ଏକଦା ଓଡ଼ିଶା ବିଜେପିର ଧ୍ରୁବତାରା ସାଜିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜିକାଲି ରାଜ୍ୟ ସଂଗଠନରେ କମ୍ ଦିଶୁଛନ୍ତି। ସରକାରୀ କାର୍ଯ୍ୟକ୍ରମରେ ମଧ୍ୟ ତାଙ୍କର ଦୃଶ୍ୟମାନତା କ୍ରମଶଃ କମିବାରେ ଲାଗିଛି। ଏପରିକି ଯେତେବେଳେ ହାଇପ୍ରୋଫାଇଲ୍ ବୈଠକ କିମ୍ବା ସାଧାରଣସଭା ହେଉଛି ସେତେବେଳେ ତାଙ୍କୁ ଦୂରରେ ରଖାଯାଉଛି। ମନ୍ତ୍ରିମଣ୍ଡଳରେ ତାଙ୍କର ଅନୁଗତ ମନ୍ତ୍ରୀମାନେ ଥିଲେ ମଧ୍ୟ ସରକାରୀ କାର୍ଯ୍ୟକ୍ରମରେ ତାଙ୍କୁ ଜବରଦସ୍ତ ନୀଚ୍ଚା ଦେଖାଇବାକୁ ପ୍ରୟାସ ହେଉଛି। ନିକଟ ଅତୀତର ଅନେକ ଘଟଣା ଏହାର ସାକ୍ଷୀ ରହିଛି। ଆଉ ଯେଉଁଭଳି ଭାବେ ଏହା ଦିନକୁ ଦିନ ଅଧିକ ଘନୀଭୂତ ହେଉଛି ତାହା ଧର୍ମେନ୍ଦ୍ରଙ୍କୁ ନେଇ ରାଜ୍ୟ ବିଜେପିର ଅସନ୍ତୋଷକୁ ପଦାରେ ପକାଉଛି। ଏ ବିଷୟକୁ ଅଧିକ ଅନୁଶୀଳନ କରିବା।
ଏବେ ଗୁରୁତ୍ୱହୀନ ଧର୍ମେନ୍ଦ୍ର
ଦିନ ଥିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତି ନ ହେଲେ ରାଜ୍ୟ ବିଜେପିରେ କୌଣସି କାର୍ଯ୍ୟକ୍ରମ ଅନୁକୂଳ ହେଉନଥିଲା। କେନ୍ଦ୍ର ନେତାମାନେ ଓଡ଼ିଶା କଥା ଭାବିବାକୁ ବି ସାହସ ପାଉନଥିଲେ। ଓଡ଼ିଶାରେ ଯେ କୌଣସି କାର୍ଯ୍ୟ ହେଉଥିଲା ତାଙ୍କର ଆବଶ୍ୟକତା ପଡ଼ୁଥିଲା। ଦଳର ସଂଗଠନ ହେଉ ବା ଦଳ ପ୍ରତି ଲୋକଙ୍କ ଭାବନାକୁ ମଜଭୁତ କରିବା ହେଉ ଅଥବା ମିଡିଆରେ ଦଳର ଉପସ୍ଥିତିକୁ ଜାହିର କରିବା, ସବୁକିଛିରେ ଧର୍ମେନ୍ଦ୍ର ପ୍ରଧାନ ରହୁଥିଲେ ସର୍ବାଗ୍ରେ। ହେଲେ ଆଜି କିନ୍ତୁ ଯେଉଁ ପରିସ୍ଥିତି ରାଜ୍ୟ ବିଜେପିରେ ଦେଖିବାକୁ ମିଳୁଛି ସେଥିରେ ଧର୍ମେନ୍ଦ୍ର ଓ ତାଙ୍କ ଶିବିର ନୀରବ ପଡ଼ିଥିବାପରି ମନେହେଉଛି। ନା ସଂଗଠନରେ ତାଙ୍କୁ ହସ୍ତକ୍ଷେପ କରିବାକୁ ଦିଆଯାଉଛି ନା ସରକାରୀ କାର୍ଯ୍ୟକ୍ରମରେ ତାଙ୍କର ସମ୍ମାନ ରକ୍ଷା ହେଉଛି। କେଉଁଠି କେତେବେଳେ ରହୁଥିଲେ ବି ଗୁରୁତ୍ୱହୀନ ହୋଇଯାଉଛନ୍ତି ଶ୍ରୀ ପ୍ରଧାନ।
ହଜି ଯାଉଛନ୍ତି ଧର୍ମେନ୍ଦ୍ର ଓ ତାଙ୍କ ଅନୁଗତ
ଏବିଷୟକୁ ନେଇ ଅନେକ ଉଦାହରଣ ରହିଛି। କିନ୍ତୁ ନିକଟ ଅତୀତରେ ଜନ ଭାଗିଦାରୀ ହୋଇଥିବା କିଛି ଉତ୍ସବକୁ ଏଠାରେ ଉପସ୍ଥାପନ କରାଯାଇପାରେ। ଶନି ଓ ରବିବାରର ଉଦାହରଣ ନିଆଯାଉ। ଏହି ଦୁଇଦିନ ରାଜ୍ୟରେ ଦୁଇଟି ବଡ଼ ବଡ଼ ସରକାରୀ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଗୋଟିଏ ଝାରସୁଗୁଡ଼ାରେ, ଯେଉଁଠିକୁ ପ୍ରଧାନମନ୍ତ୍ରୀ ଆସିଥିଲେ ଏବଂ ଅନ୍ୟଟି ପୁରୀରେ, ଯେଉଁଠାରେ ନ୍ୟାୟିକ ଜଗତର ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମାଗମ ହୋଇଥିଲା।
ପ୍ରଥମ ଦିନଟି ଦିନିକିଆ କାର୍ଯ୍ୟକ୍ରମ ଥିଲା ଏବଂ ଦ୍ୱିତୀୟଟି ଦୁଇଦିନିଆ। ହେଲେ ପ୍ରଥମଟିରେ ଅନୁପସ୍ଥିତ ଥିବାବେଳ ଦ୍ୱିତୀୟର ଦ୍ୱିତ ଦିନ ଉତ୍ସବରେ ଧର୍ମେନ୍ଦ୍ରଙ୍କ ଉପସ୍ଥିତି ଥିଲା। ଏହାକୁ ଗୌଣ ବୋଲି ଅଭିହିତ କରାଯାଇପାରେ। ପ୍ରଥମ ଉତ୍ସବ ଥିଲା ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ। ଦେଶରେ ସ୍ୱଦେଶୀ ଫୋର୍-ଜି ଉଦ୍ଘାଟନ କାର୍ଯ୍ୟକ୍ରମ। ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟକୁ ୫୦ ହଜାର କୋଠି ଟଙ୍କାର ଉପହାର ଦେବା ବିଷୟ ଥିଲା। ଏଥିରେ ପଶ୍ଚିମାଞ୍ଚଳକୁ ଟ୍ରେନ ଯୋଗାଯୋଗ ପ୍ରକଳ୍ପ ବି ରହିଥିଲା। ତାଙ୍କ ନିର୍ବାଚନମଣ୍ଡଳୀ ସମ୍ବଲପୁରରେ ଫ୍ଲାଏ ଓଭର ପ୍ରକଳ୍ପ ସାମିଲ ଥିଲା। ଆପଣମାନେ ଜାଣିଛନ୍ତି ଏ ଉତ୍ସବ ଝାରସୁଗୁଡ଼ାରେ ଆୟୋଜନ ହୋଇଥିଲା। ଏହି ଉତ୍ସବକୁ ଚମକ ଦେବା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାତିଦିନ ସେଠାରେ ଡେରା ପକାଇଥିଲା ତାହା ବି ଆପଣମାନେ ଜାଣିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ସଂଗଠନର କର୍ମକର୍ତ୍ତା ଓ ଓଡ଼ଶା ପ୍ରଭାରୀ ବି ବେଶ୍ ତତ୍ପର ଥିଲେ। କିନ୍ତୁ ନା ପ୍ରସ୍ତୁତିରେ ଧର୍ମେନ୍ଦ୍ର ଓ ତାଙ୍କ ନିବିଡ଼ ସହଯୋଗୀମାନଙ୍କୁ ଦେଖିବାକୁ ମିଳୁଥିଲା ନା ସଭାଦିନ ଧର୍ମେନ୍ଦ୍ରଙ୍କୁ।
ଯଦିଓ ଏହା ଧର୍ମେନ୍ଦ୍ରଙ୍କ ନିର୍ବାଚନ ମଣ୍ଡଳୀରେ ଆସୁ ନାହିଁ କିନ୍ତୁ ପଶ୍ଚିମାଞ୍ଚଳର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ। ଏହା ରାଜ୍ୟର ଶିଳ୍ପକେନ୍ଦ୍ର ଭାବେ ପରିଚିତ। ହେଲେ ଧର୍ମେନ୍ଦ୍ର ରହିଲେ ବିହାରରେ। କାହିଁକି? ଏହା କ’ଣ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ନୁହେଁ?
ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ, ବିହାର ନିର୍ବାଚନ ଆଗକୁ ରହିଛି। ସେଠାରେ ସଂଗଠନକୁ ମଜଭୁତ କରିବା ପାଇଁ ଧର୍ମେନ୍ଦ୍ରଙ୍କୁ ଦାୟିତ୍ୱ ଦିଆଯାଇଛି, ଏହି ସମୟରେ ଏ ସଭାରେ ଉପସ୍ଥିତ ରହିବା କି ପ୍ରକାର ଜରୁରୀ? ଏ କଥାକୁ ମଧ୍ୟ ତାଙ୍କ ସମର୍ଥକମାନେ ଯୁକ୍ତି କରି କହୁଛନ୍ତି।
ଏଠାରେ ସୂଚିତ କରାଯାଇପାରେ ଯେ, ଧର୍ମେନ୍ଦ୍ର ଏକୁଟିଆ ବିହାର ନିର୍ବାଚନ ଦାୟିତ୍ୱରେ ନାହାନ୍ତି। ପୁଣି ଏ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇ ନାହିଁ। ଆଉ ତାଙ୍କୁ ଦାୟିତ୍ୱ ଦିଆଯିବା ମାତ୍ର ଗୋଟିଏ ଦିନ ହିଁ ହୋଇଛି। ଆଉ ଗୋଟିଏ କଥା ଯେ ଧର୍ମେନ୍ଦ୍ର ଏକାକୀ ବିହାରକୁ ବିଜେପି ଆଡ଼କୁ ଆଣିବା ପାଇଁ ପ୍ଲାଟଫର୍ମରେ ଓହ୍ଲାଇ ନାହାନ୍ତି ତାଙ୍କ ଭଳି ୪୫ ଜଣ ନେତାଙ୍କୁ ବିହାର ନିର୍ବାଚନ ଲାଗି କେନ୍ଦ୍ର ବିଜେପି ପକ୍ଷରୁ ମୁତୟନ କରାଯାଇଛି। ଏମାନେ ସମସ୍ତେ ବାହାର ରାଜ୍ୟର।
Addressed the 2nd National Mediation Conference in Bhubaneswar today. Odisha, the land of Mahaprabhu Jagannath has always been a land of dialogue and mediation. I am confident that the deliberations and discussions during this two-day conference will create new pathways for… pic.twitter.com/ZBE9EfoPxh
— Dharmendra Pradhan (@dpradhanbjp) September 28, 2025
କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ସଭାରେ ଅନୁପସ୍ଥିତ ଥିବା ସମ୍ବଲପୁର ସାଂସଦ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତା’ ପରଦିନ ଅର୍ଥାତ୍ ରବିବାର ଦିନ ଭୁବନେଶ୍ୱରରେ ଓଡ଼ିଶା ରିସର୍ଚ୍ଚ ସେଣ୍ଟର ଏବଂ ଟାଟା ଇନଷ୍ଟିଚ୍ୟୁଟ ଅଫ୍ ସୋସିଆଲ ସାଇନ୍ସ, ମୁମ୍ବାଇ ମଧ୍ୟରେ ଏମଓୟୁ ସ୍ୱାକ୍ଷର ସମାରୋହରେ ଯୋଗଦେଇଥିଲ। ଏହାପରେ ପୁରୀରେ ଚାଲିଥିବା ଜାତୀୟ ମଧ୍ୟସ୍ଥତା ଶିବିରରେ ଯୋଗଦେଇଥିଲେ।
ଧଉଳିଗିରି ପାଦଦେଶରେ ଥିବା ଅଶୋକ ଶିଳାଲେଖ ପରିଦର୍ଶନ କରିବାର ସୁଯୋଗ ଲାଭ କଲି । ଏହି ଶିଳାଲେଖରେ କଳିଙ୍ଗ ସାମ୍ରାଜ୍ୟର ବିସ୍ତାର, କଳିଙ୍ଗ ଯୁଦ୍ଧର ଘଟଣାବଳୀ, ସମ୍ରାଟ ଅଶୋକଙ୍କ ବୌଦ୍ଧ ଧର୍ମ ଗ୍ରହଣ, ଚଣ୍ଡାଶୋକରୁ ଧର୍ମାଶୋକକୁ ପରିବର୍ତ୍ତନ ହେବା ଉପରେ ଲିପିବଦ୍ଧ ହୋଇଛି । ପ୍ରାଚୀନ କଳିଙ୍ଗର ରାଜନୀତି, ସଂସ୍କୃତି, ଧର୍ମ ଏବଂ ଲିପିର… pic.twitter.com/dhjnBZjOh8
— Dharmendra Pradhan (@dpradhanbjp) September 29, 2025
ସୋମବାର ଦିନ ଧଉଳି ପରିଦର୍ଶନରେ ମଧ୍ୟ ଯାଇଥିଲେ। କିଛି ବିଜେପି ନେତା ଯୁକ୍ତି କରୁଛନ୍ତି ଯେ ବିହାର ପ୍ରଭାରୀ ହୋଇଥିବାରୁ ସେ ମୋଦୀଙ୍କ କାର୍ଯ୍ୟକ୍ରମରେ ଯୋଗ ଦେଇପାରିନଥିଲେ। ତେଣୁ ପ୍ରଶ୍ନ ଉଠୁଛି ଯିଏ ବିହାରରେ ବ୍ୟସ୍ତ ରହି ମୋଦୀଙ୍କ କାର୍ଯ୍ୟକ୍ରମକୁ ଆସିପାରିଲେ ନାହିଁ ସେ ପୁଣି କିପରି ଦୁଇଦିନ ହେଲା ଭୁବେନଶ୍ୱରରେ ରହି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି।
ଓଡ଼ିଶା ପାଇଁ ଧର୍ମେନ୍ଦ୍ର ଗୌଣ
ପୁଣି ସେ ଯେ ଏକମାତ୍ର ଓଡ଼ିଆ ନେତା ଯିଏ ବାହାର ପ୍ରଦେଶରେ ବିଜେପିର ନିର୍ବାଚନ ଦାୟିତ୍ୱରେ ରହିଛନ୍ତି ତାହା ନୁହେଁ। କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ଏହି ତାଲିକାରେ ରହିଛନ୍ତି। ବିଜେଡି ଛାଡ଼ି ବିଜେପିରେ ନିଜ କ୍ୟାରିୟରକୁ ଚମକ ଦେଇଥିବା ବୈଜୟନ୍ତ ନିର୍ବାଚନ ମୁହାଁ ତାମିଲନାଡ଼ୁରେ ବିଜେପିର ପ୍ରଭାରୀ ନିଯୁକ୍ତ ହୋଇଛନ୍ତି। ବିହାରରେ ଏବେ ବିଜେପିର ମେଣ୍ଟ ରହିଛି। ସହଯୋଗୀ ନିତିଶ ମୁଖ୍ୟମନ୍ତ୍ରୀ ଅଛନ୍ତି। କିନ୍ତୁ ତାମିଲନାଡ଼ୁରେ ସମ୍ପୂର୍ଣ୍ଣ ଚ୍ୟାଲେଞ୍ଜ। ଏଠାରେ ବିଜେପିର ପ୍ରବେଶ ଦାକ୍ଷିଣାତ୍ୟ ବିଜୟ ସହ ସମତୂଲ୍ୟ। ଏଣୁ ଏହା ବିଜେପି ପାଇଁ କମ୍ ଆହ୍ୱାନ ଗ୍ରହଣ କରେନି! ହେଲେ ବୈଜୟନ୍ତ ଏ ସଭାରେ ପ୍ରଧାନମନ୍ତ୍ରୀଙ୍କ ସହ ଉପସ୍ଥିତ ଥିଲେ କିନ୍ତୁ ଧର୍ମେନ୍ଦ୍ର ନୁହଁନ୍ତି। ଏହା କ’ଣ ସୂଚାଉଛି। ତାମିଲନାଡ଼ୁ ବିଜେପି ପାଇଁ କମ୍ ଗୁରୁତ୍ୱପୂର୍ଣ୍ଣ ନା ଓଡ଼ିଶା ପାଇଁ ଧର୍ମେନ୍ଦ୍ର ଗୌଣ ହୋଇଯାଇଛନ୍ତି?
ଜାତୀୟ ମଧ୍ୟସ୍ଥତା ଶିବିରରେ ବି ଧର୍ମେନ୍ଦ୍ର ଅନୁପସ୍ଥିତ
ଏ ପ୍ରଶ୍ନ ଦୁଇଟିର ଉତ୍ତର ଖୋଜିବା ପୂର୍ବରୁ ଆଉ ଏକ ଗୁରୁତ୍ୱପୂର୍ଣ ଉଦାହରଣକୁ ଉପସ୍ଥାପନ କରାଯାଇପାରେ। ଏହା ହେଉଛି ନିକଟରେ ଆୟୋଜିତ ଜାତୀୟ ମଧ୍ୟସ୍ଥତା ଶିବିର। ପୁରୀଠାରେ ଏ ଉତ୍ସବ ଆୟୋଜନ ହୋଇଥିଲା। ଏହି ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେବେ ବୋଲି ଶନିବାର ଦିନ ଥିବା ଉଦ୍ଘାଟନୀ ଉତ୍ସବ ପୂର୍ବରୁ ଏକ ବିଜ୍ଞାପନ ବିଭିନ୍ନ ଖବରକାଗଜରେ ପ୍ରକାଶ ହୋଇଥିଲା। ଏହି ବିଜ୍ଞାପନରେ ଯେଉଁ ପାଞ୍ଚଜଣ ଅତିଥିଙ୍କ ନାମ ଉଦ୍ଘାଟନ ଉତ୍ସବର ଶୀର୍ଷରେ ଥିଲା ସେମାନଙ୍କ ଭିତରୁ ଧର୍ମେନ୍ଦ୍ର ଜଣେ। ହେଲେ ସନ୍ଧ୍ୟାରେ ଏହି ସମାବେଶରେ ପ୍ରଧାନ ବିଚାରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ସହ ଧର୍ମେନ୍ଦ୍ରଙ୍କୁ ଦେଖିବାକୁ ମିଳି ନ ଥିଲା।
ପୁରୀଠାରେ ହୋଇଥିବା ଜାତୀୟ ମଧ୍ୟସ୍ଥତା ଶିବିର ପାଇଁ ଆଇନ ବିଭାଗ ତରଫରୁ ରାଜ୍ୟର ବହୁଳ ପ୍ରସାରିତ ଓଡ଼ିଆ ଓ ଇଂରାଜୀ ଖବରକାଗଜମାନଙ୍କରେ ପୁରା ପୃଷ୍ଠାରେ ବିଜ୍ଞାପନ ଦିଆଯାଇଥିଲା। ପ୍ରକାଶିତ ଏହି ବିଜ୍ଞାପନରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପଦବୀକୁ ନ୍ୟୁନ କରି ଦର୍ଶାଯାଇଥିଲା। ଅନେକ ବର୍ଷ ହେଲା କେନ୍ଦ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଧର୍ମେନ୍ଦ୍ରଙ୍କୁ ରାଷ୍ଟ୍ରମନ୍ତ୍ରୀ ଭାବେ ଦର୍ଶାଯାଇଥିଲା। କେବଳ ଓଡ଼ିଆ ଖବରକାଗଜ ବିଜ୍ଞାପନରେ ନୁହେଁ, ଇଂରାଜୀ ଖବରକାଗଜର ଇଂରାଜୀ ବିଜ୍ଞାପନରେ ବି ସମାନ ଦଶା। ଧର୍ମେନ୍ଦ୍ରଙ୍କୁ କେବି ପ୍ରଧାନମନ୍ତ୍ରୀ ମୋଦୀ କ୍ୟାବିନେଟରୁ ରାଷ୍ଟ୍ରମନ୍ତ୍ରୀ କଲେ ସେ ସମ୍ପର୍କୀତ ବିଜ୍ଞପ୍ତି ପ୍ରକାଶ ପାଇନଥିଲେ ନ ଥିଲେ ହେଁ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ବିଭାଗ କେମିତି ଜାଣିଲା ତାହା ଏବେ ବଡ଼ ପ୍ରଶ୍ନ। ଏହି ଉତ୍ସବର ଆୟୋଜକ ଥିଲେ ଧର୍ମେନ୍ଦ୍ରଙ୍କ କ୍ୟାମ୍ପର ବରିଷ୍ଠ ନେତା ତଥା ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଅର୍ଥାତ୍ ଏହା କୌଣସି ଅନୁବାଦକଙ୍କ ତ୍ରୁଟି ନୁହେଁ। ବରଂ ଜାଣିଶୁଣି କରାଯାଇଥିବା ନେଇ ଆଶଙ୍କା କରାଯାଇପାରେ। କିନ୍ତୁ କାହିଁକି? ଏହାପରେ ପୁଣି ଏକ ବିଜ୍ଞାପନ ପ୍ରକାଶ କରାଯାଇଥିଲା। ଯେଉଁଥିରେ ଅତିଥିମାନଙ୍କର ଫଟୋକୁ ଏପଟ ସେପଟ କରାଯାଇ ଧର୍ମେନ୍ଦ୍ରଙ୍କୁ ରାଷ୍ଟ୍ରମନ୍ତ୍ରୀରୁ କ୍ୟାବିନେଟ୍ ମନ୍ତ୍ରୀ ଦର୍ଶାଯାଇଥିଲା। ଆପଣମାନେ ଥରେ ଏହି ବିଜ୍ଞାପନ ଦୁଇଟିକୁ ଦେଖନ୍ତୁ ଜାଣିପାରିବେ ଧର୍ମେନ୍ଦ୍ରଙ୍କୁ କିପରି ହିନସ୍ତା କରାଯାଇଛି।
ତେଣୁ ପ୍ରଶ୍ନ ଉଠୁଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେପିର କେନ୍ଦ୍ରୀୟ ନେତାମାନେ ଗୁରୁତ୍ୱ ଦେଉଥିଲାବେଳେ ରାଜ୍ୟର ବିଜେପି ସଂଗଠନ ଓ ତାଙ୍କ ଅନୁଗତ ମନ୍ତ୍ରୀମାନେ କାହିଁକି ତାଙ୍କୁ ଏପରି ହିନସ୍ତା କରୁଛନ୍ତି।
ରାଜ୍ୟରେ ବିଜେପି କହିଲେ ଧର୍ମେନ୍ଦ୍ରଙ୍କୁ ହିଁ ବୁଝାଉଥିଲା
ଏକଦା ରାଜ୍ୟ ବିଜେପି କହିଲ ଧର୍ମେନ୍ଦ୍ରଙ୍କୁ ହିଁ ବୁଝାଉଥିଲା। ସେ ସଭାପତି ନ ଥିଲେ ବି ତାଙ୍କରି ସହଚର ଓ ଅନୁଗତମାନେ ଦଳର ବିଭିନ୍ନ ସଂଗଠନକୁ ସମ୍ଭାଳୁଥିଲେ। ଏପରିକି ସଭାପତି ବି ଥିଲେ। ସେ ନ ଚାହିଁଲେ ରାଜ୍ୟ ସଂଗଠନର ପତ୍ରଟିଏ ବି ହଲୁ ନ ଥିଲା। ପେଟ୍ରୋଲିୟମ ମନ୍ତ୍ରାଳୟରେ ଥିବା ସମୟରେ ସେ ଯେତିକି ବିଜ୍ଞାପନ ଦେଇ ମିଡିଆକୁ ନିଜ ପାଖରେ ରଖିବାକୁ ଚାହୁଁଥିଲେ ତାହା ତାଙ୍କୁ କ୍ଷମତାଶାଳୀ କରୁଥିଲା। ଏପରିକି ତାଙ୍କ ପାଖରେ ବଢ଼ୁଥିବା ଲୋକପ୍ରିୟତାକୁ ବାସ୍ତିବିକ ଭାବେ କେନ୍ଦ୍ର ପକ୍ଷରୁ ତାଙ୍କୁ ୨୦୧୯ ନିର୍ବାଚନ ପରିଚାଳନା ଦାୟିତ୍ୱ ବି ଦିଆଯାଇଥିଲା। କିନ୍ତୁ ତାହା ସଫଳ ହୋଇ ପାରିନଥିଲା।
ଫଳରେ ୨୦୨୪ ନିର୍ବାଚନ ପରିଚାଳନା ସମୟରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜ୍ୟର ପ୍ରକୃତ ସମସ୍ୟା ବାବଦରେ ଉଚ୍ଚ ନେତୃତ୍ୱଙ୍କୁ ଜଣାଇଲେ। ଆଉ ସେହି ଅନୁସାରେ ଧର୍ମେନ୍ଦ୍ରଙ୍କ ପାରିଷଦଙ୍କୁ ଆଉ ବିଜେପିରେ ନ ରଖି ବିଜେପିକୁ ଜଣେ ପୂର୍ଣ୍ଣକାଳୀନ ସଂଗଠକଙ୍କୁ ଦିଆଗଲା। ଆଉ ସେଥିରେ ଧର୍ମେନ୍ଦ୍ରଙ୍କୁ ନୀରବ ରହିବା ପାଇଁ କୁହାଯାଇଥିବା ଆଲୋଚନା ହୁଏ। ସେହି ଅନୁସାରେ କାର୍ଯ୍ୟ ହୋଇଥିବାରୁ ଦଳ କ୍ଷମତାକୁ ଆସିଲା। ଅପରପକ୍ଷେ ତାଙ୍କରି ହସ୍ତକ୍ଷେପ ଯେ ମନ୍ତ୍ରିମଣ୍ଡଳରେ ହ୍ରାସ ପାଇଲା ତାହା ନୁହେଁ । ମନ୍ତ୍ରୀ ଭାବେ ତାଙ୍କର ଅନେକ ଅନୁଗତ ସାମିଲ ହୋଇଛନ୍ତି। ଏପରିକି ଆଗକୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଓ ଅଦଳ ବଦଳ ତାଙ୍କରି ହସ୍ତକ୍ଷେପ ଯୋଗୁ ହୋଇ ପାରୁନଥିବା ଅଭିଯୋଗ ହୋଇଛି।
ଧର୍ମେନ୍ଦ୍ର ଦଳକୁ ରାଜ୍ୟରେ ଦୁର୍ବଳ କରୁଛନ୍ତି!
ପ୍ରକାରାନ୍ତେ କହିଲେ ରାଜ୍ୟ ବିଜେପିରେ ଏବେ ଯେଉଁ ଗୋଷ୍ଠୀ କ୍ଷମତାକୁ ନିୟନ୍ତ୍ରଣ କରୁଛି ସେମାନଙ୍କ ଅନୁସାରେ ଧର୍ମେନ୍ଦ୍ର ଦଳକୁ ରାଜ୍ୟରେ ଦୁର୍ବଳ କରୁଛନ୍ତି। ଜଣେ ଛାତ୍ର ନେତାରୁ ବିଜେପି ସହ ଯୋଡ଼ି ହୋଇ ରହିଥିବା ନେତା ଏପରି ହୋଇନପାରେ। ପୁଣି ବିଭିନ୍ନ ରାଜ୍ୟରେ ବିଜେପିକୁ କ୍ଷମତା ଦେଇଥିବା ଏହି ନେତା ବିଜେପି ସଂଗଠନକୁ ଦୁର୍ବଳ କରିବାକୁ କେବେ ଚାହିଁନପାରେ। ହେଲେ ପରିସ୍ଥିତି ଓ କ୍ଷମତା ଲୋଭ ସମସ୍ତଙ୍କୁ ଅନ୍ଧ କରେ ଏହା କହିବା ଆବଶ୍ୟକତା ନାହିଁ। ଆଉ ସେହି କ୍ଷମତା ଅନ୍ଧ ଆଚରଣ ଓ ଅନ୍ଧ ଭକ୍ତଙ୍କ ପାଇଁ ସେ ଦିନକୁ ଦିନ ରାଜ୍ୟ ସଂଗଠନରେ କୋଣଠେସା ହେଉଛନ୍ତି ବୋଲି କହିବାରେ କୌଣସି ଦ୍ୱିମତ ନାହିଁ। ବିଚାର ଆପଣମାନଙ୍କର।
Also readhttps://purvapaksa.com/mohsin-naqvi-who-defiled-indias-trophy-in-the-asia-cup/
Mohsin Naqvi ।। ଭାରତର ଏସିଆ କପ୍ ଟ୍ରଫିକୁ ଅପବିତ୍ର କରିଥିବା ମୋହସିନ ନକଭିଙ୍କ ଇତିହାସ
