ଓଡ଼ିଶାର ରାଜନୈତିକ ମାନଚିତ୍ର ଅନ୍ୟ ପଡ଼ୋଶୀ ରାଜ୍ୟମାନଙ୍କ ତୁଳନାରେ ସମ୍ପୂର୍ଣ୍ଣ ଭିନ୍ନ। ଏଠାକାର ମତଦାତାମାନେ ସାଧାରଣତଃ ଭାବପ୍ରବଣତାରେ ଭାସି ନ ଯାଇ ‘ରାଜନୈତିକ ସ୍ଥିରତା’କୁ ଅଧିକ ପସନ୍ଦ କରନ୍ତି। ୧୯୯୦ ଦଶନ୍ଧିର ଶେଷ ଭାଗରୁ ଓଡ଼ିଶା ଏକ ପ୍ରକାର ସ୍ଥିର ଶାସନ ଦେଖିଆସିଛି। ତେଣୁ, ଜଣେ ସର୍ବବ୍ୟାପୀ ଗ୍ରହଣୀୟ ଚେହେରା ବା କ୍ଲିନ୍ ଇମେଜ୍ ଥିବା ନେତାଙ୍କ ବିନା କୌଣସି ନୂଆ ଆଞ୍ଚଳିକ ଦଳ ଉପରେ ଲୋକଙ୍କ ଆସ୍ଥା ଜମିବା ଏକ ପ୍ରକାର ଅସମ୍ଭବ। ବର୍ତ୍ତମାନ ପରିପ୍ରେକ୍ଷୀରେ ଓଡ଼ିଶାରେ ଅଣ-କଂଗ୍ରେସ, ଅଣ-ବିଜେପି ଓ ଅଣ-ବିଜେଡିର ଏପରି କୌଣସି ଲୋକପ୍ରିୟ ନେତା ନାହାନ୍ତି, ଯାହାଙ୍କୁ ଭରସା କରି ଭୋଟରମାନେ ଏକ ନୂଆ ବିକଳ୍ପକୁ ଆପଣେଇବେ।
ଆଜି ଆଲୋଚନା କରିବା ‘ତୃତୀୟ ବିକଳ୍ପ’ର ମରିଚିକା, କାହିଁକି ବିଫଳ ହୁଏ ନୂଆ ଆଞ୍ଚଳିକ ଦଳ? ନୂଆ ଆଞ୍ଚଳିକ ଦଳର ଆବଶ୍ୟକତା ଅଛି କି?
ମହମ୍ମଦ ମୋକିମ: କଟକ ସହରରୁ କ’ଣ ଓଡ଼ିଶା ଜିତିବା ସମ୍ଭବ?
କଂଗ୍ରେସରୁ ବହିଷ୍କୃତ ହେବା ପରେ କଟକ-ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ନିଜକୁ ଏକ ବଡ଼ ଚେହେରା ଭାବେ ଉପସ୍ଥାପିତ କରିବାକୁ ଚେଷ୍ଟା କରୁଛନ୍ତି। ବିଶେଷ କରି ସେ ମୁସଲମାନ ମତଦାତାଙ୍କ ପ୍ରତିନିଧି ସାଜିବାକୁ ପ୍ରୟାସ କରୁଛନ୍ତି।
• ସୀମିତ ପ୍ରଭାବ: ଓଡ଼ିଶାର ଜନସଂଖ୍ୟା ଏବଂ ଭୋଟ୍ ବ୍ୟାଙ୍କ୍ ରଣନୀତି ଅନ୍ୟ ରାଜ୍ୟ ଭଳି ଧର୍ମ ଭିତ୍ତିରେ ଚାଲେ ନାହିଁ। କଟକ ସହରର କିଛି ଅଞ୍ଚଳକୁ ଛାଡ଼ିଦେଲେ, ପଶ୍ଚିମ, ଦକ୍ଷିଣ କିମ୍ବା ଉତ୍ତର ଓଡ଼ିଶାରେ ମୋକିମଙ୍କର କୌଣସି ଜନାଧାର ନାହିଁ।
• ସଂଖ୍ୟାଲଘୁ କାର୍ଡର ବିଫଳତା: ଓଡ଼ିଶାରେ ଶାନ୍ତିପ୍ରିୟ ଭୋଟରମାନେ ‘ଧର୍ମଭିତ୍ତିକ ରାଜନୀତି’କୁ ଗ୍ରହଣ କରନ୍ତି ନାହିଁ। ମହମ୍ମଦ ମୋକିମ ଯଦି ନିଜକୁ କେବଳ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ନେତାଭାବେ ଛିଡ଼ା କରନ୍ତି, ତେବେ ତାଙ୍କର ସ୍ୱୀକୃତି ଓଡ଼ିଶାବ୍ୟାପୀ ହେବା ସମ୍ଭବ ନୁହେଁ।
୨. ବିଜୟ ମହାପାତ୍ର: ଚାଣକ୍ୟ ନୀତିର ଅସ୍ତଗାମୀ ସୂର୍ଯ୍ୟ
ଓଡ଼ିଶା ରାଜନୀତିର ‘ଚାଣକ୍ୟ’ କୁହାଯାଉଥିବା ବିଜୟ ମହାପାତ୍ର ଏବେ ଏକ ବଡ଼ ପରିଚୟ ସଙ୍କଟ ଦେଇ ଗତି କରୁଛନ୍ତି। ତାଙ୍କୁ ଏବେ ଚାଣକ୍ୟ ନୀତିର ଅସ୍ତଗାମୀ ସୂର୍ଯ୍ୟ ବୋଲି କୁହାଯାଉଛି।
• ନିର୍ବାଚନୀ ବିଫଳତା: ବିଜେଡି ଶାସନ କାଳରେ ସେ କେବେ ବି ନିର୍ବାଚନ ଜିତିବାକୁ ସକ୍ଷମ ହୋଇନାହାନ୍ତି। ନିଜ ଗଡ଼ ରକ୍ଷା କରିବାରେ ବିଫଳ ହେଉଥିବା ଜଣେ ନେତା ସାରାଓଡ଼ିଶାର ନେତୃତ୍ୱ ନେବା କଥା ଚିନ୍ତା କରିବା ଅବାସ୍ତବ।
• ପରିବାରବାଦ ଓ ଶରଣାପନ୍ନ ନୀତି: ଶେଷରେ ଉପାୟ ନ ପାଇ ନିଜ ପୁଅ ଅରବିନ୍ଦ ମହାପାତ୍ରଙ୍କୁ ନବୀନ ପଟ୍ଟନାୟକଙ୍କ ଶରଣାପନ୍ନ କରାଇଥିଲେ ବିଜୟ। କିନ୍ତୁ ବିଜୟ ମହାପାତ୍ରଙ୍କ କାର୍ଯ୍ୟକଳାପ ଯୋଗୁଁ ଆଜି ଅରବିନ୍ଦ ମଧ୍ୟ ବିଜେଡିରୁ ନିଲମ୍ବିତ। ଜଣେ ଅଭିଜ୍ଞ ନେତା ହୋଇଥିଲେ ମଧ୍ୟ ସେ ନିଜର ‘ମାସ୍ ଲିଡର’ ଆଖ୍ୟା ହରାଇ ସାରିଛନ୍ତି। ନୂଆ ଦଳ ପାଇଁ ଆବଶ୍ୟକ ହେଉଥିବା ଜନସମର୍ଥନ ଏବେ ତାଙ୍କ ପାଖରେ କୁହୁଡ଼ି ଭଳି ମଳିନ ପଡ଼ିଯାଇଛି।
୩. ଦିଲ୍ଲୀପ ରାୟ ଓ ସୌମ୍ୟରଞ୍ଜନ: ପ୍ରତିଷ୍ଠା ଓ ସ୍ୱାର୍ଥର ଦ୍ୱନ୍ଦ୍ୱ
• ଦିଲ୍ଲୀପ ରାୟ: ତାଙ୍କର ପ୍ରଭାବ କେବଳ ରାଉରକେଲା ଏବଂ କିଛି ଖଣି ବ୍ୟବସାୟୀଙ୍କ ମଧ୍ୟରେ ସୀମିତ। କୋଇଲା ଦୁର୍ନୀତି ମାମଲା ତାଙ୍କ ସ୍ୱଚ୍ଛ ଭାବମୂର୍ତ୍ତିକୁ ଧୂଳିସାତ୍ କରିଛି। ଲୋକେ ତାଙ୍କୁ ଜଣେ ‘ଅପରଚୁନିଷ୍ଟ’ ବା ସୁବିଧାବାଦୀ ନେତା ଭାବେ ଦେଖୁଛନ୍ତି।
• ସୌମ୍ୟରଞ୍ଜନ ପଟ୍ଟନାୟକ: ଅତୀତରେ ସେ ‘ଆମ ଓଡ଼ିଶା’ ଦଳ ଗଠନ କରି ବିଫଳ ହୋଇଛନ୍ତି। ନିଜର ଖବରକାଗଜ ଓ ଟିଭି ଚ୍ୟାନେଲ୍ ଥାଇ ମଧ୍ୟ ସେ ଜନମତକୁ ନିଜ ଆଡ଼କୁ କରିବାରେ ଅସମର୍ଥ ହୋଇଛନ୍ତି। ରାଜନୈତିକ ଅସ୍ଥିରତା ଏବଂ ବାରମ୍ବାର ଦଳ ବଦଳ ତାଙ୍କର ବିଶ୍ୱସନୀୟତା ଉପରେ ପ୍ରଶ୍ନଚିହ୍ନ ଲଗାଇଛି।
‘ଫମ୍ପା ମାଠିଆ’ ଓ ଅନ୍ଧକାରମୟ ଭବିଷ୍ୟତ: ବବି ଦାସ ଓ ଦୁଇ ପ୍ରଭାତ
• ପ୍ରଣବ ପ୍ରକାଶ ଦାସ (ବବି ଦାସ): ଗତ ନିର୍ବାଚନରେ ସମ୍ବଲପୁରରେ ତାଙ୍କର ଶୋଚନୀୟ ପରାଜୟ ପ୍ରମାଣ କରିଛି ଯେ ସେ କେବଳ ସାଂଗଠନିକ କ୍ଷମତାର ଅପପ୍ରୟୋଗ କରି ଜାଣିଛନ୍ତି, କିନ୍ତୁ ଲୋକଙ୍କ ହୃଦୟ ଜିତିପାରି ନାହାନ୍ତି। ତାଙ୍କୁ ଲୋକେ ଏକ ‘ଫମ୍ପା ମାଠିଆ’ ଭାବେ ଗ୍ରହଣ କରିସାରିଛନ୍ତି।
• ପ୍ରଭାତ ତ୍ରିପାଠୀ ଓ ପ୍ରଭାତ ବିଶ୍ୱାଳ: ଚିଟ୍ଫଣ୍ଡ ସ୍କାମ୍ର କଳଙ୍କ ଏହି ଦୁଇ ନେତାଙ୍କୁ ସର୍ବସାଧାରଣରେ ଗ୍ରହଣୀୟ କରିବାକୁ ଦେଉନାହିଁ। ଦୁର୍ନୀତିର ଦାଗ ଥାଇ ନୂଆ ଦଳ ଗଢ଼ିବା ହାସ୍ୟାସ୍ପଦ ମନେହୁଏ। ଏମାନଙ୍କର ଲୋକପ୍ରିୟତା ଏବେ ନିମ୍ନ ସ୍ତରକୁ ଖସିଆସିଛି।
ବିଶ୍ୱସନୀୟ ଚେହେରା ଓ ପାଣ୍ଠି ସମସ୍ୟା
ବର୍ତ୍ତମାନ ଅଣ ବିଜେପି, ଅଣ ବିଜେଡି ଓ ଅଣ କଂଗ୍ରେସ ନେତାଙ୍କ ମଧ୍ୟରେ କୌଣସି ବିଶ୍ୱସନୀୟ ଚେହେରା ନାହାନ୍ତି, ଯାହାଙ୍କୁ ଦେଖି ରାଜ୍ୟର ମତଦାତାମାନେ ଭରସା କରି ଭୋଟ ଦେବେ। ସେହିପରି ଆଜିର ଦିନରେ କେବଳ ଭାଷଣରେ ରାଜନୈତିକ ଦଳ ଚଳାଇବା ସମ୍ଭବ ନୁହେଁ। ଏଥିପାଇଁ ଆବଶ୍ୟକ ପାଣ୍ଠି। ବର୍ତ୍ତମାନ ରାଜ୍ୟର ଏମିତି କୌଣସି ନେତା ନାହିଁ ଯିଏ କି ନିଜ ପାଣ୍ଠି ବିନିଯୋଗ କରି ଦଳ ଗଠନ କରିବ। ତେଣୁ ଏକମାତ୍ର କଥା ହେଲା ଶାସକ ବିଜେପି ଯେଉଁ ନେତାମାନଙ୍କୁ ବିଶ୍ୱାସ କରି ସହଯୋଗ କରିବ ସେ ହିଁ ନୂଆ ଆଞ୍ଚଳିକ ଦଳ ଗଠନ କରି କଂଗ୍ରେସ ଓ ବିଜେଡି ଭୋଟକୁ ଭାଗ ଭାଗ କରିବ।
୫. ଐତିହାସିକ ଶିକ୍ଷା: ଓଡ଼ିଶାରେ କାହିଁକି ତିଷ୍ଠି ପାରନ୍ତିନି ଆଞ୍ଚଳିକ ଦଳ?
ଓଡ଼ିଶାର ରାଜନୈତିକ ଇତିହାସ ଦେଖିଲେ ଜଣାପଡ଼େ ଯେ, ବିଜୁ ପଟ୍ଟନାୟକଙ୍କ ପରେ କେବଳ ‘ବିଜେଡି’ ହିଁ ଏକମାତ୍ର ସଫଳ ଆଞ୍ଚଳିକ ଦଳ ଭାବେ ଉଭା ହୋଇଛି। ଅତୀତରେ ଅନେକ ବଡ଼ ନେତା ଦଳ ଗଢ଼ି ବିଫଳ ହୋଇଛନ୍ତି:
ସେମାନଙ୍କ ମଧ୍ୟରେ ପାରଳା ମହାରାଜ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ, ହରେକୃଷ୍ଣ ମହତାବ, ରାଜେନ୍ଦ୍ର ନାରାୟଣ ସିଂହଦେଓ, ଖଲ୍ଲିକୋଟ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ, କନିକା ରାଜା, ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ, ପଣ୍ଠିତ ନୀଳକଣ୍ଠ ଦାସ, ଗୋଦାବରୀଶ ମିଶ୍ର, ବିଜୁ ପଟ୍ଟନାୟକ, ପବିତ୍ର ମୋହନ ପ୍ରଧାନ, ନନ୍ଦିନୀ ଶତପଥୀ, ବିଜୟ ମହାପାତ୍ର, ଖାରବେଳ ସ୍ୱାଇଁ, ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରମୁଖ ଆଞ୍ଚଳିକ ଦଳ ଗଠନ କରି ବିଫଳ ହୋଇଛନ୍ତି।
ନେତା ଅଛନ୍ତି, ନେତୃତ୍ୱ ନାହିଁ
ବର୍ତ୍ତମାନ ଯେଉଁ ନେତାମାନେ ‘ତୃତୀୟ ଶକ୍ତି’ କଥା କହୁଛନ୍ତି, ସେମାନଙ୍କ ପାଖରେ ନା ଅଛି ‘କ୍ଲିନ୍ ଇମେଜ୍’ ନା ଅଛି ଯୁବପିଢ଼ିଙ୍କ ସହ ସିଧାସଳଖ ସଂଯୋଗ। ଏମାନେ ସମସ୍ତେ ନିଜ ନିଜ ଦଳରୁ ପ୍ରତ୍ୟାଖ୍ୟାତ ବା ବିଦ୍ରୋହୀ। ଜଣେ ବିଦ୍ରୋହୀ ନେତା କେବେ ବି ଏକ ସ୍ଥାୟୀ ବିକଳ୍ପ ଦେଇପାରିବେ ନାହିଁ। ଓଡ଼ିଶାର ଭୋଟରମାନେ ଜାଣନ୍ତି ଯେ ‘ଫମ୍ପା ମାଠିଆର ଶବ୍ଦ ଅଧିକ’। ତେଣୁ ଏହି ନେତାମାନଙ୍କୁ ନେଇ ଏକ ନୂଆ ଆଞ୍ଚଳିକ ଦଳର ପରିକଳ୍ପନା କେବଳ ଏକ ‘ରାଜନୈତିକ ଷ୍ଟଣ୍ଟ’ ଛଡ଼ା ଆଉ କିଛି ନୁହେଁ।
AlsoRead; https://purvapaksa.com/assistant-engineer-in-vigilance-net-raids-at-5-places/


