ସାରା ଭାରତ ଏବେ ଆଇପିଏଲର ଚମକଧମକ ଏବଂ କ୍ରିକେଟର ନିଶାରେ ମତୁଆଲା। କିନ୍ତୁ ଏହି ଉତ୍ସବ ମଝିରେ ଭାରତର ଏମିତି ଏକ ରାଜ୍ୟ ଅଛି, ଯିଏ ଚୁପଚାପ୍ ଅଲିମ୍ପିକ୍ସ ପାଇଁ ବିଶ୍ୱସ୍ତରୀୟ ଚାମ୍ପିଅନ୍ ପ୍ରସ୍ତୁତ କରିବାରେ ଲାଗିଛି। ସେହି ରାଜ୍ୟଟି ହେଉଛି ଆମ ଓଡ଼ିଶା।
ଯେତେବେଳେ ଭାରତ ପ୍ୟାରିସ୍ ଅଲିମ୍ପିକ୍ସରେ ୧୧୭ ଜଣ ଆଥଲେଟ୍ ପଠାଇ ମାତ୍ର ୬ଟି ମେଡାଲ୍ ଜିତି ୭୧ ନମ୍ବର ସ୍ଥାନରେ ରହିଲା, ସେତେବେଳେ ଓଡ଼ିଶା ଏହି ଚିତ୍ରକୁ ବଦଳାଇବା ପାଇଁ ଅଣ୍ଟା ଭିଡ଼ିଲା। କାଜାଖସ୍ତାନ ଏବଂ ଉତ୍ତର କୋରିଆ ଭଳି ଛୋଟ ଦେଶମାନେ ଭାରତଠାରୁ ଉପରେ ରହିବା ଆମ କ୍ରୀଡ଼ା ଜଗତ ପାଇଁ ଏକ ବଡ଼ ପ୍ରଶ୍ନବାଚୀ ଥିଲା। କିନ୍ତୁ ଓଡ଼ିଶା କେବଳ ପ୍ରଶ୍ନ କଲାନାହିଁ, ବରଂ ସମାଧାନର ପଥ ଦେଖାଇଲା। ଆଜିର ଏହି ସ୍ପେଶାଲ୍ ରିପୋର୍ଟରେ ଆମେ ଓଡ଼ିଶାର ସେହି ‘ସ୍ପୋର୍ଟସ୍ ମଡେଲ୍’ ବିଷୟରେ ଆଲୋଚନା କରିବା, ଯାହା ଆଜି ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ।
ସିଷ୍ଟମରେ ପରିବର୍ତ୍ତନ: କେବଳ ଷ୍ଟାଡିୟମ ନୁହେଁ, ହାଇ-ପରଫରମାନ୍ସ ସେଣ୍ଟର
ଓଡ଼ିଶା କେବଳ ଖେଳ ପାଇଁ ପଡ଼ିଆ ତିଆରି କରୁନାହିଁ, ବରଂ ବିଶ୍ୱସ୍ତରୀୟ ‘ହାଇ-ପରଫରମାନ୍ସ ସେଣ୍ଟର’ (HPC) ମାନ ଗଢ଼ିଛି। ହକି, ଫୁଟବଲ୍, ସୁଇମିଂ, ଆଥଲେଟିକସ୍, ୱେଟଲିଫ୍ଟିଙ୍ଗ୍, ସୁଟିଂ ଏବଂ ବ୍ୟାଡମିଣ୍ଟନ ପାଇଁ ଓଡ଼ିଶାରେ ଆଜି ଯେଉଁ ସୁବିଧା ଅଛି, ତାହା ଭାରତର ଅନ୍ୟ କୌଣସି ରାଜ୍ୟରେ ଦେଖିବାକୁ ମିଳିବ ନାହିଁ।
ଭାରତରେ ଦୁର୍ଭାଗ୍ୟର ବିଷୟ ହେଉଛି, ଅନେକ ପ୍ରତିଭାବାନ ଖେଳାଳି ଦେଶ ପାଇଁ ଖେଳି ସାରିବା ପରେ ପରିବାର ପ୍ରତିପୋଷଣ ପାଇଁ ପନିପରିବା ବିକନ୍ତି କିମ୍ବା ଟ୍ୟାକ୍ସି ଚଲାନ୍ତି। କିନ୍ତୁ ଓଡ଼ିଶା ଏହି ପରମ୍ପରାକୁ ବଦଳାଇଛି। ଓଡ଼ିଶା ସରକାର ଉପାନ୍ତ ତଥା ଆଦିବାସୀ ଗାଁମାନଙ୍କରୁ ପ୍ରତିଭା ଖୋଜିବା ଆରମ୍ଭ କଲେ। କୌଣସି ପ୍ରତିଭା ଯେମିତି କେବଳ ‘ପିନ୍ କୋଡ୍’ ବା ଗରିବୀ ଯୋଗୁଁ ହଜି ନଯାଏ, ସେଥିପାଇଁ ୩୧୪ଟି ଯାକ ବ୍ଲକରେ ମିନି ଷ୍ଟାଡିୟମ ନିର୍ମାଣ କରାଗଲା।
ଓଡ଼ିଶାରେ ଭାରତର ସବୁଠାରୁ ବଡ଼ ‘ଟ୍ରେଡମିଲ୍’ ସ୍ଥାପନ କରାଯାଇଛି। ଆଥଲେଟିକସ୍ ପାଇଁ ‘ୱାର୍ଲ୍ଡ ଆଥଲେଟିକସ୍ କ୍ୟାଟେଗୋରୀ-୧’ ସାର୍ଟିଫିକେସନ୍ ପାଇଥିବା ଭିତ୍ତିଭୂମି ଆଜି ଭୁବନେଶ୍ୱରରେ ଉପଲବ୍ଧ। ଏହା କେବଳ ଉପର ଚିକ୍କଣ ନୁହେଁ, ଏହା ହେଉଛି ଏକ ବଡ଼ ‘ସିଷ୍ଟମେଟିକ ଚେଞ୍ଜ’।

ବିଶ୍ୱସ୍ତରୀୟ ଆୟୋଜନ ଏବଂ ହକିର ପୁନର୍ଜନ୍ମ
ଓଡ଼ିଶା ବିଷୟରେ କହିଲେ ହକି କଥା ସ୍ୱତଃ ମନକୁ ଆସେ। ଯେତେବେଳେ କେହି ହକିର ସାହାରା ହେଉନଥିଲେ, ସେତେବେଳେ ଓଡ଼ିଶା ଉଭୟ ପୁରୁଷ ଏବଂ ମହିଳା ହକି ଦଳର ସ୍ପୋନସର୍ ବନିଲା। କେବଳ ସେତିକି ନୁହେଁ, ଓଡ଼ିଶା ଏବେ ଖୋ-ଖୋ (Kho-Kho) ଏବଂ ରଗବୀ (Rugby) ଟିମକୁ ମଧ୍ୟ ସ୍ପୋନସର କରୁଛି।
ରାଉରକେଲାରେ ନିର୍ମିତ ‘ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମ’ ଆଜି ବିଶ୍ୱର ସବୁଠାରୁ ବଡ଼ ସିଟିଂ କ୍ୟାପାସିଟି ଥିବା ହକି ଷ୍ଟାଡିୟମ। ଯେତେବେଳେ ଆନ୍ତର୍ଜାତୀକ ଖେଳାଳିମାନେ ଭାରତର ବାୟୁ ପ୍ରଦୂଷଣ ଏବଂ ପରିମଳ ବ୍ୟବସ୍ଥାକୁ ନେଇ ଅଭିଯୋଗ କରି ଭାରତ ଛାଡ଼ୁଥିଲେ, ସେତେବେଳେ ଓଡ଼ିଶା କ୍ରମାଗତ ଭାବେ ଦୁଇଟି ହକି ବିଶ୍ୱକପ୍ ସଫଳତାର ସହ ଆୟୋଜନ କରି ବିଶ୍ୱକୁ ଚକିତ କରିଦେଲା।
ଖେଲୋ ଇଣ୍ଡିଆ ଗେମ୍ସଠାରୁ ଆରମ୍ଭ କରି ଆସନ୍ତା ୨୦୨୮ ବିଶ୍ୱ ଆଥଲେଟିକସ୍ ଇନଡୋର ଚାମ୍ପିଅନସିପ୍ ପର୍ଯ୍ୟନ୍ତ, ଓଡ଼ିଶା ଆଜି ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ଏକ ଅପରିହାର୍ଯ୍ୟ ନାମ। ଭୁବନେଶ୍ୱର ନିକଟରେ ୧୫୦ ଏକର ଜମିରେ ଏକ ବିଶାଳ ‘ସ୍ପୋର୍ଟସ୍ ଭ୍ୟାଲି’ (Sports Valley) ବିକଶିତ ହେଉଛି।
ଏକ ଦୀର୍ଘକାଳୀନ ସ୍ୱପ୍ନ
ଓଡ଼ିଶାର ଏହି ଯାତ୍ରା କୌଣସି ହାଇପ୍ (Hype) କିମ୍ବା ପବ୍ଲିସିଟି ଷ୍ଟଣ୍ଟ ନୁହେଁ। ଏହା ହେଉଛି ଏକ ‘ଲଙ୍ଗ୍ ଟର୍ମ ଭିଜନ୍’। ଭାରତର ଅନ୍ୟ ରାଜ୍ୟମାନେ କେବଳ କ୍ରିକେଟ୍ ପଛରେ ଗୋଡ଼ାଉଥିବା ବେଳେ ଓଡ଼ିଶା ଅଲିମ୍ପିକ୍ ମେଡାଲ୍ ପାଇଁ ମୂଳଦୁଆ ପକାଉଛି। ଇରାନ, କାଜାଖସ୍ତାନ ଭଳି ଦେଶ ଯଦି ମେଡାଲ୍ ତାଲିକାରେ ଆମ ଠାରୁ ଉପରେ ରହୁଛନ୍ତି, ତେବେ ଓଡ଼ିଶାର ଏହି ମଡେଲ୍ ହିଁ ଭାରତକୁ ଶୀର୍ଷକୁ ନେଇପାରିବ।
AlsoRead; https://purvapaksa.com/is-dharmendras-power-diminishing-in-delhi-darbar/


