ପ୍ରଥମଥର ପାଇଁ ଭୁବନେଶ୍ୱର ବାହାରକୁ ଯାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ଦୁଃଖସୁଖ ବୁଝିବା ଘଟଣା ସାରାରାଜ୍ୟରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏ ଚର୍ଚ୍ଚା ଭିତରେ ଏକ ରାଜନୀତିକ ଘଟଣାବି ସାମ୍ନାକୁ ଆସିଛି। ତାହା ହେଉଛି ଧର୍ମେନ୍ଦ୍ରଙ୍କ ଶକ୍ତିଭେଦ। କାରଣ ସମାନ ସମୟରେ ସମ୍ବଲପୁରର ସାଂସଦ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଶ୍ଚିମାଞ୍ଚଳରେ ଥିଲେ ବି ତାଙ୍କୁ ସରକାରଙ୍କ ଅଭିଯୋଗ ଶୁଣାଣୀକୁ ଡକାଯାଇ ନାହିଁ। ଏହାଦ୍ୱାରା କୁଆଡ଼େ ମୋହନ ମନ୍ତ୍ରିମଣ୍ଡଳରେ ଧର୍ମେନ୍ଦ୍ରଙ୍କ ପ୍ରଭାବ ହଟିଥିବା ଦେଖାଇବା ପାଇଁ ପ୍ରୟାସ ହୋଇଥିବା ଆଲୋଚନା ହେଉଛି।
ଅବଶ୍ୟ ସମ୍ବଲପୁରରେ ପ୍ରଥମଥର ପାଇଁ ଏହା ଏକ ସରକାରୀ କାର୍ଯ୍ୟକ୍ରମ ବା ମନ୍ତ୍ରିମଣ୍ଡଳର ଅଭିଯୋଗ ଶୁଣାଣୀ ଥିଲା। ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀମାନେ ଉପସ୍ଥିତ ଥିଲେ। ପ୍ରତି ସୋମବାର ଏହି ଭଳି ଅଭିଯୋଗ ଶୁଣାଣୀ ପାଇଁ ସରକାର ଗଠନ ପରେ ମୋହନ ମାଝୀ ସୂଚନା ଦେଇଥିଲେ। ପ୍ରଥମ ଦୁଇଟି ସୋମବାର ତ ବେଶ୍ ଜରଦସ୍ତ ହୋଇଥିଲା କିନ୍ତୁ ପରେ ତାହା ଫସର ଫାଟିଲା। କାରଣ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ଅନୁପାଳନ କରିବା ଲାଗି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମର୍ଥ ହୋଇପାରିଲା ନାହିଁ। ପୁଣି ଭିଡ଼ ନିୟନ୍ତ୍ରଣ ବି କରିପାରିଲା ନାହିଁ। ଭିଡ଼କୁ ରୋକିବା ଲାଗି ଜିଲ୍ଲାସ୍ତରରେ ଅଭିଯୋଗ ଶୁଣାଣୀ ପାଇଁ ଜିଲ୍ଲାପାଳଙ୍କୁ କୁହାଗଲା। ହେଲେ ତାହା ଏହି ଭିଡ଼କୁ କମାଇ ପାରିଲା ନାହିଁ। ଏଣିକି ପ୍ରତି ଅଭିଯୋଗ ଶୁଣାଣୀରେ ୧ ହଜାର ଲୋକଙ୍କ ଅଭିଯୋଗ ଶୁଣିବାକୁ ସରକାର ବ୍ୟବସ୍ଥା କରିଛନ୍ତି। କିନ୍ତୁ ଯେଉଁ ସ୍ୱଳ୍ପ ନୋଟିସରେ ଏହି ପଞ୍ଜିକରଣ ପାଇଁ ପୋର୍ଟାଲ୍ ଖୋଲିବା ଏବଂ ପଞ୍ଜିକରଣ ଶେଷ ହେବାକୁ ଲାଗିଲା ତାହା ରାଜ୍ୟବାସୀଙ୍କ ମନରେ ଆହୁରି କ୍ଷୋଭ ସୃଷ୍ଟି କରିଲା। ଏହାକୁ ବୁଝି ସରକାର ଭୁବନେଶ୍ୱର ବାହାରେ ଅଭିଯୋଗ ଶୁଣାଣୀ ପାଇଁ ସ୍ଥିର କରିଥିଲେ। ଏହିକ୍ରମରେ ସମ୍ବଲପୁରରେ ଅଭିଯୋଗ ଶୁଣାଣୀ ଆରମ୍ଭ ହେଲା। ଏହି ଶୁଣାଣୀଦ୍ୱାରା ମୋହନ ସରକାରଙ୍କ ଇଜ୍ଜତ ବଢ଼ିଲା। ହେଲେ ଏହା ଏକ ରାଜନୀତିକ ବିବାଦକୁ ଜନ୍ମ ଦେଲା। ତାହା ହେଉଛି ଧର୍ମେନ୍ଦ୍ରଙ୍କ ବିନା ସରକାରୀ ସଭା।
ଓଡ଼ିଶାର ବିଜେପି ରାଜନୀତି ବାବଦରେ ଧାରଣା ରଖିଥିବା ଯେକୌଣସି ବ୍ୟକ୍ତି ଏହା କରିବାକୁ କେବେବି ହେଳା କରିବ ନାହିଁ ଯେ, ଧର୍ମେନ୍ଦ୍ର ଏକଦା ରାଜ୍ୟ ବିଜେପିର ହର୍ତ୍ତାକର୍ତ୍ତା ଥିଲେ। ଏପରିକି ସଂଗଠନରେ ତାଙ୍କର ଏବେବି ପ୍ରଚଣ୍ଡ ଦଖଲ ରହିଛି। ତାଙ୍କରି ସମର୍ଥକ ମନ୍ତ୍ରିମଣ୍ଡଳରେ ଅଧିକ ରହିଥିବାରୁ ସରକାର ଉପରେ ତାଙ୍କର ପ୍ରବଳ ପ୍ରଭାବ ରହିଛି। କିନ୍ତୁ ସମ୍ବଲପୁର ରାଜନୀତିକ ସମୀକରଣ କିଛି ଅଲଗା ସୂଚନା ଦେଉଛି। ତାହା ସୂଚାଇ ଦେଉଛି ଯେ, ଧର୍ମେନ୍ଦ୍ରଙ୍କ ପ୍ରଭାବ ଆଉ ପୂର୍ବଭଳି ସରକାରରେ ନାହିଁ। ଯେଉଁ ସଂଗଠନ କଥା କୁହାଯାଉଛି ସେଥିରୁ ତାଙ୍କୁ ଅଲଗା ରଖାଯାଉଛି। ଏପରିକି ତାଙ୍କୁ ଗ୍ରହଣ କରିଲେ ସଂଗଠନ ମଜଭୁତ ହେବା ବଦଳରେ ରାଜ୍ୟରେ ଭିନ୍ନ ଭିନ୍ନ ବିଜେପି ପନ୍ଥୀ ସୃଷ୍ଟି ହେବାର ଆଶଙ୍କା ରହିଛି। ଅର୍ଥାତ୍ ଘର ଭଙ୍ଗା ରାଜନୀତି ପ୍ରୋତ୍ସାହିତ ହେବ ବୋଲି ଆଶଙ୍କା କରାଯାଉଛି। ଏଣୁ କେନ୍ଦ୍ରୀୟ ନେତୃତ୍ୱ ଏହାକୁ ଅନୁଭବ କରି ଏବେ ଅତ୍ୟାବଶ୍ୟକ ଜରୁରୀ ପରିସ୍ଥିତି ନ ହେଲେ ତାଙ୍କୁ ମଞ୍ଚ ବା ଗୋଷ୍ଠୀରେ ନେବାକୁ ଚାହୁଁ ନାହାନ୍ତି। ତାଙ୍କୁ ନିଜ ନିର୍ବାଚନ ମଣ୍ଡଳୀ ଓ ମନ୍ତ୍ରାଳୟରେ ସୀମିତ ରଖିବାକୁ ଚାହୁଁଛନ୍ତି କିଛି ନେତା।
ଏହାର ଏକ ଉଦାହରଣ ହେଉଛି ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ। ଏହା ସତ ଯେ, ଏହା ଏକ ସରକାରୀ କାର୍ଯ୍ୟକ୍ରମ। କିନ୍ତୁ ସରକାରୀ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଓ ସ୍ଥାନୀୟ ସାଂସଦଙ୍କ ଉପସ୍ଥିତି ଜରୁରୀ ନ ହେଲେ ବି ଏକ ସୌଜନ୍ୟତାଭାବେ ଗ୍ରହଣ କରାଯାଏ। ପୁଣି ଏହି ସଭାରେ ବିଧାୟକ ଜୟନାରାୟଣ ଉପସ୍ଥିତ ଥିଲେ। ହେଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ନ ଥିଲେ।
ସାଂସଦ ଯେ ସେହି ସମୟରେ ତାଙ୍କ ଅଞ୍ଚଳରେ ନ ଥିଲେ ତା’ ନୁହେଁ। ଯେଉଁଦିନ ମୋହନ ସରକାର ପଶ୍ଚିମାଞ୍ଚଳରେ ମା’ ସମଲେଶ୍ୱରୀଙ୍କୁ ଦର୍ଶନ କରୁଥିଲେ ସେତେବଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବଲାଙ୍ଗୀରରେ ଥିଲେ। ଖାଲି ସେତିକି ନୁହେଁ, ବଲାଙ୍ଗୀରରେ ଏକ ରାଜନୀତିକ ଅଙ୍କ ବି କସୁଥିଲେ, କଂଗ୍ରେସ ଘରେ ବସି ବିଜେପି ଗଣିତର ସମାଧାନ ହେଉଥିଲା। ଏ ଗଣିତ ସମ୍ପୂର୍ଣ୍ଣଭାବେ ବଲାଙ୍ଗୀରର ରାଜା ପରିବାରକୁ ଆଘାତ ଦେବା ଲାଗି ଉଦ୍ଦିଷ୍ଟ ଥିବା ବି ଚର୍ଚ୍ଚା ହେଉଛି। ଯେଉଁ ରାଜ ପରିବାରର ରାଜା ଓ ରାଣୀ ଏବେ ବିଜେପିରେ କ୍ଷମତାଶାଳୀ ରହିଛନ୍ତି। ରାଜା ପୁଣି ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଓ ରାଣୀ ଦିଲ୍ଲୀରେ ନିର୍ବାଚିତ ସାଂସଦ। ଏଭଳି ପରିସ୍ଥିତିରେ ଧର୍ମେନ୍ଦ୍ରଙ୍କ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ଘରେ ବସି ପରିବାରବର୍ଗଙ୍କ ସହ ରୁଦ୍ଧଦ୍ୱାର ଆଲୋଚନା କରିବା ସ୍ଥାନୀୟ ଓ ରାଜ୍ୟ ରାଜନୀତିକୁ ଚର୍ଚ୍ଚିତ କରାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବରରେ ଓଡ଼ିଶା ଗସ୍ତ ପରେ ଧର୍ମେନ୍ଦ୍ରଙ୍କୁ ଏକଘରିକିଆ କରିବା ପ୍ରୟାସ ଆରମ୍ଭ ହୋଇଛି। ଆୟୁଷ୍ମାନ ଭାରତ ଯୋଜନା ଆରମ୍ଭ ସମୟରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ଅଶ୍ୱିନୀ ବୈଷ୍ଣବ ଯୋଗ ଦେଇଥିଲେ ହେଁ ଧର୍ମେନ୍ଦ୍ର ଏଥିରେ ଅନୁପସ୍ଥିତ ଥିଲେ। ଅତୀତରେ ମୋହନ ସରକାର ଯେଉଁ ଯେଉଁ ଜିଲ୍ଲାରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ କରିଛନ୍ତି ସେଥିରେ ସ୍ଥାନୀୟ ସାଂସଦ ଓ ବିଧାୟକ ଉପସ୍ଥିତ ରହିଛନ୍ତି। କିନ୍ତୁ ସମ୍ବଲପୁରକୁ ରାଜ୍ୟ ସରକାର ଉଠିଯାଇ ଅଭିଯୋଗ ଶୁଣାଣୀ କରିବା ସମୟରେ ସ୍ଥାନୀୟ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଅନୁପସ୍ଥିତି ବିଜେପି ରାଜନୀତିରେ କିଛି ନୂଆ ସଂକେତ ପ୍ରଦାନ କରୁଛି।
ପୁଣି ସମ୍ବଲପୁର ରାଜନୀତିରେ ଧର୍ମେନ୍ଦ୍ରଙ୍କ ଉପସ୍ଥିତି ଜଣେ ବାହାରି ନେତାଭାବେ ଗ୍ରହଣ କରାଯାଏ। ତାଙ୍କରି ଇଙ୍ଗିତରେ ବିଧାୟକ ଜୟନାରାୟଣ ନିର୍ବାଚନ ସମୟରେ ଏବଂ ନିର୍ବାଚନ ପୂର୍ବରୁ ଅନେକ ଯାତନା ସହ୍ୟ କରିଥିବା କୁହାଯାଏ। ଏପରିକି ତାଙ୍କୁ ଟିକଟ ମିଳିବା ନ ମିଳିବା ଆଶଙ୍କା ବି ସେତେବେଳେ ଆସିଥିଲା। ହେଲେ ଜୟନାରାୟଣ ସବୁକିଛିକୁ ପଛରେ ପକାଇ ଶରୀର ଅସୁସ୍ଥ ଥିଲେ ବି ବିଧାୟକ ପଦ ଜିତିଲେ। ଆଜି ମନ୍ତ୍ରିମଣ୍ଡଳ ପାଇଁ ସେ ଯୋଗ୍ୟ ଥିଲେ ବି ତାଙ୍କୁ ଏକଘରିକିଆ ରଖିବା ପ୍ରୟାସରେ ଧର୍ମେନ୍ଦ୍ରଙ୍କ ପ୍ରଚ୍ଛଦ ହାତ ରହିଥିବା ବି ପୂର୍ବରୁ ଅନେକ ରାଜନୀତିକ ପଣ୍ଡିତ ମତ ଦେଇଛନ୍ତି।
ଏହିସବୁ ଅଙ୍କ ଓ ସମୀକରଣକୁ ବିଚାରକୁ ନେଲେ ସ୍ପଷ୍ଟ କୁହାଯାଇପାରେ ଯେ, ପଶ୍ଚିମ ଓଡ଼ିଶାରେ ନିଜର ମଜଭୁତ ସ୍ଥିତିକୁ ଧର୍ମେନ୍ଦ୍ର ହରାଉଛନ୍ତି। ନରସିଂହଙ୍କ ପରିବାରର ହାତ ଧରି ସେ ନିଜର ମଞ୍ଜକୁ ମଜଭୁତ କରିବାକୁ ଚାହିଁଛନ୍ତି। ଅପରପକ୍ଷେ ଯଦି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣବେଳେ ତାଙ୍କର ଅନୁସରଣକାରୀଙ୍କୁ ତାଲିକାମୁକ୍ତ କରାଯାଏ ତେବେ କେନ୍ଦ୍ରୀୟ ନେତୃତ୍ୱ ବି ଶ୍ରୀ ପ୍ରଧାନଙ୍କ ଉପରେ ଯେ ଅସନ୍ତୁଷ୍ଟ ରହିଛନ୍ତି ତାହା ସ୍ପଷ୍ଟ ହେବ। ଆଉ କିଛିଦିନ ଭିତରେ ଏହି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବାକୁ ଥିବାରୁ ଆମକୁ ଅପେକ୍ଷା କରିବାକୁ ହେବ।
ସମ୍ବଲପୁରର ଏହି ଅଭିଯୋଗ ଶୁଣାଣୀ ରାଜ୍ୟର ଆଉ ଏକ ବହୁତ ଦିନର ସମସ୍ୟାକୁ ସମାଧାନ ଦିଗରେ ଏକ ପ୍ରୟାସ ବୋଲି ମଧ୍ୟ ଆଲୋଚନା ହେଉଛି। ଆଲୋଚନା ଅନୁସାରେ ରାଜ୍ୟ ସରକାର ପଶ୍ଚିମ ଓଡ଼ିଶାକୁ ଗୁରୁତ୍ୱ ଦେଉନାହାନ୍ତି ବୋଲି ସ୍ଥାନୀୟ ନେତାମାନେ ଅଭିଯୋଗ କରି ଆସୁଛନ୍ତି। ଏଥିପାଇଁ ସେମାନେ ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବି କରି ଆସୁଛନ୍ତି। ମୋହନ ସରକାର ସମ୍ବଲପୁରରେ ଗତକାଲିର ଅଭିଯୋଗ ଶୁଣାଣୀ କରି କୋଶଳ ଆନ୍ଦୋଳନକୁ ପ୍ରଶମିତ କରିବାର ପ୍ରୟାସ ମଧ୍ୟ କରିଛନ୍ତି। ଏହି ପ୍ରୟାସ କେତେଦୂର କାମ ଦେବ ତାହା ଆଗାମୀ ଦିନରେ ଜଣାପଡ଼ିବ।
Also readhttps://purvapaksa.com/hindus-are-leaving-their-religion-in-america/