ପାକିସ୍ତାନ ବିରୋଧରେ ନିକଟରେ ହୋଇଥିବା ସଂଘର୍ଷ ସମୟରେ ରୁଷିଆର ଏସ-୪୦୦ ଏୟାର ଡିଫେନ୍ସ ସିଷ୍ଟମ ଭାରତ ପାଇଁ ଏକ ଢାଲ ପାଲଟିଛି । ଏସ-୪୦୦ ଏୟାର ଡିଫେନ୍ସ ସିଷ୍ଟମ ଭାରତର ପ୍ରତିରକ୍ଷା କବଚର ସବୁଠାରୁ ବାହାର ସ୍ତର ଅଟେ ଏବଂ ଆକାଶ ଡିଫେନ୍ସ ସିଷ୍ଟମ ଓ ଏଲ-୭୦ ଆଣ୍ଟି-ଏୟାରକ୍ରାଫ୍ଟ ଗନ ସହିତ ମିଳିତ ଭାବେ ଏହା ପାକିସ୍ତାନର ଅଧିକାଂଶ ଆକ୍ରମଣକୁ ବିଫଳ କରିଦେଇଛି । ଏହି ପରିପ୍ରେକ୍ଷୀରେ ଭାରତରେ ଏକ ସାଧାରଣ ସହମତି ସୃଷ୍ଟି ହେଉଛି ଯେ କେବଳ ଏସ-୪୦୦ର ଅତିରିକ୍ତ ଅର୍ଡର ରୁଷିଆକୁ ଦେବା ଉଚିତ ନୁହେଁ, ବରଂ ଏସ-୫୦୦ ଏୟାର ଡିଫେନ୍ସ ସିଷ୍ଟମ କ୍ରୟ କରିବା ଆଡ଼କୁ ମଧ୍ୟ ଆଗେଇ ଯିବା ଉଚିତ । କିନ୍ତୁ ସମସ୍ୟା ହେଉଛି ଯେ ରୁଷିଆ ଏପର୍ଯ୍ୟନ୍ତ ଦୁଇଟି ଏସ-୪୦୦ର ଡେଲିଭରୀ ଦେଇନାହିଁ । ବିଶେଷକରି ଏପରି ସମୟରେ ରୁଷିଆ ଏସ-୪୦୦ ଡେଲିଭରୀରେ ବିଳମ MRS।
ଭାରତକୁ ସପ୍ଲାଏ କରିବାରେ ବିଳମ୍ବ କାହିଁକି ?
ଚୀନରେ ଆୟୋଜିତ ଶାଙ୍ଘାଇ ସହଯୋଗ ସଂଗଠନର ବୈଠକ ସମୟରେ ରୁଷିଆର ପ୍ରତିରକ୍ଷା ମନ୍ତ୍ରୀ ଆନ୍ଦ୍ରେଇ ବେଲୌସୋଭ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ପୁନର୍ବାର ଆଶ୍ୱାସନା ଦେଇଛନ୍ତି ଯେ ରୁଷିଆ ବାକି ଥିବା ଦୁଇଟି ଏସ-୪୦୦ ସମୟାନୁଯାୟୀ ଡେଲିଭରୀ କରିବ। ଏହା ଦିଲ୍ଲୀର ରଣନୀତିକାରଙ୍କୁ କିଛିଟା ଆଶ୍ୱସ୍ତି ଦେଇଥାଇପାରେ। ଯେତେବେଳେ ଭାରତ ୨୦୧୮ ମସିହାରେ ରୁଷିଆ ସହିତ ୫.୪୩ ବିଲିୟନ ଡଲାରର ଏସ-୪୦୦ ଟ୍ରାଇମ୍ଫ ଏୟାର ଡିଫେନ୍ସ ସିଷ୍ଟମ ଚୁକ୍ତି ସ୍ୱାକ୍ଷର କରିଥିଲା, ତାହା ଏକ ସାହସୀ ପଦକ୍ଷେପ ବୋଲି ବିବେଚିତ ହୋଇଥିଲା। ଏହି ଚୁକ୍ତି ଆମେରିକାର ସମ୍ଭାବ୍ୟ ଅସନ୍ତୋଷ ଏବଂ କାଟସା (CAATSA) ପ୍ରତିବନ୍ଧକର ଆଶଙ୍କା ସତ୍ତ୍ୱେ କରାଯାଇଥିଲା। ସେତେବେଳେ ଭାରତ ବିଶ୍ୱକୁ ଏହା ଦେଖାଇଥିଲା ଯେ ସେ ନିଜର ରଣନୀତିକ ସାର୍ବଭୌମତ୍ୱ ସହିତ ଆପୋଷ କରିବ ନାହିଁ। କିନ୍ତୁ ଆଜି, ୨୦୨୫ରେ, ଏହି ଚୁକ୍ତି ଭାରତର ଜାତୀୟ ସୁରକ୍ଷା ଯୋଜନା ପାଇଁ ଏକ ନୂଆ ଜଟିଳତା ସୃଷ୍ଟି କରିଛି।
ଏସ-୪୦୦ ଏୟାର ଡିଫେନ୍ସ ସିଷ୍ଟମର ଡେଲିଭରୀରେ ବିଳମ୍ବ
୨୦୧୮ରେ ହୋଇଥିବା ଚୁକ୍ତି ଅନୁଯାୟୀ, ରୁଷିଆକୁ ୨୦୨୧ରୁ ୨୦୨୩ ମଧ୍ୟରେ ପାଞ୍ଚୋଟି ଏସ-୪୦୦ ଏୟାର ଡିଫେନ୍ସ ସିଷ୍ଟମ ଭାରତକୁ ଡେଲିଭରୀ କରିବାକୁ ଥିଲା। ସେଥିମଧ୍ୟରୁ ପ୍ରଥମ ତିନୋଟି ୨୦୨୧ ଶେଷ ସୁଦ୍ଧା ଡେଲିଭରୀ ହୋଇସାରିଥିଲା। କିନ୍ତୁ ବାକି ଦୁଇଟିର ଡେଲିଭରୀ ଏପର୍ଯ୍ୟନ୍ତ ହୋଇନାହିଁ। ରୁଷିଆ ବାରମ୍ବାର ସମୟସୀମା ବଢ଼ାଉଛି। ଯଦିଓ ରୁଷିଆର ଡେଲିଭରୀ ବିଳମ୍ବର କିଛି କାରଣ ଦେଉଛି, ତେବେ ଏହା ମନେ କରାଯାଉଛି ଯେ ଏଥିରେ ଚୀନର ଭୂମିକା ମଧ୍ୟ ଥାଇପାରେ।
୧. ୟୁକ୍ରେନ ଯୁଦ୍ଧରେ ଜଡ଼ିତ ରୁଷିଆ- ୟୁକ୍ରେନ ଯୁଦ୍ଧରେ ରୁଷିଆକୁ ବହୁତ କ୍ଷତି ହୋଇଛି। Oryx ଅନୁଯାୟୀ, ଏପର୍ଯ୍ୟନ୍ତ ଅତି କମରେ ୧୨ଟି ଏସ-୪୦୦ ୟୁନିଟ ସମ୍ପୂର୍ଣ୍ଣ ବା ଆଂଶିକ ଭାବେ ନଷ୍ଟ ହୋଇଛି। ଏହା ରୁଷିଆର ଦୀର୍ଘ-ଦୂରତା ବାୟୁ ସୁରକ୍ଷାର ମେରୁଦଣ୍ଡ ବୋଲି ବିବେଚିତ ହୁଏ। ଏହି ପରିସ୍ଥିତିରେ ଏହା ସ୍ୱାଭାବିକ ଯେ ରୁଷିଆ ନୂଆ ନିର୍ମିତ ଏସ-୪୦୦ ୟୁନିଟଗୁଡ଼ିକୁ ଭାରତକୁ ପଠାଇବା ବଦଳରେ ନିଜର ଘରୋଇ ଆବଶ୍ୟକତା ପାଇଁ ବ୍ୟବହାର କରୁଛି। ଯଦିଓ ରାଷ୍ଟ୍ରପତି ପୁତିନ ଦାବି କରନ୍ତି ଯେ ରୁଷିଆ ମିସାଇଲ ଉତ୍ପାଦନରେ ବିଶ୍ୱରେ ଆଗରେ ଅଛି, ତଥାପି ଭାରତ ଦୁଇ ବର୍ଷ ଧରି ଡେଲିଭରୀର ଅପେକ୍ଷା କରିଛି। ଏହି ବିରୋଧାଭାସ ସୂଚାଏ ଯେ ଉତ୍ପାଦନ ହେଉଛି, କିନ୍ତୁ ରୁଷିଆର ନିଜ ସେନା ହେଉଛି ପ୍ରାଥମିକତା।
୨. ରୁଷିଆର ଅସ୍ତ୍ରଶସ୍ତ୍ର ଶିଳ୍ପକୁ ବଡ଼ ଝଟକା- SIPRIର ରିପୋର୍ଟ ଅନୁଯାୟୀ, ୨୦୨୦-୨୦୨୪ ମଧ୍ୟରେ ରୁଷିଆର ଅସ୍ତ୍ର ରପ୍ତାନୀ ୬୪% ହ୍ରାସ ପାଇଛି। କାଜାଖସ୍ତାନରେ ଅବସ୍ଥିତ ଆଉଟଲେଟ ଆର୍ବାଟ ମିଡିଆର ମତ ଅନୁଯାୟୀ, ୨୦୨୧ ପରେ ରୁଷିଆର ବାର୍ଷିକ ଅସ୍ତ୍ର ରପ୍ତାନୀ ୯୨% ହ୍ରାସ ପାଇ ୧ ବିଲିୟନ ଡଲାରରୁ ମଧ୍ୟ କମ୍ ହୋଇଛି। ଏହା ଏକ ସଙ୍କେତ ଯେ ରୁଷିଆ ଏବେ ବିଶ୍ୱର ଏକ ବିଶ୍ୱସନୀୟ ପ୍ରତିରକ୍ଷା ଯୋଗାଣକାରୀ ନୁହେଁ। ସିରିଆ ଓ ଇରାନ ମଧ୍ୟ ରୁଷିଆର ସିଷ୍ଟମ ଉପରେ ଭରସା କରୁନାହାନ୍ତି। ଚୀନ ଦ୍ରୁତ ଗତିରେ ରୁଷିଆର ବଜାରକୁ ହାତେଇ ନେଉଛି।
୩. ପାଶ୍ଚାତ୍ୟ ଦେଶମାନଙ୍କର ପ୍ରତିବନ୍ଧକ ଓ ସପ୍ଲାଇ ଚେନ ସଙ୍କଟ- ପାଶ୍ଚାତ୍ୟ ଦେଶମାନଙ୍କର ପ୍ରତିବନ୍ଧକ ହେତୁ ରୁଷିଆ ମାଇକ୍ରୋଚିପ୍ସ ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ଟେକ୍ନୋଲୋଜି ଘଟକ ପାଇଁ ଚୀନ ଉପରେ ଦ୍ରୁତ ଗତିରେ ନିର୍ଭରଶୀଳ ହେଉଛି। ଯଦିଓ ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ସମୟ ସମୟରେ ସଶସ୍ତ୍ର ବାହିନୀକୁ ସାମରିକ ହାର୍ଡୱେୟାରରୁ ଚୀନୀୟ ଟେକ୍ନୋଲୋଜି ଓ ସିଷ୍ଟମ ହଟାଇବାକୁ କହିଥାଏ, କିନ୍ତୁ ଅପରେସନ ସିନ୍ଦୁର ସମୟରେ ଘଟିଥିବା ଘଟଣାକ୍ରମ ପରେ ଏହି ମାମଲା ଆହୁରି ଗମ୍ଭୀର ହୋଇଛି। କିଛି ରିପୋର୍ଟରେ ସମ୍ଭାବନା ପ୍ରକାଶ କରାଯାଇଛି ଯେ ରୁଷିଆ ହୁଏତ ମୌଜୁଦା ଷ୍ଟକ ବଦଳରେ ନୂଆ ଏସ-୪୦୦ ନିର୍ମାଣ କରି ଭାରତକୁ ଯୋଗାଇବାର ଯୋଜନା କରୁଛି। ଦିପ୍ରିଣ୍ଟର ରିପୋର୍ଟ ଅନୁଯାୟୀ, ଏସ-୪୦୦ ନିର୍ମାଣ କରୁଥିବା ରୁଷିଆର କମ୍ପାନୀ ଆଲମାଜ-ଆଣ୍ଟେ ନିକଟରେ ଚୀନରେ ଏକ ଡ୍ରୋନ ନିର୍ମାଣ କାରଖାନା ସ୍ଥାପନ କରିଛି ଏବଂ ସମ୍ଭବତଃ ଏହାକୁ ଚିପ୍ସ ଓ ଅନ୍ୟାନ୍ୟ ସମ୍ବେଦନଶୀଳ ଟେକ୍ନୋଲୋଜି ପାଇଁ ଏକ ମାଧ୍ୟମ ଭାବେ ବ୍ୟବହାର କରୁଛି। ଏହା ରୁଷିଆକୁ ତାର ଉତ୍ପାଦନ ଲାଇନ ଚାଲୁ ରଖିବାରେ ସାହାଯ୍ୟ କରୁଛି, କିନ୍ତୁ ଏହା ଚୀନ ଉପରେ ତାର ନିର୍ଭରତାକୁ ଆହୁରି ବଢ଼ାଇଦେଉଛି, ଯାହା ଭାରତ ପାଇଁ ଅତ୍ୟନ୍ତ ଚିନ୍ତାଜନକ ଅଟେ।
୪. ଚୀନ କ’ଣ ରୁଷିଆ ଉପରେ ଚାପ ପକାଉଛି- ଗାଲୱାନ ଉପତ୍ୟକାରେ ହିଂସାତ୍ମକ ସଂଘର୍ଷ ପରେ ଚୀନୀୟ ଅଧିକାରୀମାନେ ସାର୍ବଜନୀନ ଭାବେ ଭାରତ-ରୁଷିଆ ସମ୍ପର୍କ ଉପରେ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ତା’ପରେ ଚୀନ ପାକିସ୍ତାନକୁ ଦ୍ରୁତ ଗତିରେ ସାହାଯ୍ୟ କରିବା ଆରମ୍ଭ କରିଥିଲା ଏବଂ ଭାରତୀୟ ବାୟୁସେନାର ଅଧିକାରୀମାନେ ମାନିଛନ୍ତି ଯେ ନିକଟରେ ହୋଇଥିବା ସଂଘର୍ଷ ସମୟରେ ଚୀନ ପାକିସ୍ତାନୀ ବାୟୁସେନାକୁ ରିୟଲ-ଟାଇମ ସୂଚନା ପ୍ରଦାନ କରିଥିଲା । ଏହି ପରିପ୍ରେକ୍ଷୀରେ ଏକ ଚିନ୍ତାଜନକ ସମ୍ଭାବନା ହେଉଛି ଯେ ଚୀନର ଚାପ ହେତୁ ରୁଷିଆ ଭାରତକୁ ଏସ-୪୦୦ର ଡେଲିଭରୀ ଦେଇପାରୁନାହିଁ। କୂଟନୈତିକ ବିଶେଷଜ୍ଞମାନେ ମନେ କରନ୍ତି ଯେ ଚୀନ ନିଜର ପ୍ରଭାବକୁ ରୁଷିଆ ଉପରେ ବ୍ୟବହାର କରି ଭାରତକୁ ସମୟାନୁଯାୟୀ ଡେଲିଭରୀ ନ ଦେବା ପାଇଁ, କିମ୍ବା ଅତି କମରେ ତାକୁ ପ୍ରାଥମିକତା ନ ଦେବା ପାଇଁ ଚେଷ୍ଟା କରିପାରେ । ଏହାର ଉଦ୍ଦେଶ୍ୟ ହେଉଛି ଭାରତର ବାୟୁ ସୁରକ୍ଷାକୁ ଦୁର୍ବଳ ରଖିବା ଯାହା ଦ୍ୱାରା ଚୀନକୁ ରଣନୀତିକ ସୁବିଧା ମିଳିପାରେ ।
ମୋଟାମୋଟି ପରିସ୍ଥିତି ସ୍ପଷ୍ଟ ଅଟେ ଯେ ରୁଷିଆ ଭାରତକୁ ଏସ-୪୦୦ର ଡେଲିଭରୀରେ ବିଳମ୍ବ କରୁଛି । ଏହାର କାରଣ ଘରୋଇ ଯୁଦ୍ଧ, ଅସ୍ତ୍ର ବଜାରର ଭାଙ୍ଗିଯିବା କିମ୍ବା ଚୀନୀୟ ଚାପ ହୋଇପାରେ । କିନ୍ତୁ ଭାରତ ପାଇଁ ଏହାକୁ ଏକ ଶିକ୍ଷା ଭାବେ ଗ୍ରହଣ କରିବାର ସମୟ ଅଟେ। ଭାରତୀୟ ପ୍ରତିରକ୍ଷା ବିଶେଷଜ୍ଞମାନେ ମନେ କରନ୍ତି ଯେ ଦେଶକୁ ଏବେ ବିଦେଶୀ ଡେଲିଭରୀ ଉପରେ ନିର୍ଭରତା କମାଇବାକୁ ହେବ । ଭାରତକୁ ଦ୍ରୁତ ଗତିରେ ନିଜର ପ୍ରତିରକ୍ଷା କ୍ଷମତାକୁ ମଜବୁତ କରିବାକୁ ହେବ କାରଣ ଆଗାମୀ ସମୟରେ ରୁଷିଆର ଚୀନ ଉପରେ ନିର୍ଭରତା ଆହୁରି ବଢ଼ିବ ଏବଂ ଆମେରିକା ଉପରେ ଆଖି ବନ୍ଦ କରି ଭରସା କରାଯାଇପାରିବ ନାହିଁ ।
ALSO READ https://purvapaksa.com/good-luck-returned-to-earth-from-space-station-landed-safely-in-the-sea/
