ଭାରତ କଣ ଏକ ବଡ଼ ଆର୍ଥିକ ମାନ୍ଦାବସ୍ଥା ଆଡ଼କୁ ଯାଉଛି? ଏଭଳି ପ୍ରଶ୍ନ ଏବେ ସାଧାରଣ ଲୋକରୁ ଆରମ୍ଭ କରି ଅର୍ଥ ବିଶେଷଜ୍ଞଙ୍କ ମନରେ ବି ଉଙ୍କି ମାରିଛି। ତେବେ ଭାରତ ଗତ ଦୁଇ ବର୍ଷ ମଧ୍ୟରେ ବହୁତ ଭଲ ପ୍ରଦର୍ଶନ କରିଛି। ଦେଶର ଅଭିବୃଦ୍ଧି ହାର ହାରାହାରି ୭ ପ୍ରତିଶତ ରହିଛି। କିନ୍ତୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ନୀତି ସାରା ବିଶ୍ଵରେ ଚିନ୍ତା ସୃଷ୍ଟିକରିଛି । ଏହା ଭାରତକୁ ମଧ୍ୟ ପ୍ରଭାବିତ କରୁଛି।
ବିଶ୍ୱ ବ୍ୟାଙ୍କ ୨୦୨୫- ୨୬ ପାଇଁ ଭାରତର ଜିଡିପି ଅଭିବୃଦ୍ଧି ପୂର୍ବାନୁମାନ ୬.୭% ରୁ ୬.୩% କୁ ହ୍ରାସ କରିଛି। କିଛି ନୂତନ ସଂଖ୍ୟା ସୂଚାଇ ଦେଉଛି ଯେ ପରିସ୍ଥିତି ଆହୁରି ଖରାପ ହୋଇପାରେ। ଟ୍ରମ୍ପଙ୍କ ଟାରିଫ ଝଡ଼ରେ ବିପଦର ଘଣ୍ଟି ଏବେଠାରୁ ଭାରତରେ ବାଜିବାରେ ଲାଗିଲାଣି । ସାମ୍ପ୍ରତିକ ବର୍ଷଗୁଡ଼ିକରେ ଅବଶ୍ୟ ଭାରତର ଅର୍ଥନୀତି ବହୁତ ମଜବୁତ ହୋଇଛି। ଏହାର କାରଣ ହେଉଛି ଭଲ ମାକ୍ରୋଇକୋନୋମିକ୍ ପ୍ରଦର୍ଶନ। ବର୍ତ୍ତମାନ ଦେଶର ଚଳନ୍ତି ଖାତା ନିଅଣ୍ଟ ପ୍ରାୟ ଶୂନ୍ୟ । ଭାରତର କେତେକ ବଡ଼ କମ୍ପାନୀ ବିଗତ ଦୁଇ ବର୍ଷ ଧରି ଚାହିଦା ହ୍ରାସ ଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଫ୍ଏମ୍ସିଜି ଉତ୍ପାଦର ବିକ୍ରି ମଧ୍ୟ ହ୍ରାସ ପାଇଛି। ଅନେକ ଶିଳ୍ପସଂସ୍ଥା ଭୟ କରୁଛନ୍ତି ଯେ ଟ୍ରମ୍ପଙ୍କ ଉଚ୍ଚ ଶୁଳ୍କ ଯୋଗୁଁ ଚୀନ, ଭିଏତନାମ, ଭାରତ ଏବଂ ଅନ୍ୟାନ୍ୟ ବଜାରରେ ବଡ଼ ପରିମାଣରେ ସାମଗ୍ରୀ ଡମ୍ପ କରିବେ। ଡମ୍ଫର ଅର୍ଥ ହେଉଛି ଆପଣଙ୍କ ଦେଶରେ ମହଙ୍ଗା ଏବଂ ଅନ୍ୟ ଦେଶରେ ଶସ୍ତା ବିକ୍ରି ।
ବିଶେଷଜ୍ଞମାନେ କହିଛନ୍ତି ଯେ ଜିଡିପି ଅଭିବୃଦ୍ଧି ୨୦୨୩-୨୪ରେ ୯.୨% ରୁ ୨୦୨୪-୨୫ରେ ୬.୫%କୁ ହ୍ରାସ ପାଇଛି। ଏହାର ଅର୍ଥ ହେଉଛି ଗତ ବର୍ଷ ଅର୍ଥନୀତି ଦ୍ରୁତ ଗତିରେ ହ୍ରାସ ପାଇଛି। ୯.୨% ଅଭିବୃଦ୍ଧି ହାର ବହୁତ ଅଧିକ ଥିଲା । ଶିଳ୍ପ ଉତ୍ପାଦନ ସୂଚକାଙ୍କ (ଆଇଆଇପି) ଏପ୍ରିଲରେ କେବଳ ୨.୪% ଏବଂ ମେ’ରେ ୧୨% ବୃଦ୍ଧି ପାଇଛି। ଏହା ବହୁତ କମ୍। ବିଶେଷକରି ଯେତେବେଳେ ଭାରତକୁ ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବରେ ବିବେଚନା କରାଯାଏ। ମେ’ ମାସରେ ଏଫ୍ଏମ୍ଜି କ୍ଷେତ୍ରରେ ଉତ୍ପାଦନ ୨.୪% ହ୍ରାସ ପାଇଛି। ବିଦ୍ୟୁତ୍ ଉତ୍ପାଦନ ମଧ୍ୟ ୫-୩% ହ୍ରାସ ପାଇଛି। ଅଟୋମୋବାଇଲ କ୍ଷେତ୍ରର ଅବସ୍ଥା ଖରାପ। ତେଣୁ ମାନ୍ଦାବସ୍ଥା ଆସିବାର ଏହା ଏକ ବଡ଼ ସଙ୍କେତ କୁହାଯାଇପାରେ।
ଅପରପକ୍ଷେ ୧୯୯୧ରେ ସଂସ୍କାର ଆରମ୍ଭ ହେବା ପରଠାରୁ ରପ୍ତାନି ଦେଶର ଆର୍ଥିକ ଅଭିବୃଦ୍ଧିରେ ଏକ ଗୁରୁତ୍ବପୂର୍ଣ ଭୂମିକା ଗ୍ରହଣ କରିଛି । କିନ୍ତୁ ଚଳିତବର୍ଷ ବର୍ଷ ଜୁନ୍ ମାସରେ ସାମଗ୍ରୀ ରପ୍ତାନି ପ୍ରାୟ ସ୍ଥିର ରହିଛି। ସେହି ସମୟରେ, ଆମଦାନି ୩.୭୧% ହ୍ରାସ ପାଇଛି। ସାଧାରଣତଃ, ଯେତେବେଳେ ଅଭିବୃଦ୍ଧି ଉପରମୁହାଁ ହୁଏ, ସେତେବେଳେ ଆମଦାନି ବୃଦ୍ଧି ପାଏ। ଆମଦାନିରେ ହ୍ରାସ ଏକ ଆର୍ଥିକ ମାନ୍ଦାବସ୍ଥାକୁ ସୂଚିତ କରେ।
Also Readhttps://purvapaksa.com/how-many-indians-and-others-british-colonialism-killed/
