ଶିଳ୍ପ ଇକୋସିଷ୍ଟମକୁ ସୁଦୃଢ଼ କରିବା ଦିଗରେ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରି ଓଡ଼ିଶା ସରକାର ବୁଧବାର ୩୮୮୩.୭୨ କୋଟି ଟଙ୍କାର ମିଳିତ ବିନିଯୋଗ ରେ ୧୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି।
ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୩୪ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍ଏଲ୍ଏସ୍ଡବ୍ଲ୍ୟୁସିଏ) ବୈଠକରେ ପ୍ରଦାନ କରାଯାଇଥିବା ଏହି ଅନୁମୋଦନ ଗୁଡ଼ିକ ନିରନ୍ତର ଅଭିବୃଦ୍ଧି ଓ ନିଯୁକ୍ତି ସୃଷ୍ଟି ଦିଗରେ ରାଜ୍ୟର ଅତୁଟ ପ୍ରତିବଦ୍ଧତାକୁ ଦର୍ଶାଉଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ପୁଞ୍ଜିନିବେଶ ଆକୃଷ୍ଟ କରିବା ଏବଂ ଶିଳ୍ପ ଉତ୍କର୍ଷତାକୁ ପ୍ରୋତ୍ସାହିତ କରିବା ଦିଗରେ ରାଜ୍ୟର ସକ୍ରିୟ ଆଭିମୁଖ୍ୟକୁ ପ୍ରଦର୍ଶିତ କରୁଥିବା ଉତ୍କର୍ଷ ଓଡ଼ିଶା ୨୦୨୫ କନ୍ କ୍ଲେଭ୍ ପୂର୍ବରୁ ଏହି ଐତିହାସିକ ମଞ୍ଜୁରୀ ମିଳିଛି। ଅଭିନବତା, ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସ୍ ଏବଂ ସାମାଜିକ-ଅର୍ଥନୈତିକ ବିକାଶ ଉପରେ ଗୁରୁତ୍ବ ଦେଇ ଓଡ଼ିଶା ଭାରତର ପ୍ରମୁଖ ନିବେଶ ସ୍ଥଳ ଭାବେ ନିଜର ସ୍ଥିତି ସୁଦୃଢ଼ କରିବାରେ ଲାଗିଛି।
ଇସ୍ପାତ, ଲୌହ ଓ ଫେରୋ ଆଲଏଜ୍, ଶକ୍ତି ଓ ଅକ୍ଷୟ ଶକ୍ତି, ଔଷଧ, ରାସାୟନିକ ପଦାର୍ଥ, ସବୁଜ ହାଇଡ୍ରୋଜେନ୍, ପରିବହନ, ଷ୍ଟୋରେଜ୍, ଜୈବ ଇନ୍ଧନ/ଜୈବ ସାର, ଇଏସ୍ଡିଏମ୍, ପର୍ଯ୍ୟଟନ, ସବୁଜ ଶକ୍ତି ଉପକରଣ ଏବଂ ପେଟ୍ରୋଲିୟମ୍ ଓ ପେଟ୍ରୋକେମିକାଲ୍ସ ସମେତ ୧୫ଟି ଉଚ୍ଚ ପ୍ରଭାବିତ କ୍ଷେତ୍ରରେ ଅନୁମୋଦିତ ପ୍ରକଳ୍ପଗୁଡ଼ିକ ୩୮୮୩.୭୨ କୋଟି ଟଙ୍କାର ସାମୂହିକ ପୁଞ୍ଜିନିବେଶକୁ ପ୍ରତିନିଧିତ୍ୱ କରୁଛି।
ଏହି ପଦକ୍ଷେପ ଦ୍ୱାରା ୧୨,୨୮୦ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ଓଡ଼ିଶାର ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ସମ୍ବଲପୁର, ରାୟଗଡ଼ା, ଗଞ୍ଜାମ, ଯାଜପୁର, ଅନୁଗୁଳ, ଖୋର୍ଦ୍ଧା, ଢେଙ୍କାନାଳ ଓ ଝାରସୁଗୁଡ଼ା ଆଦି ୮ଟି ଜିଲ୍ଲାରେ ଏହି ପ୍ରକଳ୍ପ ଗୁଡ଼ିକ ଶିଳ୍ପ ଭିତ୍ତିଭୂମିକୁ ସୁଦୃଢ଼ କରିବ।
ମୁଖ୍ୟମନ୍ତ୍ରୀ ମାଝୀଙ୍କ ନେତୃତ୍ୱ ଓଡ଼ିଶାର ଆଗଧାଡିର ନୀତିକୁ ଆକାର ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି, ଯାହା ଉଭୟ ବିଶ୍ୱ ଏବଂ ଘରୋଇ ନିବେଶକଙ୍କୁ ଆକୃଷ୍ଟ କରିଥାଏ । ରାଜ୍ୟର ନିବେଶକ ଅନୁକୂଳ ଇକୋସିଷ୍ଟମ ଏବଂ ସୁବ୍ୟବସ୍ଥିତ କ୍ଲିୟରାନ୍ସ ପ୍ରକ୍ରିୟା ବ୍ୟବସାୟ ଏବଂ ନବସୃଜନ ପାଇଁ ଏକ ଶୀର୍ଷ ଗନ୍ତବ୍ୟସ୍ଥଳ ଭାବରେ ନିଜର ଖ୍ୟାତିକୁ ସୁଦୃଢ଼ କରିଛି।
ନିରନ୍ତର ବିକାଶ ଦିଗରେ ସରକାରଙ୍କ ସକ୍ରିୟ ପଦକ୍ଷେପ ଏବଂ ରଣନୈତିକ ଧ୍ୟାନ ଏକ ‘ସମୃଦ୍ଧ ଓଡ଼ିଶା’ ଗଠନ ଦିଗରେ ଏହାର ସମର୍ପଣକୁ ସୂଚାଇଥାଏ – ଯାହା ୨୦୪୭ ସୁଦ୍ଧା ଭାରତର ଏକ ବିକଶିତ ରାଷ୍ଟ୍ର ହେବାର ଲକ୍ଷ୍ୟରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥାଏ।
ଉତ୍କର୍ଷ ଓଡ଼ିଶା ୨୦୨୫ର କାଉଣ୍ଟଡାଉନ୍ ଆରମ୍ଭ ହେବା ପରେ ରାଜ୍ୟର ପରିବର୍ତ୍ତନଶୀଳ ନୀତି ଓ ନିବେଶକ ଅନୁକୂଳ ଇକୋସିଷ୍ଟମ୍ ଏକ ଉଜ୍ଜ୍ୱଳ, ଅଧିକ ସମୃଦ୍ଧ ଭବିଷ୍ୟତ ପାଇଁ ପଥ ପ୍ରଶସ୍ତ କରୁଛି।
Also readhttps://purvapaksa.com/odisha-govt-inks-pacts-with-3-institutions-to-address-climate-change/
ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଓଡ଼ିଶା ସରକାରଙ୍କ ୩ଟି ଅନୁଷ୍ଠାନ ସହ ଚୁକ୍ତି
