Morarji bhai Desai: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇ ଜଣେ ମହାନ ନେତା ଥିଲେ। ସେ ଏପରି ଜଣେ ନେତା ଥିଲେ ଯିଏ ଇନ୍ଦିରା ଗାନ୍ଧୀଙ୍କ ସହ କେବେ ମିଶିନଥିଲେ। ସେ ନିଜ ପରିସ୍ରା ପିଇବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ।
ସ୍ୱାଧିନତା ପରେ ଭାରତ ଅନେକ ପ୍ରଧାନମନ୍ତ୍ରୀଙ୍କୁ ଦେଖିଛି। ଆଉ ଏହିସବୁ ପ୍ରଧାନମନ୍ତ୍ରୀ ନିଜ ଗୁଣ ଅବଗୁଣ ପାଇଁ ନିଜ ସମୟରେ ଓ ପରେ ଚର୍ଚ୍ଚାରେ ଥିଲେ। କିଏ ନିଜକୁ ସଜାଇବାକୁ ପସନ୍ଦ କରୁଥିଲେ ତ’ କିଏ କବିତା ପଢ଼ି ବିରୋଧୀ ଓ ସମର୍ଥକଙ୍କୁ ହସାଇ ପାରୁଥିଲେ। ପୁଣି ଏମିତି ଜଣେ ପ୍ରଧାନମନ୍ତ୍ରୀ ଥିଲେ ଯିଏ ନିଜ ମୁତ୍ରପାନ କରୁଥିଲେ। ଆଉ ସ୍ୱମୁତ୍ରପାନର ଉପକାରିତା ବିଷୟରେ କହିବାରେ ହେଳା କରୁନଥିଲେ। ସ୍ୱମୁତ୍ରପାନ ବାବଦରେ ଯୁକ୍ତି କରୁଥିବା ସେହି ପ୍ରଧାନମନ୍ତ୍ରୀଙ୍କ ନାମ ଥିଲା ମୋରାରଜୀ ଦେଶାଇ। ଯାହାଙ୍କ ବାବଦରେ ଅପବାଦ ଥିଲା ଯେ, ସେ କ୍ଷମତାଲୋଭି ଓ ଜିଦଖୋର।
୪ ବର୍ଷରେ ଥରେ ପାଳୁଥିଲେ ଜନ୍ମଦିନ
୧୮୯୬ ମସିହା ଫେବୃଆରୀ ୨୯ ତାରିଖରେ ମୋରାରଜୀ ଜନ୍ମଗ୍ରହଣ କରିଥିଲେ। ମୋରାରଜୀ ୯୯ ବର୍ଷ ପର୍ଯ୍ୟନ୍ତ ଜୀବିତ ଥିଲେ। ମୋରାରଜୀ ପ୍ରତି ୪ ବର୍ଷରେ ଥରେ ନିଜର ଜନ୍ମଦିନ ପାଳନ କରୁଥିଲେ। କାରଣ ଫେବ୍ରୁଆରୀ ୨୯ କେବଳ ଲିପ୍ ଇୟରରେ ହିଁ ଆସୁଥିଲା। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ କନ୍ୟା ଇନ୍ଦିରା ଗାନ୍ଧୀଙ୍କ ସହିତ ମୋରାରଜୀଙ୍କର କେବେ ବି ପଡ଼ୁନଥିଲା। ମୋରାରଜୀ ସ୍ୱମୂତ୍ରପାନକୁ ସମର୍ଥନ କରୁଥିଲେ ଓ ତା’ର ଫାଇଦା ବିଷୟରେ ମଧ୍ୟ କହୁଥିଲେ। ଏହା ଦୀର୍ଘଜୀବନର ରହସ୍ୟ ବୋଲି ସେ କହୁଥିଲେ। ଏହି କାରଣରୁ ବୋଧହୁଏ ମୋରାରଜୀ ନିଜେ ୯୯ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରିଥିଲେ ବୋଲି କୁହାଯାଇଥାଏ।
ମୁତ୍ରପାନ କରୁଥିଲେ ମୋରାରଜୀ
ମୋରାରଜୀ କହୁଥିଲେ, ନିଜର ଚିକିତ୍ସା ଖର୍ଚ୍ଚ ଉଠାଇବାକୁ ଅକ୍ଷମ ଥିବା ଲକ୍ଷ ଲକ୍ଷ ଭାରତୀୟଙ୍କ ପାଇଁ ସ୍ବ-ମୂତ୍ରପାନ ଏକ ସଠିକ୍ ଔଷଧର ମିଶ୍ରଣ। ମୋରାରଜୀଙ୍କ ଏହି ଯୁକ୍ତିର କୌଣସି ବୈଜ୍ଞାନିକ କାରଣ ନ ଥିଲା। ମାତ୍ର ସେ ୯୯ ବର୍ଷ ପର୍ଯ୍ୟନ୍ତ ଜୀବିତ ରହିପାରିଥିଲେ। ତେଣୁ ସ୍ୱମୂତ୍ରପାନ ମୋରାରଜୀଙ୍କ ଦୀର୍ଘ ଜୀବନର ସୂତ୍ର ବୋଲି ଅନେକ ଲୋକ କହୁଥିଲେ। ୧୯୭୭ରେ ଦେଶରେ ପ୍ରଥମ ଥର ଅଣକଂଗ୍ରେସ ସରକାର କ୍ଷମତାକୁ ଆସିଥିଲା ଓ ମୋରାରଜୀ ପ୍ରଧାନମନ୍ତ୍ରୀ ହୋଇଥିଲେ। ସେ ପ୍ରଥମ ଗୁଜରାଟୀ ପ୍ରଧାନମନ୍ତ୍ରୀ ଥିଲେ। ମାତ୍ର ସେ ଅଧିକ ସମୟ ଧରି ସେହି ପଦରେ ରହିପାରିନଥିଲେ, ସରକାର ଭାଙ୍ଗି ଯାଇଥିଲା। ଅନୁଶାସନ ଓ ସଚ୍ଚୋଟତା ସହ ମୋରାରଜୀ କେବେ ବି ବୁଝାମଣା କରୁନଥିଲେ। ସେଥିପାଇଁ ତାଙ୍କୁ କଠୋର ବୋଲି କୁହାଯାଉଥିଲା।
ବୟସ୍କ ପ୍ରଧାନମନ୍ତ୍ରୀ,ଯିଏ ମାତ୍ର ଏକ ବର୍ଷ ପାଇଁ କରିଥିଲେ ଶାସନ
୮୧ ବର୍ଷ ବୟସରେ ସେ ଭାରତର ଚତୁର୍ଥ ପ୍ରଧାନମନ୍ତ୍ରୀ ଥିଲେ। ୧୯୯୫ ମସିହା ଏପ୍ରିଲ ୧୦ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା। ସବୁଠାରୁ ଅଧିକ ବୟସରେ ପ୍ରଧାନମନ୍ତ୍ରୀ ଆସନରେ ବସିବାରେ ସେ ଥିଲେ ଦେଶର ପ୍ରଥମ ଓ ଏକମାତ୍ର ବ୍ୟକ୍ତି। ଏହା ପୂର୍ବରୁ ନେହରୁଙ୍କ ପରଲୋକ ପରେ ସେ ପ୍ରଧାନମନ୍ତ୍ରୀ ହେବାକୁ ଦୁଇଥର ପ୍ରୟାସ କରିଥିଲେ, ମାତ୍ର ଅସଫଳ ହୋଇଥିଲେ। ମୋରାରଜୀ ଜଣେ ଦକ୍ଷ ନେତା ଥିଲେ। ନେହରୁଙ୍କ ପରଲୋକ ପରେ ପ୍ରଧାନମନ୍ତ୍ରୀ ପଦ ପାଇଁ ସେ ସବୁଠାରୁ ବଡ଼ ଦାବିଦାର ଥିଲେ। ମାତ୍ର ସେ ସମୟରେ ଲାଲ ବାହାଦୁର ଶାସ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ କରାଯାଇଥିଲା। ଶାସ୍ତ୍ରୀଙ୍କ ବିୟୋଗ ପରେ ମୋରାରଜୀ ପ୍ରଧାନମନ୍ତ୍ରୀ ହେବେ ବୋଲି କୁହାଯାଉଥିଲା। ମାତ୍ର ଏପରି ହୋଇନଥିଲା, ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ହୋଇଥିଲେ। ଇନ୍ଦିରାଙ୍କ ସମୟରେ ଜରୁରୀକାଳୀନ ପରିସ୍ଥିତିରେ ମୋରାରଜୀଙ୍କୁ ଜେଲ ଯିବାକୁ ପଡ଼ିଥିଲା। ୧୯୭୭ ମସିହା ମାର୍ଚ୍ଚରେ ଜରୁରୀକାଳୀନ ପରିସ୍ଥିତି ଉଠିବା ପରେ ହୋଇଥିବା ସାଧାରଣ ନିର୍ବାଚନରେ ଜନତା ପାର୍ଟି ବିଜୟ ହାସଲ କରିଥିଲା। ମୋରାରଜୀ ପ୍ରଧାନମନ୍ତ୍ରୀ ହୋଇଥିଲେ, ମାତ୍ର ଚୌଧରୀ ଚରଣ ସିଂହଙ୍କ ସହ ମତଭେଦ କାରଣରୁ ସେ ଏକ ବର୍ଷ ପ୍ରଧାନମନ୍ତ୍ରୀ ପଦରେ ରହିପାରିଥିଲେ।
ପିତାଙ୍କ ମୃତ୍ୟୁର ତୃତୀୟ ଦିନରେ ବିବାହ
ମୋରାରଜୀଙ୍କ ପିତା ରଣଛୋଡ଼ଜୀ ଦେସାଇ ଭାବନଗର (ସୌରାଷ୍ଟ୍ର)ରେ ଏକ ସ୍କୁଲରେ ଅଧ୍ୟାପକ ଥିଲେ। ଅବସାଦ କାରଣରୁ ମୋରାରଜୀଙ୍କ ପିତା କୂଅକୁ ଡେଇଁ ଆତ୍ମହତ୍ୟା କରିଥିଲେ। ପିତାଙ୍କ ମୃତ୍ୟୁର ତୃତୀୟ ଦିନ ମୋରାରଜୀ ବିବାହ କରିଥିଲେ। ପିତାଙ୍କ ପାଇଁ ତାଙ୍କ ମନରେ ବହୁତ ସମ୍ମାନ ରହିଥିଲା। ମୁମ୍ବାଇର ଏଲଫିଙ୍ଗଷ୍ଟନ କଲେଜରେ ମୋରାରଜୀ ଶିକ୍ଷା ଗ୍ରହଣ କରିଥିଲେ। ସେ ସମୟରେ ଉକ୍ତ ଶିକ୍ଷାନୁଷ୍ଠାନ ଖୁବ ମହଙ୍ଗା ଓ ଖର୍ଚ୍ଚାନ୍ତଭାବେ ଜଣାଶୁଣା ଥିଲା। ପିଲାବେଳେ ସେ କ୍ରିକେଟ ବହୁତ ଦେଖୁଥିଲେ, ମାତ୍ର କେବେ ଖେଳିନଥିଲେ। ଇଂରେଜ ଶାସନ ସମୟରେ ମୋରାରଜୀ ଉପ-ଜିଲ୍ଲାଧୀଶ ହୋଇଥିଲେ, ମାତ୍ର ୧୯୩୦ରେ ବ୍ରିଟିଶ ସରକାରର ଚାକିରି ଛାଡ଼ିଦେଇ ସ୍ୱାଧିନତା ସଂଗ୍ରାମରେ ସାମିଲ ହୋଇଥିଲେ। ସେ ବମ୍ବେ ରାଜ୍ୟର କଂଗ୍ରେସ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିଲେ। ମୋରାରଜୀ ବହୁତ ଜିଦଖୋର ବୋଲି ଧାରଣା ଥିଲା। ଏଭଳି ଜଣେ ବ୍ୟକ୍ତିତ୍ୱଙ୍କ ବିଷୟରେ ଗୁଜରାଟର ସମ୍ବାଦପତ୍ରଗୁଡ଼ିକରେ ବ୍ୟଙ୍ଗ ମଧ୍ୟ ପ୍ରକାଶ ପାଉଥିଲା।
ଇନ୍ଦିରାଙ୍କ ସହ ତିକ୍ତ ସମ୍ପର୍କ
୧୯୫୨ରେ ମୋରାରଜୀ ବମ୍ବେର ମୁଖ୍ୟମନ୍ତ୍ରୀ ହୋଇଥିଲେ। ୧୯୬୭ରେ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବା ପରେ ମୋରାରଜୀଙ୍କୁ ଉପ-ପ୍ରଧାନମନ୍ତ୍ରୀ କରାଯାଇଥିଲା। ମାତ୍ର ସେ ସିନିୟର ହୋଇଥିଲେ ବି ଇନ୍ଦିରାଙ୍କୁ କାହିଁକି ପ୍ରଧାନମନ୍ତ୍ରୀ କରାଗଲା, ସେନେଇ ମୋରାରଜୀ ଅସନ୍ତୁଷ୍ଟ ଥିଲେ। ଇନ୍ଦିରାଙ୍କ ସହ ମୋରାରଜୀଙ୍କର କେବେ ବି ପଡ଼ୁନଥିଲା। ଇନ୍ଦିରାଙ୍କ କାମରେ ମୋରାରଜୀ ସର୍ବାଦା ବାଧା ସୃଷ୍ଟି କରୁଥିଲେ। ମୋରାରଜୀ ତାଙ୍କର କାମରେ ସମସ୍ୟା ସୃଷ୍ଟି କରୁଥିବା ଜାଣିବା ପରେ ଇନ୍ଦିରା ତାଙ୍କ ଚେର କାଟିବା ଆରମ୍ଭ କରିଦେଇଥିଲେ। ୧୯୬୯ ମସିହା ନଭେମ୍ବରରେ କଂଗ୍ରେସର ବିଭାଜନ ଘଟିଥିଲା ଓ ଇନ୍ଦିରା ନୂଆ କଂଗ୍ରେସ ଗଠନ କରିଥିଲେ। ସେ ସମୟରେ ମୋରାରଜୀ ଇନ୍ଦିରାଙ୍କ ବିରୋଧୀ ଗୋଷ୍ଠୀଙ୍କ କଂଗ୍ରେସ-ଓ ପାର୍ଟିରେ ରହିଥିଲେ।
ପ୍ରଧାନମନ୍ତ୍ରୀଭାବେ ୯ ରାଜ୍ୟ ସରକାର ଭାଙ୍ଗିଥିଲେ
୧୯୭୫ରେ ମୋରାରଜୀ ଜନତା ପାର୍ଟିରେ ସାମିଲ ହୋଇଥିଲେ। ୧୭୭୭ ମାର୍ଚ୍ଚରେ ଲୋକସଭା ନିର୍ବାଚନରେ ଜନତା ପାର୍ଟି ସ୍ପଷ୍ଟ ବହୁମତ ହାସଲ କରିଥିଲେ ବି ମୋରାରଜୀ ପ୍ରଧାନମନ୍ତ୍ରୀ ହେବା ଏତେ ସହଜ ନ ଥିଲା। କାରଣ ଚୌଧରୀ ଚରଣ ସିଂହ ଓ ଜଗଜୀବନ ରାମ ମଧ୍ୟ ଉକ୍ତ ପଦ ପାଇଁ ଦାବିଦାର ଥିଲେ। ଏପରି ସ୍ଥିତିରେ ଜୟପ୍ରକାଶ ନାରାୟଣଙ୍କ ସମର୍ଥନ କାମରେ ଆସିଥିଲା ଓ ମୋରାରଜୀ ପ୍ରଧାନମନ୍ତ୍ରୀ ହୋଇଥିଲେ।
ପ୍ରଧାନମନ୍ତ୍ରୀ ହେବା ପରେ ମୋରାରଜୀ ଦେଶର ୯ଟି ରାଜ୍ୟରେ କଂଗ୍ରେସ ଶାସିତ ସରକାରକୁ ଭଙ୍ଗ କରିଦେଇଥିଲେ। ରାଜ୍ୟମାନଙ୍କରେ ନୂଆ ନିର୍ବାଚନ କରାଯିବା ନେଇ ଘୋଷଣା କରିଥିଲେ। ତାଙ୍କର ଏହି ପଦେକ୍ଷପକୁ ନେଇ ବହୁ ଆଲୋଚନା ହୋଇଥିଲା। ମୋରାରଜୀଙ୍କ ଶାସନ ସମୟରେ ଦେଶରେ କ୍ରମାଗତ ଅବ୍ୟବସ୍ଥା ସବୁ ଦେଖିବାକୁ ମିଳିଥିଲା। ବାସ୍ତବରେ ଜନତା ପାର୍ଟି ଏକ ଖେଚୁଡ଼ି ସରକାର ଥିଲା, ଯେଉଁଥିରେ କି ଭିନ୍ନ ଭିନ୍ନ ବିଚାରଧାରାର ନେତାମାନେ ମନ୍ତ୍ରୀ ହୋଇଥିଲେ। ସରକାର ଅନୁସାରେ ନୁହେଁ, ବରଂ ସମସ୍ତ ନିଜ ନିଜ ତରିକାରେ କାମ କରୁଥୁଲେ।
ମୋରାରଜୀଙ୍କ ପ୍ରଧାନମନ୍ତ୍ରୀ କାର୍ଯ୍ୟକାଳ ବେଶ ଚ୍ୟାଲେଞ୍ଜପୂର୍ଣ୍ଣ ଥିଲା। ୧୯୭୯ରେ ଅର୍ଦ୍ଧସାମରିକ ବଳ ବିଦ୍ରୋହ କରିଥିଲା, ତାହାକୁ ନିୟନ୍ତ୍ରର କରିବା ପାଇଁ ବହୁ ସମୟ ଲାଗିଥିଲା। ୧୯୭୮-୭୯ରେ ଅନେକ ରାଜ୍ୟରେ ଶୁଷ୍କ ଦେଖିବାକୁ ମିଳିଥିଲା। ଅକାଳ ସ୍ଥିତି ସୃଷ୍ଟି ହେବା ସହ ମହଙ୍ଗା ବଢ଼ିଯାଇଥିଲା ଓ କିରାସିନୀ ତେଲ ମଧ୍ୟ ଗରିବ ଜନତାଙ୍କ ପାଇଁ ସ୍ୱପ୍ନ ପାଲଟି ଯାଇଥିଲା। କୌଣସି ମନ୍ତ୍ରୀଙ୍କ ଉପରେ ମୋରାରଜୀଙ୍କ ଜୋର ରହିନଥିଲା। ୧୯୭୯ ମସିହା ଜୁଲାଇ ୧୫ରେ ମୋରାରଜୀ ସରକାର ବହୁମତ ହରାଇଥିଲା, ତେଣୁ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। ତାଙ୍କୁ ଗାନ୍ଧୀବାଦୀ ନୀତିର ପରମ ସମର୍ଥକ କୁହାଯାଉଥିଲା। ସେ ଯେଉଁ ନିଷ୍ପତ୍ତି ଗ୍ରହଣ କରୁଥିଲେ, ତାହାକୁ ଜାରି ରଖୁଥିଲେ। ତେବେ ଏହି ସଚ୍ଚୋଟ ନେତା ଜଣଙ୍କ କୌଣସି ପରିସ୍ଥିତିରେ ବି ସାଲିସ କରିପାରିନଥିଲେ।
ଶହେ ବର୍ଷ ବଞ୍ଚିବାକୁ ଇଛା ଥିଲା କିନ୍ତୁ…
ମୋରାରଜୀ ’ସ୍ୱ-ମୂତ୍ରପାନ’କୁ ସ୍ବାସ୍ଥ୍ୟର ଦୃଷ୍ଟି ସମସ୍ୟା ପାଇଁ ଉତ୍ତମ ଔଷଧ ବୋଲି କହୁଥିଲେ। ’ଶିବାଙ୍ଗୁ’ ଅର୍ଥାତ ସ୍ୱ-ମୂତ୍ରପାନ ସମ୍ବନ୍ଧରେ ସେ ସାର୍ବାଜନିକ ଭାବେ ସ୍ୱୀକାର କରିଥିଲେ। ଭୋଜନରେ ଅଳ୍ପ କ୍ଷୀର, ମୌସୁମୀ ଫଳର ରସ ଓ ଡ୍ରାଏ ଫ୍ରୁଟସ ନେଉଥିଲେ। ସ୍ୱ-ମୂତ୍ରପାନ ତାଙ୍କର ଦୀର୍ଘ ଜୀବନର ରହସ୍ୟ ଓ ସେ ଏହାକୁ କ୍ରମାଗତଭାବେ କରିଥାନ୍ତି ବୋଲି ଏକ ସାକ୍ଷାତକାରରେ ମୋରାରଜୀ କହିଥିଲେ। ରାତିରେ ଅନିଦ୍ରା ରହିବାକୁ ମୋରାରଜୀ ପସନ୍ଦ କରୁନଥିଲେ। ପ୍ରଧାନମନ୍ତ୍ରୀ ଥିବା ସମୟରେ ସେ ଏହି ପ୍ରକ୍ରିୟା ଜାରି ରଖିଥିଲେ। ସେ ୧୦୦ ବର୍ଷ ବଞ୍ଚିବାକୁ ଚାହୁଁଥିଲେ, ମାତ୍ର ୯୯ ବର୍ଷ ଓ କିଛିମାସ ହେବା ପରେ ୧୯୯୫ରେ ତାଙ୍କର ମୃତ୍ୟୁ ଘଟିଥିଲା। ଏକମାତ୍ର ଭାରତୀୟ ପ୍ରଧାନମନ୍ତ୍ରୀଭାବେ ମୋରାରଜୀଙ୍କୁ ଭାରତ ସରକାରଙ୍କ ତରଫରୁ ’ଭାରତ ରତ୍ନ’ ତଥା ପାକିସ୍ତାନ ତରଫରୁ ’ତହରୀକ-ଏ-ପାକିସ୍ତାନ’ର ସର୍ବଶ୍ରେଷ୍ଠ ନାଗରିକ ସମ୍ମାନ ପ୍ରାପ୍ତ ହୋଇଥିଲା।
ପୁଅ ପାଇଁ ହୋଇଥିଲେ ବଦନାମ
ମୋରାରଜୀଙ୍କୁ ଜଣେ ସଚ୍ଚୋଟ ନେତା ବୋଲି କୁହାଯାଉଥିଲା, ମାତ୍ର ତାଙ୍କର ପୁତ୍ର ତଥା ଉଦ୍ୟୋଗପତି କାନ୍ତି ଦେଶାଈଙ୍କ ଉପରେ ଜରୁରୀ ଫାଇଦା ନେବାର ଅଭିଯୋଗ ଆସିଥିଲା। ପିତା ପ୍ରଧାନମନ୍ତ୍ରୀ ହେବା ପରେ କାନ୍ତି ପିଏମ ହାଉସରେ ରହି ଅନେକ ଡିଲ କରିଥିବା କୁହାଯାଇଥିଲା। ପୂର୍ବତନ ଭାରତୀୟ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖର ଖୋଲାଖୋଲିଭାବେ ଏପରି ଅଭିଯୋଗ ଲଗାଇଥିଲେ।
ରୋହିତଙ୍କୁ ମୋଟା କହି ଟ୍ରୋଲ୍ ହେଉଛନ୍ତି କଂଗ୍ରେସ ନେତା,ବିଜେପି ରାହୁଲଙ୍କ ‘କ୍ୟାପ୍ଟେନ୍ସି’ ଉପରେ ଉଠାଇଲା ପ୍ରଶ୍ନ
