
ଡ. ସମନ୍ୱୟ ନନ୍ଦ
ୱାକଫ୍ ସଂଶୋଧନ ଅଧିନିୟମ ସଂସଦରେ ପାରିତ ହେବା ପରେ ଏହାକୁ ନେଇ ପଶ୍ଚିମବଙ୍ଗର ବିଭିନ୍ନ ଜିଲ୍ଲାରେ ବିଶେଷଭାବେ ମୁର୍ଶିଦାବାଦ ଜିଲ୍ଲାରେ ଯେପରିଭାବେ ଇସଲାମୀ ଭିଡ଼ ଆକ୍ରମଣ କରୁଛି ତାହା ଭାରତ ବିଭାଜନ ପୂର୍ବରୁ ଡାଇରେକ୍ଟ ଆକ୍ସନ ଡେ କଥାକୁ ମନେପକାଇ ଦେଉଛି। ଯେଭଳିଭାବେ ସଂଗଠିତ ଇସଲାମୀ ଭିଡ ଦ୍ୱାରା ହିଂସା, ଉପଦ୍ରବ ଘଟଣାମାନ ଆସୁଛି ଓ ରାଜସତ୍ତା ଏହି ଆକ୍ରମଣକାରୀମାନଙ୍କ ଆଗରେ ମୁଣ୍ଡ ନୂଆଇଁ ଦେଇଛି; ତାହା ଆଗାମୀ ଦିନରେ ହିନ୍ଦୁମାନଙ୍କ ଉପରେ କିଭଳି ଅବସ୍ଥା ହେବାକୁ ଯାଉଛି ତାହାର ସଂକେତ ପ୍ରଦାନ କରୁଛି। ଏବେ ମଧ୍ୟ କିଛି ହିନ୍ଦୁମାନଙ୍କର ପଳାୟନର ଭିଡିଓ ଓ ଫଟୋ ଗଣମାଧ୍ୟମରେ ଆସିଲାଣି।

ଭାରତର ବିଭାଜନ କରି ପାକିସ୍ତାନ ନିର୍ମାଣ କରିବାକୁ ବାଧ୍ୟ କରିବା ପାଇଁ ମୁସଲିମ ଲିଗ୍ ୧୯୪୬ ମସିହା ଅଗଷ୍ଟ ୧୬ରେ ମୁସଲମାନମାନଙ୍କୁ ‘ଡାଇରେକ୍ଟ ଆକ୍ସନ ଡେ’ରୂପେ ପାଳନ କରିବାକୁ ଆହ୍ୱାନ କରିଥିଲା। ଲିଗ କହିଥିଲା – “ଭାରତର ମୁସଲମାନମାନେ ସେତେବେଳେ ଯାଏ ଶାନ୍ତିର ସହିତ ବସିବେ ନାହିଁ, ଯେତେବେଳ ଯାଏ ସ୍ୱାଧୀନ ଏବଂ ପୂର୍ଣ ସମ୍ପ୍ରଭୁତା ସମ୍ପନ୍ନ ପାକିସ୍ତାନର ସ୍ଥାପନା ନ ହୋଇଛି, ଏବେ ସମୟ ଆସି ଯାଇଛି ଯେ ମୁସଲମାନ ରାଷ୍ଟ୍ର ଡାଇରେକ୍ଟ ଆକ୍ସନ ଆରମ୍ଭ କରନ୍ତୁ।’’

୧୬ ଅଗଷ୍ଟ ଯେତେ ଯେତେ ପାଖକୁ ଆସିଲାମାତ୍ରେ ମୁସଲିମ ଲିଗ ସମସ୍ତ ମହାନଗର ଓ ଛୋଟ ସହରମାନଙ୍କରେ ହିନ୍ଦୁମାନଙ୍କ ବିରୁଦ୍ଧରେ ଜିହାଦ ଆରମ୍ଭ କରି ଦେଇଥିଲା। ସଭା ସମିତି କରାଗଲା, ରାଲୀ ବାହାର କରାଯାଇଥିଲା। ସରକାରୀ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଗଲା। ବଙ୍ଗ ଓ ସିନ୍ଧରେ ଲିଗ ମନ୍ତ୍ରିମଣ୍ଡଳ ୧୬ ଅଗଷ୍ଟକୁ ଛୁଟି ବୋଲି ଘୋଷଣା କରିଥିଲେ।
ସେତେବେଳେ ଅନେକ ରାଦ୍ୟରେ ପୋଲିସରେ ମୁସଲମାନମାନେ ବହୁସଂଖ୍ୟକ ଥିଲେ । ସିନ୍ଧ ଓ ପଞ୍ଜାବ ପୋଲିସରେ ୭୦ ପ୍ରତିଶତ ମୁସଲମାନ ଥିଲେ ଓ ବଙ୍ଗ ଓ ସଂଯୁକ୍ତ ପ୍ରାନ୍ତ ପୋଲିସରେ ୫୦ ପ୍ରତିଶତ ମୁସଲମାନ ଥିଲେ।
ଅଗଷ୍ଟ ୧୬ ତାରିଖ ଦିନ କଲିକତାରେ ଯାହା ହେଲା ତାହା ଅବର୍ଣନୀୟ। ଏହା କଲିକତା ଜନସଂହାର ନାମରେ ଖ୍ୟାତ। ଏହି ଜଘନ୍ୟ ଜନସଂହାର ପାଇଁ ମଞ୍ଚ ସ୍ୱୟଂ ବଙ୍ଗର ତତ୍କାଳୀନ ମୁଖ୍ୟମନ୍ତ୍ରୀ ସୁହାରବର୍ଦୀ ତିଆରି କରିଥିଲେ। କଲିକତା ଓ ଏହାର ଆଖପାଖ ଅଞ୍ଚଳରେ ବଛା ବଛା ଗୁଣ୍ଡାମାନଙ୍କୁ ଏକାଠି କରିଯାଇଥିଲା। ତାଙ୍କୁ ଆଗ୍ନେୟାସ୍ତ୍ର ଓ ଅନ୍ୟ ଅସ୍ତ୍ର ଶସ୍ତ୍ର ପ୍ରଦାନ କରାଗଲା। ପେଟ୍ରୋଲର ଅଭାବ ହେବା କାରଣରୁ ସେମାନଙ୍କୁ ପେଟ୍ରୋଲର ରାସନ କୁପନ ବିନା ମୂଲ୍ୟରେ ପ୍ରଦାନ କରାଯାଇଥିଲା । ହାଓଡାର ଗୁଣ୍ଡାମାନଙ୍କର ସମୂହର ନେତୃତ୍ୱ କଲିକତାର ତତ୍କାଳୀନ ମେୟର ଶରିଫ ଖାଁ ସମ୍ଭାଳିଥିଲା। ୨୪ ପୋଲିସ ମୁଖ୍ୟାଳୟ ମଧ୍ୟରୁ ୨୨ଟିରେ ହିନ୍ଦୁ ପୋଲିସ ଅଧିକାରୀମାନଙ୍କ ସ୍ଥାନରେ ମୁସଲିମ ଅଧିକାରୀମାନଙ୍କୁ ନିଯୁକ୍ତ କରାଗଲା। ବଳକା ୨ଟି ସ୍ଥାନରେ ଆଂଗ୍ଲୋ ଇଣ୍ଡିଆନ ଅଧିକାରୀ ଥିଲେ।
ଅଗଷ୍ଟ ୧୬ ତାରିଖ ଦିନ ସକାଳ ମୁସଲିମ ଲିଗ ପକ୍ଷରୁ ଶୋଭେଯାତ୍ରା ବାହାର କରାଗଲା। ମୁଖ୍ୟମନ୍ତ୍ରୀ ସୁହାରବର୍ଦୀଙ୍କ ଅଧ୍ୟକ୍ଷତାରେ ଏକ ବିଶାଳ ସଭା ହେଲା। ଏହି ସଭାରେ ଜଣେ ପରେ ଜଣେ ବକ୍ତା ହିନ୍ଦୁମାନଙ୍କର ବିନାଶ ପାଇଁ ଶପଥ ନେଲେ। କାଫିରମାନଙ୍କ ବିରୁଦ୍ଧରେ ଜେହାଦର ଖୋଲାଖୋଲି ଘୋଷଣା କରାଗଲା। ସଭା ସରିଲା ପରେ ସେଠାରୁ ଫେରୁଥିବା ଲୋକମାନେ ହିନ୍ଦୁମାନଙ୍କ ବିରୁଦ୍ଧରେ ହିଂସା ଆରମ୍ଭ କରିଦେଲେ। ଭୀଷଣ ମାତ୍ରାରେ ହତ୍ୟା, ଲୁଣ୍ଠନ, ଦୁଷ୍କର୍ମ ଆରମ୍ଭ ହୋଇଗଲା। ଏପରି ଲାଗୁଥିଲା ଯେ ମଧ୍ୟକାଳୀନ ବର୍ବରତାପୂର୍ଣ ଇସଲାମୀ ଆକ୍ରମଣ ପୁଣିଥରେ ଆରମ୍ଭ ହୋଇ ଯାଇଛି। ଏହି ତାଣ୍ଡବ ଲଗାତାର ଦୁଇଦିନ ଧରି ଚାଲିଥିଲା। ଏହାକୁ ଅଟକାଇବା ପାଇଁ କେହିନଥିଲେ। ଯାହାକୁ ମଧ୍ୟ ଆପରାଧିକ କାରଣ ପାଇଁ ବନ୍ଦୀ କରାଯାଇଥିଲା ସେମାନଙ୍କୁ ଜେଲରୁ ଖଲାସ କରି ଦିଆଯାଇଥିଲା। ଏହି ନିର୍ଦ୍ଦେଶ ସ୍ୱୟଂ ମୁଖ୍ୟମନ୍ତ୍ରୀ ସୁହାରବର୍ଦୀ ଦେଇଥିଲା ଯିଏ ନିଜେ ପୋଲିସ ନିୟନ୍ତ୍ରଣ କକ୍ଷରୁ ଏହି ହିଂସାକୁ ପରିଚାଳିତ କରୁଥିଲା।
କଲିକତାର ସଡ଼କରେ ୧୦ ହଜାରରୁ ଅଧିକ ନର-ନାରୀ ଓ ପିଲାମାନଙ୍କର ହତ୍ୟା ହୋଇଥିଲା। ୧୫ ହଜାରରୁ ଅଧିକ ଲୋକ ଅତ୍ୟନ୍ତ କ୍ଷତ ବିକ୍ଷତ ହୋଇଥିଲେ। ଏକ ଲକ୍ଷରୁ ଅଧିକ ଲୋକଙ୍କର ଘର ଜାଳି ଦିଆଯାଇଥିଲା। ଦାନବତାର ନଗ୍ନ ଚିତ୍ର କଲିକାତା ସହରରେ ଦେଖାଯାଇଥିଲା।
ସେତେବେଳର ଷ୍ଟେଟ୍ସମ୍ୟାନର ରିପୋର୍ଟର କିମ କ୍ରିଷ୍ଟେନ ଏହି ଘଟଣା ସମ୍ପର୍କରେ ଉଲ୍ଲେଖ କରି ଲେଖିଛନ୍ତି – “ଯୁଦ୍ଧର ଅନୁଭୁତି ମୋତେ କଠୋର କରିଦେଇଛି, କିନ୍ତୁ ଯୁଦ୍ଧର ବିଭୀଷିକା ମଧ୍ୟ ଏତେ ଭୟାବହ ହୋଇନଥାଏ। ଏହା ଦଙ୍ଗା ନୁହେଁ। ଏଥିପାଇଁ ତ ଶବ୍ଦ ମଧ୍ୟକାଳୀନ ଇତିହାସରୁ ଖୋଜିବାକୁ ପଡ଼ିବ। ଉନ୍ମାଦ ଶବ୍ଦ ଏଥିପାଇଁ ପ୍ରଯୁଜ୍ୟ ହେବ ନାହିଁ ଓ ଏହା ହାଲୁକା ହେବ, କାରଣ ଉନ୍ମାଦ ନିଜେ ତିଆରି ହୋଇଥାଏ ହେଲେ ଏହି ଉନ୍ମାଦ ପଛରେ ତ ଯୋଜନାବଦ୍ଧ ଓ ସଂଗଠିତ ପ୍ରୟାସ ଦେଖାଯାଉଛି।”
ଏହାପରେ ମୁସଲିମ ଲିଗ୍ ତା’ର ଡାଇରେକ୍ଟ ଆକ୍ସନକୁ ତିପ୍ପରା ଓ ନୋଆଖାଲିକୁ ସ୍ଥାନାନ୍ତରିତ କରିଦେଇଥିଲା। ଏହି ଅଞ୍ଚଳରେ ହିନ୍ଦୁମାନେ ସଂଖ୍ୟାଲଘୁ ଥିଲେ। ଏହି ଅଞ୍ଚଳରେ ଯେପରି ହିଂସା କରାଗଲା ତାହା ମଧ୍ୟ ଅବର୍ଣନୀୟ ଥିଲା। ସପ୍ତାହ ସପ୍ତାହ ଧରି ଜିହାଦ ଚାଲିଥିଲା। ଭୟଙ୍କର ନରସଂହାର ହେଲା, ହିନ୍ଦୁମାନଙ୍କର ବ୍ୟାପକ ଧର୍ମାନ୍ତରଣ କରାଯାଇଥିଲା। ହିନ୍ଦୁ ମହିଳାମାନଙ୍କର ଅପହରଣ କରାଯାଇ ତାଙ୍କ ସହିତ ବଳପୂର୍ବକ ନିକାହ କରାଗଲା।
ମିସ ମ୍ୟୁରିଲ ଲେଷ୍ଟର ନାମକ ଜଣେ ବିଦେଶୀ ୧୯୪୬ ମସିହାରେ ପୂର୍ବ ବଙ୍ଗର ଏକ ଗ୍ରାମରେ ସହାୟତା ଶିବିରରେ ପହଞ୍ଚିଥିଲେ। ସେ ନଭେମ୍ବର ୬ ତାରିଖ ଦିନ ଲେଖିଛନ୍ତି – “ମହିଳାମାନଙ୍କର ସ୍ଥିତି ଅତ୍ୟନ୍ତ ଦୟନୀୟ ଥିଲା। ଅନେକ ମହିଳାଙ୍କ ସେମାନଙ୍କ ଆଖି ସାମନାରେ ସେମାନଙ୍କର ସ୍ୱାମୀମାନଙ୍କୁ ହତ୍ୟା କରାଯାଇଥିଲା ଓ ସେହି ମହିଳାମାନଙ୍କର ନିକାହ ସେମାନଙ୍କର ସ୍ୱାମୀମାନଙ୍କର ହତ୍ୟାକାରୀମାନଙ୍କ ସହ ଜୋର ଜବରଦସ୍ତି କରାଯାଇଥିଲା। ମହିଳାମାନଙ୍କର ଆଖି ପଥର ହୋଇଯାଇଥିଲା। ଜୀବନ ରକ୍ଷା ପାଇଁ ହଜାର ହଜାର ଲୋକଙ୍କୁ ଇସଲାମ ଗ୍ରହଣ କରିବାକୁ ପଡ଼ିଥିଲା ଓ ଗୋମାଂସ ଖାଇବାକୁ ପଡ଼ିଥିଲା।”
ଏବେ ମଧ୍ୟ ସେହି ସମାନ ସ୍ଥିତି ଉତ୍ପନ୍ନ ହୋଇଛି। ଏହା ୧୯୪୬ ମସିହାର ‘ଡାଇରେକ୍ଟ ଆକ୍ସନ ଡେ’ର ବିଭତ୍ସ ଦୃଶ୍ୟ ଓ କ୍ଷତକୁ ମନେ ପକାଇ ଦେଇଛି।
ଏହା ପ୍ରଥମ ଥର ପାଇଁ ହେଉ ନାହିଁ। ପଶ୍ଚିମ ବଙ୍ଗ ବିଧାନସଭାର ଫଳାଫଳ ଆସିବା ପରେ ମଧ୍ୟ ଏହି ଭଳି ସ୍ଥିତି ଉତ୍ପନ୍ନ ହୋଇଥିଲା। ଯଦି ସ୍ଥିତିକୁ ଠିକ୍ ଭାବେ ଆକଳନ କରି ଉଚିତ ପଦକ୍ଷେପ ନିଆ ନ ଯାଏ ତେବେ ଆଗାମୀ ଦିନରେ କ’ଣ ହେବାକୁ ଯାଉଛି ତାହାର ଅନୁମାନ କରାଯାଇପାରେ। ଯେଉଁ ଦେଶ ଇତିହାସରୁ ଶିକ୍ଷା ଗ୍ରହଣ କରେ ନାହିଁ ସେହି ଦେଶ ନିଜେ ଇତିହାସ ହୋଇଯାଏ।
(ପ୍ରାବନ୍ଧିକ ଡ. ସମନ୍ୱୟ ନନ୍ଦ ବହୁଭାଷୀ ନ୍ୟୁଜ ଏଜେନ୍ସୀ ହିନ୍ଦୁସ୍ଥାନ ସମାଚାରର ଓଡ଼ିଶା ମୁଖ୍ୟଭାବେ କାମ କରୁଛନ୍ତି। ଭାରତୀୟ ରାଜନୀତି, ସଭ୍ୟତା, ସଂସ୍କୃତି, ଇତିହାସ ଓ ଭୂ ରାଜନୈତିକ ବିଷୟଗୁଡ଼ିକ ତାଙ୍କର ଅଧ୍ୟୟନର ବିଷୟ ।)
୧୭ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ଗଠନ କଲା ଉଚ୍ଚସ୍ତରୀୟ ଟାସ୍କଫୋର୍ସ


