ଭାରତୀୟ ସଂସଦୀୟ ଗଣତନ୍ତ୍ରର ଇତିହାସରେ ଏବେ ଏକ ବିଚିତ୍ର ସ୍ଥିତି ଦେଖିବାକୁ ମିଳିଛି। ଲୋକସଭାର ଶୀତକାଳୀନ ଅଧିବେଶନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏତିକିବେଳେ ଗୃହର ବାତାବରଣ ଯେତିକି ଉଷ୍ମ ରହିବା କଥା, ବାସ୍ତବରେ ସେତିକି ଉତ୍ସାହହୀନ ମନେହେଉଛି। କାରଣ ହେଉଛି; ଗୃହ ଏବେ ‘ନେତା’ ଶୂନ୍ୟ। ଗୃହର ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ଉଭୟ ଏକା ସମୟରେ ଦେଶ ବାହାରେ। ଏହି ପରିସ୍ଥିତି କେବଳ ସଂସଦୀୟ କାର୍ଯ୍ୟଧାରାକୁ ପ୍ରଭାବିତ କରୁନାହିଁ, ବରଂ ନେତୃତ୍ୱର ଗଭୀରତା ଓ ସାମ୍ବିଧାନିକ ଦାୟିତ୍ୱବୋଧ ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏହା ନିଶ୍ଚୟ ରାଜନୈତିକ ଆକ୍ରମଣ, କିନ୍ତୁ ଏହି ଆକ୍ରମଣକୁ ଖଣ୍ଡନ କରିବା ପାଇଁ ରାହୁଲଙ୍କ ପାଖରେ ଦୃଢ଼ ଉପସ୍ଥିତି ଓ ସଂସଦୀୟ ନେତୃତ୍ୱ ହିଁ ସର୍ବୋତ୍ତମ ଉତ୍ତର ହୋଇପାରିଥାନ୍ତା।

ନେତୃତ୍ୱର ଅନୁପସ୍ଥିତି: ଏକ ଗୁରୁତର ସଙ୍କେତ
ସଂସଦୀୟ ଗଣତନ୍ତ୍ରରେ ଗୃହର ନେତା ଓ ବିରୋଧୀ ଦଳ ନେତାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯେତେବେଳେ ପ୍ରଧାନମନ୍ତ୍ରୀ ତିନିଦିନିଆ ବିଦେଶ ଗସ୍ତରେ ଥାନ୍ତି, ତାହା ପ୍ରଶାସନିକ ଓ କୂଟନୈତିକ ଆବଶ୍ୟକତା ହୋଇପାରେ। କିନ୍ତୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଜର୍ମାନୀ ଗସ୍ତ ଏବଂ କଂଗ୍ରେସର ‘ଦରିଆପାର ଅଧିବେଶନ’ରେ ଯୋଗଦେବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରଶ୍ନ ଉଠୁଛି, ଯେଉଁ ସମୟରେ ସଂସଦ ଚାଲିଛି, ସେହି ସମୟରେ କୌଣସି ଦଳୀୟ କାର୍ଯ୍ୟକ୍ରମ ପାଇଁ ଦେଶ ବାହାରକୁ ଯିବା କେତେଦୂର ଯଥାର୍ଥ? ବିଜେପି ପକ୍ଷରୁ ରାହୁଲଙ୍କୁ ‘ପର୍ଯ୍ୟଟନ ନେତା’ ବା ‘ବିଦେଶ ନାୟକ’ କହି ଆକ୍ଷେପ କରିବା ଏହି ଉଷ୍ମତାକୁ ଆହୁରି ବଢ଼ାଇ ଦେଇଛି।
ବିରୋଧୀ ଦଳ ନେତା: ଅପେକ୍ଷାରତ ପ୍ରଧାନମନ୍ତ୍ରୀ କି?
ଭାରତୀୟ ସଂସଦୀୟ ପରମ୍ପରାରେ ବିରୋଧୀ ଦଳ ନେତାଙ୍କୁ ‘ୱେଟିଂ ପିଏମ୍’ ବା ଅପେକ୍ଷାରତ ପ୍ରଧାନମନ୍ତ୍ରୀ ଭାବେ ସମ୍ମାନ ଦିଆଯାଏ। ଏହି ପରମ୍ପରା ଭାରତୀୟ ରାଜନୀତିରେ ଦୀର୍ଘ ଐତିହ୍ୟ ରଖିଛି। ଅତୀତରେ ନେହେରୁ–ଇନ୍ଦିରା ଗାନ୍ଧୀଠାରୁ ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡଭାନୀ, ମନମୋହନ ସିଂହଙ୍କ ପର୍ଯ୍ୟନ୍ତ- ବିରୋଧୀ ଦଳର ନେତାମାନେ ସଂସଦକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଆସିଛନ୍ତି।
କିନ୍ତୁ ରାହୁଲ ଗାନ୍ଧୀଙ୍କ କ୍ଷେତ୍ରରେ ଦେଖାଯାଉଛି ଯେ, ସେ ଗୁରୁତ୍ୱପୂର୍ଣ୍ଣ ସଂସଦୀୟ ମୁହୂର୍ତ୍ତରେ ଦେଶ ବାହାରେ ରହିବାକୁ ଶ୍ରେୟସ୍କର ମଣୁଛନ୍ତି। ଜଣେ ବିରୋଧୀ ଦଳ ନେତା ଭାବେ ସରକାରଙ୍କୁ ଘେରିବା ପାଇଁ ସଂସଦ ହେଉଛି ଶ୍ରେଷ୍ଠ ମଞ୍ଚ। କିନ୍ତୁ ଏହାର ଅଭାବରେ ବିରୋଧୀ ପକ୍ଷର ସ୍ୱର ଦୁର୍ବଳ ହେବା ସ୍ୱାଭାବିକ।
ପ୍ରିୟଙ୍କା ଗାନ୍ଧୀ: ବିରୋଧୀ ଶିବିରର ନୂଆ ମଙ୍ଗୁଆଳ
ରାହୁଲଙ୍କ ଅନୁପସ୍ଥିତିରେ ତାଙ୍କ ଭଉଣୀ ତଥା ୱାୟନାଡ୍ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଏବେ ସକ୍ରିୟ ଭୂମିକାରେ ଦେଖିବାକୁ ମିଳୁଛି। ପ୍ରଥମ ଥର ପାଇଁ ସେ ଲୋକସଭାରେ ବିରୋଧୀ ଦଳର ମୋର୍ଚ୍ଚା ସମ୍ଭାଳୁଛନ୍ତି। ମଙ୍ଗଳବାର ଦିନ ‘ଜି-ରାମ ଜି’ (G-RAM G) ବିଧେୟକ ଉପରେ ତାଙ୍କର ତୀକ୍ଷ୍ଣ ସମାଲୋଚନା ଏବଂ ପୂର୍ବରୁ ‘ବନ୍ଦେ ମାତରମ’ ଆଲୋଚନା ବେଳେ ତାଙ୍କର ଯୁକ୍ତି ଉପସ୍ଥାପନା ଦର୍ଶାଉଛି ଯେ, ସେ ଦଳକୁ ନେତୃତ୍ୱ ଦେବା ପାଇଁ ପ୍ରସ୍ତୁତ। ଗୃହ ଭିତରେ ଓ ବାହାରେ ତାଙ୍କର ଆକ୍ରମଣାତ୍ମକ ଆଭିମୁଖ୍ୟ କଂଗ୍ରେସ କ୍ୟାଡରଙ୍କ ମଧ୍ୟରେ ଉତ୍ସାହ ଭରିଛି ସତ, କିନ୍ତୁ ଏହା ରାହୁଲଙ୍କ ‘ଅଭାବ’କୁ ପୂରଣ କରିପାରିବ କି ନାହିଁ ତାହା ଦେଖିବାକୁ ବାକି ରହିଲା।

‘ହ୍ୱିପ୍’ ଏବଂ ରାହୁଲ: କାର୍ଯ୍ୟାନୁଷ୍ଠାନ ହେବ କି?
ବର୍ତ୍ତମାନର ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ହେଉଛି କଂଗ୍ରେସ ପକ୍ଷରୁ ଜାରି ହୋଇଥିବା ‘ହ୍ୱିପ୍’। ଦଳର ସମସ୍ତ ସାଂସଦଙ୍କ ପାଇଁ ଗୃହରେ ଉପସ୍ଥିତ ରହିବା ଅନିର୍ବାର୍ଯ୍ୟ ବୋଲି ନିର୍ଦ୍ଦେଶ ଦିଆଯାଇଛି। ତେବେ ଜଣେ ସାଂସଦ ଭାବେ ରାହୁଲଙ୍କ ପାଇଁ ମଧ୍ୟ ଏହି ନିୟମ ପ୍ରଯୁଜ୍ୟ। ଯଦି ସେ ଆଗାମୀ ତିନି ଦିନ ଅନୁପସ୍ଥିତ ରହନ୍ତି, ତେବେ କ’ଣ ତାଙ୍କ ବିରୁଦ୍ଧରେ ଦଳୀୟ ସ୍ତରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ?
ସୂତ୍ର ଅନୁଯାୟୀ, ରାହୁଲ ଗାନ୍ଧୀ ହ୍ୱିପ୍ ଜାରି ହେବା ପୂର୍ବରୁ ବିଦେଶ ଯାଇସାରିଥିଲେ ଏବଂ ଦଳର ସଂସଦୀୟ କାର୍ଯ୍ୟାଳୟକୁ ତାଙ୍କ ଯାତ୍ରା ବିଷୟରେ ପୂର୍ବରୁ ସୂଚନା ଦେଇଥିଲେ। ଏହି କାରଣରୁ ହ୍ୱିପ୍ ତାଙ୍କ ପାଇଁ ଲାଗୁ ହେବ ନାହିଁ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ପରମ୍ପରାଗତ ଭାବେ ମଧ୍ୟ ହ୍ୱିପ୍ ବ୍ୟବସ୍ଥାରେ କିଛି ବ୍ୟତିକ୍ରମ ରହିଛି- ଗୁରୁତର ଅସୁସ୍ଥତା କିମ୍ବା ପୂର୍ବ ସୂଚନା ସହିତ ଅନୁପସ୍ଥିତି ଏହାର ଉଦାହରଣ।
କିନ୍ତୁ ଏଠାରେ ଆଇନ ପ୍ରଶ୍ନଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ରାଜନୈତିକ ଓ ନୈତିକ ପ୍ରଶ୍ନ। ଗଣତନ୍ତ୍ର କେବଳ ନିୟମ–କାନୁନରେ ଚାଲେନାହିଁ, ଏହା ଚାଲେ ଆଚରଣ, ଦାୟିତ୍ୱ ଓ ପରମ୍ପରାରେ। ଶାସକ ପକ୍ଷ ଯଦି ସଂସଦକୁ ଅବହେଳା କରେ, ବିରୋଧୀ ପକ୍ଷର ଦାୟିତ୍ୱ ହେଉଛି ସେହି ଅବହେଳାକୁ ପ୍ରଶ୍ନ କରିବା। କିନ୍ତୁ ଯଦି ବିରୋଧୀ ନେତା ନିଜେ ମଞ୍ଚରେ ଉପସ୍ଥିତ ନାହାନ୍ତି, ତେବେ ସେହି ପ୍ରଶ୍ନର ଧାର ଜୋର ହୋଇଯାଏ।
ଆଜି ଲୋକସଭାରେ ଯାହା ଦେଖାଯାଉଛି, ତାହା କେବଳ ଦୁଇଜଣ ନେତାଙ୍କ ଅନୁପସ୍ଥିତିର କାହାଣୀ ନୁହେଁ। ଏହା ଏକ ଗଭୀର ସଙ୍କେତ- ଗଣତାନ୍ତ୍ରିକ ମଞ୍ଚ ଧୀରେ ଧୀରେ ନିଷ୍ପ୍ରଭ ହେଉଛି। ନେତୃତ୍ୱ ଯଦି ସଂସଦ ଠାରୁ ଦୂରେଇଯାଏ, ତେବେ ନୀତି ନିର୍ଦ୍ଧାରଣର ଶକ୍ତି ବ୍ୟୁରୋକ୍ରାସି ଓ ବନ୍ଦ ଦ୍ୱାରରେ ସୀମିତ ହୋଇଯାଏ।
ସେହିପରି, ‘ନେତା ଶୂନ୍ୟ ଲୋକସଭା’ କେବଳ ଏକ ଖବର ଶୀର୍ଷକ ନୁହେଁ- ଏହା ଏକ ସତର୍କ ସଙ୍କେତ। ଶାସକ ଓ ବିରୋଧୀ; ଉଭୟଙ୍କ ପାଇଁ ଏହା ଏକ ଆଇନା। ଗଣତନ୍ତ୍ରର ମର୍ଯ୍ୟାଦା ରକ୍ଷା କରିବାକୁ ହେଲେ, ସଂସଦକୁ ପୁନଃ କେନ୍ଦ୍ରବିନ୍ଦୁରେ ଆଣିବାକୁ ହେବ।
ଗଣତନ୍ତ୍ରରେ ସଂସଦ ହେଉଛି ଜନସାଧାରଣଙ୍କ ସ୍ୱର। ଯେତେବେଳେ ପ୍ରମୁଖ ନେତାମାନେ ଏହି ମନ୍ଦିରରୁ ଅନୁପସ୍ଥିତ ରହନ୍ତି, ସେତେବେଳେ ଜନମାନସରେ ନୈରାଶ୍ୟ ଖେଳିଯାଏ। ରାହୁଲ ଗାନ୍ଧୀଙ୍କ ପାଇଁ ଏହା ନିଶ୍ଚିତ ଭାବେ ଏକ ଆତ୍ମସମୀକ୍ଷାର ସମୟ। ବିଦେଶ ଗସ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପାରେ, କିନ୍ତୁ ସଂସଦୀୟ ଅଧିବେଶନ ସମୟରେ ନେତୃତ୍ୱ ପ୍ରଦାନ କରିବା ଏକ ବଡ଼ ଦାୟିତ୍ୱ। ଅନ୍ୟପଟେ ପ୍ରିୟଙ୍କାଙ୍କ ଆବିର୍ଭାବ ଦଳ ପାଇଁ ଏକ ସକାରାତ୍ମକ ସଙ୍କେତ ହୋଇଥିଲେ ମଧ୍ୟ, ଲୋକସଭା କେବଳ ପରିବାରବାଦ କିମ୍ବା ପ୍ରତିନିଧିତ୍ୱରେ ସୀମିତ ନ ରହି ‘ଉତ୍ତରଦାୟୀ’ ହେବା ଆବଶ୍ୟକ।
ସଂସଦର ଏହି ଖାଁ ଖାଁ ପରିବେଶ ଶୀଘ୍ର ଦୂର ହେଉ ଏବଂ ଦେଶର ସମସ୍ୟା ଉପରେ ପୁଣିଥରେ ତୀକ୍ଷ୍ଣ ବାଦ-ବିବାଦ ଆରମ୍ଭ ହେଉ। ନଚେତ୍, ଲୋକସଭା ଚାଲିଥିବା ସତ୍ତ୍ୱେ ଦେଶର ଗଣତନ୍ତ୍ର ‘ଖାଁ ଖାଁ’ ଶବ୍ଦରେ ମାତ୍ର ସୀମିତ ହୋଇଯିବ। ଏହା ହିଁ ଦେଶବାସୀଙ୍କ କାମନା।

