ବିଜୁ ଜନତା ଦଳରେ ଏବେ ସମ୍ପୂର୍ଣ୍ଣ ନୀରବତା। ଦଳ ପକ୍ଷରୁ ଘୋଷଣା କରାଯାଇଥିବା କାର୍ଯ୍ୟକର୍ତ୍ତା ତାଲିକାରେ ଅନେକ ବରିଷ୍ଠ ନେତା ଏବଂ ପାଣ୍ଡିଆନ୍ଙ୍କୁ ସମାଲୋଚନା କରିଥିବା ନେତାଙ୍କୁ ବାଦ୍ ଦିଆଯାଇଛି। ଯେଉଁ ନେତାଙ୍କ ବିରୁଦ୍ଧରେ ଶୋଭାଯାତ୍ରା, ନାରାବାଜୀ, କର୍ମୀ ଅସନ୍ତୋଷ ହୋଇଥିଲା ତାଙ୍କୁ ଗୁରୁତ୍ୱ ଦିଆଯାଇଛି। ଅର୍ଥାତ୍ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି। କିନ୍ତୁ କେହି ଏ ଯାଏ ମୁହଁ ଖୋଲିନାହାନ୍ତି। ଏହି ନୀରବତା କାହିଁକି? ଏହା କେବେ ସନ୍ତୋଷଜନକ ହୋଇନପାରେ କି ସାନ୍ତ୍ୱନାମୂଳକ ନୁହେଁ। ବରଂ ଏହା ହୋଇପାରେ ଏକ ଝଡ଼ର ଆଭାସ। କାରଣ ଯେତେବେଳେ ଏହି ନୀରବତା ଭଙ୍ଗ ହେବ ପୁଣି ‘ପାଣ୍ଡିଆନ୍ ପ୍ରସଙ୍ଗ’ ଉଠିବ ଆଉ ଦଳରେ ଚରମ ନିଷ୍ପତ୍ତି ନେବା ଆରମ୍ଭ ହେବ। ନ ହେଲେ ହେବ ବରିଷ୍ଠ ଓ ଅସନ୍ତୁଷ୍ଟଙ୍କ ଶିର ଛେଦନ।
ପାଣ୍ଡିଆନ୍ କହିଲେ ଆମେ ନବୀନଙ୍କ ସେକ୍ରେଟାରୀ ତଥା ପ୍ରମୁଖ ପରାମର୍ଶଦାତା ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍ଙ୍କୁ ବୁଝୁ। ସେ ନବୀନ ନିବାସରେ ଅଛନ୍ତି। ନବୀନଙ୍କ ଅତ୍ୟନ୍ତ ନିକଟତର ଭାବେ ଗଣାଯାଆନ୍ତି। ସେ ଚାହିଁଲେ ଦଳ ଭିତରେ ଖୋଲାଖୋଲି ଭାବେ ଯେ କୌଣସି ଦାୟିତ୍ୱ ନେଇପାରନ୍ତି ଆଉ ସେ ଚାହିଁଲେ ଯେ କୌଣସି ମୁହୂର୍ତ୍ତରେ, ଇଚ୍ଛା ଅନୁସାରେ ଦଳ କାର୍ଯ୍ୟରୁ ନିବୃତ୍ତ ବି ରହିପାରନ୍ତି, ଯାହା ଏବେ କରୁଛନ୍ତି। ପାଣ୍ଡିଆନ୍ଙ୍କ ଭଳି ଦଳରେ ସଭାପତି ନବୀନ ପଟ୍ଟନାୟକ ସ୍ୱାଧୀନ ନୁହନ୍ତି। କାରଣ ନବୀନଙ୍କୁ ବି ସମାଲୋଚନା ଶୁଣିବାକୁ ମିଳେ। କିନ୍ତୁ ପାଣ୍ଡିଆନ୍ଙ୍କୁ ସମାଲୋଚନା କଲେ ନେତାଙ୍କୁ ଦଳରୁ ବାହାରିବାକୁ ପଡ଼େ ବା ପଦବୀ ହରାଇବାକୁ ପଡ଼େ ଅଥବା ଅଘୋଷିତ ମୃତ ଘୋଷିତ ହେବାକୁ ପଡ଼େ। ଏମିତି କ୍ଷମତାଶାଳୀ ନେତା ଭାବେ ଜଣାଣୁଣା ପାଣ୍ତିଆନ୍ । ତାଙ୍କ ସହଯୋଗୀ ଏବେ ଆହୁରି କ୍ଷମତା ପାଇଛନ୍ତି। ତାହା ସ୍ପଷ୍ଟ ହୋଇଛି ଦଳ ନିକଟରେ ଘୋଷଣା କରିଥିବା କାର୍ଯ୍ୟକର୍ତ୍ତା ତାଲିକାରେ।
ବିଜୁ ଜନତା ଦଳର ମୁଖିଆ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଘୋଷଣା ହୋଇଛି ନୂତନ କର୍ମକର୍ତ୍ତା ତାଲିକା। ଏହି ନୂତନ ଏହି ତାଲିକାରେ ରହିଛି କାର୍ଯ୍ୟକର୍ତ୍ତା ପରିଷଦ ସଦସ୍ୟଙ୍କ ନାଁ। ଏମାନେ ଦଳର ସାଂଗଠନିକ ବ୍ୟାପାରରେ ବିଭିନ୍ନ ପରାମର୍ଶ ଦେବା ପାଇଁ ଯୋଗ୍ୟ। ଅର୍ଥାତ୍ ସଭାପତିଙ୍କ ଖାସ୍ ଲୋକ ଭାବେ ଏମାନଙ୍କୁ ଗ୍ରହଣ କରାଯାଏ। ନିକଟରେ ଦଳର ସଭାପତିଭାବେ ନବୀନ ବାବୁ ଦାୟିତ୍ୱ ନେବା ପରେ ବିଜେଡିର ସାଂଗଠନିକ ପୁର୍ନବିନ୍ୟାସ କରାଯାଇଛି। ଏଥିରେ ଦଳର ବିଭିନ୍ନ ପଦପଦବୀ ଲାଗି ୭୧ଜଣ ନେତାଙ୍କ ନାଁ ନିଆଯାଇଛି। ଯେଉଁଥିରେ ଅଛନ୍ତି ୭ ଜଣ ବରିଷ୍ଠ ଉପସଭାପତି, ୮ ଉପସଭାପତି, ଜଣେ ଟ୍ରେଜରର, ୨୦ ଜଣ ବରିଷ୍ଠ ସାଧାରଣ ସମ୍ପାଦକ , ୩୫ ଜଣ ସାଧାରଣ ସମ୍ପାଦକ।
ଏହି ନେତାଙ୍କ ନାଁ ଗୁଡ଼ିକୁ ଦେଖିଲେ ସ୍ପଷ୍ଟ ହୁଏ ଯେ, ଏଥିରେ ବରିଷ୍ଠମାନଙ୍କୁ ଦୂରରେ ରଖିବାକୁ ଚେଷ୍ଟା କରାଯାଇଛି। ବିଶେଷକରି ଯେଉଁମାନେ ଦଳରେ ଭିକେ ପାଣ୍ଡିଆନ୍ଙ୍କୁ ବିରୋଧ କରୁଥିଲେ ସେମାନଙ୍କୁ ଏ ଭିତରେ ଭର୍ତ୍ତି କରିବାକୁ ଦିଆଯାଇ ନାହିଁ। ସେଥିରେ ପ୍ରଫୁଲ୍ଲ ମଲ୍ଲିକ, ନୃସିଂହ ସାହୁ, ଭୂପିନ୍ଦର ସିଂଙ୍କ ଭଳି ବରିଷ୍ଠ ଏବଂ ଦେବୀରଞ୍ଜନ ତ୍ରିପାଠୀଙ୍କ ଭଳି ଯୁବ ନେତାମାନେ ସାମିଲ। ଏହି ନେତାମାନଙ୍କ ଭିତରୁ ଅନେକ ରାଜ୍ୟସଭାରେ ଦଳର ଭୋଟିଂ ବିଭାଜନକୁ ନେଇ ପ୍ରଶ୍ନ ଉଠାଇଥିଲେ, ଯାହା ପାଣ୍ଡିଆନ୍ ବିରୋଧୀ ସ୍ଲୋଗାନରେ ପରିଣତ ହୋଇଥିଲା।
ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କୁ ଉପ ସଭାପତି ସହ ରାଜନୈତିକ ବ୍ୟାପାର କମିଟି ସଦସ୍ୟ ଭାବେ ଗ୍ରହଣ କରାଯାଇଛି। କିନ୍ତୁ ଦଳରେ ବରିଷ୍ଠ ନେତାଭାବେ ପୂର୍ବରୁ ସମସ୍ତ ପରାମର୍ଶ ଦେଉଥିବା ଦେବୀ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅରୁଣ ସାହୁ, ପ୍ରତାପ ଜେନା, ବଦ୍ରି ପାତ୍ର, ଅତନୁ ସବ୍ୟସାଚୀ ନାୟକଙ୍କ ଭଳି ନେତାଙ୍କୁ ଦଳୀୟ ରାଜନୀତିକ ବ୍ୟାପାର କମିଟିରୁ ବାହାରେ ରଖାଯାଇଛି।
ବିଜେଡିର ରାଜନୈତିକ ବ୍ୟାପାର କମିଟି ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ କମିଟି। ଏଥିରେ ୧୦ ଜଣଙ୍କୁ ସଦସ୍ୟଭାବେ ନିଆଯାଇଛି। ସେମାନେ ହେଲେ ବିକ୍ରମ କେଶରୀ ଆରୁଖ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ସଞ୍ଜୟ କୁମାର ଦାସବର୍ମା, ପ୍ରଣବ ପ୍ରକାଶ(ବବି) ଦାସ, ସୁଦାମ ମାରାଣ୍ଡି, ଟୁକୁନି ସାହୁ, ଡ. ସସ୍ମିତ୍ ପାତ୍ର ଏବଂ ଡ. ସନ୍ତୃପ୍ତ ମିଶ୍ର । ମୋଟାମୋଟି ଖବର ହେଉଛି- ତାଲିକାରେ ପାଣ୍ଡିଆନ୍ ମାର୍କା ନେତାଙ୍କୁ ଗୁରୁତ୍ୱ ଦିଆଯାଇଥିବାବେଳେ ପାଣ୍ଡିଆନଙ୍କ ବିରୋଧରେ ମୁହଁ ଖୋଲୁଥିବା ନେତାଙ୍କୁ ନ୍ୟୁନ କରିବା ପାଇଁ ଭରପୁର ଉଦ୍ୟମ କରାଯାଇଛି।
ପୁଣି ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ରଙ୍କୁ ବରିଷ୍ଠ ଉପସଭାପତି ଭାବେ ସ୍ଥାନ ମିଳିଥିଲେ ମଧ୍ୟ ତାଙ୍କ କାର୍ଯ୍ୟକ୍ରମ ଶଙ୍ଖଭବନରେ ସୀମିତ ରହିବ। ଅତୀତରେ ସ୍ୱର୍ଗତ ନରି ସ୍ୱାଇଁ ଯେଉଁ ଦାୟିତ୍ୱ ପାଇଥିଲେ ଏବେ ସେ ସେହି ଦାୟିତ୍ୱ ପାଇଛନ୍ତି । ତାଙ୍କୁ ସହାୟତା କରିବେ ପ୍ରତାପ ଜେନା। ଶଙ୍ଖଭବନର ଦାୟିତ୍ୱରେ ତାଙ୍କୁ ଉପସଭାପତି ପଦ ଦିଆଯାଇଛି। ବିଜେଡିରେ ଦୀର୍ଘ ବର୍ଷ ଧରି ନରେନ୍ଦ୍ର ସ୍ୱାଇଁଙ୍କ ଜାଗା ଖାଲି ପଡ଼ିଥିଲା।
ଏ ତାଲିକାକୁ ଦେଖିଲେ ଆଉ ଗୋଟିଏ ଜିନିଷ ସ୍ପଷ୍ଟ ଯେ, ପୂର୍ବଭଳି ବବି ଦାସ ଓ ପାଣ୍ଡିଆନ୍ଙ୍କ ଯୋଡ଼ି ଏବଂ ତାଙ୍କ ଶିବିରର ନେତାମାନେ ପୂର୍ବଠାରୁ ଆହୁରି କ୍ଷମତାପନ୍ନ ହୋଇଛନ୍ତି। ଏହି ନେତାମାନଙ୍କ ଭିତରେ ସସ୍ମିତ ପାତ୍ରଙ୍କ ନାଁ ଆଗ ଆସେ। ଆଉ ସେ ଏବେ ରାଜନୀତିକ କମିଟିର ସଦସ୍ୟ। ଯାହାଙ୍କ ବିବାଦୀୟ ଭୋଟ ଦଳରେ ହଟ ଚମଟ କରିଲା ତାଙ୍କୁ ରାଜନୀତିକ କମିଟିର ସଦସ୍ୟ କରାଯିବା ଏହା ସ୍ପଷ୍ଟ କରୁଛି ଯେ, ପାଣ୍ଡିଆନ୍-ବବି ଗୋଷ୍ଠୀ ଏବେ ଅଧିକ କ୍ଷମତାଶାଳୀ ହୋଇଛନ୍ତି। ଖାଲି ସେ ନୁହଁନ୍ତି, ସନ୍ତୃପ୍ତ ମିଶ୍ର, ଟୁକୁନି ସାହୁ, ସୁଦାମ ମାରାଣ୍ଡି, ନିରଞ୍ଜନ ପୂଜାରୀ, ପ୍ରମିଳା ମଲ୍ଲିକ ପ୍ରଭୃତି ନେତା ଅନେକ ସମୟରେ ପାଣ୍ଡିଆନ୍ଙ୍କ ଯୋଜନାର ହିତାଧିକରୀ ହୋଇଥିବା ନଜୀର ରହିଛି। ପୁଣି ବିକ୍ରମ ଆରୁଖ, ସଞ୍ଜୟ ଦାସବର୍ମାଙ୍କ ଭଳି ଚାପାରେ ଚେପା ହୋଇଥିବା ନେତା ବି ଏହି ଗୋଷ୍ଠୀର ସକ୍ରିୟ ସଦସ୍ୟ ରହିଛନ୍ତି।
ପୁଣି ପ୍ରସନ୍ନ ଆଚାର୍ଯ୍ୟ, ଅନଙ୍ଗ ଉଦୟ ସିଂହଦେଓ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବଦ୍ରିନାରାୟଣ ପାତ୍ର, ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଅରୁଣ କୁମାର ସାହୁ, ଦେବାଶିଷ ସାମନ୍ତରାୟଙ୍କ ଭଳି ନେତାମାନେ ଆଉ ଦଳୀୟ ବ୍ୟାପାରରେ ମୁଣ୍ଡ ପୂରାଇବେ ନାହିଁ । ସେମାନଙ୍କୁ କୌଶଳକ୍ରମେ ବାହାରେ ରଖାଯାଇଛି। ସେମାନଙ୍କୁ ବିଭିନ୍ନ ଛାମୁଆ ସଂଗଠନ ଦାୟିତ୍ୱ ଦିଆଯାଇଛି। ପ୍ରସନ୍ନ ଆଚାର୍ଯ୍ୟଙ୍କୁ କୃଷକ ମୋର୍ଚ୍ଚା, ଅନଙ୍ଗ ଉଦୟଙ୍କୁ ଆଞ୍ଚଳିକ ବିକାଶ ସେଲ, ରଣେନ୍ଦ୍ରଙ୍କୁ ସମବାୟ ମୋର୍ଚ୍ଚା ଦାୟିତ୍ୱ ଦିଆଯାଇଛି। ବଦ୍ରି ପାତ୍ର ଶିକ୍ଷା ଓ ଶିକ୍ଷକ ସେଲ, ରମେଶ ଚ୍ୟାଉ ପଟ୍ଟନାୟକଙ୍କୁ ମତ୍ସ୍ୟଜୀବୀ ସେଲ, ଦେବାଶିଷ ସାମନ୍ତରାୟଙ୍କୁ ବରିଷ୍ଠ ନାଗରିକ ସେଲ, ଅରୁଣ ସାହୁଙ୍କୁ ଓବିସି ସେଲ ଦାୟିତ୍ୱ ଦିଆଯାଇଛି।
ପ୍ରଶ୍ନ ଉଠୁଛି ଏହି ବରିଷ୍ଠ ନେତାମାନେ ନିଜ ଜୁନିୟର ଯାହାଙ୍କୁ ରାଜନୀତିର ର’ ଅକ୍ଷର ଶିକ୍ଷାଇଥିଲେ ସେମାନଙ୍କ ପରାମର୍ଶରେ ପରିଚାଳିତ ହେବେ? ଯେଉଁ ବରିଷ୍ଠଙ୍କୁ ଦଳର ବିଭିନ୍ନ ବ୍ୟାପାରରୁ ମୁକ୍ତ କରାଯାଇଛି ସେମାନେ କ’ଣ ଦଳରେ ରହିବାକୁ ଉଚିତ ମଣିବେ? ଅର୍ଥାତ୍ ନିଜ କ୍ୟାରିୟରକୁ କ’ଣ ଜଳାଞ୍ଜଳି ଦେବେ? ଏପରି ପ୍ରଶ୍ନ ଭିତରେ ବରିଷ୍ଠ ନେତାମାନେ ପୁଣିଥରେ ଦଳୀୟ କାର୍ଯ୍ୟାଳୟ ବାହାରେ ଏକାଠି ହୋଇପାରନ୍ତି। ପୁଣିଥରେ ଦଳରେ ବିସ୍ଫୋରଣ ଘଟିପାରେ। ଆଉ ଏ ବିସ୍ଫୋରଣ ଛୋଟ ଧରଣର କେବେ ହେବ ନାହିଁ। ଏହା ଚତୁରତା ଓ ଲୋକପ୍ରିୟତାର ସଂଗ୍ରାମ ହୋଇପାରେ! ଯଦି ତାହା ହୁଏ ତେବେ ୨୦୨୯ରେ ଆଉ ଏକ ଆଞ୍ଚଳିକ ଦଳର ସୃଷ୍ଟିକୁ ବି ଏଡ଼ାଇ ଦିଆଯାଇନପାରେ।
Also readhttps://purvapaksa.com/200-year-old-tree-cut-down-in-bangladesh-after-fatwa-against-banyan-trees/