Mahakumbha-2025: ‘ମସଣି ଗୋରଖ, ବଟୁକ ଭୈରବ, ରାଘବ, ମାଧବ, ସର୍ବେଶ୍ୱରୀ, ଜଗଦୀଶେଶ୍ୱରୀ ବା ଜଗଦୀଶ…’, ଯେତେବେଳେ କୁମ୍ଭକୁ ଆସିଥିବା ଏହି ସନ୍ନ୍ୟାସୀଙ୍କୁ ତାଙ୍କ ନାମ ପଚରାଗଲା, ସେ କହିଲେ ଯେ ଏଗୁଡ଼ିକ ମୋର ନାମ, ଯାହା ମୁଁ କହିବି। ଆଇଆଇଟି ମୁମ୍ବାଇର ଏହି ଏରୋସ୍ପେସ୍ ଇଞ୍ଜିନିୟରଙ୍କ କାହାଣୀ ଯେତିକି ଉତ୍ଥାନ-ପତନରେ ଭରି ରହିଛି, ସେତିକି ରହସ୍ୟମୟ। କୋଟି କୋଟି ଟଙ୍କାର ପ୍ୟାକେଜ୍ ଓ କର୍ପୋରେଟ୍ ଜଗତର ଆକର୍ଷଣ ଛାଡ଼ି ପ୍ରୟାଗରାଜର ବାଲିରେ କ’ଣ କରୁଛନ୍ତି ଏହି ଯୁବ ଯୋଗୀ?
ପ୍ରୟାଗରାଜରେ ୧୪୪ ବର୍ଷ ପରେ ଅନୁଷ୍ଠିତ ହେଉଛି ମହାକୁମ୍ଭ। ମହାକୁମ୍ଭରେ ଲାଗିଛି ସାଧୁସନ୍ଥଙ୍କ ସହିତ ଶ୍ରଦ୍ଧାଳୁଙ୍କ ଭିଡ଼। ସଙ୍ଗମ ସ୍ଥଳରେ ଏକତ୍ରିତ ହୋଇଥିବା ସାଧୁ ସନ୍ଥଙ୍କର ରହିଛି କିଛି ନିଆରା କାହାଣୀ। ଏହାରି ଭିତରେ ଏବେ ସାମ୍ନାକୁ ଆସିଛି ଜଣେ ଆଇଆଇଟି ବାବାଙ୍କ କହାଣୀ। ଯିଏକି ଆଇଆଇଟି ମୁମ୍ବାଇରୁ ଏରୋସ୍ପେସ୍ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିବା ପରେ ଭଲ ପ୍ୟାକେଜର ଚାକିରୀ ଛାଡ଼ି ସନ୍ୟାସ ଗ୍ରହଣ କରିଛନ୍ତି। ଆଜି ଯେଉଁ ଡିଗ୍ରୀ ପାଇବା ପାଇଁ ଲକ୍ଷ ଲକ୍ଷ ପିଲା ଧାଉଁଛନ୍ତି ତାକୁ ଛାଡ଼ି ସନ୍ୟାସ ଗ୍ରହଣ କରିଥିବା ଏହି ଯୁବକଙ୍କ ଭାବନା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏହି ସନ୍ୟାସୀ ଜଣକ ଏବେ ପ୍ରୟାଗ ରାଜର ସଙ୍ଗମ କୁଳରେ ବସି ଲୋକଙ୍କୁ ଜୀବନର ପ୍ରକୃତ ଅର୍ଥ ବୁଝାଉଥିବାର ନଜର ଆସୁଛନ୍ତି।
ତେବେ କିପରି ଥିଲା ସନ୍ୟାସୀଙ୍କର ଜୀବନ ଯାତ୍ରା
ଏହି ସନ୍ୟାସୀଙ୍କର ସବୁଠୁ ବଡ଼ ଆକର୍ଷଣ ହେଉଛି ତାଙ୍କ ଜୀବନ ଯାତ୍ରା। ଏକ ସାକ୍ଷାତ୍କାରରେ ଯେତେବେଳେ ତାଙ୍କୁ ପଚରା ଯାଇଥିଲା ଆଧ୍ୟାତ୍ମିକତାକୁ କାହିଁକି ବାଛିଲେ, ସେତେବଳେ ଯୁବକ ବା ବାବା ଜଣକ ହସି ହସି ଦାର୍ଶନିକ ଭାବରେ ଉତ୍ତର ଦେଇ କହିଲେ ସନ୍ୟାସକୁ ବାଛିବା ହେଉଛି ମୋ ଜୀବନର ଏକ ଉଚିତ ନିଷ୍ପତ୍ତି ଏବଂ ଆପଣମାନେ ଜ୍ଞାନ ପଛରେ ଧାଇଁ ଧାଇଁ ପରିଶେଷରେ ଏଇଠିକି ହିଁ ଆସିବେ। ଜୀବନରେ ସବୁବେଳେ ହସିବା ଉଚିତ। ମୃତ୍ୟୁ କେତେବେଳେ ବି ଆସିପାରେ ମୁଁ ହସି ହସି ମରିବାକୁ ଚାହେଁ।
ବାବାଙ୍କର ରହିଛି ଅନେକ ନାମ
ସନ୍ୟାସୀଙ୍କର ନାମ କ’ଣ ପଚାରିବାରୁ, ସେ ଦେଇଥିବା ଉତ୍ତର ସମସ୍ତଙ୍କୁ ଚକିତ କରିଦେଇଥିଲା। ନିଜ ଉତ୍ତରରେ ସେ କହିଥିଲେ ମୋର ବହୁତ ନାମ ଆପଣଙ୍କୁ କେଉଁ ନାମ ମୁଁ କହିବି। ମସାନୀ ଗୌରଖ, ବଟୁକ ଭୌରବ, ରାଘବ, ମାଧବ, ଜଗଦିଶ ଏପରି ବହୁତ ନାମ ମୋର ରହିଛି। କିନ୍ତୁ ଅଭୟ ସିଂ ନା ରଖି ମୁଁ ମୋର ପାଠପଢ଼ା ପୁରା କରିଛି। କିନ୍ତୁ ମୁଁ ନିଜକୁ ନା ତ ସନ୍ଥ ବୋଲି ମାନୁଛି ନା ବୈରାଗୀ। ଜ୍ଞାନର ସନ୍ଧାନ କରିବା ପାଇଁ ଏକା ଏକା ହିଁ ଚାଲିଛି।
ନିଜ ଆଇଆଇଟି ଜୀବନି ବିଷୟରେ କହି ସେ କହିଛନ୍ତି, ହରିୟାଣାର ଏକ ଛୋଟ ସହରରୁ ମୁଁ ଆସିଛି। ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ମୁଁ ଆଇଆଇଟିର ନାଁ କେଭେ ଶୁଣିନଥିଲି। ପରେ ଯେତେବଳେ ଜାଣିଲି ପଢ଼ିବାର ଆଗ୍ରହ ହେଲା ଆଉ ଦିଲ୍ଲୀ ଚାଲିଆସିଲି ଏବଂ ମୋର ସିଲେକ୍ସନ ମଧ୍ୟ ହୋଇଗଲା କାରଣ ପାଠପଢ଼ାରେ ମୁଁ ବହୁତ ଭଲ ଛାତ୍ର ଥିଲି। ହରିୟାଣା ଇଜ୍ଜାର ଭଳି ଏକ ଛୋଟ ସହରରୁ ଆସିଥିବା ଏକ ପିଲା ଜେଇଇ ଏନଟ୍ରାନ୍ସରେ ୭୨୧ ରାଙ୍କରେ ପାସ ହେଲା। ଏହାପରେ ମୁଁ ମୋ ରାଙ୍କ ଦେଖି ଭାବିଲି ଏରୋସ୍ପେସ୍ ଇଞ୍ଜିନିୟରିଂ ହିଁ ବେଷ୍ଟ ହେବ। କିନ୍ତୁ ପଇସା କି ଚାକିରି ପଛରେ ମୁଁ କେଭେ ପଡ଼ିନଥିଲି।
ତେବେ କାହିଁକି ଛାଡ଼ିଲେ ଇଞ୍ଜିନିୟରିଂ?
ଅଭୟ ସିଂଙ୍କ ଅନୁଯାୟୀ ତାଙ୍କର ଫଟୋଗ୍ରାଫି, ଟ୍ରାଭେଲିଂରେ ବେଶୀ ମନଥିଲା। ଫଟୋଗ୍ରାଫି ସମ୍ବନ୍ଧୀୟ ପାଠ ସେ ପଢ଼ିବା ପାଇଁ ଇଞ୍ଜିନିୟରିଂ ଛାଡ଼ିଦେଲେ। ଫଟୋଗ୍ରାଫି ପାଇଁ ଯେତେବଳେ ତାଙ୍କୁ ବିଭିନ୍ନ ସ୍ଥାନ ବୁଲିବାକୁ ପଡ଼ିଲା ସେତେବେଳେ ତାଙ୍କ ଜୀବନ ଆଉ ଏକ ନୂଆ ମୋଡ଼ ନେଲା। ନିଜ ନାମରେ ସେ ଏକ କୋଚିଂ ସେଣ୍ଟର ମଧ୍ୟ ସେ ଖାଲିଲେ ଯେଉଁଠି ପିଲାମାନଙ୍କୁ ପଦାର୍ଥ ବିଜ୍ଞାନ ପଢ଼ାଯାଉଥିଲା। ଧିରେ ଧିରେ କିନ୍ତୁ ତାଙ୍କର ଏଥିରେ ବି ମନ ଲାଗିଲା ନାହିଁ ତାଙ୍କ ମନ ଆଧ୍ୟାତ୍ମିକତା ପ୍ରତି ଆଗ୍ରହ ପ୍ରକାଶ କରିବାକୁ ଲାଗିଲା। ଏବେ ସେ କହିଛନ୍ତି ଯେ ‘ବର୍ତ୍ତମାନ ମୁଁ ଆଧ୍ୟାତ୍ମିକତାକୁ ଉପଭୋଗ କରୁଛି। ମୁଁ ବିଜ୍ଞାନ ମାଧ୍ୟମରେ ଆଧ୍ୟାତ୍ମିକତାକୁ ବୁଝିଛି। ଏବଂ ଏହାର ଗଭୀରତାକୁ ଯିବାପାଇଁ ଚେଷ୍ଟା କରୁଛି।’
ଏହାପୂର୍ବରୁ, ଇଞ୍ଜିନିୟର ବାବା କାଶୀ ଅର୍ଥାତ୍ ବାରାଣାସୀରେ ୪ ମାସ ପର୍ଯ୍ୟନ୍ତ ରହିଆସୁଥିଲେ। ହରିଦ୍ୱାର ଏବଂ ଋଷିକେଶରେ ମଧ୍ୟ ରହିଛନ୍ତି। ସାମ୍ବାଦିକମାନଙ୍କର ପ୍ରଶ୍ନର ଉତ୍ତର ସେ ବିଭିନ୍ନ ଭାଷାରେ ଦେଉଛନ୍ତି, ବିଦେଶରୁ ଆସିଥିବା ଲୋକଙ୍କ ସହ ବାବା ଇଂରାଜୀରେ କଥା ହେଉଛନ୍ତି। ଇନଷ୍ଟାଗ୍ରାମରେ ଅଭୟ ବାବାଙ୍କର ଏକ ଆକାଉଣ୍ଟ ମଧ୍ୟ ଅଛି, ଯେଉଁଥିରେ ତାଙ୍କର ୪୩୪୨ ଫଲୋଓର୍ସ ଅଛନ୍ତି।
ଆଇଆଇଟିଆନ୍ ବାବା ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରୁ ଏପର୍ଯ୍ୟନ୍ତ ୬୪୫ଟି ପୋଷ୍ଟ କରିଛନ୍ତି। ତାଙ୍କର ଅଧିକାଂଶ ପୋଷ୍ଟ ଧ୍ୟାନ, ଯୋଗ, ସୂତ୍ର, ଭକ୍ତି ସହିତ ଜଡିତ ‘A beautiful place to get lost’ ନାମକ ଏକ ପୁସ୍ତକ ମଧ୍ୟ ସେ ଲେଖିଛନ୍ତି ଯାହା ଜୀବନର ମୌଳିକ କର୍ତ୍ତବ୍ୟ ଉପରେ ଆଧାରିତ।
