ଦୀର୍ଘଦିନର ଅନିଶ୍ଚିତତା ପରେ ଶେଷରେ କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ଆସନ୍ତା ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ହାଇ-ଭୋଲଟେଜ୍ ମହାଲଢ଼େଇ ହେବା ନିଶ୍ଚିତ ହୋଇଛି । ଆଇସିସି ଓ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମଧ୍ୟରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ପାକିସ୍ତାନ ମ୍ୟାଚ୍ ଖେଳିବାକୁ ରାଜି ହୋଇଛି। ଏହା ସହିତ ଆଇସିସି ପକ୍ଷରୁ ଅଫିସିଆଲ ନୋଟିଫିକେସନ୍ ମଧ୍ୟ ଜାରି କରାଯାଇଛି।

ସୂଚନା ଅନୁଯାୟୀ, ଆସନ୍ତା ୧୫ ତାରିଖ ରବିବାର ଶ୍ରୀଲଙ୍କାର କଲମ୍ବୋ ସ୍ଥିତ ଐତିହାସିକ ଆର. ପ୍ରେମଦାସା ଷ୍ଟାଡିୟମରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ। ପୂର୍ବରୁ ପାକିସ୍ତାନ ସରକାର ଭାରତ ବିରୋଧରେ ମ୍ୟାଚ୍ ଖେଳିବା ନେଇ ଅନାଗ୍ରହ ପ୍ରକାଶ କରିଥିଲେ । କିନ୍ତୁ ଏବେ ସରକାରୀ ସ୍ତରରେ ନିଜ ପୂର୍ବ ନିଷ୍ପତ୍ତି ବଦଳାଇ ପାକିସ୍ତାନ କ୍ରିକେଟ ଦଳକୁ ମ୍ୟାଚ୍ ଖେଳିବା ପାଇଁ ଅନୁମତି ଦେଇଛନ୍ତି।
ରବିବାର ଭାରତ ସହ ମ୍ୟାଚ୍ ଖେଳିବାକୁ ପାକିସ୍ତାନ କ୍ରିକେଟ ବୋର୍ଡ ଆଇସିସି ସମ୍ମୁଖରେ ତିନିଟି ସର୍ତ୍ତ ରଖିଥିଲା। ପ୍ରଥମତଃ, ଭାରତ–ପାକିସ୍ତାନ ମ୍ୟାଚ୍ ବହିଷ୍କାରରୁ ଓହରିଲେ ପାକିସ୍ତାନକୁ ଆଇସିସି ରାଜସ୍ୱରେ ବଡ଼ ଅଂଶଧନ ଦିଆଯାଉ। ଦ୍ୱିତୀୟତଃ, ଭାରତ ବିପକ୍ଷରେ ଦ୍ୱିପାକ୍ଷିକ ସିରିଜ ପୁନର୍ବାର ଆରମ୍ଭ କରାଯାଉ। ତୃତୀୟତଃ, ମ୍ୟାଚ୍ ସମୟରେ ହାଣ୍ଡସେକ ପ୍ରୋଟୋକଲକୁ କଡ଼ାକଡ଼ି ଭାବେ ଲାଗୁ କରାଯାଉ।
ତେବେ ଆଇସିସି ପାକିସ୍ତାନର ଏହି ସମସ୍ତ ଦାବିକୁ ସଫାସଫା ପ୍ରତ୍ୟାଖ୍ୟାନ କରିଦେଇଛି। ଏହା ସତ୍ତ୍ୱେ ବଡ଼ ଆର୍ଥିକ ଓ କ୍ରୀଡାଗତ ଚାପରେ ପାକିସ୍ତାନ ଶେଷରେ ଭାରତ ସହ ମ୍ୟାଚ୍ ଖେଳିବାକୁ ବାଧ୍ୟ ହୋଇଛି। କାରଣ ଏହି ଏକମାତ୍ର ମ୍ୟାଚ୍ ଦ୍ୱାରା ଶହ ଶହ କୋଟି ଟଙ୍କାର ରାଜସ୍ୱ ମିଳିବାର ସମ୍ଭାବନା ରହିଛି।
ଏହି ନିଷ୍ପତ୍ତିକୁ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାର ଦିସାନାୟକେ ସ୍ୱାଗତ କରିଛନ୍ତି। ସେ ୧୯୯୬ ବିଶ୍ୱକପ୍ର ସ୍ମୃତିକୁ ମନେ ପକାଇ କହିଛନ୍ତି ଯେ, ସୁରକ୍ଷା ଆଶଙ୍କାରେ ଯେତେବେଳେ ଅନ୍ୟ ଦେଶ ଶ୍ରୀଲଙ୍କାକୁ ଆସିବାକୁ ଓହରି ଯାଇଥିଲେ, ସେତେବେଳେ ଭାରତ ଓ ପାକିସ୍ତାନ ଶ୍ରୀଲଙ୍କା ସହ ଠିଆ ହୋଇଥିଲେ। ପୁଣିଥରେ ପାକିସ୍ତାନ ମ୍ୟାଚ୍ ପାଇଁ ସମ୍ମତି ଜଣାଇ କ୍ରିକେଟର ଏକତାକୁ ପ୍ରମାଣିତ କରିଛି।
ଆଇସିସି ମଧ୍ୟ ପାକିସ୍ତାନର ଏହି ନିଷ୍ପତ୍ତିକୁ ପ୍ରଶଂସା କରିଛି। ଏବେ ସମଗ୍ର ବିଶ୍ୱର କ୍ରିକେଟ ପ୍ରେମୀଙ୍କ ନଜର କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମ ଉପରେ। ରବିବାର ଭାରତ–ପାକିସ୍ତାନ ମଧ୍ୟରେ ହେବାକୁ ଯାଉଥିବା ଏହି କଡ଼ା ଟକ୍କର କ୍ରିକେଟ ଇତିହାସରେ ପୁଣି ଗୋଟିଏ ସ୍ମରଣୀୟ ଅଧ୍ୟାୟ ଯୋଗ କରିବ ବୋଲି ଆଶା କରାଯାଉଛି।
also read https://purvapaksa.com/kawasi-lakhma/


