- ୨୦୪ଜଣଙ୍କ ଉପରେ ଲାଗିବ ମୋହର
- ସୂର୍ଯ୍ୟବଂଶୀ ସର୍ବ କନିଷ୍ଠ, ଆଣ୍ଡରସନ ବୟୋଜ୍ୟେଷ୍ଠ
ଆଗାମୀ ଆଇପିଏଲ୍-୧୮ ମେଗା ନିଲାମ ପାଇଁ ବିସିସିଆଇ ଚୂଡ଼ାନ୍ତ ଖେଳାଳି ତାଲିକା ପ୍ରକାଶ ପାଇଛି । ନାମ ଦାଖଲ କରିଥିବା ମୋଟ୍ ୧୫୭୪ଜଣଙ୍କ ମଧ୍ୟରୁ ବଛା ବଛି କରି ୫୭୪ଜଣ ଖେଳାଳିଙ୍କୁ ଚୂଡ଼ାନ୍ତ କରାଯାଇଛି । ଏମାନଙ୍କ ମଧ୍ୟରେ ୩୬୬ଜଣ ଭାରତୀୟ ଓ ୨୦୮ ଜଣ ବିଦେଶୀ ଓ ୩ଜଣ ଆଇସିସି ଅସ୍ଥାୟୀ ସଦସ୍ୟ ରାଷ୍ଟ୍ରର ଖେଳାଳି ରହିଛନ୍ତି । ୨୪ ଓ ୨୫ ତାରିଖରେ ମେଗା ନିଲାମ ଅନୁଷ୍ଠିତ ହେବ । ଭାରତୀୟ ସମୟ ଦିନ ୧୨.୩୦ରେ ନିଲାମ କାର୍ଯ୍ୟ ଆରମ୍ଭ ହେବ ।
ତାଲିକାରେ ରହିଛନ୍ତି ମୋଟ୍ ୩୩୦ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିନଥିବା ଖେଳାଳି। ଏଥିମଧ୍ୟରୁ ୩୧୮ ଜଣ ଭାରତୀୟ ଓ ୧୨ ଜଣ ବିଦେଶୀ ଖେଳାଳି । ମହେନ୍ଦ୍ର ସିଂହ ଧୋନି, ମୋହିତ ଶର୍ମା ଓ ସନ୍ଦିପ ଶର୍ମା ମଧ୍ୟ ଏହି ତାଲିକାରେ ରହିଛନ୍ତି । ଉପରୋକ୍ତ ଖେଳାଳିମାନେ ଗତ ୫ବର୍ଷ ହେଲା ଅନ୍ତର୍ଜାତୀୟ କ୍ରିକେଟ ଖେଳି ନାହାନ୍ତି। ୧୦ଟି ଯାକ ଫ୍ରାଞ୍ଚାଇଜ୍ ନିକଟରେ ମୋଟ୍ ୨୦୪ଟି ସ୍ଥାନ ଖାଲି ରହିଛି । ଏଥି ମଧ୍ୟରେ ୭୦ଜଣ ବିଦେଶୀ ଖେଳାଳିଙ୍କ ପାଇଁ ସୁରକ୍ଷିତ ରହିଛି ।
୮୧ଜଣ ଖେଳାଳି ସର୍ବାଧିକ ଦାମ୍ (୨କୋଟି ଟଙ୍କା) ତାଲିକାରେ ନାମ ଦାଖଲ କରିଛନ୍ତି । ସେହିପରି ୧.୫କୋଟି ଟଙ୍କା ତାଲିକାରେ ୨୭ ଖେଳାଳି, ୧.୨୫କୋଟି ଟଙ୍କା ତାଲିକାରେ ୧୮, ୧କୋଟି ଟଙ୍କା ତାଲିକାରେ ୨୩, ୭୫ଲକ୍ଷ ଟଙ୍କା ତାଲିକାରେ ୯୨, ୫୦ଲକ୍ଷ ଟଙ୍କା ତାଲିକାରେ ୮, ୪୦ଲକ୍ଷ ଟଙ୍କା ତାଲିକାରେ ୪ ଓ ୩୦ଲକ୍ଷ ଟଙ୍କା ତାଲିକାରେ ୩୨୦ ଜଣ ଖେଳାଳିଙ୍କ ନାମ ରହିଛି ।
ମାର୍କି ଖେଳାଳି ତାଲିକାରେ ୧୨ଜଣଙ୍କ ନାମ ରହିଛି । ଭାରତର ଶ୍ରେୟାସ ଆୟର, ରିଷଭ ପନ୍ତ, କେଏଲ ରାହୁଲ, ଅର୍ଶଦୀପ ସିଂହ, ମହମ୍ମଦ ସାମି, ୟୁଝବେନ୍ଦ୍ର ଚହଲ, ମହମ୍ମଦ ସିରାଜ, ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ, ଇଂଲଣ୍ଡର ଜୋସ ବଟଲର, ଲାଏମ ଲିଭିଙ୍ଗଷ୍ଟୋନ, ଦକ୍ଷିଣ ଆଫ୍ରିକାର ଡେଭିଡ୍ ମିଲର ଓ କାଗିସୋ ରାବାଡା ରହିଛନ୍ତି ।
ନିଲାମ ତାଲିକାରୁ ବାଦ ପଡ଼ିଥିବା ଖେଳାଳିଙ୍କ ମଧ୍ୟରେ ଇଂଲଣ୍ଡର ଜୋଫ୍ରା ଆର୍ଚର, ଅଷ୍ଟ୍ରେଲିଆର କାମେରନ ଗ୍ରୀନ ପ୍ରମୁଖ ବଡ଼ ନାମ ରହିଛି । ନିକଟରେ ଅବସର ନେଇଥିବା ଇଂଲଣ୍ଡର ପ୍ରସିଦ୍ଧ ପେସ୍ ବୋଲର ଜେମ୍ସ ଆଣ୍ଡରସନ୍ ପ୍ରଥମ କରି ଆଇପିଏଲ୍ ଖେଳିବାକୁ ମନ ବଳାଇଛନ୍ତି ଓ ତାଙ୍କୁ ଚୂଡ଼ାନ୍ତ ତାଲିକାରେ ସ୍ଥାନ ମିଳିଛି । ଆଣ୍ଡରସନଙ୍କ ମୂଳ ମୁଲ୍ୟ ୧.୨୫କୋଟି ଟଙ୍କା ରହିଛି । ତାଲିକାରେ ସେ ବୟୋଜ୍ୟେଷ୍ଠ । ସେହିପରି କନିଷ୍ଠ ଖେଳାଳି ଭାବେ ତାଲିକାରେ ସ୍ଥାନ ପାଇଛନ୍ତି ବିହାର ବାମ ହାତି ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ । ତାଙ୍କ ବୟସ ୧୩ ବର୍ଷ । ସେ ଇତି ମଧ୍ୟରେ ୫ଟି ରଣଜୀ ଟ୍ରଫି ମ୍ୟାଚ୍ ଖେଳିସାରିଛନ୍ତି । ଭାରତର ୧୯ବର୍ଷରୁ କମ୍ ଦଳରେ ସ୍ଥାନ ପାଇ ସେ ଅଷ୍ଟ୍ରେଲିଆ ୧୯ବର୍ଷରୁ କମ୍ ଦଳ ବିପକ୍ଷରେ ଶତକ ଅର୍ଜନ କରି ଫ୍ରାଞ୍ଚାଇଜଙ୍କୁ ଆକର୍ଷିତ କରିଥିଲେ । ଶ୍ରୀଲଙ୍କାର ଜଣେ ୧୯ବର୍ଷରୁ କମ୍ ଖେଳାଳି ଚୂଡ଼ାନ୍ତ ତାଲିକାରେ ରହିଛନ୍ତି । ଏହି ଡାହଣ ହାତି ପେସ ବୋଲରଙ୍କ ନାମ ଡୁମିଣ୍ଡୁ ସେୱମିନା ।
୧୨ଜଣ ମାର୍କି ଖେଳାଳିଙ୍କୁ ୨ଭାଗ କରାଯାଇଛି । ଉଭୟ ଭାଗରେ ୬ଜଣ ଲେଖାଏଁ ସ୍ଥାନ ପାଇଛନ୍ତି । ପ୍ରଥମ ଭାଗରେ ବଟଲର, ଆୟର, ପନ୍ତ, ରାବାଡା, ଅର୍ଶଦୀପ ଓ ଷ୍ଟାର୍କ ରହିଛନ୍ତି । ସେହିପରି ଦ୍ୱିତୀୟ ଭାଗରେ ଚହଲ, ଲିଭିଙ୍ଗଷ୍ଟୋନ, ମିଲର, ରାହୁଲ, ସାମି ଓ ସିରାଜଙ୍କୁ ସ୍ଥାନ ମିଳିଛି ।
previous article: https://purvapaksa.com/rohit-sharma-became-father/

