ଭାରତ ହେଉଛି ମୁକ୍ତ ବିଶ୍ଵର ଏକମାତ୍ର ଦେଶ ଯିଏ ଏ ପର୍ଯ୍ୟନ୍ତ ଟାରିଫ୍ କୋହଳ କରିବା ପାଇଁ ଆମେରିକାର ସ୍ୱେଚ୍ଛାଚାରୀ ଅହଙ୍କାରୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିକଟରେ ମୁଣ୍ଡ ନୁଆଁଇ ନାହିଁ । ଏହାର ପରିଣାମ ସ୍ୱରୂପ ଦେଶ ସର୍ବୋଚ୍ଚ ଟାରିଫ୍ର ସମ୍ମୁଖୀନ ହୋଇଛି । ସ୍ୱାଭାବିକ ଭାବରେ ଭାରତୀୟ ଅର୍ଥନୀତି ପାଇଁ ଏହାକୁ ଏକ ଘୋର ଦୁଃସମ୍ବାଦ ରୂପେ ବିଚାର କରି ଆନ୍ତର୍ଜାତିକ ଅର୍ଥନୈତିକ ପର୍ଯ୍ୟବେକ୍ଷକମାନେ ଏହାର ଭବିଷ୍ୟତ ସମ୍ବନ୍ଧରେ ଏକ ବିଷାଦଜନକ ଚିତ୍ର ଆଙ୍କିଛନ୍ତି ।
କିନ୍ତୁ ସମସ୍ତ ନିରାଶାବାଦୀଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରି ପୃଥିବୀର ଅନ୍ୟତମ ମର୍ଯ୍ୟାଦାଜନକ ରେଟିଙ୍ଗ୍ ଏଜେନ୍ସି ‘ଷ୍ଟାଣ୍ଡାର୍ଡ ଆଣ୍ଡ୍ ପୁଅର୍’ (ଏସ୍ ଆର୍ ପି) ଗତ ଶୁକ୍ରବାର ଦୀର୍ଘ ଦିନର ବିରତି ପରେ ଭାରତୀୟ ଅର୍ଥନୀତିର ଅନ୍ତର୍ନିହିତ ଶକ୍ତି ଉପରେ ଆସ୍ଥା ସ୍ଥାପନ ସ୍ୱରୂପ ଭାରତର ସାର୍ବଭୌମ ରଣ ଗ୍ରହଣ ଯୋଗ୍ୟତାସୂଚକ ମର୍ଯ୍ୟାଦା (‘ସୋଭରେନ୍ କ୍ରେଡିଟ୍ ରେଟିଙ୍ଗ୍ )ରେ ଉନ୍ନତି ଘଟାଇଥିବା ଘୋଷଣା କରିଛି । ଏଭଳି ‘କ୍ରେଡିଟ୍ ରେଟିଙ୍ଗ୍ ହେଉଛି ଭବିଷ୍ୟତରେ ସଂପୃକ୍ତ ଦେଶର ଋଣ ଗ୍ରହଣ ଯୋଗ୍ୟତା ବା “କ୍ରେଡିଟ୍ ରେଡିନେସ୍ ସମ୍ବନ୍ଧରେ ଏକ ପୂର୍ବାନୁମାନ, ଯାହା ଆନ୍ତର୍ଜାତିକ ନିବେଶକମାନଙ୍କର ଆବରଣକୁ ଗଭୀର ଭାବରେ ପ୍ରଭାବିତ କରିଥାଏ ।
ଭାରତ ନିକଟ ଅତୀତରେ ହାସଲ କରିଚାଲିଥିବା ଉତ୍ତମ ଅର୍ଥନୈତିକ ଅଭିବୃଦ୍ଧି ସତ୍ତ୍ୱେ ଏସ୍ ଆଣ୍ଡ୍ ପି ଏହାର ସ୍ଥାୟିତ୍ୱ ସମ୍ବନ୍ଧରେ ସନ୍ଦିହାନ ହୋଇ ଏ ପର୍ଯ୍ୟନ୍ତ ଏହାର ‘ସୋଭରେନ୍ ରେଟିଙ୍ଗସ୍’ରେ ଉନ୍ନତି ଘଟାଇବାକୁ କୁଣ୍ଠା ପ୍ରକାଶ କରି ଆସିଥିଲା । ଏବେ ଏହି ସଂସ୍ଥା ସେଇ କୁଣ୍ଠାର ଅନ୍ତ ଘଟାଇ ଦୀର୍ଘ ୧୮ ବର୍ଷ ପରେ ଭାରତର ‘ବିବିବି ‘ ମର୍ଯ୍ୟାଦା ବା ରେଟିଙ୍ଗରେ ଉନ୍ନତି ଘଟାଇ ତାହାକୁ କରିଛି ‘ବିବିବି’ ଏବଂ ଏଥିସହିତ ଭାରତର ସମ୍ଭାବ୍ୟ ସ୍ଥିତି ସମ୍ବନ୍ଧରେ ତାହାର ଦୃଷ୍ଟିକୋଣ ‘ସ୍ଥିର’ ବୋଲି ପ୍ରକାଶ କରିଛି।
ଏହି ରେଟିଙ୍ଗ୍ ଏଜେନ୍ସି ବିଶ୍ୱାସ ପ୍ରକଟ କରିଛି ଯେ ଭାରତ ଆମେରିକୀୟ ଟାରିଫ ଜନିତ ପ୍ରତିବନ୍ଧକର ସଫଳ ମୁକାବିଲା କରିବାରେ ସମର୍ଥ ହେବ। ଏସ୍ ଆଣ୍ଡ୍ ପି’ର ଅନୁଶୀଳନ ଅନୁସାରେ ବର୍ତ୍ତମାନର ଅସ୍ଥିର ପୃଥିବୀରେ ଭାରତୀୟ ଅର୍ଥନୀତି ଏକ ବିରଳ ବ୍ୟତିକ୍ରମ ସ୍ୱରୂପ ଉତ୍ତମ ସ୍ୱାସ୍ଥ୍ୟର ଅଧିକାରୀ ହୋଇ ରହିଛି। ଏହାର ପ୍ରତିଫଳନ ସ୍ବରୂପ ଗତ ମଇରେ “ଏସ୍ ଆଣ୍ଡ୍ ପି’ ଭାରତ ସମ୍ବନ୍ଧରେ ତା’ର ଦୃଷ୍ଟିକୋଣକୁ ‘ସଳାରାତ୍ମକ’ ବୋଲି ଘୋଷଣା କରିଥିଲା, ଯେଉଁଥିରେ ବର୍ତ୍ତମାନ ଉନ୍ନତି ଘଟାଇ ‘ସ୍ଥିର’ ସ୍ତରକୁ ଆଣିଛି।
ପୃଥିବୀର ଅନ୍ୟ ସମସ୍ତ ଦେଶମାନଙ୍କ ଭଳି ଭାରତୀୟ ଅର୍ଥନୀତି ମଧ୍ୟ କୋଭିଡ୍ ପାନଡେମିକ୍ ଦ୍ୱାରା ବିପର୍ଯ୍ୟସ୍ତ ହୋଇ ପଡ଼ିଥିଲା । କିନ୍ତୁ ଭାରତୀୟ ଅର୍ଥନୀତିର ବିଶେଷତ୍ଵ ହେଲା ଏହା ଯେ ଅନ୍ୟ ଦେଶମାନେ ଏ ପର୍ଯ୍ୟନ୍ତ ସେମାନଙ୍କର ଅର୍ଥନୀତିର ପୂର୍ବ ସ୍ୱାସ୍ଥ୍ୟ ଫେରାଇ ଆଣିବାରେ ସମର୍ଥ ହୋଇ ନ ଥିବା ବେଳେ, ଭାରତୀୟ ଅର୍ଥନୀତି ପ୍ରାୟ ତା’ର ପ୍ରତ୍ୟେକ କ୍ଷେତ୍ରରେ ସନ୍ତୋଷଜନକ ଅଗ୍ରଗତି କରି ଚାଲିଛି। ଉଲ୍ଲେଖନୀୟ ଭାବରେ କୋଭିଡ୍ କବଳରୁ ମୁକୁଳିବା ପାଇଁ ସରକାର ମୁକ୍ତ ହସ୍ତ ଖର୍ଚ୍ଚ ମଧ୍ୟମରେ ଅର୍ଥନୀତିକୁ ସହାୟତା ପ୍ରଦାନ କରିଥିଲେ ହେଁ, ଏଥିଯୋଗୁଁ ବିତ୍ତୀୟ ଶୃଙ୍ଖଳାକୁ ସଂପୂର୍ଣ ଜଳାଞ୍ଜଳି ଦେଇ ନାହାନ୍ତି । ଏହାର ଏକ ପ୍ରଭାବଶାଳୀ ଉଦାହରଣ ସୁରୂପ ୨୦୨୧-୨୨ ବିତ୍ତ ବର୍ଷରେ ମିଳିତ ରାଜକୋଷୀୟ ନିଅଣ୍ଟର ଅନୁପାତ ୯.୪୫ ଶତାଂଶ ହୋଇଥିବା ବେଳେ ୨୦୨୫-୨୬ ବିତ୍ତ ବର୍ଷରେ ତାହାକୁ ୭.୪୮ ଶତାଂଶକୁ ସଂକୁଚିତ କରାଯାଇ ପାରିଛି।
ସରକାର ଯେଉଁଥିପାଇଁ ବିଶେଷ ପ୍ରଶଂସାର ହର, ତାହା ହେଲା ଏଭଳି ବିତ୍ତୀୟ ସଂଯମ ରକ୍ଷା କରିବା ସଙ୍ଗେ, ସରକାର ଉତ୍ପାଦନଶୀଳ ପୁଞ୍ଜି ବ୍ୟୟରେ ବୃଦ୍ଧି ଘଟାଇ ସରକାରୀ ବ୍ୟୟର ଗୁଣାତ୍ମକ ମାନରେ ଉନ୍ନତି ଘଟାଇବାରେ ମଧ୍ୟ ସକ୍ଷମ ହୋଇଛନ୍ତି । ଏଜେନ୍ସି ଏହା ଦ୍ୱାରା ପ୍ରଭାବିତ ହୋଇ ମନ୍ତବ୍ୟ ପ୍ରଦାନ କରିଛି ଯେ ଦେଶରେ ଭିତ୍ତଭୂମି ନିର୍ମାଣରେ ହୋଇଥିବା ମୋଟ ସରକାରୀ ବ୍ୟୟ ହେଉଛି ଦେଶର ଜିଡିପି’ର ୫.୫ ଶତାଂଶ, ଯାହା ହେଉଛି ଅନ୍ୟ ସମତୁଲ୍ୟ ଦେଶମାନଙ୍କ ସହିତ ସମାନ କିମ୍ବା ତା’ଠାରୁ ଅଧିକ।
ଭାରତ ଅବଲମ୍ବନ କରିଥିବା ଏହି ବିତ୍ତୀୟ ସଂଯମର ଏକ ବିଶେଷ ସୁଫଳ ସ୍ବରୂପ ଦେଶରେ ଖାଉଟି ମୁଦ୍ରାତି ବର୍ତ୍ତମାନ ସଂପୂର୍ଣ ରୂପେ ନିୟନ୍ତ୍ରିତ ହୋଇପାରିଛି, ଯାହା ଫଳରେ ରିଜର୍ଭ ବ୍ୟାଙ୍କ୍ ସୁଧ ହାରରେ ଉଲ୍ଲେଖନୀୟ ହ୍ରାସ ଘଟାଇ ପାରିବ । ସୁଧ ହାରରେ ହ୍ରାସ ଯୋଗୁଁ ସରକାରଙ୍କ ଉପରେ ରାଜନିତ ସୁଧ ବୋଝରେ ମଧ୍ୟ ହ୍ରାସ ଘଟିବ। ତା’ ଛଡ଼ା ‘ ଜିଡିପି’ର ଅଂଶ ଅନୁପାତରେ ସରକାରୀ ରଣର ପରିମାଣରେ ମଧ୍ୟ ହ୍ରାସ ଘଟିବା ଦେଖାଯାଇଛି।୨୦୨୦-୨୧ ବିତ୍ତ ବର୍ଷରେ ଏହି ଅନୁପାତ ୮୯.୫ ଶତାଂଶ ଥିବାବେଳେ, ୨୦୨୪-୨୫ ବିତ୍ତ ବର୍ଷରେ ତାହା ୮୦.୭ ଶତାଂଶକୁ ହ୍ରାସ ପାଇଥିଲା।
ଆନ୍ତର୍ଜାତିକ ବାଣିଜ୍ୟ କ୍ଷେତ୍ରରେ ଆମ ଅର୍ଥନୀତିର ସ୍ୱାସ୍ଥ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ସୂଚକ ରୂପେ ବିବେଚିତ ‘ଚଳନ୍ତି ହିସାବ ନିଅଣ୍ଟ (‘କରେଣ୍ଟ ଏକାଉଣ୍ଟ ଡେଫିସିଟ୍) ବର୍ତ୍ତମାନ ଏକ ଆଦର୍ଶ ସହନୀୟ ସ୍ତରରେ ରହିଛି (୨୦୨୪-୨୫ ବିତ୍ତ ବର୍ଷରେ ‘ନିତିପି’ର ୦.୬ ଶତାଂଶ ମାତ୍ର) । ଅବଶ୍ୟ ବାହ୍ୟ କାରଣ ଯୋଗୁଁ ଟଙ୍କାର ବିନିମୟ ମୂଲ୍ୟରେ ନିକଟରେ ହ୍ରାସ ଘଟିବା ଦେଖା ଯାଇଥିଲେ ହେଁ ଭାରତର ବୈଦେଶିକ ମୁଦ୍ରା ପାଣ୍ଠିରେ ଏକ ବିଶାଳ ୬୯୦ ବିଲିଅନ୍ ଡଲାର୍ ରାଶି ମହଜୁଦ ରହିଛି।
ସର୍ବୋପରି ଭାରତୀୟ ଅର୍ଥନୀତିର ଯାହା ହେଉଛି ସର୍ବାଧିକ ଈର୍ଷଣୀୟ ଉପଲବ୍ଧି, ତାହା ହେଲା ଏହାର ଉଚ୍ଚ ଅଭିବୃଦ୍ଧି ହାର, ଯାହା କୋଭିଡର ମୁକୁଳିବା ପରଠାରୁ ନିୟମିତ ଭାବରେ ବାର୍ଷିକ ୬ ଶତାଂଶରୁ ଅଧିକ ହୋଇ ଆସିଛି । ପୃଥିବୀର ଅନ୍ୟ କୌଣସି ବୃହତ୍ ଅର୍ଥନୀତି ଏଥିରେ ଭାରତର ସମକକ୍ଷ ହୋଇପାରି ନାହାନ୍ତି । ‘ଏସ୍ ଆଣ୍ଡ୍ ପି’ ଦୃଢ଼ ଭାବରେ ବିଶ୍ୱାସ କରୁଛି ଯେ ନିକଟ ଭବିଷ୍ୟତରେ ମଧ୍ୟ ଭାରତୀୟ ଅର୍ଥନୀତିର ଏହି ଉଚ୍ଚ ଅଭିବୃଦ୍ଧି ହାର ଅବ୍ୟାହତ ରହିବ- ଏହାର ପୂର୍ବାନୁମାନ ଅନୁସାରେ ଆସନ୍ତା ତିନି ବର୍ଷ ଧରି ଭାରତର ‘ଜିଡିପି’ରେ ବାର୍ଷିକ ୬,୮ ଶତାଂଶ ହାରରେ ଅଭିବୃଦ୍ଧି ଘଟି ଚାଲିବ ।
ଭାରତୀୟ ଅର୍ଥନୀତିର ଅନ୍ୟ ଯେଉଁ ସମସ୍ତ ଚରିତ୍ର ମଧ୍ୟ ଏହି ଭେଟିଙ୍ଗ ଏଜେନ୍ସିର ନିଷ୍ପତିକୁ ପ୍ରଭାବିତ କରିଥିବାର ଦୃଢ଼ ସମ୍ଭାବନା ରହିଛି, ତାହା ହେଲା ଏଠାରେ ଦେଖାଯାଇଥିବା ‘ଷ୍ଟାର୍ଟଅପ୍’ ସଂସ୍କୃତି, ଡିଜିଟାଲ୍ ବିପ୍ଲବ, ଦାରିଦ୍ର୍ୟ ଦୂରୀକରଣରେ ଚମକପ୍ରଦ ସଫଳତା ଓ ଏକ ବିଶାଳ ମଧ୍ୟବିତ୍ତ ଶ୍ରେଣୀ ସୃଷ୍ଟି ଆଦି ଭଳି ଉପଲବ୍ଧିମାନ । ଭାରତ ନିଜର ଆତ୍ମନିର୍ଭରତା ଅଭିଯାନକୁ ସୁଦୃଢ଼ କରି ଏବଂ ବହିର୍ବାଣିଜ୍ୟରେ ଭରସା ଯୋଗ୍ୟ ବିକନ୍ତ ସନ୍ଧାନ କରି ଆମେରିକା ସୃଷ୍ଟି ଅର୍ଥନୈତିକ ଅସ୍ଥିରତାର ମୁକାବିଲା କରିବାକୁ ଯେଉଁ ରଣକୌଶଳ ଅବଲମ୍ବନ କରିଛି, ‘ ଏସ୍ ଆଣ୍ଡ୍ ପି’ର ସୋଭରେନ୍ କ୍ରେଡିଟ୍ ରେଟିଙ୍ଗ ନିର୍ଣ୍ଣୟ କରୁଥିବା ଅନୁଭୂତିସଂପନ୍ନ ଅର୍ଥନୀତି ବିଶେଷଜ୍ଞମାନେ ତାହାର ଦୃଢ଼ ଅନୁମୋଦନ କରିଛନ୍ତି ବୋଲି ନିଶ୍ଚିତ କୁହାଯାଇପାରେ ।
ALSO READ https://purvapaksa.com/what-is-online-gaming-bill-2025/
What Is Online Gaming Bill 2025 ? ।। ଲୋକସଭାରେ ପାସ୍ ହୋଇଥିବା ଅନଲାଇନ୍ ଗେମିଂ ବିଲ୍ ୨୦୨୫ କ’ଣ?
