ଓଡ଼ିଶା ଦିବସର ଶୁଭେଚ୍ଛା ଜଣାଇବା ସହ ଆଜି ଏକ ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଆମେ ଆପଣଙ୍କ ପାଖକୁ ଆସିଛୁ। ଓଡ଼ିଶାର ବରପୁତ୍ର, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ। ଯାହାଙ୍କ ନାମ ଶୁଣିଲେ ପ୍ରତିଟି ଓଡ଼ିଆର ଛାତି ଗର୍ବରେ କୁଣ୍ଡେମୋଟ ହୋଇଯାଏ। କିନ୍ତୁ ଦୁର୍ଭାଗ୍ୟର କଥା, ଏହି ମହାନାୟକଙ୍କୁ ନେଇ ଏବେ ରାଜନୈତିକ କାଦୁଅ ଫିଙ୍ଗାଫିଙ୍ଗି ଚାଲିଛି। ଭାରତୀୟ ଜନତା ପାର୍ଟିର ଜଣେ ସାଂସଦ ବିଜୁ ବାବୁଙ୍କୁ ‘ସିଆଇଏ ଏଜେଣ୍ଟ’ ଭାବେ ଚିତ୍ରିତ କରିବା ପରେ ଓଡ଼ିଶା ରାଜନୀତିରେ ନିଆଁ ଲାଗିଛି। କିନ୍ତୁ ପ୍ରକୃତ ପ୍ରଶ୍ନ ହେଉଛି— ଏଥିପାଇଁ ଦାୟୀ କିଏ? ବିଜେପି ନା ବିଜୁ ବାବୁଙ୍କ ନାଁରେ ଶାସନ କରୁଥିବା ବିଜେଡି?

ବିଜେପି ସାଂସଦ ଡ. ନିଶିକାନ୍ତ ଦୁବେଙ୍କ ଏକ ବିବାଦୀୟ ଟ୍ୱିଟ୍ ଏବେ ସାରା ଓଡ଼ିଶାକୁ ବ୍ୟଥିତ କରିଛି। ସେ ନିଜ ଟ୍ୱିଟ୍ରେ ବିଜୁ ବାବୁଙ୍କୁ ଜଣେ ଗୁପ୍ତଚର ଭାବେ କୁଆଡ଼େ ଦର୍ଶାଇବାକୁ ଚେଷ୍ଟା କରିଛନ୍ତି। କିନ୍ତୁ ବିଶ୍ଲେଷଣ ଅନୁସାରେ, ଏହି ଘଟଣାରେ ବିଜେପି ଯେତିକି ଦୋଷୀ, ବିଜେଡି ମଧ୍ୟ ସେତିକି ଦାୟୀ। କାହିଁକି? କାରଣ ବିଜୁ ଜନତା ଦଳ ବିଜୁ ବାବୁଙ୍କୁ କେବଳ ଏକ ‘ରାଜନୈତିକ ମାସ୍କଟ’ ବା ବ୍ୟାନରରେ ସୀମିତ କରି ରଖିଦେଇଛି।
ଆଜିର ଯୁବପିଢ଼ିଙ୍କୁ ବିଜୁ ବାବୁ କହିଲେ କେବଳ ‘ବିଜେଡି’ ଦଳର ଚିହ୍ନ ହିଁ ମନେ ପଡ଼ୁଛି। ଦୀର୍ଘ ୨୫-୨୬ ବର୍ଷ ଧରି ବିଜୁ ବାବୁଙ୍କ ନାଁରେ ୪୦ରୁ ଅଧିକ ଯୋଜନା ଚାଲିଛି, ଗାଁ ଗାଁରେ ତାଙ୍କର ମୂର୍ତ୍ତି ଲାଗିଛି, କିନ୍ତୁ ସେହି ମହାନ୍ ନାୟକଙ୍କ ଅବଦାନ ଏବଂ ତାଙ୍କର ସତ୍ୟ ଇତିହାସକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ କୌଣସି ବୌଦ୍ଧିକ ଉଦ୍ୟମ ହୋଇନାହିଁ। ବିଜୁ ବାବୁଙ୍କ ନାଁରେ କୌଣସି ବଡ଼ ୟୁନିଭର୍ସିଟି ବା ସ୍କଲାରସିପ୍ ନାହିଁ, ଯେଉଁଠି ତାଙ୍କ ଉପରେ ଗବେଷଣା କରାଯାଇ ପାରିବ।

ଡ. ନିଶିକାନ୍ତ ଦୁବେଙ୍କ ବୟାନ ପରେ ବିଜେଡିର ନେତାମାନେ କେବଳ ଫେସବୁକ୍ ଏବଂ ଟ୍ୱିଟରରେ ରଚନା ଲେଖିବା ବ୍ୟତୀତ ଆଉ କିଛି କଲେ ନାହିଁ। ବିଧାନସଭାରେ ନିନ୍ଦା ପ୍ରସ୍ତାବ ଆସିଲା ନାହିଁ କିମ୍ବା ରାଜ୍ୟବ୍ୟାପୀ କୌଣସି ବଡ଼ ବିରୋଧ ପ୍ରଦର୍ଶନ ହେଲା ନାହିଁ। ବିଜେଡି ନେତାମାନେ ଯେଉଁମାନେ ବିଜୁ ବାବୁଙ୍କ ଉତ୍ତରାଧିକାରୀ ବୋଲି ନିଜକୁ କୁହନ୍ତି, ସେମାନେ ନିଶିକାନ୍ତ ଦୁବେଙ୍କୁ ଟ୍ୱିଟ୍ ଡିଲିଟ୍ କରିବାକୁ ବାଧ୍ୟ କରିପାରିଲେ ନାହିଁ।
କିନ୍ତୁ ବିଜେପିର ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟ ସ୍ପଷ୍ଟ ଭାବେ କହିଲେ ଯେ ନିଶିକାନ୍ତ ଦୁବେ କ୍ଷମା ମାଗିବା ଦରକାର।
ଶେଷରେ ପ୍ରଶ୍ନ ଉଠୁଛି— କାହିଁକି ଓଡ଼ିଶାର ବିଜେଡି ନେତୃତ୍ୱ ଏତେ ଦୁର୍ବଳ? ଯଦି ମହାରାଷ୍ଟ୍ରରେ ବାଲାସାହେବ ଠାକରେ କିମ୍ବା ତାମିଲନାଡୁରେ ଏମଜିଆରଙ୍କ ପ୍ରତି ଏମିତି ବୟାନ ଆସିଥାନ୍ତା, ତେବେ ସେଠାରେ ପରିସ୍ଥିତି କ’ଣ ହୋଇଥାନ୍ତା ଆପଣ ଭାବି ପାରୁଛନ୍ତି? କିନ୍ତୁ ଆମ ଓଡ଼ିଶାରେ ବିଜେଡି ନେତାମାନେ କେବଳ ‘ରଚନା ଲେଖି’ ଚୁପ୍ ବସିଛନ୍ତି।
also read : https://purvapaksa.com/cag-catches-nutrition-and-midday-meal-scams-bjd-governments-nutrition-scam-exposed/


