ଭାରତ ନିଜର ସ୍ୱାଧୀନତା ଦିବସ ୧୫ ଅଗଷ୍ଟ ୧୯୪୭ରେ ପାଳନ କରେ, କିନ୍ତୁ ପାକିସ୍ତାନ ଗୋଟିଏ ଦିନ ଆଗରୁ, ୧୪ ଅଗଷ୍ଟରେ ନିଜର ସ୍ୱାଧୀନତା ଦିବସ ପାଳନ କରେ। ଏହା ଅନେକଙ୍କ ମନରେ ପ୍ରଶ୍ନ ଉଠାଇଥାଏ ଯେ କାହିଁକି ପାକିସ୍ତାନକୁ ଭାରତଠାରୁ ଏକ ଦିନ ଆଗରୁ ସ୍ୱାଧୀନତା ଦିଆଗଲା। ଉଭୟ ଦେଶର ସ୍ୱାଧୀନତା ତାରିଖରେ ଏହି ଅନ୍ତର କାହିଁକି? କ’ଣ ପାକିସ୍ତାନ ନିଜର ସ୍ୱାଧୀନତା ଦିବସ ନେଇ ମିଛ କହୁଛି? ଏହି ପ୍ରଶ୍ନ ଏହି କାରଣରୁ ମଧ୍ୟ ଉଠିଥାଏ କାରଣ ବ୍ରିଟିଶ ପାର୍ଲାମେଣ୍ଟରେ ‘ଇଣ୍ଡିଆନ ଇଣ୍ଡିପେଣ୍ଡେନ୍ସ ଆକ୍ଟ ୧୯୪୭’ରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି ଯେ ୧୫ ଅଗଷ୍ଟ ୧୯୪୭ରୁ ଭାରତ ଓ ପାକିସ୍ତାନ ଦୁଇଟି ସ୍ୱତନ୍ତ୍ର ଦେଶ ରୂପେ ଅସ୍ତିତ୍ୱ ଲାଭ କରିବେ।
ଏତିକି ନୁହେଁ, ସ୍ୱାଧୀନତା ପରେ ୧୧ ମାସ ପରେ ଜାରି ହୋଇଥିବା ପାକିସ୍ତାନର ଡାକ ଟିକଟରେ ମଧ୍ୟ ସ୍ୱାଧୀନତା ଦିବସ ତାରିଖ ୧୫ ଅଗଷ୍ଟ ୧୯୪୭ ଛପା ହୋଇଥିଲା। ଇତିହାସର ପୃଷ୍ଠାଗୁଡ଼ିକୁ ଖୋଲିଲେ, ଚିତ୍ର ସରଳ ମଧ୍ୟ ଓ ରୋଚକ ମଧ୍ୟ। ବ୍ରିଟିଶ ଆଇନ କିଛି କହୁଛି, ରୀତିନୀତି କିଛି ଅନ୍ୟ କହୁଛି, ଏବଂ ତା’ପରେ ରାଜନୀତି, କ୍ୟାଲେଣ୍ଡର ଓ ଧାର୍ମିକ ବିଶ୍ୱାସ ମିଳିତ ହୋଇ ସ୍ୱାଧୀନତା ଦିବସର ତାରିଖ ନିର୍ଦ୍ଧାରଣ କରିଥାଏ।
ପାକିସ୍ତାନୀ ତାରିଖ ଓ ସମୟରେଖା ଉପରେ ଏକ ନଜର:
୧୮ ଜୁଲାଇ ୧୯୪୭: ଇଣ୍ଡିଆନ ଇଣ୍ଡିପେଣ୍ଡେନ୍ସ ଆକ୍ଟକୁ ରୟାଲ ଅସେଣ୍ଟ।
୧୪ ଅଗଷ୍ଟ ୧୯୪୭ (ଦିନ ସମୟ): କରାଚୀରେ କ୍ଷମତା ହସ୍ତାନ୍ତରଣ ଓ ଔପଚାରିକ କାର୍ଯ୍ୟକ୍ରମ।
୧୫ ଅଗଷ୍ଟ ୧୯୪୭ (ମଧ୍ୟରାତ୍ରି/ସକାଳ): ଉଭୟ ଡୋମିନିଅନର ସାମ୍ବିଧାନିକ ଅସ୍ତିତ୍ୱ, ଏହି ଦିନ ଜିନ୍ନାଙ୍କ ରେଡିଓ ସନ୍ଦେଶ।
ଜୁଲାଇ ୧୯୪୮: ପାକିସ୍ତାନର ପ୍ରଥମ ଡାକ ଟିକଟରେ ସ୍ୱାଧୀନତା ତାରିଖ ୧୫ ଅଗଷ୍ଟ ୧୯୪୭।
୧୯୪୯ ଆରମ୍ଭ: ପାକିସ୍ତାନ ସରକାର ୧୪ ଅଗଷ୍ଟକୁ ବାର୍ଷିକ ‘ସ୍ୱାଧୀନତା ଦିବସ’ ଭାବେ ନିର୍ଦ୍ଧାରଣ କରିଥିଲେ।
ବ୍ରିଟିଶ ଆଇନ କ’ଣ କହୁଛି?
ବ୍ରିଟିଶ ପାର୍ଲାମେଣ୍ଟର ଇଣ୍ଡିଆନ ଇଣ୍ଡିପେଣ୍ଡେନ୍ସ ଆକ୍ଟ ୧୯୪୭ରେ ସ୍ପଷ୍ଟ ଲେଖାଯାଇଛି ଯେ ୧୫ ଅଗଷ୍ଟ ୧୯୪୭ରୁ ଭାରତ ଓ ପାକିସ୍ତାନ ଦୁଇଟି ସ୍ୱତନ୍ତ୍ର ଡୋମିନିଅନ ଭାବେ ଅସ୍ତିତ୍ୱ ଲାଭ କରିବେ। ଅର୍ଥାତ୍ ଆଇନଗତ ଭାବେ ଉଭୟ ଦେଶର ସ୍ୱାଧୀନତା ଦିବସ ୧୫ ଅଗଷ୍ଟ ହିଁ ଅଟେ।
କରାଚୀରେ ସ୍ୱାଧୀନତା ଉତ୍ସବ ୧୪ ଅଗଷ୍ଟରେ କାହିଁକି?କ୍ଷମତା ହସ୍ତାନ୍ତରଣର ମୁଖ୍ୟ ସମାରୋହ ୧୪ ଅଗଷ୍ଟରେ ହୋଇଥିଲା। ମାଉଣ୍ଟବେଟନ ସେହି ଦିନ କରାଚୀ ପହଞ୍ଚିଥିଲେ ଏବଂ ପାକିସ୍ତାନର ସାମ୍ବିଧାନିକ ସଭାରେ ସନ୍ଦେଶ ଦେଇଥିଲେ, ଔପଚାରିକତା ସମ୍ପୂର୍ଣ୍ଣ କରିଥିଲେ ଏବଂ ସେହି ରାତିରେ ଦିଲ୍ଲୀ ପାଇଁ ଉଡ଼ାଣ ଭରିଥିଲେ ଯାହା ଦ୍ୱାରା ସେ ଭାରତର ସ୍ୱାଧୀନତା ପାଇଁ ମଧ୍ୟରାତ୍ରିରେ ହେବାକୁ ଥିବା ସମାରୋହରେ ଯୋଗ ଦେଇ ପାରିବେ
ଐତିହାସିକମାନେ କହନ୍ତି ଯେ ପାକିସ୍ତାନ ସମାରୋହର ତାରିଖ, ଅର୍ଥାତ୍ ୧୪ ଅଗଷ୍ଟକୁ ହିଁ ନିଜର ଜାତୀୟ ପର୍ବ ଭାବେ ଗ୍ରହଣ କରିବା ଆରମ୍ଭ କରିଥିଲା, ଯଦିଓ ଏକ ବ୍ୟାବହାରିକ କାରଣ ଧାର୍ମିକ ବିଶ୍ୱାସ ସହିତ ଜଡ଼ିତ ମଧ୍ୟ କୁହାଯାଏ। ତାହା ହେଉଛି, ୧୯୪୭ରେ ୧୪ ଅଗଷ୍ଟ ଥିଲା ରମଜାନର ୨୭ତମ ଦିନ, ଯାହା ଇସଲାମିକ ପରମ୍ପରାରେ ପବିତ୍ର ବୋଲି ବିବେଚନା କରାଯାଏ।
