ପାକିସ୍ତାନର ସାମିରିକ ଶିବିରକୁ ଉଡ଼ାଇଛି ଭାରତ। ଦେଶ ଉପରେ ରାତିବେଳେ ପାକିସ୍ତାନ ପକ୍ଷରୁ ଯେଉଁ ଦୀର୍ଘଗାମୀ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା ତାହାର ଜବାବରେ ଭାରତ ଯେଉଁ କ୍ଷେପଣାସ୍ତ୍ର ପକାଇଛି ସେଥିରେ ଧ୍ୱସ୍ତ ବିଧ୍ୱସ୍ତ ହୋଇଛି ପାକିସ୍ତାନ। ରଫିକି, ମୁରିଦ୍, ଚକଲାଲା, ରହମିଆଦ୍ ଖାନ, ସୁକୁର ପସ୍ତୁନିଆରେ ଥିବା ସେନା ହତିଆର ଛାଉଣି, ରାଡାର କେନ୍ଦ୍ର, ଟେକ୍ନିକାଲ ସେଣ୍ଟର ଉପରେ ଆକ୍ରମଣ କରାଯାଇଥିବା ସୂଚନା ଦେଇଛି ଭାରତ। ହେଲେ ଏଥିରେ ଯେମିତି ଲୋକଙ୍କ ଉପରେ କ୍ଷତିକୁ ସର୍ବନିମ୍ନ କରାଯାଇପାରିବ ତାହାକୁ ନିଶ୍ଚିତ କରିଛି ଭାରତୀୟ ସେନା।
ଆଜି ଭାରତ ସରକାରଙ୍କ ପକ୍ଷରୁ ସାମ୍ବାଦିକମାନଙ୍କୁ ସୂଚନା ଦେଇ କର୍ଣ୍ଣେଲ ସୋଫିଆ କ୍ୱିରେସୀ ଏବଂ ଓ୍ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ ପାକିସ୍ତାନ ଛଳନା ଉପରୁ ପରଦା ହଟାଇଛନ୍ତି। କ୍ୟୁରେସୀ କହିଛନ୍ତି, ପାକିସ୍ତାନ ପକ୍ଷରୁ ଆକ୍ରମଣ ଜାରି ରହିଛି। ଭାରତର ସୈନିକ ଶିବିରକୁ ଏଥିରେ ଟାର୍ଗେଟ କରାଯାଇଛି। ପାକିସ୍ତାନର ଆକ୍ରମଣରେ ୟୁକ୍ୟାବ୍ ଡ୍ରୋନ, ଦୀର୍ଘଗାମୀ କ୍ଷେପଣାସ୍ତ୍ର, ଫାଇଟର ଜେଟ୍ ବ୍ୟବହାର କରାଯାଇଛି। ଭାରତର ସଶସ୍ତ୍ର ବଳ ଅଧିକାଂଶକୁ ନିଷ୍କ୍ରିୟ କରିଛି। କିଛି ସ୍ଥାନରେ ପାକିସ୍ତାନର ଦାୟିତ୍ୱହୀନ ଆକ୍ରମଣ ହେତୁ ସାଧାରଣ ଜନଜୀବନ କ୍ଷତିଗ୍ରସ୍ତ ହୋଇଛି।
ସେ କହିଛନ୍ତି, ଅନ୍ତରାଷ୍ଟ୍ରୀୟ ସୀମାରେ ଶ୍ରୀନଗରରୁ ନଲିୟା ଯାଏ ୨୬ ସ୍ଥାନରେ ବାୟୁ ସୀମାକୁ ଉଲ୍ଲଂଘନ କରିଛି ପାକିସ୍ତାନ। ଭାରତୀୟ ସଶସ୍ତ୍ର ବଳ ନିଷ୍କ୍ରିୟ କରିଛି। ତଥାପି ଉଦ୍ଧମପୁର, ପଠାନକୋଟ, ଆଦମପୁର ଓ ଭୁଜ, ଭଟିଣ୍ଡାଠାରେ ସାଧାରଣ ଲୋକ ଓ ଧନସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଛନ୍ତି।
ପଞ୍ଜାବର ଏୟାରବେସ୍କୁ କ୍ଷତି ପହଞ୍ଚାଇବା ଲାଗି ଉଚ୍ଚକ୍ଷମତାପନ୍ନ କ୍ଷେପଣାସ୍ତ୍ରକୁ ରାତି ଗୋଟାଏବେଳେ ବ୍ୟବହାର କରାଯାଇଛି। ଏକ ନିନ୍ଦନୀୟ ଘଟଣା କ୍ରମେ ଶ୍ରୀନଗର, ଅବନ୍ତିପୁର ଓ ଉଦ୍ଧମପୁରରେ ଚିକିତ୍ସା କେନ୍ଦ୍ର ଓ ସ୍କୁଲ୍ ପରିସରକୁ ଯୁଦ୍ଧାସ୍ତ୍ର ନିକ୍ଷେପ କରିଛନ୍ତି। ଏହାଦ୍ୱାରା ଜନସାଧାରଣଙ୍କ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି। ଏହା ପାକିସ୍ତାନର ଦାୟିତ୍ୱହୀନତାର ଆଉ ଏକ ଉଦାହରଣ।
ପାକିସ୍ତାନଦ୍ୱାରା ସୈନିକ ଠିକଣାଗୁଡ଼ିକୁ ଜାଣିଶୁଣି ଆକ୍ରମଣ କରାଯିବା ବିପକ୍ଷରେ କଡ଼ା ଜବାବ ଦେବାକୁ ପ୍ରୟାସ କରାଯାଇଛି। ଏହାର ବିପକ୍ଷରେ ଭାରତୀୟ ସୈନ୍ୟବାହିନୀ ତ୍ୱରିତ ଜବାବ କାର୍ଯ୍ୟାନୁଷ୍ଠାନ କରିଛି। ଏଥିରେ ପାକିସ୍ତାନର ଟେକ୍ନିକାଲ୍ ସେଣ୍ଟର, ରାଡାର ସାଇଟ୍, ହତିଆର ଭଣ୍ଡାରକୁ ଲକ୍ଷ୍ୟ କରାଯାଇ ଆକ୍ରମଣ କରାଯାଇଛି। ଚିନ୍ତାର ବିଷୟ ପାକିସ୍ତାନ ଲାହୋର ବିମାନବନ୍ଦରରୁ ଯାତ୍ରୀବାହୀ ବିମାନ ଚଳାଚଳର ଆଢ଼ୁଆଳରେ ଅନ୍ତରାଷ୍ଟ୍ରୀୟ ଆକାଶମାର୍ଗର ଦୁରୂପୋଯୋଗ କରିଥିଲା। ଏହା ନିଜର ଗତିବିଧି ଲୁଚାଇବା ଲାଗି ଉଦ୍ଦିଷ୍ଟ। ଏହାକୁ ଲକ୍ଷ୍ୟ କରି ଭାରତ ପକ୍ଷରୁ ଅତ୍ୟନ୍ତ ସନ୍ତର୍ପଣର ସହ କାର୍ଯ୍ୟ କରିଛି।
ଏହା ସହ ପାକିସ୍ତାନ ମିଛ ସୂଚନା ପ୍ରସାରଣ କରିବାରେ ମଧ୍ୟ ଅଧିକ ନିବେଶ କରିଛି। ଆଦମଗଡ଼, ସୁରଥଗଡ଼, ସିର୍ସା, ଆଦାମପୁର, ଚଣ୍ଡିଗଡ଼ର ସାମରିକ ଅନୁଷ୍ଠାନକୁ ଧ୍ୱସ୍ତ କରିଥିବା ନେଇ ମିଛ ଖବର ପ୍ରସାର କରିଛି। ଭାରତ ଏହି ଆକ୍ରମଣର ମିଛ ପ୍ରସାରକୁ ଖାରିଜ କରୁଛି।
ନିୟନ୍ତ୍ରଣ ରେଖାରେ ପାକିସ୍ତାନ ଅନେକ ପ୍ରୟାସ କରିଛି। କୁପଓ୍ୱାଡ଼ା, ରଜୌରୀ, ଅଖନୁର ସେକ୍ଟରେରେ ତୋପ, ମମୋର୍ଟାର ଦ୍ୱାରା ଆକ୍ରମଣ ହୋଇଛି। ଭୀଷଣ ଗୋଳାବର୍ଷର ରହିଥିଲା। ଭାରତ ଏହାର ଜବାବ ଦେଇ ଅନେକ କ୍ଷତି ପହଞ୍ଚିଛି।
ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ଅଧିକ ସୈନ୍ୟ ନିୟୋଜନ କରୁଛି। ଏହା ବାସ୍ତବରେ ଉତ୍ତେଜନାକୁ ଅଧିକ ବୃଦ୍ଧି କରିବା ଲାଗି ଉଦ୍ଦିଷ୍ଟ। ଭାରତର ସଶସ୍ତ ବଳ ଏହାର ଜବାବ ଦେବାକୁ ପ୍ରସ୍ତୁତ ରହିଛି।
ଉତ୍ତେଜନା ବୃଦ୍ଧି ଆମେ ଚାହୁଁନାହୁଁ। ପାକିସ୍ତାନ ମଧ୍ୟ ଏହି ପରି ବ୍ୟବହାର କରୁବୋଲି ଭାରତୀୟ ସଶସ୍ତ୍ରବଳ ଆଶା କରୁଛି ବୋଲି କହିଛନ୍ତ କ୍ୱିରେସୀ।
Also readhttps://purvapaksa.com/india-pakistan-stock-market-crash/