ବିଜେପି ସରକାରରେ ଗତ ୧୧ ମାସର ଶାସନ ଭିତରେ କିଏ ସବୁଠାରୁ ବିଭ୍ରାନ୍ତକର ମନ୍ତ୍ରୀ? କାହା କଥାରେ କିଛି ବି ଦମ୍ ନାହିଁ କିନ୍ତୁ ତିନି ତିନିଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ପାଇଛନ୍ତି? ଏ ପ୍ରଶ୍ନ ପଚାରିଲେ ସାମ୍ନାକୁ ଆସନ୍ତି ପୂର୍ତ୍ତ, ଅବକାରୀ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଶ୍ରୀମନ୍ଦିର ପ୍ରସଙ୍ଗରେ ସେ ଯେଉଁସବୁ ମନ୍ତବ୍ୟ ଓ କାର୍ଯ୍ୟାନୁଷ୍ଠାନର ଆଦେଶ ଦେଉଛନ୍ତି ସେଥିରୁ ଏହା ସ୍ପଷ୍ଟ ହେଉଛି।
ଆଗଚଲା ମନ୍ତ୍ରୀ
ରାଜ୍ୟରେ ଏବେ ପ୍ରଥମ ବିଜେପି ସରକାର ଗଠନ ହୋଇଛି। ହେଲେ ଅନେକ ସମୟରେ ସରକାରରେ ଥିବା ମନ୍ତ୍ରୀମାନଙ୍କ ବୟାନ ଚର୍ଚ୍ଚାରେ ରହିଛି। କେତେବେଳେ ରାସନ କାର୍ଡକୁ ନେଇ ତ ଆଉ କେତେବଳେ ଆଳୁ ଅଭାବକୁ ଦୂର କରିବା; ପୁଣି କେତେବେଳେ ଆଇନ ଶୃଙ୍ଖଳାକୁ ନେଇ ବିରୋଧୀଙ୍କ ତୀକ୍ଷ୍ଣ ବାଣର ଶିକାର ହୋଇଛନ୍ତି ସରକାର। ସେହିପରି ଶ୍ରୀମନ୍ଦିର ପ୍ରସଙ୍ଗରେ ବିଭାଗୀୟ ମନ୍ତ୍ରୀ ଆଗତୁରା ହୋଇ ଯେଉଁସବୁ ବୟାନ, ଆଦେଶ ବା ମନ୍ତବ୍ୟ ରଖିଛନ୍ତି ତାହା ପରବର୍ତ୍ତୀ ସମୟରେ ବିବାଦ ଓ ଅପରିପକ୍ୱତାର ଉଦାହରଣ ସାଜିଛି।
ଶ୍ରୀମନ୍ଦିରକୁ ବିଜେପିର ଗୁରୁତ୍ୱ
ଶ୍ରୀମନ୍ଦିର ପ୍ରସଙ୍ଗକୁ ଏଠାରେ ଉଠାଇବାର କାରଣ ହେଉଛି, ଏଥିପ୍ରତି ଜଡ଼ିତ ଥିବା ଓଡ଼ିଆ ମାନସିକତା, ଭାବପ୍ରବଣତା। ଏହାସହ ଯେଉଁ ସରକାର ଏବେ ଶାସନରେ ଅଛନ୍ତି ତାଙ୍କ ଏଜେଣ୍ଡାର ପ୍ରଥମରେ ହିଁ ଶ୍ରୀମନ୍ଦିର ସଂସ୍କାର କଥା ରହିଥିଲା। ପ୍ରଥମ କ୍ୟାବିନେଟରେ ଏଥିପାଇଁ ନିଷ୍ପତ୍ତି ଗ୍ରହଣ ବି କରାଯାଇଥିଲା ଏବଂ କ୍ୟାବିନେଟ୍ ସଂକଳ୍ପ ଅନୁସାରେ ଏକ ସ୍ୱତନ୍ତ୍ର ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି ବି ଗଠନ କରାଯାଇଛି। ହେଲେ ଆଜି ୧୧ ମାସ ପରେ ଯଦି ଏ ବାବଦରେ ଚର୍ଚ୍ଚା କରାଯାଏ ତେବେ ସରକାରଙ୍କ ନିଷ୍ପତ୍ତି ଯେ କେବଳ ଧୂଆଁବାଣ ତାହା ସ୍ପଷ୍ଟ ହେଉଛି।
କେବେ ସୁଧୁରିବ ଦର୍ଶନ ବ୍ୟବସ୍ଥା
ପ୍ରଥମ କଥା ହେଉଛି ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା। ବଡ଼ ଦାଣ୍ଡରୁ ଏସି ଟନେଲ ଉଠାଇନେବା, ୪ ଦ୍ୱାର ଖୋଲିବା ଆଦି କାର୍ଯ୍ୟକୁ ସରକାର ଗ୍ରହଣ କରିଲେ। କିନ୍ତୁ ଦର୍ଶନ ବ୍ୟବସ୍ଥା ଆଜି ଯାଏ ଶୃଙ୍ଖଳିତ ହୋଇପାରିଲା ନାହିଁ। ଏପରିକି ବିଭିନ୍ନ ସମୟରେ ଭକ୍ତଙ୍କ ସଂଖ୍ୟାକୁ ନିୟନ୍ତ୍ରଣ କରିବା ଲାଗି ସରକାର ଦର୍ଶନ ପାଇଁ ଦୁଇ ଦ୍ୱାର ଖୋଲି ଅନ୍ୟ ଦୁଇ ଦ୍ୱାରକୁ ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି।
ମନ୍ତ୍ରୀଙ୍କ ଅଜ୍ଞତା
ପୁଣି ଶ୍ରୀମନ୍ଦିର ବାହାରୁ ଟନେଲ୍ ଉଠାଇ ବାଇସି ପାହାଚ ଓ ଜଗମୋହନରେ ଧାଡ଼ି ଦର୍ଶନ ପାଇଁ ବ୍ୟବସ୍ଥା ଘୋଷଣା କରିଛନ୍ତି ସରକାର। ଜାନୁୟାରୀ ୨୦ ତାରିଖରେ ଏହା ଲାଗୁ ହେବ ବୋଲି ବି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଘୋଷଣା କରିଥିଲେ। ଆଜି ଯଦି ୪ ମାସ ପରେ ଏହାକୁ ଦେଖାଯାଏ ତେବେ ଏହି ଘୋଷଣା କେବଳ ଘୋଷଣାରେ ହିଁ ରହିଛି। ମନ୍ତ୍ରୀଯେ କେବଳ ଗୋଟିଏ ଥର ବୟାନ ଦେଇଥିଲେ ତା’ ନୁହେଁ, ବାରମ୍ବାର ଏ ବାବଦରେ କହିଛନ୍ତି। ଏପରିକି ବାଙ୍ଗାଲୁରୁରୁ କାଠ ଆସିବ ଏବଂ ସେହି କାଠରେ ଧାଡ଼ି ପାଇଁ ପ୍ଲାଟଫର୍ମ ତିଆରି ହେବ ଏମିତି ଅନେକ କଥା। ଶେଷ ଘୋଷଣା ଅନୁସାରେ ଶ୍ରୀମନ୍ଦିରର ନୂଆ ପରିଚାଳନା କମିଟି ହେଲେ ସେହି ଘୋଷଣା ଲାଗୁ ହେବ। ଯଦି ପରିଚାଳନା କମିଟିର ନିଷ୍ପତ୍ତି ଏଥିଲାଗି ଆବଶ୍ୟକ ହେଉଛି ତେବେ ମନ୍ତ୍ରୀ କ’ଣ ଏହା ଜାଣି ନ ଥିଲେ? ବାରମ୍ବାର ଲକ୍ଷ ଲକ୍ଷ ଜଗନ୍ନାଥପ୍ରେମୀଙ୍କୁ କାହିଁକି ବିଭ୍ରାନ୍ତ କରୁଥିଲେ ଆଇନ ମନ୍ତ୍ରୀ?
ସେହିପରି ବାଇସିପାହାଚରେ ଭକ୍ତଙ୍କୁ ନିୟନ୍ତ୍ରଣ କରିବା ଲାଗି ବ୍ୟବସ୍ଥା କରିବାକୁ ସରକାର କହିଥିଲେ। ହେଲେ ତାହା ବି ଏହାଯାଏ କାର୍ଯ୍ୟକାରୀ ହୋଇପାରିନାହିଁ। ଏବେ ଶ୍ରୀମନ୍ଦିରରେ ରଥଯାତ୍ରା ନୀତି ଆରମ୍ଭ ହୋଇଗଲାଣି। ଅର୍ଥାତ୍ ପୁଣି ରଥଯାତ୍ରା ଶେଷ ହେଲେ ଏ ବିଷୟରେ ଚର୍ଚ୍ଚା ହୋଇପାରେ। ଅର୍ଥାତ୍ ପୂର୍ବାପର ସଙ୍ଗତି ଓ ରୀତି ବାବଦରେ ମନ୍ତ୍ରୀଙ୍କ ଅଜ୍ଞତା ତାଙ୍କ ଏପରି ବୟାନରୁ ସ୍ପଷ୍ଟ ହେଉଛି ।
ରତ୍ନଭଣ୍ଡାରର ରତ୍ନ ଗଣତି କେବେ?
ଦ୍ୱିତୀୟ ସମ୍ବେଦନଶୀଳ ଘଟଣାଟି ହେଉଛି ରତ୍ନଭଣ୍ଡାର ଗଣତି, ମଣତି, ଓ ମରାମତି ପ୍ରସଙ୍ଗ। ସରକାରଙ୍କ ନିର୍ବାଚନ ଇସ୍ତାହାରରେ ଏହା ଥିଲା। ଏବଂ ପ୍ରଥମ କ୍ୟାବିନେଟ୍ ରେ ଏ ବିଷୟ ପାରିତ ହୋଇ କାର୍ଯ୍ୟାଦେଶ ଦିଆଯାଇଥିଲା। ଏ ବିତରେ ୧୧ ମାସ ବିତିଗଲାଣି କିନ୍ତୁ ତାହାର ସମ୍ପୂର୍ଣ୍ଣ ହୋଇପାରୁନାହିଁ। କେବେ ସରିବ ତାହା ବି ଏବେ କୁହାଯାଇପାରୁ ନାହିଁ। ପୂର୍ବରୁ ଅକ୍ଷୟ ତୃତୀୟ ସୁଦ୍ଧା ରତ୍ନ ଭଣ୍ଡାର କାର୍ଯ୍ୟ ଶେଷ ହେବ ବୋଲି ମନ୍ତ୍ରୀ କହିଥିଲେ? କାମ ସରିଲେ ରଥଯାତ୍ରା ସମୟରେ ଗଣତି କାର୍ଯ୍ୟ ଶେଷ ହୋଇ ବିସ୍ତୃତ ତାଲିକା ପ୍ରକାଶ ପାଇବ ବୋଲି କୁହାଯାଇଥିଲା। ହେଲେ ଏବେ ତାହାର ସୋର ଶବ୍ଦ ବି ଶୁଣାଯାଉ ନାହିଁ। ଅର୍ଥାତ୍ ମନ୍ତ୍ରୀଙ୍କ ବୟାନର ଏହା ଆଉ ଏକ ଅପରିପକ୍ୱତାକୁ ଦର୍ଶାଉଛି। ମନ୍ତ୍ରୀ ଯେ କୌଣସି ନିର୍ଦ୍ଦିଷ୍ଟ ଅଧିକାରୀଙ୍କ ଦ୍ୱାରା ପରିଚାଳିତ ହେଉଛନ୍ତି ତାହା ସ୍ପଷ୍ଟ ହେଉଛି। ଅର୍ଥାତ୍ ସମ୍ପୂର୍ଣ୍ଣ ବିଭାଗ ଉପରେ ମନ୍ତ୍ରୀଙ୍କ କର୍ତ୍ତୃତ୍ୱ ଆସିପାରି ନାହିଁ।
ସରକାରଙ୍କୁ ମାନୁନାହାନ୍ତି ସେବାୟତ
ଏପରି ଅପରିପକ୍ୱତାର ଆହୁରି ଅନେକ ଉଦାହରଣ ରହିଛି। ଶ୍ରୀମନ୍ଦିର ପରିଚାଳନା ଯେ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣରେ ନାହିଁ ତାହା ସ୍ପଷ୍ଟ ହେଉଛି। ନବ କଳେବର ସମୟରେ ସେବାୟତଙ୍କ ଆଚରଣକୁ ନେଇ ବିଜେଡି ସରକାରଙ୍କୁ ସମାଲୋଚନା କରିଥିଲେ ବିଜେପିର ନେତାମାନେ। ଆଜି କିନ୍ତୁ ବିଜେପି ସରକାରରେ। ହେଲେ ସେବାୟତମାନେ ସରକାରଙ୍କୁ ନାକେଦମ କରି ରଖିଛନ୍ତି।
ଦୀଘା ଜଗନ୍ନାଥ ମନ୍ଦିର ବିବାଦ ନୂଆ ମୋଡ଼ରେ
ନିକଟରେ ପଶ୍ଚିମବଙ୍ଗର ଦୀଘାଠାରେ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ସ୍ଥାପନାରେ ଶ୍ରୀମନ୍ଦିର ସେବାୟତଙ୍କ ଯୋଗଦାନକୁ ନେଇ ବିବାଦ ଆରମ୍ଭ ହୋଇଛି। ଏହି ମାମଲାରେ ସରକାରଙ୍କ ହସ୍ତକ୍ଷେପ ମଧ୍ୟ ଏବେ ବିବାଦକୁ ନୂଆ ମୋଡ଼ ଦେଇଛି। ପଶ୍ଚିମବଙ୍ଗର ଯାତ୍ରୀ ଯେ ଶ୍ରୀ ଜଗନ୍ନାଥ ମନ୍ଦିରରେ ପ୍ରତିବର୍ଷ ଅନେକ ସଂଖ୍ୟାରେ ଆସିଥାଆନ୍ତି ସେଇଥିରେ କୌଣସି ସନ୍ଦେହ ନାହିଁ। ଓଡ଼ିଶା ପରେ ସବୁଠାରୁ ଅଧିକ ଶ୍ରୀ ଜଗନ୍ନାଥଙ୍କ ଭକ୍ତ ଯଦି କୌଣସି ପ୍ରଦେଶରେ ଅଧିକ ସଂଖ୍ୟାରେ ଥାଆନ୍ତି ତେବେ ତାହା ପଶ୍ଚିମବଙ୍ଗରେ।
ପରମ୍ପରାକ୍ରମେ ଏଠାରୁ ପଣ୍ଡାମାନେ ପଶ୍ଚିମବଙ୍ଗ ଯାଇ ସେଠାରୁ ଯାତ୍ରୀଙ୍କୁ ଆଣୁଥିଲେ। ଯାତ୍ରୀଙ୍କ ସହ ଉତ୍ତମ ସମ୍ପର୍କ ରକ୍ଷା କରୁଥିଲେ। ଆଜି ବି ଅନେକାଂଶରେ ସେହି ପରମ୍ପରେ ଚାଲୁଛି। ଯଜମାନମାନଙ୍କୁ ଧାର୍ମିକ ବାର୍ତ୍ତା ଦେବା, ତାଙ୍କ ସୁଖ ଦୁଃଖରେ ସାମିଲ ହେବା କିଛି ନୂଆ କଥା ନୁହେଁ। ପୁଣି ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସ୍ଥାନରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠାବେଳେ ଶ୍ରୀମନ୍ଦିରର ସେବାୟତ, ପୁରୀ ଗଜପତି ମହାରାଜାଙ୍କ ଉପସ୍ଥିତି ବି ସାକ୍ଷୀ ରହିବା ଏକ ସ୍ୱାଭାବିକ ଘଟଣାଭାବେ ଗ୍ରହଣ କରାଯାଇଛି। କିଛି ସ୍ଥାନରେ ବିବାଦ ଉପୁଜିଛି କିନ୍ତୁ କେବେ ତାହା ସରକାରୀ ହୋଇ ନାହିଁ। ହେଲେ ମନ୍ତ୍ରୀ ପୃଥ୍ୱୀରାଜ କିନ୍ତୁ ଏ କ୍ଷେତ୍ରରେ ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି।
ମିଡ଼ିଆରେ ରହିବାକୁ ମନ୍ତ୍ରୀଙ୍କ ବୟାନ
ମନ୍ତ୍ରୀ ଜାଣିଛନ୍ତି ଯେ ମନ୍ଦିର ପ୍ରଶାସନ ଏକ ସ୍ୱୟଂ ଶାସିତ ଅନୁଷ୍ଠାନ। ଏହାର ଏକ ପରିଚାଳନା କମିଟି ରହିଛି। ପରମ୍ପରା ଓ ଆଇନ ଅନୁସାରେ ଗଜପତି ମହାରାଜା ଏହାର ଅଧ୍ୟକ୍ଷ। ଏଣୁ ପରିଚାଳନା କମିଟି ଓ ମୁଖ୍ୟ ପ୍ରଶାସକଙ୍କ ଦ୍ୱାରା ହିଁ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥାଏ। ଯଦି କୌଣସି ପରିଚାଳନା ତ୍ରୁଟି ଆସିବ ତେବେ ତାହା ପରିଚାଳନା କମିଟି ହିଁ ସୁଧାରିବ ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। କିନ୍ତୁ ରାଜ୍ୟ ସରକାର କେବେ ଏପରି ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ କରନ୍ତି ନାହିଁ। ଯେତେବେଳେ ବି କେବେ ହସ୍ତକ୍ଷେପ କରିବାକୁ ଚାହିଁଛନ୍ତି ସେତେବଳେ ସମାଲୋଚିତ ହୋଇଥିବା ନଜରକୁ ଆସିଛି। ଏପରି ପରିସ୍ଥିତିରେ ଆଇନ ମନ୍ତ୍ରୀ ତଦନ୍ତ ପାଇଁ ଆଦେଶ ଦେବା ନିଶ୍ଚିତଭାବେ ମନ୍ତ୍ରୀଙ୍କ ଆଗଚଲା ପ୍ରକୃତିକୁ ସ୍ପଷ୍ଟ କରୁଛି। ଏହା ପ୍ରମାଣିତ କରରୁଛି ଯେ ମନ୍ତ୍ରୀ କେବଳ ମିଡ଼ିଆ ଚର୍ଚ୍ଚାରେ ଅଂଶୀଦାର ହେବାକୁ ଚାହୁଁଛନ୍ତି।
ସେବାୟତ ରାଜନୈତିକ ଦଳର ସଦସ୍ୟ
ପୁଣି ଶ୍ରୀ ଜଗନ୍ନାଥଙ୍କ ସେବାୟତମାନେ ଯେ ଭିନ୍ନ ଭିନ୍ନ ରାଜନୀତିକ ଦଳରେ ବିଭକ୍ତ ତାହାକୁ କେହି ଅସ୍ୱୀକାର କରିବେ ନାହିଁ। ଯେଉଁ ସେବାୟତ ଦୀଘା ମନ୍ଦିରରେ ଉପସ୍ଥିତ ଥିଲେ ତାହାକୁ ନିନ୍ଦା କରିବା ଲାଗି କାହା ପାଖରେ ଶକ୍ତି ନାହିଁ କାରଣ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ହେଉଛନ୍ତି ତାଙ୍କ ଯଜମାନ ଏବଂ ଯଜମାନଙ୍କ ନିମନ୍ତ୍ରଣ ରକ୍ଷାକରି ସେ ସେଠାକୁ ଯାଇଛନ୍ତି। କଥା ହେଉଛି ଦାରୁ କାଠରେ ଶ୍ରୀ ଜଗନ୍ନାଥଙ୍କ ମୂର୍ତ୍ତି ନିର୍ମାଣ। ଏଠାରେ ସ୍ପଷ୍ଟ ଯେ ବଳକା ଦାରୁ କାଠରେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ହେବା କିଛି ନୂଆ କଥା ନୁହେଁ। ଏପରି ମୂର୍ତ୍ତିଙ୍କ ପ୍ରତି ଭକ୍ତଙ୍କ ଆବେଗ ଆହୁରି ବଢ଼ିଥାଏ। ବ୍ୟାବସାୟିକ ଦୃଷ୍ଟିକୋଣରୁ କିଛି କାରିଗର ଏବଂ ସେବକ ଏହି ନାଁରେ ମୂର୍ତ୍ତି ବିକ୍ରି କରିଥାଆନ୍ତି। କିନ୍ତୁ ଏହି ବଳାକା ଦାରୁକାଠ ଯେ ମନ୍ଦିର ଭିତରୁ ଯାଇଛି ତାହାକୁ କେହି କେବେ ସ୍ୱୀକାର କରିବେ ନାହିଁ। ଏଣୁ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଯେଉଁ ଫଳ ଆସିବ ତାହା ପୂର୍ବ ନିର୍ଦ୍ଧାରିତ। ଅର୍ଥାତ୍ ଏକ ସ୍ୱଳ୍ପକାଳୀନ ଅଯଥା ତର୍କକୁ କିଛିଦିନ ମିଡିଆରେ ବଞ୍ଚାଇ ରଖିବାକୁ ମନ୍ତ୍ରୀ ବୟାନ ଦେଇଛନ୍ତି। ଏହା କେବେ ମନ୍ତ୍ରୀଙ୍କ ପ୍ରତିଛବିକୁ ବିସ୍ତାରିତ କରିପାରିବ ନାହିଁ।
ଏହି ବିବଦାରେ ଆଉ ଏକ ବିଷୟ ହେଉଛି ଦୀଘା ମନ୍ଦିର ସ୍ଥଳକୁ ଜଗନ୍ନାଥ ଧାମ ଭାବେ ନାମକରଣ। ଏହା ଏକ ରାଜ୍ୟ ସରକାରଙ୍କ ବ୍ୟାପାର। ପୁଣି ଏବେ ପଶ୍ଚିମବଙ୍ଗ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଦଳ ଅଲଗା ଏଣୁ ସରକାରୀଭାବେ ରାଜ୍ୟ ସରକାର ଏ ବାବଦରେ କୌଣସି ବୟାନ ଦେବା କେବେବି ସାର୍ଥକ ହେବ ନାହିଁ। କେବଳ ଦୁଇ ରାଜ୍ୟ ଭିତରେ ଶ୍ରୀ ଜଗନ୍ନାଥଙ୍କୁ ନେଇ କେବଳ ମତାନ୍ତର ସୋସାଲ ମିଡ଼ିଆରେ ହିଁ ଚର୍ଚ୍ଚିତ ହେବ। ଏହି ଚର୍ଚ୍ଚାରେ ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥ ଭକ୍ତମଣ୍ଡଳୀଙ୍କ କେବେ କୌଣସି କ୍ଷତି ହେବାରେ ନାହିଁ। ଏଣୁ ଏଭଳି ଏକ ପ୍ରସଙ୍ଗରେ ମନ୍ତ୍ରୀଙ୍କ ଆଗଚଲା ନୀତି ନିଶ୍ଚିତ ଭାବେ ଅସ୍ପୃହଣୀୟ।
ଗତବର୍ଷ ରଥାଯାତ୍ରାରେ ପହଣ୍ଡିବେଳେ ବଡ଼ ଠାକୁର ମୁହଁମାଡ଼ି ହୋଇ ପଡ଼ିଯାଇଥିଲେ। ବିଜେପି ସରକାର ତାହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଥିଲେ। ଏହି ତଦନ୍ତକୁ ଇତି ମଧ୍ୟରେ ୧୦ମାସ ପୁରିଲାଣି। ତଦନ୍ତ ରିପୋର୍ଟ କୁଆଡ଼େ ଗଲା ବୋଲି ସାଧାରଣରେ ଆଲୋଚନା ହେଉଛି।
ଦୁନିଆରେ ଆସିବାକୁ ଯାଉଛି ଆର୍ଥିକ ମାନ୍ଦାବସ୍ଥା, ପ୍ରଥମ ଥର ପାଇଁ ଦେଖିବାକୁ ମିଳିଲା ଏଭଳି ସଂକେତ