ବିଂଶ ଶତାବ୍ଦୀର ଆରମ୍ଭରେ ମୋଟର କାର ଭାରତକୁ ଆସିବା ଆରମ୍ଭ ହୋଇଥିଲା। ରାଜା, ନବାବ ଏବଂଇଂରେଜ ଅଧିକାରୀମାନଙ୍କ ବ୍ୟତୀତ ବଡ଼ ବ୍ୟବସାୟୀମାନେ ମଧ୍ୟ ସେଗୁଡ଼ିକୁ କିଣୁଥିଲେ। ସେହି ସମୟରେ ମୁମ୍ବାଇରେ ପ୍ରଥମ ପେଟ୍ରୋଲ ପମ୍ପ ଖୋଲା ଯାଇଥିଲା। ଏବେ ତ ପ୍ରତ୍ୟେକ ସହରରେ ଅନେକ ପେଟ୍ରୋଲ ପମ୍ପ ମିଳିଯାଏ। ଯେଉଁଠାରେ ତେଲ ନେବା ପାଇଁ ଗାଡ଼ିଗୁଡ଼ିକର ଧାଡ଼ି ଲାଗିଥାଏ। ଏହି ପେଟ୍ରୋଲ ପମ୍ପଗୁଡ଼ିକରେ ଅନେକ ସ୍ୱୟଂଚାଳିତ ପମ୍ପ ଥାଏ। ତେୂବେ ଆପଣ ଜାଣନ୍ତି କି ଭାରତର ପ୍ରଥମ ପେଟ୍ରୋଲ ପମ୍ପ କେବେ ଓ କିପରି ଖୋଲା ଯାଇଥିଲା।
ଭାରତର ପ୍ରଥମ ପେଟ୍ରୋଲ ପମ୍ପ ମୁମ୍ବାଇ (ସେତେବେଳେ ବମ୍ବେ)ରେ ବିଶ ଶତାବ୍ଦୀର ତୃତୀୟ ଦଶକର ଆରମ୍ଭରେ ଖୋଲା ଯାଇଥିଲା। ଏହାକୁ ବର୍ମା ଶେଲ (ପରେ ଭାରତ ପେଟ୍ରୋଲିୟମ) ଆରମ୍ଭ କରିଥିଲା। ପ୍ରଥମ ପେଟ୍ରୋଲ ପମ୍ପ ୧୯୨୮ ରେ ମୁମ୍ବାଇର ହ୍ୟୁଜେସ ରୋଡ଼ (ଏବେ ଆନ୍ନୀ ବେସେଣ୍ଟ ରୋଡ଼, ଓ୍ଵର୍ଲି)ରେ ସ୍ଥାପନ କରାଯାଇଥିଲା। ଏହାକୁ ବର୍ମା ଶେଲ ଷ୍ଟେସନ କୁହାଯାଇଥିଲା।ସେତେବେଳେ ପ୍ରାରମ୍ଭିକ ପେଟ୍ରୋଲ ପମ୍ପଗୁଡ଼ିକ ବହୁତ ଛୋଟ ଥିଲେ। ଏହି ପ୍ରଥମ ପମ୍ପରେ କେବଳ ଦୁଇଟି ହାତରେ ଚାଳିତ ଡିସପେନସର ଥିଲା। ଦୈନିକ ମାତ୍ର କିଛି ଶହ ଲିଟର ଏହି ପମ୍ପରୁ ବିକ୍ରି ହେଉଥିଲା, କାରଣ ସେହି ସମୟରେ ମୋଟର ଗାଡ଼ିର ସଂଖ୍ୟା ବହୁତ ସୀମିତ ଥିଲା। ମୋଟାମୋଟି ଭାବେ ଏହି ପେଟ୍ରୋଲ ପମ୍ପର କ୍ଷମତା ୨୦୦-୩୦୦ ଗାଲନ (ପ୍ରାୟ ୯୦୦-୧୨୦୦ ଲିଟର) ଷ୍ଟୋରେଜ ଟାଙ୍କିରେ ଥିଲା।
ପେଟ୍ରୋଲ କିପରି ଆସୁଥିଲା?
ସେହି ସମୟରେ ଭାରତରେ କୌଣସି ରିଫାଇନାରୀ ନଥିଲା। ପେଟ୍ରୋଲ ସିଧା ବିଦେଶ (ମୁଖ୍ୟତଃ ବର୍ମା, ଇରାନ ଓ ପଶ୍ଚିମ ଏସିଆ)ରୁ ଜାହାଜ ମାଧ୍ୟମରେ ମୁମ୍ବାଇ ବନ୍ଦରକୁ ଆସୁଥିଲା। ଏହାକୁ ବଡ଼ ୪୦ ଗାଲନର ଟିଣ ଡ୍ରମ (କଣ୍ଟେନର)ରେ ଭର୍ତ୍ତି କରି ଆଣାଯାଉଥିଲା। ଏହି ଡ୍ରମଗୁଡ଼ିକୁ ଟ୍ରକ/ଶଗଡ଼ ମାଧ୍ୟମରେ ପମ୍ପ ପର୍ଯ୍ୟନ୍ତ ପହଞ୍ଚାଯାଉଥିଲା। ପମ୍ପରେ ଏହି ଡ୍ରମଗୁଡ଼ିକ ଉପରେ ହ୍ୟାଣ୍ଡ ପମ୍ପ ଲଗାଇ ପେଟ୍ରୋଲ ଗାଡ଼ିରେ ପକାଯାଉଥିଲା।
ଅର୍ଥାତ୍, ଭାରତର ପ୍ରଥମ ପେଟ୍ରୋଲ ପମ୍ପ ଏକ ପ୍ରକାର ହ୍ୟାଣ୍ଡ ପମ୍ପ ଓ ଡ୍ରମ ସିଷ୍ଟମ ଉପରେ ଆଧାରିତ ଛୋଟ ଷ୍ଟେସନ ଥିଲା, ଯାହା ମୁମ୍ବାଇରେ କାର ଓ ଟ୍ୟାକ୍ସିର ପ୍ରାରମ୍ଭିକ ସମୟ ପାଇଁ ନିର୍ମିତ ହୋଇଥିଲା।
ସେତେବେଳେ ପେଟ୍ରୋଲର ଦାମ କେତେ ଥିଲା ଓ ମୁମ୍ବାଇରେ କେତେ ଗାଡ଼ି ଥିଲା?
ଭାରତରେ ଯେତେବେଳେ ପ୍ରଥମ ପେଟ୍ରୋଲ ପମ୍ପ ଖୋଲା ଯାଇଥିଲା, ସେତେବେଳେ ପେଟ୍ରୋଲର ଦାମ ଓ ଗାଡ଼ିର ସଂଖ୍ୟା ଆଜି ତୁଳନାରେ ବହୁତ ଭିନ୍ନ ଥିଲା। ସେତେବେଳେ ପେଟ୍ରୋଲର ଦାମ ୧ ଅଣା (ପ୍ରାୟ ୬ ପଇସା)ରୁ ୨ ଅଣା (୧୨ ପଇସା) ପ୍ରତି ଲିଟର ମଧ୍ୟରେ ଥିଲା। ଏହି ଦାମ ସେହି ସମୟରେ ବହୁତ ମହଙ୍ଗା ମନେ ହେଉଥିଲା, କାରଣ ସାଧାରଣ ଲୋକଙ୍କର ଦୈନିକ ଆୟ ୧ ଟଙ୍କାରୁ ମଧ୍ୟ କମ ଥିଲା। ମଜାର କଥା ହେଲା ସେତେବେଳେ ପେଟ୍ରୋଲ ଟ୍ୟାକ୍ସ ମଧ୍ୟ ବହୁତ କମ ଥିଲା। କାରଗୁଡ଼ିକ ବହୁତ କମ ଥିଲା। ସରକାରଙ୍କୁ ସେଗୁଡ଼ିକରୁ ବଡ଼ ରାଜସ୍ୱର ଆଶା ନଥିଲା।
ମୁମ୍ବାଇରେ ସେତେବେଳେ କେତେ ଗାଡ଼ି ଥିଲା?
୧୯୨୮ ସମୟରେ ମୁମ୍ବାଇ (ସେତେବେଳେ ବମ୍ବେ) ସମଗ୍ର ଭାରତର ସବୁଠାରୁ ବଡ଼ ଅଟୋମୋବାଇଲ ହବ ଥିଲା। ୧୯୨୦ ଦଶକର ଶେଷ ସୁଦ୍ଧା ସମଗ୍ର ଭାରତରେ ପ୍ରାୟ ୧୫-୨୦ ହଜାର କାର ଥିଲା। ଏଥିରୁ ପ୍ରାୟ ୬-୭ ହଜାର ଗାଡ଼ି ଏକାକୀ ମୁମ୍ବାଇରେ ଥିଲା। ବାକି ଦିଲ୍ଲୀ, କଲିକତା (ଏବେ କୋଲକାତା), ମଦ୍ରାସ (ଏବେ ଚେନ୍ନାଇ) ଏବଂ ଗଡ଼ଜାତ ସହରଗୁଡ଼ିକରେ ଥିଲା। ସେତେବେଳେ ମୁମ୍ବାଇରେ ସବୁଠାରୁ ଅଧିକ ଟ୍ୟାକ୍ସି (ଫିଆଟ ଓ ଡଜ ଭଳି ଗାଡ଼ି) ଚାଲୁଥିଲା।
ଭାରତର ପ୍ରଥମ ପେଟ୍ରୋଲ ପମ୍ପ ଆଜି ମଧ୍ୟ ଅଛି କି?
ସେହି ସମୟର ପେଟ୍ରୋଲ ଷ୍ଟେସନ ଏବେ ଆଉ ନାହିଁ। ୧୯୨୮ ରେ ଲେମିଙ୍ଗଟନ ରୋଡ଼ରେ ଆରମ୍ଭ ହୋଇଥିବା ଏହି ଷ୍ଟେସନ ପରେ ଚର୍ନି ରୋଡ଼ ଇଷ୍ଟ ନିକଟରେ ଓପେରା ହାଉସ ପାଖକୁ ଚାଲିଯାଇଥିଲା।
ପ୍ରଥମ ପେଟ୍ରୋଲ ପମ୍ପ ଖୋଲିବା ସମୟରେ କେଉଁ ଅସୁବିଧା ଥିଲା?
ଭାରତରେ ସେହି ସମୟରେ ଗାଡ଼ି ବହୁତ କମ ଥିଲା । ଏପରି ସ୍ଥିତିରେ କମ୍ପାନୀମାନେ ଭୟ କରୁଥିଲେ ଯେ ପେଟ୍ରୋଲ ପମ୍ପ ଚାଲି ପାରିବ କି ନାହିଁ । ପେଟ୍ରୋଲର ଯୋଗାଣରେ ଅସୁବିଧା ଥିଲା ସେତେବେଳେ ଭାରତରେ କୌଣସି ରିଫାଇନାରୀ ନଥିଲା । ବର୍ଷାରେ ଡ୍ରମଗୁଡ଼ିକ ଓଦା ହୋଇ କଳଙ୍କି ଯାଉଥିଲା ଓ ପେଟ୍ରୋଲ ଲିକ୍ ହେଉଥିଲା, ଏହା ଏକ ବଡ଼ ସମସ୍ୟା ଥିଲା ସରକାରୀ ନିୟମର ଅଭାବ ଥିଲା । ପେଟ୍ରୋଲ ଜ୍ୱଳନଶୀଳ, କିନ୍ତୁ ସେହି ସମୟରେ କୌଣସି ନିର୍ଦ୍ଦିଷ୍ଟ ସୁରକ୍ଷା ମାନକ ନଥିଲା । ବ୍ୟବସାୟୀ ଶ୍ରେଣୀଙ୍କୁ ସନ୍ଦେହ ଥିଲା ଯେ ଏହାରେ ନିବେଶ କରି ଲାଭ ହେବ କି ନାହିଁ
କେଉଁ ଲୋକେ ପେଟ୍ରୋଲ ଭର୍ତ୍ତି କରିବାକୁ ଆସୁଥିଲେ?
ଧନୀ ପାରସୀ ଓ ଗୁଜରାଟୀ ବ୍ୟବସାୟୀ। ମୁମ୍ବାଇରେ ମୋଟର କାର ରଖୁଥିବା ପ୍ରଥମ ଧନୀ ପାରସୀ ଓ ଗୁଜରାଟୀ ବ୍ୟବସାୟୀ ପରିବାର ଥିଲେ। ସେମାନଙ୍କ କାର (ଫୋର୍ଡ, ଡଜ, ଫିଆଟ) ପେଟ୍ରୋଲ ପାଇଁ ଏଠାକୁ ଆସୁଥିଲା । ଇଂରେଜ ଆଇସିଏସ ଅଧିକାରୀ, ସେନାର ମେଜର ଓ ପୁଲିସ ଅଧିକାରୀମାନେ ମୋଟର କାର ବ୍ୟବହାର କରୁଥିଲେ ।
୧୯୧୧ ରେ ବମ୍ବେରେ ପ୍ରଥମ ମୋଟର ଟ୍ୟାକ୍ସି ସେବା ଆରମ୍ଭ ହୋଇଥିଲା। ପରେ ଏହା ବଢ଼ିବାକୁ ଲାଗିଲା। ଏହି ଟ୍ୟାକ୍ସି ଡ୍ରାଇଭରମାନେ ଏହି ପମ୍ପର ବଡ଼ ଗ୍ରାହକ ହୋଇଥିଲେ । ଯେତେବେଳେ ମୁମ୍ବାଇରେ କୌଣସି ମହାରାଜା କିମ୍ବା ନବାବ ଆସୁଥିଲେ, ସେମାନଙ୍କ କାରରେ ମଧ୍ୟ ପେଟ୍ରୋଲ ଏହି ପମ୍ପରୁ ଭରାଯାଉଥିଲା
ଆରମ୍ଭରେ ଟ୍ୟାକ୍ସିରେ ବସିବାକୁ ଲୋକେ ଡରୁଥିଲେ
ମୁମ୍ବାଇରେ ଇଂଲଣ୍ଡରୁ ଆମଦାନୀ କରାଯାଇଥିବା ଫିଆଟ ଓ ଡଜ କାରଗୁଡ଼ିକୁ ଟ୍ୟାକ୍ସିରେ ବଦଳାଯାଇଥିଲା । ଭଡ଼ା ସେତେବେଳେ ୨ ଅଣା ପ୍ରତି ମାଇଲ ଥିଲା । ଲୋକେ ସେତେବେଳେ ଟ୍ୟାକ୍ସିକୁ “ଧନୀମାନଙ୍କର ତାଙ୍ଗା”ବୋଲି କହୁଥିଲେ । ଆରମ୍ଭରେ ଲୋକେ ଟ୍ୟାକ୍ସିରେ ବସିବାକୁ ଡରୁଥିଲେ ।
ପାରସୀ ଡ୍ରାଇଭରଙ୍କର ଦବଦବା
ମୁମ୍ବାଇରେ ଟ୍ୟାକ୍ସି ଡ୍ରାଇଭରଙ୍କର ପ୍ରଥମ ବଡ଼ ସମୁଦାୟ ପାରସୀ ଥିଲେ । ସେମାନେ ନିଜ ଟ୍ୟାକ୍ସିଗୁଡ଼ିକୁ ଚମକାଇ ରଖୁଥିଲେ ଓ ଗ୍ରାହକଙ୍କ ସହ “ସାହେବ” କହି କଥା ହେଉଥିଲେ
କୁହାଯାଉଥିଲା ଯେ ଯଦି କାହାକୁ ବମ୍ବେରେ ଗଭୀର ରାତି ପର୍ଯ୍ୟନ୍ତ ଘୂରିବାକୁ ହୁଏ, ତେବେ ସବୁଠାରୁ ଭରସାଯୋଗ୍ୟ ସବାରୀ ପାରସୀ ଟ୍ୟାକ୍ସି ଥିଲା
ମହାରାଜାମାନଙ୍କର ଶୌକ
ସେହି ସମୟରେ ଯେତେବେଳେ ପେଟ୍ରୋଲ ପମ୍ପ ଖୋଲା ଯାଇଥିଲା, ମୁମ୍ବାଇରେ ଅନେକ ମହାରାଜା ନିଜର ଚମକଦାର କାର ସହ ଆସୁଥିଲେ । ସବୁଠାରୁ ପ୍ରସିଦ୍ଧ କାହାଣୀ ଜୁନାଗଡ଼ର ନବାବଙ୍କର, ଯାହାଙ୍କ କାରରେ ପେଟ୍ରୋଲ ଭର୍ତ୍ତି ହେବା ସମୟରେ ସମଗ୍ର ଅଞ୍ଚଳ ତାମାସା ଦେଖିବାକୁ ଆସୁଥିଲା । ୧୯୩୦ ଦଶକରେ ମୁମ୍ବାଇରେ ଅନେକ ମହାରାଜାଙ୍କର ରୋଲସ ରୟସ ଗାଡ଼ି ଆସୁଥିଲା। ଏଗୁଡ଼ିକରେ ପେଟ୍ରୋଲ ଭର୍ତ୍ତି ହେବା ସମୟରେ ପିଲା ଓ ରାସ୍ତାଘାଟରେ ଥିବା ଲୋକେ ଦୂରରୁ ଦେଖୁଥିଲେ । ବମ୍ବେର ଜଣେ ପେଟ୍ରୋଲ ଅଟେଣ୍ଡାଣ୍ଟ ମଜାରେ କହିଥିଲେ — “ଆମର ମେସିନ ଏତେ ଛୋଟ ଓ ଗାଡ଼ି ଏତେ ବଡ଼ ହୁଏ ଯେ ପେଟ୍ରୋଲ ପକାଇବା ସମୟରେ ମେସିନ ଥକି ଯାଏ।”
ସେତେବେଳେ ପେଟ୍ରୋଲକୁ ନେଇ ଅନେକ ଜୋକ୍ ମଧ୍ୟ ଶୁଣିବାକୁ ମିଳୁଥିଲା । ଗୋଟିଏ ପ୍ରସିଦ୍ଧ ଜୋକ୍ ହେଉଛି,ଏକଦା ଜଣେ ଇଂରେଜ ସାହେବ ନିଜ ଗାଡ଼ିରେ ପେଟ୍ରୋଲ ଭରିବାକୁ ଆସି ଟାଙ୍କିର କର୍ମଚାରୀଙ୍କୁ ପଚାରିଥିଲେ,ତମ ପେଟ୍ରୋଲ ତାଜା ଅଛି ତ’ ?ଉତ୍ତରରେ କର୍ମଚାରୀ କହିଥିଲେ, “ସାହେବ, ପେଟ୍ରୋଲ ତ ଗତକାଲି ଜାହାଜରୁ ଓହ୍ଲାଇଛି, ଏହାଠାରୁ ଅଧିକ ତାଜା ଆଉ କ’ଣ ହେବ?”
ALSO READ https://purvapaksa.com/ujjain-mahakal-shivling-bhang-shringar-fell/
