୧୨ ବର୍ଷ ପୂର୍ବରୁ ଜଣେ ଶିକ୍ଷୟିତ୍ରୀଙ୍କ ଦେହରେ କେହି ଅଜଣା ବ୍ୟକ୍ତି ନିଆଁ ଲଗାଇ ଦେଇଥିଲା। ସେହି ଠିକା ଶିକ୍ଷୟିତ୍ରୀ କିଛିଦିନ ବିଶାଖାପାଟଣା ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଆରପୁରକୁ ଚାଲିଯାଇଥିଲେ ଶିକ୍ଷୟିତ୍ରୀ। ମୃତ୍ୟୁ ପୂର୍ବରୁ ଜମାନବନ୍ଦୀ ଦେଇଥିଲେ ସେ। କ’ଣ ଥିଲା ସେ ମୃତ୍ୟୁକାଳୀନ ଜମାନବନ୍ଦୀରେ? କେଉଁ ମାନଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଶିକ୍ଷୟିତ୍ରୀ? ସେମାନଙ୍କ ଭିତରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନାମ ଥିଲା କି ?
ଏହି ଶିକ୍ଷୟିତ୍ରୀଙ୍କ ନାଁ ହେଲା ଇତିଶ୍ରୀ ପ୍ରଧାନ। ରାୟଗଡ଼ା ଜିଲାର ଟିକିରି ୟୁପି ସ୍କୁଲରେ ଅସ୍ଥାୟୀ ଶିକ୍ଷୟିତ୍ରୀ ଭାବେ ନିଯୁକ୍ତି ପାଇଥଲେ ଇତିଶ୍ରୀ। ତାଙ୍କୁ ସ୍କୁଲ ଇନ୍ସପେକ୍ଟର ନିତ୍ୟାନନ୍ଦ ଦଣ୍ଡସେନା ଯୌନ ଶୋଷଣ କରୁଥିବା ଅଭିଯୋଗ କରିଥିଲେ ସେ । ଏବାବଦରେ ସେ ଜିଲା ଶିକ୍ଷା ଅଧିକାରୀ, ସାନୀୟ ପଲିସ.ଜିଲାପାଳ ଏବଂ ଏସ୍ପିଙ୍କୁ ଜଣାଇ ସୁରକ୍ଷା ଭିକ୍ଷା କରିଥିଲେ । କୋରାପୁଟ ସାଂସଦ ଜୟରାମ ପାଙ୍ଗୀଙ୍କ ସହ ନିତ୍ୟାନନ୍ଦଙ୍କ ସମ୍ପର୍କ ଅତି ଭଲ ଥିବାରୁ ସାଂସଦ ମଧ୍ୟ ତାଙ୍କୁ ଧମକ ଦେଉଥିବା ଅଭିଯୋଗ ହୋଇଥିଲା। ଏବାବଦରେ ଇତିଶ୍ରୀ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ମେଲ ଯୋଗେ ଜଣାଇଥିଲେ । ଆଶା କରିଥିଲେ ଯେ ନବୀନ ତାଙ୍କୁ ସୁରକ୍ଷା ଦେବେ। କିନ୍ତୁ ପୁଲିସ ଉପସ୍ଥିତିରେ ନିତ୍ୟାନନ୍ଦ ଦଣ୍ଡସେନା ଇତିଶ୍ରୀଙ୍କୁ ବାଡ଼ାବାଡ଼ି କରିଥଲେ। ତତ୍କାଳୀନ ଆଇଆଇସି ସୁଜିତ କୁମାର ସାଏ ସୁରକ୍ଷା ଦେବା ବଦଳରେ ଇତିଶ୍ରୀଙ୍କୁ ଧମକ ଚମକ ଦେଇ ମାମଲା ପ୍ରତ୍ୟାହାର କରିବାକୁ ଚାପ ପକାଇଥିଲେ । ଇତିଶ୍ରୀ ନିତ୍ୟାନନ୍ଦଙ୍କ ବିରୋଧରେ ଟିକିରି ଥାନାରେ ଏତଲା ଦେଇଥିଲେ୨୦୧୩ ଜୁଲାଇ ୧୮ ତାରିଖରେ। ଜୁଲାଇ ୨୯ ତାରିଖରେ ସେ ଜିଲାପାଳଙ୍କୁ ଭେଟିଥଲେ । ପରଦିନ ସେ ଭୁବନେଶ୍ଵରରେ ମହିଳା କମିଶନଙ୍କୁ ଭେଟି ଯୌନ ନିର୍ଯାତନା ବାବଦରେ ଅଭିଯୋଗ କରିଥିଲେ । ଅଗଷ୍ଟ ୫ ତାରିଖରେ ରାୟଗଡା ଏସପିଙ୍କ ଭେଟି ଗୁହାରୀ କରିଥିଲେ । ଅଗଷ୍ଟ ୧୬ ତାରିଖରେ ସେ ପୁଣିଥରେ ଟିକିରି ଥାନାରେ ନିତ୍ୟାନନ୍ଦଙ୍କ ବିରୋଧରେ ଏତଲା ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଏହାରି ଭିତରେ ଜଣାଇବାକୁ ଭୁବନେଶ୍ୱର ଆସିଥିଲେ । କିନ୍ତୁ ତାଙ୍କୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଖାଦେଇନଥିଲେ । କିନ୍ତୁ ଫଳ କ’ଣ ହୋଇଥିଲା?
ଅକ୍ଟୋବର ୨୮ ତାରିଖରେ ଇତିଶ୍ରୀ ଶୋଇଥିବା ଅବସ୍ଥାରେ ତାଙ୍କ ଦେହରେ ନିଆଁ ଲଗାଇ ଦିଆଯାଇଥିଲା। ନଭେମ୍ବର ୬ ତାରିଖରେ ନିଜ ଜନ୍ମସ୍ଥାନରୁ ବହୁଦୂରରେ ବିଶାଖାପାଟଣାରେ ତାଙ୍କର ମୃତ୍ୟୁ ଘଟିଥିଲା।
ତାଙ୍କ ମୃତ୍ୟୁ ପାଇଁ କେଉଁମାନେ ଦାୟୀ ସେ ବିଷୟରେ ମୃତ୍ୟୁ ପୂର୍ବରୁ ଜମାନବନ୍ଦୀ ଆକାରରେ ସବୁ କଥା କହିଥଲେ ଇତିଶ୍ରୀ । ନବୀନ ବାବୁ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ । ସବୁ ପ୍ରମାଣପତ୍ର ନଷ୍ଟ କରିଦିଆଗଲା । ଆଇଆଇସି ଓ ସ୍କୁଲ ଇନ୍ସପେକ୍ଟରଙ୍କ ସମେତ ୪ ଜଣଙ୍କୁ ସରକାର ସସ୍ପେଣ୍ଡ କରିଥିଲେ। ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ତଦନ୍ତ ହେଲା । କିନ୍ତୁ ଯେହେତୁ କ୍ରାଇମବ୍ରାଞ୍ଚ ମାଫିତରେ ସବୁ ପ୍ରମାଣ ପତ୍ର ନଷ୍ଟ କରିଦିଆଯାଇଥିଲା, ସେହେତୁ କିଛି ହେଲା ନାହିଁ । ଇତିଶ୍ରୀଙ୍କୁ ନ୍ୟାୟ ମିଳିଲା ନାହିଁ ।
ସୌମ୍ୟଙ୍କ ଘଟଣା ବିଜୁ ଜନତା ଦଳ ବନ୍ଦ ଓ ଲୋକସେବା ଭବନ ଘେରାଉ କାର୍ଯ୍ୟକ୍ରମ ଆୟୋଜନ କରୁଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ଯେ ମନକୁ ଏହା ଅଧିକ ବିଚଳିତ କରୁଛି ଯେ କିପରି ଗୋଟିଏ ବିଫଳ ବ୍ୟବସ୍ଥା ଜଣକ ଜୀବନ ନେଇପାରେ। ସବୁଠୁ କଷ୍ଟଦାୟକ ହେଉଛି, ଏହା କୌଣସି ଦୁର୍ଘଟଣା ନୁହେଁ, ବରଂ ଏପରି ଏକ ଅବ୍ୟବସ୍ଥାର ଫଳ; ଯାହା ସାହଯ୍ୟ କରିବା ବଦଳରେ ଚୁପ୍ ରହିଲା।’
ଇତିଶ୍ରୀ ମୃତ୍ୟୁ ଅବ୍ୟବସ୍ଥାର ଫଳ ନଥିଲା କି ? କାହାକୁ ଜଣାଇ ନଥିଲେ ଇତିଶ୍ରୀ ? ନବୀନ ନିଜେ ଅଜ୍ଞ ଥିଲେ କି? ନିଜ ଦଳର ସାଂସଦ ଜୟରାମ ପାଙ୍ଗୀ ଦଣ୍ଡସେନାଙ୍କ ଅତ୍ୟାଚାର କଥା ଜାଣିନଥିଲେ କି ? ମୃତ୍ୟୁକାଳୀନ ଜମାନବନ୍ଦୀକୁ କାହିଁକି ନଷ୍ଟ କରିଦିଆଗଲା ? ଏବେ ୧୦୦ ମୂଷା ଖାଇ ବିଲେଇ ହଜି ଯିବା ପରି କଥା ନୁହେଁ କି ? ଇତିଶ୍ରୀ ଏବଂ କୁନ୍ଦୁଲୀ ବାଳିକା ବାବଦରେ ବିଜଦ ଆଉ ଥରେ ଆତ୍ମ ସମୀକ୍ଷା କରିବା ଉଚିତ ବୋଲି କୁହାଗଲେ ଭୁଲ ହେବ କି ?
