ବିଶ୍ୱର ସ୍ୱାସ୍ଥ୍ୟ ଓ କଲ୍ୟାଣ ରାଜଧାନୀ ପାଇଁ ଭାରତରେ ପ୍ରଚୁର ସମ୍ଭାବନା ରହିଛି: ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିଲ୍ଲୀରେ ୧୨,୨୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ସାହିବାବାଦ ଆରଆରଟିଏସ ଷ୍ଟେସନରୁ ନ୍ୟୁ ଅଶୋକ ନଗର ଆରଆରଟିଏସ ଷ୍ଟେସନ ପର୍ଯ୍ୟନ୍ତ ନମୋ ଭାରତ ଟ୍ରେନରେ ଯାତ୍ରା କରିଥିଲେ ପ୍ରଧାନମନ୍ତ୍ରୀ । ଆଞ୍ଚଳିକ ଯୋଗାଯୋଗ ବୃଦ୍ଧି ଏବଂ ଯାତ୍ରାକୁ ସହଜ କରିବା ଏହି ପ୍ରକଳ୍ପଗୁଡ଼ିକର ମୁଖ୍ୟ ଲକ୍ଷ୍ୟ ରହିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଦିଲ୍ଲୀ-ଏନସିଆରକୁ ଭାରତ ସରକାରଙ୍କଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ଉପହାର ମିଳିଛି। ଏହାଦ୍ୱାରା ଭାରତର ସହରାଞ୍ଚଳ ଗତିଶୀଳତା ଆହୁରି ବିସ୍ତାରିତ ହୋଇଛି । ବିକଶିତ ଭାରତର ସହରଗୁଡ଼଼ିକରେ ସର୍ବସାଧାରଣ ପରିବହନର ଭବିଷ୍ୟତକୁ ଦର୍ଶାଉଥିବା ନମୋ ଭାରତ ଟ୍ରେନରେ ଆଜି ସାହିବାବାଦରୁ ନ୍ୟୁ ଅଶୋକ ନଗର ପର୍ଯ୍ୟନ୍ତ ଯାତ୍ରାକୁ ମନେ ପକାଇ ମୋଦି କହିଥିଲେ ଯେ ସେ ଏହି ଯାତ୍ରା ସମୟରେ ଅନେକ ଯୁବକଙ୍କ ସହ କଥାବାର୍ତ୍ତା କରିଥିଲେ, ଯେଉଁମାନେ ଆନନ୍ଦ ଏବଂ ଆଶାରେ ପରିପୂର୍ଣ୍ଣ ଥିଲେ। ନମୋ ଭାରତ ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଦିଲ୍ଲୀ-ମିରଟ ମାର୍ଗରେ ଯାତାୟାତରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିବ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ସେ ଦିଲ୍ଲୀ-ଏନସିଆରବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି।
ଆଜି ଭାରତର ଆଧୁନିକ ଭିତ୍ତିଭୂମି ଯାତ୍ରାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି ସେ କହିଥିଲେ। ଭାରତର ମେଟ୍ରୋ ନେଟୱାର୍କ ଏବେ ୧୦୦୦ କିଲୋମିଟରରେ ପହଞ୍ଚିଛି ବୋଲି ସେ ଆଲୋକପାତ କରିବା ସହ ଏହାକୁ ଏକ ଉଲ୍ଲେଖନୀୟ ସଫଳତା ବୋଲି ପ୍ରଶଂସା କରିଥିଲେ। ୨୦୧୪ମସିହାରେ ଯେତେବେଳେ ଦେଶ ସେମାନଙ୍କୁ ସୁଯୋଗ ଦେଇଥିଲା, ସେତେବେଳେ ମେଟ୍ରୋ ସଂଯୋଗ କ୍ଷେତ୍ରରେ ଭାରତ ବିଶ୍ୱର ଶ୍ରେଷ୍ଠ ଦଶଜଣଙ୍କ ମଧ୍ୟରେ ମଧ୍ୟ ନଥିଲା କିନ୍ତୁ ଗତ ୧୦ ବର୍ଷ ମଧ୍ୟରେ ଭାରତ ମେଟ୍ରୋ ନେଟୱାର୍କ ଦୃଷ୍ଟିରୁ ବିଶ୍ୱର ତୃତୀୟ ବୃହତ୍ତମ ଦେଶ ରେ ପରିଣତ ହୋଇଛି ।
ସରକାରଙ୍କ ଚଳିତ କାର୍ଯ୍ୟକାଳ ମଧ୍ୟରେ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ମେଟ୍ରୋ ନେଟୱାର୍କ ହେବ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ୨୦୧୪ ପୂର୍ବରୁ ଭାରତର ମେଟ୍ରୋ ନେଟୱାର୍କ ମାତ୍ର ୨୪୮ କିଲୋମିଟର ଥିଲା ଏବଂ ଏହା କେବଳ ପାଞ୍ଚଟି ସହରରେ ସୀମିତ ଥିଲା । ଗତ ୧୦ ବର୍ଷ ମଧ୍ୟରେ ଭାରତରେ ୭୫୨ କିଲୋମିଟରରୁ ଅଧିକ ନୂଆ ମେଟ୍ରୋ ଲାଇନ ଉଦଘାଟିତ ହୋଇଛି ବୋଲି ସେ କହିଥିଲେ । ଆଜି ଦେଶର ୨୧ଟି ସହରରେ ମେଟ୍ରୋ ସେବା କାର୍ଯ୍ୟକ୍ଷମ ହୋଇଥିବା ବେଳେ ୧୦୦୦ କିଲୋମିଟରରୁ ଅଧିକ ମେଟ୍ରୋ ରୁଟ୍ ର ଦ୍ରୁତ ବିକାଶ ଚାଲିଥିବା ସୂଚନା ଦେଇଛନ୍ତି।
ଦିଲ୍ଲୀ ମେଟ୍ରୋର ସମ୍ପ୍ରସାରଣ ବିଷୟରେ ଉଲ୍ଲେଖ କରି, ଦୁଇଟି ନୂତନ ମାର୍ଗର ଉଦଘାଟନ ଏବଂ ଶିଳାନ୍ୟାସ ସହିତ ମୋଦି କହିଥିଲେ ଯେ ଗୁରୁଗାଓଁ ପରେ ହରିୟାଣାର ଅନ୍ୟ ଏକ ଅଂଶ ବର୍ତ୍ତମାନ ମେଟ୍ରୋ ନେଟୱାର୍କ ସହିତ ସଂଯୋଗ ହେଉଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ରିଥାଲା-ନରେଲା-କୁଣ୍ଡଲି କରିଡର ଦିଲ୍ଲୀ ମେଟ୍ରୋ ନେଟୱାର୍କର ଏକ ବୃହତ୍ତମ ବିଭାଗ ହେବ, ଯାହା ଦିଲ୍ଲୀ ଏବଂ ହରିୟାଣାର ପ୍ରମୁଖ ଶିଳ୍ପ କେନ୍ଦ୍ରଗୁଡ଼ିକ ମଧ୍ୟରେ ଯୋଗାଯୋଗକୁ ସୁଦୃଢ଼ କରିବ ଏବଂ ଲୋକଙ୍କ ପାଇଁ ଯାତାୟାତକୁ ସହଜ କରିବ । ଭାରତ ସରକାରଙ୍କ ନିରନ୍ତର ପ୍ରୟାସ ଯୋଗୁଁ ଦିଲ୍ଲୀରେ ମେଟ୍ରୋ ମାର୍ଗ କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି। ୨୦୧୪ରେ ଦିଲ୍ଲୀ-ଏନସିଆରରେ ମୋଟ ମେଟ୍ରୋ ନେଟୱାର୍କ ୨୦୦ କିଲୋମିଟରରୁ କମ୍ ଥିଲା ଏବଂ ଆଜି ଏହା ଦ୍ୱିଗୁଣିତ ହୋଇଥିବା ସେ କହିଛନ୍ତି।
୧୦ ବର୍ଷ ତଳେ ଭିତ୍ତିଭୂମି ପାଇଁ ବଜେଟ୍ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ଥିବା ବେଳେ ଏବେ ତାହା ୧୧ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ବିଶେଷ କରି ସହର ଭିତରେ ଆଧୁନିକ ଯୋଗାଯୋଗ ଏବଂ ଗୋଟିଏ ସହରକୁ ଅନ୍ୟ ସହର ସହ ଯୋଡ଼ିବା ଉପରେ ଗୁରୁତ୍ୱ ଦିଆଯାଇଛି। ଗରିବରୁ ଗରିବ ଲୋକଙ୍କ ପାଖରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସରକାର ଆୟୁଷ ଏବଂ ଆୟୁର୍ବେଦ ଭଳି ପାରମ୍ପରିକ ଭାରତୀୟ ଔଷଧ ପଦ୍ଧତିକୁ ମଧ୍ୟ ପ୍ରୋତ୍ସାହିତ କରୁଛନ୍ତି । ଗତ ଏକ ଦଶନ୍ଧି ମଧ୍ୟରେ ଆୟୁଷ ବ୍ୟବସ୍ଥା ୧୦୦ରୁ ଅଧିକ ଦେଶରେ ବିସ୍ତାରିତ ହୋଇଛି ବୋଲି ସେ କହିଛନ୍ତି। ଭାରତରେ ପାରମ୍ପାରିକ ଔଷଧ ସମ୍ବନ୍ଧୀୟ ପ୍ରଥମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଅନୁଷ୍ଠାନ ପ୍ରତିଷ୍ଠା କରାଯାଉଛି ବୋଲି ସେ କହିଛନ୍ତି। କିଛି ସପ୍ତାହ ତଳେ ଅଖିଳ ଭାରତୀୟ ଆୟୁର୍ବେଦ ପ୍ରତିଷ୍ଠାନର ଦ୍ୱିତୀୟ ପର୍ଯ୍ୟାୟକୁ ସେ ଉଦ୍ଘାଟନ କରିଥିଲେ। ଆଜି କେନ୍ଦ୍ରୀୟ ଆୟୁର୍ବେଦ ଗବେଷଣା ପ୍ରତିଷ୍ଠାନର ଶିଳାନ୍ୟାସ କରାଯାଇଛି ଏବଂ ଏହି ସଫଳତା ପାଇଁ ଦିଲ୍ଲୀବାସୀଙ୍କୁ ସ୍ୱତନ୍ତ୍ର ଅଭିନନ୍ଦନ ଜଣାଇଛନ୍ତି ମୋଦି।
“ବିଶ୍ୱର ସ୍ୱାସ୍ଥ୍ୟ ଏବଂ ଓ୍ୱେଲନେସ ରାଜଧାନୀରେ ପରିଣତ ହେବା ପାଇଁ ଭାରତରେ ପ୍ରଚୁର ସମ୍ଭାବନା ରହିଛି” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ ସେହି ଦିନ ଦୂର ନୁହେଁ ଯେତେବେଳେ ମେକ୍ ଇନ୍ ଇଣ୍ଡିଆ ସହିତ ବିଶ୍ୱ ‘ହିଲ୍ ଇନ୍ ଇଣ୍ଡିଆ’କୁ ମଧ୍ୟ ମନ୍ତ୍ର ଭାବେ ଗ୍ରହଣ କରିବ। ବିଦେଶୀ ନାଗରିକଙ୍କୁ ଭାରତରେ ଆୟୁଷ ଚିକିତ୍ସାରେ ସୁବିଧା ଦେବା ପାଇଁ ଏକ ସ୍ୱତନ୍ତ୍ର ଆୟୁଷ ଭିସା ସୁବିଧା ଆରମ୍ଭ କରାଯାଇଛି ଏବଂ ଅଳ୍ପ ସମୟ ମଧ୍ୟରେ ଶହ ଶହ ବିଦେଶୀ ନାଗରିକ ଏହି ସୁବିଧାରୁ ଉପକୃତ ହୋଇଛନ୍ତି । ଭାରତ ସରକାରଙ୍କ ଏହି ପ୍ରୟାସ ଦିଲ୍ଲୀକୁ ବିକାଶର ନୂତନ ଶୀର୍ଷତ୍ୱରେ ପହଞ୍ଚାଇବ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣ କହିଛନ୍ତି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ମନୋହର ଲାଲ, ଦିଲ୍ଲୀର ଉପରାଜ୍ୟପାଳ ବିନୟ କୁମାର ସକ୍ସେନା, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ପ୍ରମୁଖ ଉପସ୍ଥିତ ଥିଲେ।
previous article:https://purvapaksa.com/election-and-audit-of-pani-panchayat/
