ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ନୂତନ ଚିନ୍ତା ସୃଷ୍ଟି ହୋଇଛି । ଜେଲ୍ରେ ରହୁଥିବା ସମୟରେ ତାଙ୍କ ଡାହାଣ ଆଖିର ଦୃଷ୍ଟିଶକ୍ତି ଗୁରୁତର ଭାବେ କମିଯାଇଥିବା ତାଙ୍କ ଆଇନଜୀବୀ ଅଭିଯୋଗ କରିଛନ୍ତି । ଏହି ଘଟଣା ପାକିସ୍ତାନର ରାଜନୈତିକ ମଞ୍ଚରେ ଚର୍ଚ୍ଚାର ବିଷୟ ହୋଇପଡ଼ିଛି ।
ଇମ୍ରାନ ଖାନଙ୍କ ଓକିଲ ସଲମାନ ସାଫଦର ପାକିସ୍ତାନ ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ଯେ, ଜେଲ୍ରେ ସମୟ ମତେ ଯଥୋଚିତ ଚିକିତ୍ସା ନମିଳିବାରୁ ତାଙ୍କ ଡାହାଣ ଆଖିର ଦୃଷ୍ଟିଶକ୍ତି ପ୍ରାୟ ୮୫ ପ୍ରତିଶତ କମିଯାଇଛି । ବର୍ତ୍ତମାନ ସେ ମାତ୍ର ୧୫ ପ୍ରତିଶତ ଦୃଶ୍ୟ ଦେଖିପାରୁଛନ୍ତି । ତାଙ୍କର ‘ରେଟିନାଲ ଭେନ ଓକ୍ଲୁଜନ’ ନାମକ ଚକ୍ଷୁ ରୋଗ ହୋଇଥିବା ଓ ଠିକ୍ ସମୟରେ ଚିକିତ୍ସା ନହେବାରୁ ଏହା ସ୍ଥାୟୀ କ୍ଷତିରେ ପରିଣତ ହୋଇଥିବା ଅଭିଯୋଗ ହୋଇଛି ।
ଅଭିଯୋଗ ଅନୁସାରେ, ୨୦୨୫ ଅକ୍ଟୋବର ପର୍ଯ୍ୟନ୍ତ ଇମ୍ରାନଙ୍କ ଦୃଷ୍ଟି ଠିକ୍ ଥିଲା । କିନ୍ତୁ ପରେ ସେ ଝାପସା ଦେଖୁଥିବା କଥା ଜେଲ୍ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ତଥାପି ତାଙ୍କୁ କେବଳ ସାଧାରଣ ଆଇ ଡ୍ରପ ଦିଆଯାଇଥିଲା ବୋଲି ସଫଦର କହିଛନ୍ତି । ଅନୁରୋଧ ସତ୍ତ୍ୱେ ବିଶେଷଜ୍ଞ ଡାକ୍ତରଙ୍କ ନିକଟକୁ ପଠାଯାଇନଥିବାରୁ ଅବସ୍ଥା ଅଧିକ ଗୁରୁତର ହୋଇଯାଇଛି।
ଇମ୍ରାନଙ୍କ ପରିବାର ଓ ତାଙ୍କ ଦଳ ପାକିସ୍ତାନ ତେହରିକ – ଇ- ଇନସାଫ (ପିଟିଆଇ) ମଧ୍ୟ ଏହାକୁ ଗୁରୁତର ମାନବାଧିକାର ଉଲ୍ଲଂଘନ ବୋଲି କହିଛନ୍ତି । ସେମାନଙ୍କ ଅଭିଯୋଗ ଯେ, ୯୨୨ ଦିନ ଧରି ତାଙ୍କୁ ଏକାକୀ କୋଠରୀରେ ରଖାଯାଇଛି ଓ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ପୂର୍ଣ୍ଣ ଅନୁମତି ଦିଆଯାଇନଥିଲା। ଏହି ପରିସ୍ଥିତି ତାଙ୍କ ସ୍ୱାସ୍ଥ୍ୟ ଅବନତିର ମୂଳ କାରଣ ବୋଲି ସେମାନେ ଦାବି କରିଛନ୍ତି।

ଏହି ମାମଲାର ସୁଣାଣି କରୁଥିବା ପାକିସ୍ତାନର ସୁପ୍ରିମକୋର୍ଟ ଘଟଣାକୁ ଗୁରୁତ୍ୱ ସହକାରେ ନେଇଛନ୍ତି । କୋର୍ଟ ଏକ ସ୍ୱତନ୍ତ୍ର ମେଡିକାଲ ବୋର୍ଡ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଫେବୃଆରୀ ୧୬ ମଧ୍ୟରେ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ପରୀକ୍ଷା କରି ରିପୋର୍ଟ ଦେବାକୁ ଆଦେଶ ହୋଇଛି । ଏହା ସହିତ କୋର୍ଟ ଇମ୍ରାନଙ୍କୁ ବିଦେଶରେ ଥିବା ତାଙ୍କ ପୁଅଙ୍କ ସହ ଫୋନରେ କଥାହେବା ପାଇଁ ମଧ୍ୟ ଅନୁମତି ଦେଇଛନ୍ତି ।
ରାଜନୈତିକ ବିଶ୍ଳେଷକମାନେ କହୁଛନ୍ତି ଯେ, ଏହି ଘଟଣା ପାକିସ୍ତାନର ରାଜନୀତିରେ ନୂତନ ମୋଡ଼ ଆଣିପାରେ । ଇମ୍ରାନ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସାର୍ବଜନୀନ ଚିନ୍ତା ବୃଦ୍ଧି ପାଇଛି । ଏବେ ସମସ୍ତଙ୍କ ନଜର ମେଡିକାଲ ବୋର୍ଡର ରିପୋର୍ଟ ଉପରେ ରହିଛି । ଯଦି ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ, ତେବେ ଜେଲ୍ ପ୍ରଶାସନ ବିରୋଧରେ କଡ଼ା ପଦକ୍ଷେପ ନିଆଯାଇପାରେ।
ଏହି ଘଟଣା କେବଳ ଏକ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ସମସ୍ୟା ନୁହେଁ ବରଂ ନ୍ୟାୟ ବ୍ୟବସ୍ଥା ଓ ମାନବାଧିକାର ପ୍ରତି ଆଦରର ପରୀକ୍ଷା ଭାବେ ଦେଖାଯାଉଛି। ଆଗାମୀ ଦିନରେ କୋର୍ଟର ନିଷ୍ପତ୍ତି ଓ ଚିକିତ୍ସା ରିପୋର୍ଟ ଉପରେ ଏହି ମାମଲାର ଭବିଷ୍ୟତ ନିର୍ଭର କରିବ।
also read https://purvapaksa.com/opium-trafficking-is-going-on-in-the-wildlife-sanctuary/
ପ୍ରାଣୀ ଅଭୟାରଣ୍ୟରେ ଚାଲିଛି ଅଫିମ କାରବାର || Opium trafficking is going on in the wildlife sanctuary


