି ପ୍ରଦାନକାରୀ କ୍ଷେତ୍ର ଭାବରେ ତିନିଟି ନୂତନ କ୍ଷେତ୍ରକୁ ନାମିତ କରିଛି। ଏଥିରେ ବିମାନ ରକ୍ଷଣାବେକ୍ଷଣ ଇଞ୍ଜିନିୟର, ରୋବୋଟିକ୍ସ ଟେକ୍ନିସିଆନ୍ ଏବଂ କ୍ଲୋଜିଂ ମ୍ୟାନେଜର ଅନ୍ତର୍ଭୁକ୍ତ।
Also readhttps://purvapaksa.com/union-budget-2025-income-tax-slab-likely-to-go-up/
