ଆଗାମୀ ଗ୍ରୀଷ୍ମ ଋତୁରେ ଜଳଭାବକୁ ନେଇ ଏବେଠାରୁ ଚିନ୍ତା ପ୍ରକଟ କରାଯାଉଥିବାବେଳେ ଶିଳ୍ପସଂସ୍ଥାଗୁଡ଼ିକ ଯେଉଁ ହାରରେ ହୀରାକୁଦ ଜଳଭଣ୍ଡାର ଓ ମହାନଦୀ ସମେତ ଅନ୍ୟ ନଦୀଗୁଡ଼ିକରୁ ଜଳ ଶୋଷୁଛନ୍ତି ତାହା ସ୍ଥିତିକୁ ବହୁଗୁଣିତ କରିଦେବ। ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳବାସୀ ତ ଦୂରରକଥା ନଦୀକୂଳିଆ ଲୋକେ ବି ପାଣିଟୋପେ ପାଇବେ କି ନାହିଁ ଏବେଠାରୁ ସେହି ଚିନ୍ତାରେ ପଡ଼ିଲେଣି।
ଗୋଟିଏ ପଟେ ପଡ଼ୋଶୀ ଛତିଶଗଡ଼ ମହାନଦୀକୁ ପାଣି ଛାଡ଼ିବା ନେଇ ଲୁଚୁକାଳି ଖେଳୁଥିବାବେଳେ ଛୋଟ ବଡ଼ ୪୭ଟି ଶିଳ୍ପସଂସ୍ଥା ହୀରାକୁଦ ସମେତ ମହାନଦୀର ବିଭିନ୍ନ ସ୍ଥାନରୁ ନିଜର ଆବଶ୍ୟକତା ପାଇଁ ଜଳ ଶୋଷିବାରେ ଲାଗିଛନ୍ତି। ହୀରାକୁଦରୁ ଜଳ ଶୋଷିବା ତାଲିକାରେ ସବୁଠାରୁ ଆଗରେ ରହିଛି ଝାରଗୁଡ଼ାରେ ଥିବା ସେସା ଷ୍ଟେରଲାଇଟ୍ କମ୍ପାନୀ। ଏହି କମ୍ପାନୀର ହୀରାକୁଦରୁ ୭୨ କ୍ୟୁସେକ ଜଳ ଟାଣୁଥିବାବେଳେ ସମ୍ବଲପୁରର ଲପଙ୍ଗାଠାରେ ଥିବା ଆଦିତ୍ୟ ଆଲୁମିନିୟମ କମ୍ପାନୀ ହୀରାକୁଦ ଜଳଭଣ୍ଡାରରୁ ସିଧାସଳଖ ୫୨.୭୩ କ୍ୟୁସେକ ଜଳ ଟାଣୁଛି। ଏହା ପଛକୁ ରହିଛି ସେହି ଇଲାକାରେ ଥିବା ଭୂଷଣ ପାୱାର ଓ ଷ୍ଟିଲ। ଏହି କମ୍ପାନୀ ହୀରାକୁଦରୁ ୪୫ କ୍ୟୁସେକ ପାଣି ଟାଣୁଥିବାବେଳେ ଝାରସୁଗୁଡ଼ାଠାରେ ଥିବା ବେଦାନ୍ତ ଆଲୁମିନିୟମ ହୀରାକୁଦରୁ ୪୦ କ୍ୟୁସେକ ପାଣି ଶୋଷୁଥିବା ଜଣାଯାଇଛି।
୧୩ଟି ପମୁଖ କମ୍ପାନୀ ସିଧାସଳଖଭାବେ ହୀରାକୁଦ ଜଳଭଣ୍ଡାରରୁ ପାଣି ଟାଣୁଥିବାବେଳେ ଆଉ ୩୪ଟି କମ୍ପାନୀ ମହାନଦୀ ଓ ତାହାର ଶାଖାନଦୀରୁ ପାଣି ଟାଣୁଛନ୍ତି। ଏମାନଙ୍କ ଯୋଗୁଁ ମହାନଦୀର ବିଭିନ୍ନ ସ୍ଥାନ ଶୁଖିଲା ପଡ଼ୁଥିବାବେଳେ ମତ୍ସ୍ୟଜୀବୀଙ୍କ ବେଉଷା ବୁଡ଼ିଗଲାଣି। ଚାଷୀମାନେ ଆବଶ୍ୟକ ପାଣି ପାଇବେ କି ନାହିଁ ସେହି ଚିନ୍ତାରେ ରହିଛନ୍ତି।
କେବଳ ମହାନଦୀ ନୁହେଁ, ବୈତରଣୀ ଉପରେ ମଧ୍ୟ ୩୭ଟି କଳ କାରଖାନା ନିର୍ଭରଶୀଳ। ବୈତରଣୀ ଓ ଏହାର ଶାଖାଦୀ କୁଶେଇ ନାଳ, କାକରପାଣି ନାଳ, ନାଇବାଗା ନାଳ, କୁକୁରଙ୍ଗୀ ନାଳ, ଚାବଡ଼ା ନାଳ, କାଶୀ ନାଳ, ଠାକୁରାଣୀ ନାଳ, ତେହେରି ନାଳ ଓ କୁନ୍ଦ୍ରା ନାଳରୁ ଜିନ୍ଦଲ, ଟାଟା ଷ୍ଟିଲ, ଓଏମ୍ସି, ରୁଙ୍ଗଟା, ଫେକର, ଏସଏଲ୍ ମାଇନିଂ, ଧାମରା ବନ୍ଦର ଭଳି ଶିଳ୍ପସଂସ୍ଥା ପାଣି ଶୋଷୁଛନ୍ତି।
ସେହିଭଳି ବ୍ରାହ୍ମଣୀ ଉପରେ ଛୋଟବଡ଼ ୬୮ଟି କମ୍ପାନୀ ନିର୍ଭରଶୀଳ ଥିବାବେଳେ ବଂଶଧାରା ଉପରେ ଗୋଟିଏ, ଇନ୍ଦ୍ରାବତୀ ଉପରେ ୩ଟି, କୋଲାବ ଉପରେ ୭ଟି, ନାଗାବଳୀ ଉପରେ ଦୁଇଟି, ଋଷିକୂଲ୍ୟା ଉପରେ ୫ଟି ଓ ସୁବର୍ଣ୍ଣରେଖା ଉପରେ ଗୋଟିଏ ଶିଳ୍ପସଂସ୍ଥା ନିର୍ଭରଶୀଳ। ଏହିସବୁ ଶିଳ୍ପସଂସ୍ଥା ମୁଖ୍ୟ ନଦୀ ସମେତ ଶାଖାନଦୀରୁ ଜଳ ଟାଣିବାରେ ଲାଗିଛନ୍ତି। ଏଥିଯୋଗୁଁ ଗ୍ରୀଷ୍ମଋତୁର ବହୁ ପୂର୍ବରୁ ନଦୀର ବିଭିନ୍ନ ସ୍ଥାନରେ ଜଳଭାବ ପରିଲକ୍ଷିତ ହେଉଛି।
ଜଳାଭାବର ପ୍ରଭାବ ମତ୍ସ୍ୟଜୀବୀଙ୍କ ବେଉସା ବୁଡ଼ାଇଥିବାବେଳେ ବହୁ ସ୍ଥାନରେ ଚାଷବାସ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ୁଛି। ଏପରିକି ସ୍ୱଳ୍ପ ଜଳରେ କିଭଳି ଚାଷ କରାଯାଇ ପାରିବ ତାହା ଉପରେ ଗୁରୁତ୍ୱ ଦିଆଯାଉଛି। ନଦୀକୂଳରେ ଥିବା ରାଜଧାନୀ ଭଳି ସହରରେ ବି ଖରାଦିନେ ପାନୀୟଜଳ ସମସ୍ୟା ପରିଲକ୍ଷିତ ହେବାରେ ଲାଗିଛି। ତେଣୁ ଆଗାମୀ ଦିନରେ ଜଳର ସ୍ଥିତିକୁ ଦେଖି ଶିଳ୍ପପାଇଁ ଅନୁମତି ପ୍ରଦାନ କରିବାକୁ ପରିବେଶବିତ୍ମାନେ ମତ ଦେଉଛନ୍ତି।
Also readhttps://purvapaksa.com/work-for-the-much-awaited-coastal-highway-to-begin-soon/
