Passport Rules: ସଂଶୋଧିତ ନିୟମରେ ଗୋପନୀୟତା ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ଭାରତ ସରକାର ପାସପୋର୍ଟ ନିୟମରେ ବାଧ୍ୟତାମୂଳକ ଜନ୍ମ ପ୍ରମାଣପତ୍ରଠାରୁ ଆରମ୍ଭ କରି ରଙ୍ଗ କୋଡେଡ୍ ପାସପୋର୍ଟ ପର୍ଯ୍ୟନ୍ତ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି ।
ଯଦି ଆପଣ ବି ବିଦେଶ ଭ୍ରମଣର ସ୍ୱପ୍ନ ଦେଖୁଛନ୍ତି ତେବେ ପ୍ରଥମେ ନିଜର ପାସପୋର୍ଟ ଯାଞ୍ଚ କରନ୍ତୁ । ଭାରତୀୟ ପାସପୋର୍ଟ ଧାରୀଙ୍କ ପାଇଁ ନିୟମରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି । ଏହା ଅଧୀନରେ ନୂଆ ପାସପୋର୍ଟ ତିଆରି କରିବା ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରର ଆବଶ୍ୟକତା ବାଧ୍ୟତାମୂଳକ କରାଯାଇଛି । ଯଦି ଆପଣ ପାସପୋର୍ଟ ପାଇବାକୁ ଯୋଜନା କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ନୂଆ ପାସପୋର୍ଟ ନିୟମ ଭାରତୀୟ ନାଗରିକଙ୍କ ପାଇଁ ପାସପୋର୍ଟ ପାଇବା ପ୍ରକ୍ରିୟାକୁ ଅଧିକ ସରଳ ଏବଂ ସୁରକ୍ଷିତ କରିବ।
ସଂଶୋଧିତ ନିୟମରେ ଗୋପନୀୟତା ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ଭାରତ ସରକାର ପାସପୋର୍ଟ ନିୟମରେ ବାଧ୍ୟତାମୂଳକ ଜନ୍ମ ପ୍ରମାଣପତ୍ରଠାରୁ ଆରମ୍ଭ କରି ରଙ୍ଗ କୋଡେଡ୍ ପାସପୋର୍ଟ ପର୍ଯ୍ୟନ୍ତ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି । ଯଦି ଆପଣ ନୂଆ ପାସପୋର୍ଟ ପାଇବା କିମ୍ବା ପାସପୋର୍ଟ ନବୀକରଣ କରିବାକୁ ଚିନ୍ତା କରୁଛନ୍ତି ତେବେ ଏହି ନିୟମଗୁଡ଼ିକୁ ଧ୍ୟାନରେ ରଖନ୍ତୁ । ତେବେ ଆସନ୍ତୁ ଜାଣିବା ଏହି ନୂଆ ନିୟମ ବିଷୟରେ ବିସ୍ତୃତ ଭାବେ ।
ଏବେ ପାସପୋର୍ଟ ପାଇବା ପାଇଁ ଏହା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ
୧ ଅକ୍ଟୋବର ୨୦୨୩ କିମ୍ବା ଏହା ପୂର୍ବରୁ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିଙ୍କ ପାଇଁ ନିଜର ଜନ୍ମ ପ୍ରମାଣପତ୍ର ଦାଖଲ କରିବା ବାଧ୍ୟତାମୂଳକ କରାଯାଇଛି, କାରଣ ପାସପୋର୍ଟ ପାଇଁ ଆବେଦନ କରିବା ସମୟରେ ଜନ୍ମ ତାରିଖର ପ୍ରମାଣ ଭାବରେ ଏହା ଏକମାତ୍ର ଦସ୍ତାବିଜ ହୋଇପାରେ । ଏବେ ପାସପୋର୍ଟ ପାଇଁ ଆବେଦନ କରିବା ସମୟରେ ଜନ୍ମ ପ୍ରମାଣପତ୍ରକୁ ସଂଯୋଗ କରିବାକୁ ପଡିବ । ପୂର୍ବରୁ ଅନ୍ୟାନ୍ୟ କାଗଜପତ୍ର ସହ ଜନ୍ମ ତାରିଖ ମଧ୍ୟ ପ୍ରମାଣିତ ହେଉଥିଲା, କିନ୍ତୁ ଏବେ କେବଳ ଜନ୍ମ ପ୍ରମାଣପତ୍ର ବୈଧ ହେବ। ଜନ୍ମ ତାରିଖର ପ୍ରମାଣକୁ ଅଧିକ ବିଶ୍ୱସନୀୟ କରିବା ଉଦ୍ଦେଶ୍ୟରେ ଏହି ନିୟମ ଲାଗୁ କରାଯାଇଛି ।
ଗୋପନୀୟତା ସୁରକ୍ଷା ଉପରେ ସରକାରଙ୍କ ଗୁରୁତ୍ୱ
ଗୋପନୀୟତାକୁ ଆହୁରି ମଜଭୁତ କରିବା ପାଇଁ ପାସପୋର୍ଟରୁ ଲିଖିତ ଘର ଠିକଣାକୁ ହଟାଇ ଦିଆଯିବ । ଏହା ବଦଳରେ ପାସପୋର୍ଟରେ ବାରକୋଡ୍ ଭାବେ ବାସସ୍ଥାନକୁ ଡିଜିଟାଲ୍ ଭାବେ ଯୋଡ଼ାଯିବ, ଯାହାକୁ କେବଳ ଇମିଗ୍ରେସନ୍ ଅଫିସରମାନେ ଦେଖିପାରିବେ। ପାସପୋର୍ଟ ପାଇଥିବା କୌଣସି ବାହାର ଲୋକ ଆପଣଙ୍କ ଠିକଣା ସୂଚନା ପାଇପାରିବେ ନାହିଁ । ବ୍ୟକ୍ତିଗତ ସୂଚନାର ନିରାପତ୍ତା ସୁନିଶ୍ଚିତ କରିବା ଦିଗରେ ଏହି ପରିବର୍ତ୍ତନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।
ଚିହ୍ନଟ ସହଜ ହେବ, ପ୍ରକ୍ରିୟା ଶୃଙ୍ଖଳିତ ହେବ
ପାସପୋର୍ଟକୁ ବିଭିନ୍ନ ବର୍ଗରେ ବିଭକ୍ତ କରାଯାଇଛି, ଯାହାର ଉଦ୍ଦେଶ୍ୟ ପାସପୋର୍ଟ ଧାରକଙ୍କ ପରିଚୟକୁ ସରଳ ଏବଂ ଅଧିକ ଶୃଙ୍ଖଳିତ କରିବା । ପାସପୋର୍ଟ ବର୍ଗ ତିନୋଟି ରଙ୍ଗରେ ହେବ:
ଧଳା ପାସପୋର୍ଟ: ସରକାରୀ କର୍ମଚାରୀଙ୍କ ପାଇଁ ।
ଲାଲ୍ ପାସପୋର୍ଟ: କୂଟନୀତିଜ୍ଞଙ୍କ ପାଇଁ।
ନୀଳ ପାସପୋର୍ଟ: ସାଧାରଣ ନାଗରିକଙ୍କ ପାଇଁ ।
ଏହି କଲର-କୋଡ୍ ବ୍ୟବସ୍ଥା ବିଭିନ୍ନ ପ୍ରକାର ପାସପୋର୍ଟଧାରୀଙ୍କୁ ଚିହ୍ନଟ କରିବା ସହଜ କରିବ ଏବଂ ଇମିଗ୍ରେସନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବାରେ ସାହାଯ୍ୟ କରିବ ।
ଅଭିଭାବକଙ୍କ ନାମ ହଟାଇ ଦିଆଯିବ
ଗୋପନୀୟତାକୁ ଆହୁରି ସୁଦୃଢ଼ କରିବା ପାଇଁ ପାସପୋର୍ଟରୁ ପିତାମାତାଙ୍କ ନାମ ହଟାଇ ଦିଆଯାଇଛି। ଏବେ ପାସପୋର୍ଟର ଶେଷ ପୃଷ୍ଠାରେ ଅଭିଭାବକଙ୍କ ନାମ ଛପାଯିବ ନାହିଁ। ବ୍ୟକ୍ତିଗତ ସୂଚନାକୁ ସୀମିତ କରିବା ଏବଂ ଗୋପନୀୟତା ଅଧିକାରକୁ ପ୍ରୋତ୍ସାହିତ କରିବା ପାଇଁ ଏହି ପରିବର୍ତ୍ତନ କରାଯାଇଛି।
ଦ୍ରୁତ ଗତିରେ ଉପଲବ୍ଧ ହେବ ସେବା
ପାସପୋର୍ଟ ସେବାକୁ ତ୍ୱରାନ୍ୱିତ କରିବା ପାଇଁ ସରକାର ପାସପୋର୍ଟ ସେବା କେନ୍ଦ୍ରକୁ ସମ୍ପ୍ରସାରଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି, ଯାହା ଅଧୀନରେ ଆସନ୍ତା ୫ ବର୍ଷ ମଧ୍ୟରେ ୪୪୨ ପାସପୋର୍ଟ ସେବା କେନ୍ଦ୍ରକୁ ୬୦୦କୁ ବୃଦ୍ଧି କରାଯିବ । ଏହାଦ୍ୱାରା ପାସପୋର୍ଟ ପାଇବା ପ୍ରକ୍ରିୟା ତ୍ୱରାନ୍ୱିତ ହେବା ସହ ଅଧିକରୁ ଅଧିକ ଲୋକଙ୍କୁ ପାସପୋର୍ଟ ସେବା ସହଜରେ ଉପଲବ୍ଧ ହେବ । ସରକାରଙ୍କ ଏହି ପଦକ୍ଷେପ ପାସପୋର୍ଟ ପାଇବାକୁ ଚାହୁଁଥିବା ନାଗରିକଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିବ ।
Previous article: https://purvapaksa.com/j-p-nadda-to-mentor-bjp-mps-mlas-at-training-camp-after-launch-of-ayushman-bharat-in-odisha/