Donkey Route: ଆମେରିକାରେ ଅବୈଧ ପ୍ରବେଶ ଓ ବସବାସ ଅଭିଯୋଗରେ ଟ୍ରମ୍ପ ପ୍ରଶାସନର କଠୋର ଆଭିମୁଖ୍ୟ ଏତେ ବିବାଦୀୟ ଓ ବିତର୍କିତ ହୋଇ ନଥା’ନ୍ତା ଯଦି ୧୦୪ ଭାରତୀୟଙ୍କୁ ହାତକଡ଼ି ଓ ଗୋଡ଼ବେଡ଼ି ପିନ୍ଧାଇ ସାମରିକ ବିମାନରେ ଭାରତ ପଠାଯାଇ ନଥା’ନ୍ତା।
ଯେଉଁ ଭାରତର ମେଧା ଓ ପ୍ରତିଭା ବିଶ୍ୱକୁ, ବିଶେଷକରି ଆମେରିକାର ସଫ୍ଟପାୱାର ଓ ସଫ୍ଟୱେର ଟେକନୋଲଜିର ପରାକାଷ୍ଠାକୁ ନଭଶ୍ଚୁମ୍ବୀ କରିଛି, ସେହି ଦେଶର ନାଗରିକଙ୍କୁ ହାତକଡ଼ି ପିନ୍ଧାଇ ଅପରାଧୀ ଭାବେ ଚିତ୍ରିତ କରି ସାମରିକ ବିମାନରେ ବିତାଡ଼ିତ କରିବା ଭାରତ ପ୍ରତି ଅପମାନସୂଚକ ନିଶ୍ଚୟ।
ଘଟଣାର ସ୍ପର୍ଶକାତରତା ଦୃଷ୍ଟିରୁ ବାଧ୍ୟ ହୋଇ ବୈଦେଶିକ ମନ୍ତ୍ରୀ ସଂସଦରେ ବିବୃତି ରଖିଛନ୍ତି।
ଆମେରିକାର ତଥାକଥିତ ୧୦୪ ପ୍ରବାସୀ ଭାରତୀୟଙ୍କୁ ନେଇ ଆମେରିକା ସି-୧୭ ସାମରିକ ବିମାନ ପଞ୍ଜାବର ଅମୃତସରରେ ପହଞ୍ଚିବା ପରେ ଦୁଇଟି ପ୍ରସଙ୍ଗ ଉତ୍ଥାପିତ ହୋଇଛି। ପ୍ରଥମତଃ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବନ୍ଧୁ ଭାବେ ଅଭିହିତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି କାର୍ଯ୍ୟାନୁଷ୍ଠାନ ଜରିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକା ଗସ୍ତ ପୂର୍ବରୁ ଭାରତକୁ କେଉଁ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ଏବଂ ଏହାକୁ ଭାରତ କେଉଁ ହିସାବରେ ଗ୍ରହଣ କରିବା ଉଚିତ? ଆମେରିକା ଭଳି ଭାରତ କାହିଁକି ସେଭଳି କାର୍ଯ୍ୟାନୁଷ୍ଠାନ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୋଧରେ ନେଇପାରିବ ନାହିଁ?
ଦ୍ୱିତୀୟତଃ, ୨୦୨୩ରେ ମୁକ୍ତିଲାଭ କରିଥିବା ଶାହାରୁଖ୍ ଖାନ୍ ଅଭୀନିତ ହିନ୍ଦୀ ଚଳଚ୍ଚିତ୍ର ‘ଡଙ୍କି ରୁଟ୍’(ବିନା ବୈଧ ଅନୁମତିରେ ବା ଗଳାବାଟରେ ଅନୁପ୍ରବେଶ)ର କଥାବସ୍ତୁ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଭାରତୀୟମାନଙ୍କ ଆମେରିକା ରହଣିର ଅଯୌକ୍ତିକ ଓ ଅଯଥାର୍ଥ ଲାଳସା ସେମାନଙ୍କୁ ଚଳିତଳାନ୍ତ କରିବା ସହିତ ଦେଶକୁ ନିନ୍ଦିତ କରୁଛି। ସେହିପରି ପ୍ରବାସୀ ଭାରତୀୟଙ୍କୁ ନେଇ ଆସୁଥିôବା ଆମେରିକା ସାମରିକ ବିମାନ କୂଟନୈତିକ ସର୍ତ୍ତ ଅନୁଯାୟୀ ଦେଶର ରାଜଧାନୀ ନୂଆଦିଲ୍ଲୀରେ ଅବତରଣ କରିବା ବଦଳରେ ପଞ୍ଜାବର ଅମୃତସର ବିମାନ ବନ୍ଦରକୁ କାହିଁକି ବାଛିଲା ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।
ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ଆମେରିକା ରାଷ୍ଟ୍ରପତି କ୍ଷମତାକୁ ଫେରିବା ପରେ ଅବୈଧ ଦେଶାଟନକାରୀଙ୍କୁ ଅବାଞ୍ଛିତ, ଅହିତକର ଓ ଅପରାଧୀ ଆଖ୍ୟା ଦେଇ ଆସୁଛନ୍ତି। ତେଣୁ ଅବୈଧ ପ୍ରବାସୀ ଭାରତୀୟଙ୍କୁ ହାତକଡ଼ି ଗୋଡ଼ବେଡ଼ି ପିନ୍ଧାଇ ପାଞ୍ଚଗୁଣା ଅଧିକ ଖର୍ଚ୍ଚ କରି ସାମରିକ ବିମାନରେ ଦୀର୍ଘ ୪୦ ଘଣ୍ଟା ଧରି ବିନା ଖାଦ୍ୟ ପାନୀୟରେ ଯୁଦ୍ଧବନ୍ଦୀ ଭାବେ ବିବେଚିତ ଓ ଦେଶାନ୍ତରିତ କରି ଟ୍ରମ୍ପ ବିଶ୍ୱକୁ ଏହି ବାର୍ତ୍ତା ଦେଲେ ଯେ ଅନୁପ୍ରବେଶକାରୀଙ୍କ ପ୍ରତି ସେ କେତେ କଠୋର ହୋଇପାରନ୍ତି।
ଟ୍ରମ୍ପଙ୍କ ସନ୍ଦେଶ ବିଶ୍ୱର କୋଣଅନୁକୋଣରେ ପହଞ୍ଚାଇବା ପାଇଁ ଟ୍ରମ୍ପ ପ୍ରଶାସନ ଏହି ଦୃଶ୍ୟର ଫଟୋ ଉଠାଇ ଆମେରିକାର ଗଣମାଧ୍ୟମ ଜରିଆରେ ପ୍ରସାର କରିଛନ୍ତି। ବସ୍ତୁତଃ ରାଷ୍ଟ୍ରପତି ଭାବେ ଶପଥ ନେବା ଦିନ ହଁ ଟ୍ରମ୍ପ ଆମେରିକାର ‘ଏଲିଅନ୍ ଏନେମିସ୍ ଆକ୍ଟ ୧୭୯୮’କୁ ବେଆଇନ ଭାବେ ଆମେରିକାରେ ବସବାସ କରୁଥିବା ଦେଶାଟନକାରୀଙ୍କ ବିରୋଧରେ ଲାଗୁ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଥିଲେ।
ଉଲ୍ଲେଖ ଯେ,୧୮୧୨ରେ ଆମେରିକା-ବ୍ରିଟେନ୍ ଯୁଦ୍ଧ, ପ୍ରଥମ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଆମେରିକାରେ ଲାଗୁ ହୋଇଥିବା ଏହି କଠୋର ଆଇନ ଚତୁର୍ଥ ଥର ଲାଗି ବେଆଇନ ଅନୁପ୍ରବେଶକାରୀଙ୍କ ପାଇଁ ଲାଗୁ ହୋଇଛି। ଏଥିରୁ ଟ୍ରମ୍ପଙ୍କ ଆଭିମୁଖ୍ୟ ବୁଝାଇ କହିବା ଅନାବଶ୍ୟକ।
ଏହି ଘଟଣାର ଦ୍ୱିତୀୟ ଦିଗ ବା ପ୍ରସଙ୍ଗ ଆହୁରି ସମ୍ବେଦନଶୀଳ ଓ ଚିନ୍ତାଜନକ। ଏ ସମସ୍ତ ଘଟଣା ବା ବିବାଦର ମୂଳ କାରଣ ମଧ୍ୟ। ଆମେରିକାର ଦୁର୍ବାର ଆକର୍ଷଣ ଅସଂଖ୍ୟ ବିଶ୍ୱବାସୀଙ୍କ ସମେତ ଭାରତୀୟଙ୍କୁ ‘ଡଙ୍କିରୁଟ୍’ ପ୍ରତି ଆକର୍ଷିତ କରୁଛି, ଯାହାର ଫାଇଦା ନେଇଛନ୍ତି ‘ଡଙ୍କର’ ବା ‘ଚୋରାଚାଲାଣକାରୀ’ମାନେ। ସଦ୍ୟ ଫେରିଥିବା ପ୍ରବାସୀ ଭାରତୀୟମାନଙ୍କ ମଧ୍ୟରୁ କେତେଜଣ ‘ଡଙ୍କିରୁଟ୍’ରେ ଆମେରିକା ଯିବା ପାଇଁ ୬୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଏଜେଣ୍ଟଙ୍କ ଜରିଆରେ ଖର୍ଚ୍ଚ କରିଥିବା ଜଣାପଡ଼ିଛି ଏବଂ ସେମାନେ ସେହି ଟଙ୍କା ଫେରି ପାଇବା ପାଇଁ ଦାବି କରୁଛନ୍ତି।
‘ଡଙ୍କିରୁଟ୍’ ଶବ୍ଦ ପଞ୍ଜାବୀ କଥନିକାରୁ ଆନୀତ, ଯାହାର ଅର୍ଥ ଯେକୌଣସି ଉପାୟରେ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଯିବା। ଏହାକୁ ଆମେ ବୋକାଙ୍କ ଅଯଥାର୍ଥ ଉଦ୍ୟମ ବା ‘ନିର୍ବୋଧତାର ପଥ’ କହିଲେ ଅତ୍ୟୁକ୍ତି ହେବ ନାହିଁ। କେବଳ ଆମେରିକା ନୁହେଁ ୨୦୨୩ରେ ‘ଡଙ୍କିରୁଟ୍’ରେ ଯାଇଥିବା ୩୦୩ ଭାରତୀୟଙ୍କୁ ଏକ ଫ୍ରାନ୍ସ ବିମାନ ନେଇ ନିକାରାଗୁଆରେ ଛାଡ଼ିଥିଲା। ଆମେରିକା ପହଞ୍ଚିବା ପାଇଁ ଏହି ‘ଡଙ୍କିରୁଟ୍’ ହେଲା ଅମୃତସରରୁ ନେପାଳ, ଦୁବାଇ, ଆର୍ମେନିଆ ଦେଇ ଲାଟିନ୍ ଆମେରିକା ପହଞ୍ଚିବା ପରେ ସେଠାରୁ ୟୁରୋପକୁ ପର୍ଯ୍ୟଟନ ଭିସା ଅନୁମତି ମିଳିଯାଉଛି। ୟୁରୋପରୁ ମେକ୍ସିକୋ ଯିବା ସହଜ ଥିବାରୁ ମେକ୍ସିକୋ ସୀମାନ୍ତ ଦେଇ ଆମେରିକାରେ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢ଼଼ୁଛି।
ଏହି ‘ଡଙ୍କିରୁଟ୍’ ଏଭଳି ନିର୍ଯାତନାଭରା ଓ ବିପଦପୂର୍ଣ୍ଣ ଯାତ୍ରା ଯେ ଲକ୍ଷ୍ୟସ୍ଥଳରେ ପହଞ୍ଚିବାର କୌଣସି ନିଶ୍ଚିତତା ନାହିଁ। ଚୋରାଚାଲାଣକାରୀମାନେ ଯେଉଁ ରାସ୍ତାରେ ଚୋରମାଲ କାରବାର କରନ୍ତି ସେହି ବାଟରେ ବିପଦ ଓ ଆହ୍ୱାନପୂର୍ଣ୍ଣ ନଦୀନାଳ, ସମୁଦ୍ର, ଜଙ୍ଗଲ ଡେଇଁ ପ୍ରବାସୀମାନଙ୍କୁ ଦେଶାନ୍ତର କରନ୍ତି। ଏଭଳି ଅବସ୍ଥରେ ଅନେକେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ପ୍ରାଣ ହରାନ୍ତି। ୧୯୯୬ରେ ୨୮୩ ପଞ୍ଜାବୀ ‘ଡଙ୍କିରୁଟ୍’ରେ ଇଟାଲି ଯାଉଥିବା ସମୟରେ ଭୂମଧ୍ୟସାଗରରେ ମୃତ୍ୟୁ ଘଟିଥିଲା। ଏହାଛଡ଼ା ଭଲ ବ୍ୟବସାୟ ଓ ଚାକିରିର ଲୋଭ ଦେଖାଇଥିବା ‘ଡଙ୍କର’ମାନେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପରେ ପ୍ରବାସୀମାନଙ୍କୁ ଶ୍ରମିକ ଭାବରେ କାମ କରିବାକୁ ବାଧ୍ୟ କରନ୍ତି। ଆମେରିକା ନେବା ପାଇଁ କହି ଇଟାଲୀ, ଲାଟିନ ଆମେରିକା ଓ ଦକ୍ଷିଣ ଆମେରିକା, ୟୁରୋପୀୟ ରାଷ୍ଟ୍ରକୁ ନେଇଯା’ନ୍ତି, ଯେଉଁଠାରେ ନିରୂପାୟ ହୋଇ ଭାଗ୍ୟକୁ ଆଦରି ରହିବା ଛଡ଼ା ଅନ୍ୟ ଉପାୟ ନଥାଏ।
ଏପରିକି ଆମେରିକୀୟଙ୍କୁ ବିବାହର ପ୍ରଲୋଭନରେ ଅନେକ ଯୁବତୀ ‘ଡଙ୍କର’ଙ୍କ ହାବୁଡ଼ରେ ପଡ଼ନ୍ତି ଏବଂ ଆମେରିକାରେ ପାଠ ପଢ଼଼ି ଚାକିରି କରିବା ଲୋଭରେ ଅନେକ ଯୁବକ ମଧ୍ୟ ‘ଡଙ୍କିରୁଟ’କୁ ବାଛିବାର ନିର୍ବୋଧତା କରନ୍ତି। ଏପରିକି ବ୍ୟାଙ୍କମାନେ ମଧ୍ୟ ଏଭଳି ନିର୍ବୋଧ ଯାତ୍ରୀଙ୍କ ପାଇଁ ଋଣ ମଞ୍ଜୁର କରିଦିଅନ୍ତି। ଡଙ୍କି(ନିର୍ବୋଧ)ମାନେ ଭୁଲି ଯାଆନ୍ତି ଯେ ‘ଡଙ୍କର’ମାନଙ୍କୁ ଯେତେ ବିପୁଳ ପରିମାଣ କମିଶନି ଆକାରରେ ଦେବାକୁ ପଡ଼େ ସେଥିରେ ନିଜ ଜନ୍ମମାଟିରେ ବ୍ୟବସାୟ କରି ଜୀବନଜୀବିକା ପ୍ରତିପୋଷଣ କରିହୁଅନ୍ତା।
ଏବେ ବିଡ଼ମ୍ବନା ହେଉଛି ଅତି ଲୋଭରୁ ମୃତ୍ୟୁ ଭଳି ଯେଉଁ ଘଟଣାମାନ ଘଟୁଛି ସେଥିରେ ନିର୍ବୋଧ ପଥର ଯାତ୍ରୀଙ୍କୁ ମିଳୁଥିବା ଦଣ୍ଡର ପରାଭବ ନିରପରାଧୀମାନେ ଭୋଗୁଛନ୍ତି, ଯାହାର କେତେକ ଉଦାହରଣ ସଦ୍ୟ ଫେରନ୍ତା ପ୍ରବାସୀଙ୍କ ଭାରତୀୟଙ୍କ ମଧ୍ୟରୁ କେତେକଙ୍କ ମଧ୍ୟରେ ଘଟିଛି।
ALSO READ: https://purvapaksa.com/illegal-indian-expatriates-return-to-india-from-us/