Odisha Assembly: ଆଜି ବି ବିଧାନସଭାରେ ଜୟନାରାୟଣଙ୍କ ବିବାଦୀୟ ବୟାନ ତାତି ଦେଖିବାକୁ ମିଳିଛି। ଅଧିବେଶାନ ଆରମ୍ଭରୁ ବିରୋଧୀ ପ୍ରବଳ ହଟ୍ଟଗୋଳ କରିଛନ୍ତି। ‘ଓଡ଼ିଶାକୁ ଭାଗ ଭାଗ କରିବା ଚଳିବ ନାହିଁ’ ଧ୍ୱନୀ ଦେଇ ଗୃହରେ ଅଚଳାବସ୍ଥା ସୃଷ୍ଟି କରିଛନ୍ତି ବିରୋଧୀ। ରାଜ୍ୟରେ ନାରୀ ନିର୍ଯ୍ୟାତନା ପ୍ରସଙ୍ଗରେ ହଙ୍ଗାମା କଲେ କଂଗ୍ରେସ ସଦସ୍ୟ। ପ୍ରଶ୍ନୋତ୍ତର ଚାଲିଥିବାବେଳେ ହାତାହାତି ହୋଇଗଲେ ଦୁଇ ବିଧାୟକ ଜୟନାରାୟଣ ଓ ତାରା ବାହିନୀପତି। ରିପୋର୍ଟରଙ୍କ ଟେବୁଲ ଉପରେ ଚଢ଼ି ପ୍ରତିବାଦ କଲେ। ବିରୋଧୀ ଦଳ କଂଗ୍ରେସ ଓ ବିଜେଡିର ହଙ୍ଗାମାରୁ ଗୃହ ଚାଲିପାରିନାହିଁ। ଶେଷରେ ଗୃହକୁ ୧୨ଟା ଯାଏ ମୁତଲବତୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ।
ଉତ୍ତର ପ୍ରଦେଶ ଓ ବିହାର ଭଳି ରାଜ୍ୟର ବିଧାନସଭା ଭିତରେ ଶାସକ ଓ ବିରୋଧୀ ଦଳ ସଦସ୍ୟଙ୍କ ମଧ୍ୟରେ ହାତାହାତି ହେବାର ଦୃଶ୍ୟ ଦେଖିଥିବା ଓଡ଼ିଶାବାସୀ ମଙ୍ଗଳବାର ଦିନ ସମାନ ଦୃଶ୍ୟ ରାଜ୍ୟ ବିଧାନସଭା ଭିତରେ ଦେଖିଛନ୍ତି। ଜୟ ନାରାୟଣଙ୍କୁ ବିରୋଧ କରୁଥିବା ବିରୋଧୀ ଦଳ ସଦସ୍ୟଙ୍କ ସହ ମୁହାଁମୁହିଁ ହୋଇଛନ୍ତି ଶାସକ ଦଳ ସଦସ୍ୟ। ଉଭୟ ପକ୍ଷର ସଦସ୍ୟ ହାତାହାତି ହୋଇଥିବା ମଙ୍ଗଳବାର ଦିନ ଦେଖାଯାଇଥିଲା।
ଗୃହ ଆରମ୍ଭ ସହିତ ଆରମ୍ଭ ହୋଇଯାଇଥିଲା ହଙ୍ଗାମା। କଂଗ୍ରେସ ଓ ବିଜେଡି ସଦସ୍ୟ ଜୟନାରାୟଣଙ୍କ ବିବାଦୀୟ ମନ୍ତବ୍ୟ ବିରୋଧରେ ପ୍ରଦର୍ଶନ କରିବା ଭିତରେ ଚାଲିଥିବା ପ୍ରଶ୍ନକାଳ। ଏହି ସମୟରେ ଦୁଇ ପକ୍ଷର ବିଧାୟକ ମୁହାଁମୁହିଁ ହୋଇଥିଲେ। କଂଗ୍ରେସ ବିଧାୟକ ତାରା ବାହିନୀପତି ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢ଼ି ପ୍ରତିବାଦ କରିଥିଲେ। ସେହିଭଳି ବିଜେଡି ବିଧାୟକ କଳା ପଟି ବାନ୍ଧି ଓ ହାତରେ ପ୍ଲାକାର୍ଡ ଧରି ଜୟନାରାୟଣ ପ୍ରସଙ୍ଗରେ ସରକାରଙ୍କଠାରୁ ଉତ୍ତର ମାଗିଥିଲେ। ହଙ୍ଗାମ ମଧ୍ୟରେ ପ୍ରଶ୍ନକାଳ ଚାଲିଥିବାବେଳେ ଗୋଟିଏ ସମୟରେ ଶାସକ ଓ ବିରୋଧୀ ଦଳ ସଦସ୍ୟଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଯାହା ପରେ ହାତହାତିର ରୂପ ନେଇଥିଲା।
ତାରାକୁ ଧକ୍କ ଦେଲେ ଜୟ!
ହଙ୍ଗାମା ମଧ୍ୟରେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର, ଯାହାଙ୍କୁ ନେଇ ପୂରା ବିବାଦ ତିଆରି ହୋଇଛି,ସେ ତାରା ବାହିନୀପତିଙ୍କୁ ଠେଲାପେଲା କରୁଥିବାର ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ରାଜେନ ଏକା ଓ ଅଶୋକ ମହାନ୍ତି ହାତାହାତି ହେବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା। ଠେଲାପେଲାରେ ସରକାରୀ ପକ୍ଷର ବାବୁ ସିଂ, ଟଙ୍କଧର ତ୍ରିପାଠୀ, ସନ୍ତୋଷ ଖଟୁଆ, ଦୁର୍ଗା ନାୟକ ମଧ୍ୟ ସାମିଲ ଥିଲେ।
ଜୟ ମା’ଭଉଣୀ ନାମ ନେଇ ଗାଳି କଲେ
ବିଧାନସଭା ପରିସରରେ ଏକ ବେସରକାରୀ ଚ୍ୟାନେଲକୁ ଦେଇଥିବା ସାକ୍ଷାତ୍କାରରେ କଂଗ୍ରେସ ବିଧାୟକ ସାଂଘାତିକ ଅଭିଯୋଗ କରିଛନ୍ତି। ତାରା କହିଛନ୍ତି ଯେ, ଜୟନାରାୟଣ ମିଶ୍ର ମୋ କଲର ଧରି ଠେଲା ପେଲା କରିଥିଲେ। ସେ ଓ ତାଙ୍କର କିଛି ସାଥି ମା’ଭଉଣୀ ନାମ ଧରି ଗାଳି କରିଥିଲେ। ଜୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସେ ବାଚସ୍ପତିଙ୍କ ପାଖରେ ଅଭିଯୋଗ କରିବେ ବୋଲି ତାରା କହିଛନ୍ତି।
‘ଜୟ’ ଝଡ଼
ଏକ ସରକାରୀ ସଭାରେ କିଛିଦିନ ତଳେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ଓଡ଼ିଶା ସହିତ ପଶ୍ଚିମ ଓଡ଼ିଶାର ମିଶ୍ରଣ ଐତିହାସିକ ଭୁଲ ଥିଲା ବୋଲି କହିଥିଲେ। ସେହି ସଭାରେ ବନ୍ଦେ ଉତ୍କଳ ଜନନୀ ଗାୟନ ଚାଲିଥିବାବେଳେ ଜୟ ନାରାୟଣ ନିଜ ଆସନରୁ ଉଠିନଥିଲେ। ରାଜ୍ୟ ସଙ୍ଗୀତ ପ୍ରତି ଜୟଙ୍କର ଏହା ଅବମାନନା ଥିଲା ବୋଲି ବିରୋଧୀ ଅଭିଯୋଗ କରୁଛନ୍ତି। ଏହି ପ୍ରସଙ୍ଗରେ ବିରୋଧୀ ଦଳ ନିଜ ଆକ୍ରମଣକୁ ଶାଣିତ କରିଛନ୍ତି। ସେମାନେ ସରକାର ଓ ମୁଖ୍ୟମନ୍ତ୍ରୀଙ୍କଠାରୁ ଏନେଇ ଜବାବ ଦାବି କରୁଛନ୍ତି। କିନ୍ତୁ ଘଟଣା ଘଟିବାର ୩ ଦିନରୁ ଅଧିକ ହୋଇଯାଇଥିଲେ ମଧ୍ୟ ସରକାର ନିରବ ଅଛନ୍ତି।
ଲଣ୍ଠନ ଧରି ମୁଖ୍ୟମନ୍ତ୍ରୀଙ୍କୁ ଖୋଜା
ଗୃହଭିତରେ ହାଇଆକ୍ସନ ଡ୍ରାମା ଚାଲିଥିବାବେଳେ ବିଧାନସଭା ପରିସରରେ ମଧ୍ୟ ମେଲୋଡ୍ରାମା ଦେଖିବାକୁ ମିଳିଥିଲା। ଗୃହ ମୁଲତବି ହେବା ପରେ ଗୃହ ବାହାରକୁ ଆସି ବିଜେଡି ବିଧାୟକ ଲଣ୍ଠନ ଧରି ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ଖୋଜୁଥିବା ଦେଖିବାକୁ ମିଳିଥିଲା। ବିଜେଡିର ବରିଷ୍ଠ ନେତା ତଥା ବିଧାୟକ ଅରୁଣ ସାହୁ ଲଣ୍ଠନ ଧରି ଶୋଭାଯାତ୍ର କରିଥିଲେ। ଦିନରେ କ’ଣ ପାଇଁ ଲଣ୍ଠନ ଧରି ବୁଲୁଛନ୍ତି ବୋଲି ପଚରାଯିବାରେ ସେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କୁ ଆମେ ଅନେକ ଦିନ ଧରି ଖୋଜୁଥିଲେ ମଧ୍ୟ ସେ ମିଳୁନାହାନ୍ତି। ତେଣୁ ଆମେ ଲଣ୍ଠନ ଧରି ତାଙ୍କୁ ଖୋଜୁଛୁ।
Also readhttps://purvapaksa.com/judicial-panel-submits-282-page-report-to-odisha-govt/
ଭରତପୁର ଥାନା ମାମଲା: ସରକାରଙ୍କୁ ତଦନ୍ତ ରିପୋର୍ଟ ଦେଲା ବିଚାର ବିଭାଗୀୟ କମିଟି
