ଇସ୍କନକୁ ଖୋଲା ଚ୍ୟାଲେଞ୍ଜ, ହିନ୍ଦୁ ଧର୍ମକୁ ସମ୍ମାନ ଦିଅ ନ ହେଲେ ଆଇନର ଆଶ୍ରୟ
କୃଷ୍ଣଚେତନାର ବାର୍ତ୍ତାକୁ ସମଗ୍ର ବିଶ୍ୱରେ ପ୍ରସାର କରୁଥିବା ‘ଇସ୍କନ’କୁ କଡ଼ା ସମାଲେଚନା କରିଛନ୍ତି ଶ୍ରୀମନ୍ଦିରର ଆଦ୍ୟ ସେବକ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାକୁ ଭକ୍ତି ଓ ପରମ୍ପରାର ଯାତ୍ରା ନୁହେଁ, ବରଂ ଏକ ପ୍ରଚାର ଯାତ୍ରାରେ ଇସ୍କନ ପରିଣତ କରିଥିବା ସେ କହିଛନ୍ତି। ଅନ୍ୟ ଧର୍ମ ହୋଇଥିଲେ ଏପରି ହୋଇଥାଆନ୍ତା କି ବୋଲି ପ୍ରଶ୍ନ କରିବା ସହ ଶ୍ରୀଜଗନ୍ନାଥ ପ୍ରେମୀ ଧୈର୍ଯ୍ୟ ରକ୍ଷା କରିଛନ୍ତି ବୋଲି କହିଛନ୍ତି। ହେଲେ ଏଭଳି ପ୍ରଥା ବିରୋଧୀ ପ୍ରଚାରକୁ ବନ୍ଦ କରାନଗଲେ ଆଇନର ଆଶ୍ରୟ ନିଆଯିବ ବୋଲି କ୍ଷୋଭର ସହ କହିଛନ୍ତି ଗଜପତି ମହାରାଜା।
ଆସନ୍ତା ମାର୍ଚ୍ଚ ମାସରେ ଇସ୍କନର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ ଗଭର୍ଣ୍ଣିଂ ବଡ଼ି କମିଶନ (ଜିବିସି)ର ଆସନ୍ତା ବୈଠକରେ ଏହି ଅଦିନିଆ ରଥଯାତ୍ରାକୁ ବନ୍ଦ କରିବା ଲାଗି ଆବଶ୍ୟକ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସେ ଆଶା କରିଛନ୍ତି। ଏଥିଯାଏ ଆମେ ଅପେକ୍ଷା କରିବୁ। ନ ହେଲେ ଆଇନର ଲଢ଼େଇ ଆରମ୍ଭ ହେବ ବୋଲି କହିଛନ୍ତି ଗଜପତି। ଶାସ୍ତ୍ରର ଯୁକ୍ତି ଓ ଅନୁରୋଧକୁ ରକ୍ଷା ନ କରି ବାରମ୍ବାର ଶ୍ରୀ ଜଗନ୍ନାଥଙ୍କ ଭକ୍ତଙ୍କ ଭାବନାକୁ ଆଘାତ ‘ଇସ୍କନ’ ଦେଉଛି ବୋଲି କହିଛନ୍ତି ଗଜପତି ମହାରାଜା।
ହିନ୍ଦୁ ପରମ୍ପରା, ପ୍ରଥା ଓ ଧର୍ମ ବିରୋଧୀ
ଇସ୍କନ ସମ୍ପ୍ରଦାୟର ଆରାଧ୍ୟ ହେଉଛନ୍ତି ଶ୍ରୀ କୃଷ୍ଣ। ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ସେମାନେ ପାର୍ଶ୍ୱଦେବଭାବେ ପୂଜା କରନ୍ତି। କିନ୍ତୁ ତାଙ୍କୁ ନେଇ ରଥଯାତ୍ରା କରିଥାଆନ୍ତି। ଇସ୍କନ ସମ୍ପ୍ରଦାୟରେ ଉତ୍ସବ ବିଗ୍ରହଙ୍କୁ ଯାତ୍ରାରେ ନେବା ବିଧି ରହିଛି। ଶ୍ରୀ ଜଗନ୍ନାଥ ଉତ୍ସବ ବିଗ୍ରହ ନୁହଁନ୍ତି। ସେ ହେଉଛନ୍ତି ମୂଳ ବିଗ୍ରହ ତଥାପି ତାଙ୍କୁ ନେଇ ଭିନ୍ନ ଭିନ୍ନ ସମୟରେ ରଥଯାତ୍ରା କରାଯାଉଛି। ଏହା ହିନ୍ଦୁ ପରମ୍ପରା, ପ୍ରଥା ଓ ଧର୍ମ ବିରୋଧୀ। ହିନ୍ଦୁ ଧର୍ମ ବୋଲି ଏହାକୁ ଆଲୋଚନା ଓ ଯୁକ୍ତି ଭିତ୍ତିରେ ସମାଧାନ ପାଇଁ ନିବେଦନ କରାଯାଉଛି ଅନ୍ୟ ଧର୍ମ ହୋଇଥିଲେ ଏହା ହୋଇଥାନ୍ତା କି ବୋଲି ପ୍ରଶ୍ନ କରିଛନ୍ତି ଗଜପତି ମହାରାଜା।
ଇସ୍କନ ଆୟୋଜିତ ଏହି ଅଦିନିଆ ରଥଯାତ୍ରା ଶ୍ରୀ ଜଗନ୍ନାଥଙ୍କ ମନ୍ଦିରର ପରମ୍ପରା ଓ ବେଦ ବ୍ୟାସଙ୍କ ରଚିତ ସ୍କନ୍ଦ ପୂରାଣର ଖୋଲା ଉଲ୍ଲଂଘନ ବୋଲି କହିଛନ୍ତି ଗଜପତି। ଏନେଇ ଶ୍ରୀମନ୍ଦିର ପ୍ରଶାସନ ଏବଂ ଗଜପତି ମହାରାଜାଙ୍କ ପକ୍ଷରୁ ବାରମ୍ବାର ଯୁକ୍ତି ଓ ତଥ୍ୟ ସମ୍ପର୍କିତ ନଥି ଉପସ୍ଥାପନ କରାଯାଇଥିବା ସେ କହିଛନ୍ତି। ଆମେରିକାର କାଲିଫର୍ଣ୍ଣିଆ ରାଜ୍ୟର ସାନଫ୍ରାନ୍ସିସ୍କୋ ସହରରେ ପ୍ରଥମ ରଥଯାତ୍ରା ୧୯୬୭ ମସିହାରେ ହୋଇଥିଲା। ତା’ ପରଠାରୁ ଇସ୍କନ ସଂସ୍ଥା ବିଭିନ୍ନ ଦେଶରେ ରଥଉପରେ ଚତୁର୍ଦ୍ଧା ବିଗ୍ରହଙ୍କୁ ସ୍ଥାପନା କରି ରଥଯାତ୍ରା ପାଳୁଛନ୍ତି। ତାହା ପୁଣି ଭିନ୍ନ ଭିନ୍ନ ସମୟରେ। ଗଜପତି କହିଛନ୍ତି, ଏହିପରି ରଥଯାତ୍ରା ଆମକୁ ଦୁଃଖ ଦେଇଛି। ୧୯୮୦, ୧୯୯୦ ମସିହାରେ ଯେତେବଳେ ସୁଯୋଗ ମିଳିଲା ତାଙ୍କର ନେତୃ ସ୍ଥାନୀୟ ଇସ୍କନ ସ୍ୱାମୀଜୀଙ୍କ ସହ ଆଲୋଚନା କରିଛୁ। କିନ୍ତୁ ତାହାର ପ୍ରଭାବ ପଡ଼ିନାହିଁ’।
ଲୁଧିଆନାରେ ରଥଯାତ୍ରାକୁ ବିରୋଧ
୨୦୦୭ ଅକ୍ଟୋବର ମାସରେ ଯେତେବଳେ ଲୁଧିଆନାରେ ରଥଯାତ୍ରା ଆୟୋଜନ ହେଲା ସେତେବଳେ ଶ୍ରୀମନ୍ଦିର ପ୍ରଶାସନ ଏହା ବିରୁଦ୍ଧରେ ଲେଖିଲେ। କିନ୍ତୁ ତାହାକୁ ବନ୍ଦ କରିଲେ ନାହିଁ। ଦିଲ୍ଲୀରେ ମଧ୍ୟ ସେହି ଶାସ୍ତ୍ର ବିରୋଧୀ ରଥାଯାତ୍ରା ବିରୁଦ୍ଧରେ ରଥଯାତ୍ରା କରିଥିଲେ। ଏହାକୁ ନେଇ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆପତ୍ତି ଉଠାଯାଇଥିଲା।
ପୂରାଣ ଘୋଷିତ ପରମ୍ପରା
ଏହା ପରବର୍ତ୍ତୀ ବର୍ଷ ୨୦୦୮ ମସିହାରେ ଶ୍ରୀମନ୍ଦିର ପରିଚାଳନା କମିଟି ଏହା ଉପରେ ଆଲୋଚନା କରି ବନ୍ଦ କରିବାକୁ ଚାହିଁଲେ। ପୂରାଣ ଘୋଷିତ ପରମ୍ପରା ମହାପ୍ରଭୁ ନିଜେ କହିଛନ୍ତି। ଜ୍ୟେଷ୍ଠ ପୂର୍ଣ୍ଣମୀରେ ଆବିର୍ଭାବ ବୋଲି କହିଛନ୍ତି। ଗୁଣ୍ଡିଚା ମନ୍ଦିରକୁ ନବ ଦିନାଙ୍କରେ ଯାତ୍ରା କରିବାକୁ ତିଥି ନିର୍ଦ୍ଧାରଣ ଖୋଦ ଶ୍ରୀ ଜଗନ୍ନାଥ କହିଛନ୍ତି। ଏହା କୌଣସି ମହାଋଷିଙ୍କ ବାକ୍ୟ ନୁହେଁ। ଏହାକୁ ଉଲ୍ଲଂଘନ କରିବା ଉଚିତ ନୁହେଁ।
ଫେବୃୟାରୀ ୨୦୦୮ ମସିହାରେ ଇସ୍କନ ସଂସ୍ଥାର କାର୍ଯ୍ୟାଳୟ ମାୟୁପୁରୀରେ ଥିବା ଗଭର୍ଣ୍ଣିଂ ବଡି ଚେୟାରମ୍ୟାନଙ୍କୁ ଆମେ ଶାସ୍ତ୍ର ବାବଦରେ ଦର୍ଶାଇଲୁ ତାହାର ଫଳାଫଳ ପଡ଼ିଲା ନାହିଁ। ଅର୍ଥାତ୍ ଭାରତ ଭିତରେ ଭାରତ ବାହାରେ ଅଦିନିଆ ରଥଯାତ୍ରା ଚାଲିଲା।
ଆମେ ବ୍ୟକ୍ତିଗତଭାବେ ଯୋଗାଯୋଗ କରିଛୁ। ମହାପ୍ରଭୁଙ୍କ କୃପାରୁ ଇସ୍କନ ମହାପ୍ରଭୁଙ୍କ ରଥଯାତ୍ରା ଅନୁସାରେ ଭାରତରେ ରଥଯାତ୍ରା କରିବାକୁ ୨୦୨୧ ମସିହା ଜୁଲାଇରେ ସଂକଳ୍ପ ଲାଗୁ କରିଲେ। କିନ୍ତୁ ତାହା ଭାରତ ଭିତର ସମସ୍ତ ଇସ୍କନ ମନ୍ଦିରରେ ଲାଗୁ କରିବା ପାଇଁ କହିଲା। ସେମାନଙ୍କ ସୂଚନା ଅନୁସାରେ ୨୦୨୨ ମସିହା ପରଠାରୁ ଆଉ ଭାରତର କୌଣସି ସ୍ଥାନରେ ଅଦିନିଆ ରଥଯାତ୍ରା ହେଉ ନାହିଁ।
ଆଗକୁ କ’ଣ ରହିଛି
ଚଳିତ ମାସ ୯ ତାରିଖରେ ଆମେରିକାର ହ୍ୟଷ୍ଟନ୍ ସହର ଏବଂ ୨୩ ତାରିଖରେ ନାଇଜେରିଆରେ ରଥଯାତ୍ରା ହେବାକୁ ସ୍ଥିର କରାଯାଇଛି। ଏବେ ହ୍ୟୁଷ୍ଟେନ୍ ସହରରେ ୩ ନଭେମ୍ବରରେ ସ୍ନାନଯାତ୍ରା କରିବେ ବୋଲି କହିଥିଲେ। କିନ୍ତୁ ତାହାକୁ ଆମ ବିରୋଧ ପରେ ବନ୍ଦ ରଖିଛନ୍ତି। ହେଲେ ଏଯାଏ ରଥଯାତ୍ରାକୁ ବାତିଲ କରାଯାଇ ନାହିଁ। ଏହା ୯ ନଭେମ୍ବରରେ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଭକ୍ତଙ୍କ ଆପତ୍ତି, ଇସ୍କନର କର୍ମକର୍ତ୍ତାଙ୍କ ଭିତରେ ଚର୍ଚ୍ଚା ଚାଲିଛି। ଦେଖିବାକୁ ରହିଛି କ’ଣ ହେଉଛି। ଏହା ବଡ଼ ଦୁଃଖର କଥା। ୯ ତାରିଖକୁ ଆମେ ଅପେକ୍ଷା କରିଛୁ ବୋଲି କହିଛନ୍ତି ଗଜପତି।
1 Comment
Pingback: ଆମେରିକା ବାଛିଲା ନୂଆ ରାଷ୍ଟ୍ରପତି