ଆଇସିସି ୨୦୦୪ମସିହାରୁ ପ୍ରତିବର୍ଷ ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରୁଛି। ୨୦ବର୍ଷ ମଧ୍ୟରେ ୬ଜଣ ଭାରତୀୟ ଖେଳାଳି ଶ୍ରେଷ୍ଠ ଟେଷ୍ଟ ଖେଳାଳି ପୁରସ୍କାର ପାଇ ସାରିଛନ୍ତି। ଭାରତ ପକ୍ଷରୁ ଟେଷ୍ଟ କ୍ରିକେଟରେ ସର୍ବାଧିକ ୬୨୯ଟି ୱିକେଟ ନେଇଥିବା ଅନୀଲ କୁମ୍ବଲେ, ବିଶ୍ୱର ସର୍ବାଧିକ ରନ ସଂଗ୍ରହକାରୀ ବ୍ୟାଟର ସଚିନ ତେନ୍ଦୁଲକର, ଭାରତକୁ ଐତିହାସିକ ଟେଷ୍ଟ କୋଲକାତା ଟେଷ୍ଟ ଜିତାଇଥିବା ଭିଭିଏସ ଲକ୍ଷ୍ମଣ ଓ ଶ୍ରେଷ୍ଠ ଟେଷ୍ଟ ଅଧିନାୟକ ସୌରଭ ଗାଙ୍ଗୁଲି ମଧ୍ୟ ଏହି ପୁରସ୍କାର ପାଇନାହାନ୍ତି। ତେବେ କେଉଁ ଭାରତୀୟ ଖେଳାଳିମାେନ ଏହି ପୁରସ୍କାର ପାଇଛନ୍ତି, ଆସନ୍ତୁ ଜାଣିବା।
- ରାହୁଲ ଦ୍ରାବିଡ଼ଙ୍କୁ ଯଶପ୍ରୀତ ବୁମରା: ଆଇସିସି ଶ୍ରେଷ୍ଠ ଟେଷ୍ଟ କ୍ରିକେଟର୍ ପୁରସ୍ଜିକାର ଜିତିଥିବା ଭାରତୀୟ ଖେଳାଳି
ଆଇସିସି ପକ୍ଷରୁ ୨୦୨୪ ପାଇଁ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କୁ ବର୍ଷର ଶ୍ରେଷ୍ଠ ଟେଷ୍ଟ କ୍ରିକେଟର ଭାବେ ମନୋନୀତ କରାଯାଇଛି। ବୁମରା ଗତବର୍ଷ ବିଶ୍ୱର ଶ୍ରେଷ୍ଠ ବୋଲର ସାବ୍ୟସ୍ତ ହୋଇଥିଲେ। ଟେଷ୍ଟ କ୍ରିକେଟରେ ସେ ଉଭୟ ଘରୋଇ ଓ ବିଦେଶ ପରିବେଶରେ ଚମତ୍କାର ପ୍ରଦର୍ଶନ କରିଥିଲେ। ବୁମରା ୨୦୨୪ରେ ଟେଷ୍ଟ କ୍ରିକେଟରେ ସର୍ବାଧିକ ୭୧ଟି ୱିକେଟ୍ ଅକ୍ତିଆର କରିଥିଲେ। ଭାରତୀର ଷଷ୍ଠ ଖେଳାଳି ଭାବେ ସେ ଶ୍ରେଷ୍ଠ ଟେଷ୍ଟ କ୍ରିକେଟର ପୁରସ୍କାର ଜିତିଛନ୍ତି। ବୁମରାଙ୍କ ପୂର୍ବରୁ ଭାରତୀୟ କ୍ରିକେଟର କିଛି ବଡ଼ ନାମଙ୍କୁ ଏହି ସମ୍ମାନଜନକ ପୁରସ୍କାର ମିଳିଛି।
ରାହୁଲ ଦ୍ରାବିଡ଼
ପ୍ରଥମ ଭାରତୀୟ ଖେଳାଳି ଭାବେ ରାହୁଲ ୨୦୦୪ରେ ଟେଷ୍ଟ କ୍ରିକେଟର ଅଫ୍ ଦି ଇୟର ପୁରସ୍କାର ପାଇଥିଲେ। ସେହି ବର୍ଷ ୧୮ ଟେଷ୍ଟ ଇନିଂସରେ ୬୩ ହାରରେ ମୋଟ ୯୪୬ରନ ସଂଗ୍ରହ କରିଥିଲେ। ଏଥିରେ ୨ଟି ଶତକ ଓ ୪ଟି ଅର୍ଦ୍ଧଶତକ ରହିଥିଲା।
ଗୌତମ ଗମ୍ଭୀର
ସମ୍ପ୍ରତି ଭାରତୀୟ ଦଳ ମୁଖ୍ୟ କୋଚ ଭାବେ କାର୍ଯ୍ୟରତ ଗୌତମ ଗମ୍ଭୀର ୨୦୦୯ରେ ଆଇସିସି ବର୍ଷର ଶ୍ରେଷ୍ଠ ଟେଷ୍ଟ କ୍ରିକେଟର ପୁରସ୍କାର ପାଇଥିଲେ। ସେ ୨୦୦୯ରେ ୫ଟି ଟେଷ୍ଟ ଖେଳି ୯୦.୮୭ ହାରରେ ୭୨୭ ରନ୍ କରିଥିଲେ। ଏଥିରେ ୪ଟି ଶତକ ଓ ଗୋଟିଏ ଅର୍ଦ୍ଧଶତକ ରହିଥିଲା।
ବୀରେନ୍ଦ୍ର ସେହୱାଗ
ସେହୱାଗ ୨୦୧୦ରେ ଚିତ୍ତାକର୍ଷକ ପ୍ରଦର୍ଶନ କରିଥିଲେ। ସେ ୧୪ ଟି ଟେଷ୍ଟରେ ୬୧.୮୨ ହାରରେ ୧୪୨୨ ରନ୍ କରି ଆଇସିସି ବର୍ଷର ଶ୍ରେଷ୍ଠ ଟେଷ୍ଟ କ୍ରିକେଟର ପୁରସ୍କାର ପାଇଥିଲେ । ସେହି ବର୍ଷ ସେ ୫ଟି ଶତକ ଓ ୮ଟି ଅର୍ଦ୍ଧଶତକ ହାସଲ କରିଥିଲେ। ଅହମ୍ମଦାବାଦରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୨୦୧୦ରେ ତାଙ୍କର ସର୍ବୋଚ୍ଚ ଟେଷ୍ଟ ସ୍କୋର ୧୯୯ ବଲ୍ ରୁ ୧୭୩ ରନ୍ ଥିଲା।
ରବିଚନ୍ଦ୍ରନ ଅଶ୍ୱିନ
ରବିଚନ୍ଦ୍ରନ ଅଶ୍ୱିନ ୨୦୧୬ରେ ଶ୍ରେଷ୍ଠ ଟେଷ୍ଟ କ୍ରିକେଟର ପୁରସ୍କାର ପାଇଥିଲେ। ଅଶ୍ୱିନ ସେହି ବର୍ଷ ୧୨ଟି ଟେଷ୍ଟରେ ୨୩.୯୦ ହାରରେ ମୋଟ ୭୨ଟି ୱିକେଟ୍ ନେଇଥିଲେ। ନିଜର ଚମତ୍କାର ବୋଲିଂ ବ୍ୟତୀତ ଅଶ୍ୱିନ ୨ଟି ଶତକ ଓ ୪ଟି ଅର୍ଦ୍ଧଶତକ ସହ ୪୩.୭୧ ହାରରେ ବ୍ୟାଟ୍ ରେ ୬୧୨ ରନ୍ କରିଛନ୍ତି।
ବିରାଟ କୋହଲି
ଭାରତର ଅନ୍ୟତମ ବ୍ୟାଟର ବିରାଟ କୋହଲି ୨୦୧୮ରେ ଶ୍ରେଷ୍ଠ ଖେଳାଳି ପୁରସ୍କାର ହାସଲ କରିଥିଲେ। ସେହି ବର୍ଷ କୋହଲି ୫୫.୦୮ ହାରରେ ୧୩୨୨ ରନ୍ କରିଥିଲେ ଏବଂ ସେହି ବର୍ଷ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ଟେଷ୍ଟ ଗସ୍ତରେ ବ୍ୟାଟ୍ସମ୍ୟାନ୍ ଭାବେ ବେଶ୍ ସଫଳ ହୋଇଥିଲେ।
previous article:https://purvapaksa.com/virat-kohli-in-ranji-trophy-match-fans-injured-during-crowd/