ଭାରତୀୟ ରାଜନୀତିର ଇତିହାସରେ କିଛି ଚରିତ୍ର ଏମିତି ଥାନ୍ତି, ଯେଉଁମାନଙ୍କୁ ନେଇ ବିବାଦ କେବେ ସମାପ୍ତ ହୁଏନାହିଁ। ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ସେମାନଙ୍କ ମଧ୍ୟରୁ ଜଣେ। ନିକଟରେ ସଂସଦରେ ବିଜେପିର ଟାଣୁଆ ନେତା ତଥା ସାଂସଦ ଡ. ନିଶିକାନ୍ତ ଦୁବେଙ୍କ ଏକ ବକ୍ତବ୍ୟ ଓଡ଼ିଶା ରାଜନୀତିର ପାରଦକୁ ହଠାତ୍ ବଢ଼ାଇ ଦେଇଛି। କଂଗ୍ରେସ ଓ ଜବାହାରଲାଲ ନେହେରୁଙ୍କୁ ଆକ୍ରମଣ କରିବା ବାହାନାରେ ନିଶିକାନ୍ତ ବିଜୁ ପଟ୍ଟନାୟକଙ୍କ ‘ସିଆଇଏ’ (CIA) ସମ୍ପର୍କ କଥା ଉଠାଇଛନ୍ତି। କିନ୍ତୁ ଏହି ବାଣଟି ଯେତିକି ବିରୋଧୀ ବିଜେଡିକୁ ବାଜିଛି, ତା’ଠାରୁ ଅଧିକ ଓଡ଼ିଶାର ଆମଦାନୀ ବିଜେପିର ନେତାଙ୍କୁ ବାଧୁଛି। ବିଜେପିର ଶାଣିତ ସଂସଦୀୟ ସ୍ୱର ଡ. ନିଶିକାନ୍ତ ଦୁବେଙ୍କ ଏକ ବୟାନ ଏବେ ଓଡ଼ିଶା ବିଜେପିର ଶିବିରରେ କମ୍ପନ ସୃଷ୍ଟି କରିଛି। ବିଜୁ ପଟ୍ଟନାୟକଙ୍କୁ ନେଇ ଦୁବେଙ୍କ ଟିପ୍ପଣୀ ପରେ ରାଜ୍ୟ ବିଜେପିର କିଛି ଆମଦାନୀ ନେତା ଯେଭଳି ଭାବେ ପ୍ରତିକ୍ରିୟାଶୀଳ ହୋଇଛନ୍ତି, ତାହା ସେମାନଙ୍କର “ଦଳୀୟ ନିଷ୍ଠା” ଅପେକ୍ଷା “ବିଜୁ ପ୍ରେମ” ଅଧିକ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏବେ ପ୍ରଶ୍ନ ଉଠୁଛି, ଯେଉଁ ଆମଦାନୀ ନେତାମାନେ ବିଜେପିରେ ଥାଇ ବିଜୁ ପ୍ରେମ ଦେଖାଉଛନ୍ତି, ସେମାନଙ୍କର ପ୍ରକୃତରେ ଦଳୀୟ ଆଦର୍ଶ ପ୍ରତି ନିଷ୍ଠା ଅଛି ନା ଏହା କେବଳ ଏକ ରାଜନୈତିକ ଡ୍ରାମା?
ଡ. ନିଶିକାନ୍ତ ଦୁବେ: ମୋଦୀଙ୍କ ବିଶ୍ୱସ୍ତ ସେନାପତି
ଡ. ନିଶିକାନ୍ତ ଦୁବେ ମୋଦୀ କ୍ୟାବିନେଟରେ ମନ୍ତ୍ରୀ ନ ଥାଇ ପାରନ୍ତି, କିନ୍ତୁ ବିଜେପିର ରଣନୀତିରେ ସେ ଜଣେ ଅପରିହାର୍ଯ୍ୟ ସେନାପତି। ସଂସଦରେ ବିରୋଧୀଙ୍କୁ କଡ଼ା ଜବାବ ଦେବା ହେଉ କିମ୍ବା କଂଗ୍ରେସର ଇତିହାସର ପୋଥି ଖୋଲି ସମାଲୋଚନା କରିବା ହେଉ, ସେ ସବୁବେଳେ ଆଗରେ ଥାନ୍ତି। ନିକଟରେ ସେ ଯେତେବେଳେ ନେହେରୁଙ୍କୁ ସମାଲୋଚନା କରୁଥିଲେ, ସେତେବେଳେ ସେ ବିଜୁ ପଟ୍ଟନାୟକଙ୍କ ସିଆଇଏ ସହ ସମ୍ପର୍କ କଥା ଉଠାଇଥିଲେ। ପ୍ରକୃତରେ ଏହା କୌଣସି ନୂଆ ଅଭିଯୋଗ ନୁହେଁ। ବିଜୁ ବାବୁଙ୍କ ଦୁଃସାହସିକ ଯାତ୍ରା ଓ ଆନ୍ତର୍ଜାତୀକ ସମ୍ପର୍କକୁ ନେଇ ପୂର୍ବରୁ ମଧ୍ୟ ଅନେକ ବାର ଚର୍ଚ୍ଚା ହୋଇଛି। କିନ୍ତୁ ଡ. ନିଶିକାନ୍ତ ଦୁବେଙ୍କ ଭଳି ଜଣେ ଶୀର୍ଷ ନେତା ଏହି କଥା କହିବା ପରେ ବିଜେଡିକୁ ଆନ୍ଦୋଳନର ସୁଯୋଗ ମିଳିଯାଇଛି। ରାଜ୍ୟସଭା ନିର୍ବାଚନ ପରେ ବୁଡିଯାଉଥିବା ବିଜେଡି କୁଟା ଖିଅକୁ ଆଶ୍ରା କଲା ଭଳି ଡ. ନିଶିକାନ୍ତ ଦୁବେଙ୍କ ବକ୍ତବ୍ୟ ବାହାନାରେ ଦଳୀୟ କର୍ମୀଙ୍କୁ ଏକଜୁଟ କରିବାରେ ଲାଗିଛି।
ବିଜେଡିର ‘କୁମ୍ଭୀର କାନ୍ଦଣା’ ଓ ବିଜେପିର ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱ
ଡ. ନିଶିକାନ୍ତ ଦୁବେଙ୍କ ବକ୍ତବ୍ୟ ପରେ ବିଜେଡି ନେତାମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି, ତୁମ୍ବିତୋଫାନ କରୁଛନ୍ତି। ଓଡ଼ିଶାର ଅସ୍ମିତା ଓ ବିଜୁ ବାବୁଙ୍କ ସମ୍ମାନ ନାଁରେ ବିଜେଡି ନିଜର ଭୋଟ୍ ବ୍ୟାଙ୍କ ବଞ୍ଚାଇବାକୁ ଚେଷ୍ଟା କରୁଛି। ଏଥିରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ। କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଓଡ଼ିଶା ବିଜେପିର କିଛି ନେତାଙ୍କ ଆଭିମୁଖ୍ୟ।
ରାଜ୍ୟ ବିଜେପିର ପ୍ରଭାବଶାଳୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସାଂସଦ ବୈଜୟନ୍ତ ପଣ୍ଡା, ବିଧାୟକ ବାବୁ ସିଂହ ଏବଂ ନିକଟରେ ବିଜେପି ସମର୍ଥନରେ ରାଜ୍ୟସଭାକୁ ଯାଇଥିବା ଦିଲ୍ଲୀପ ରାୟ- ଏହି ସମସ୍ତ ନେତା ଡ. ନିଶିକାନ୍ତ ଦୁବେଙ୍କ ବୟାନକୁ ସମାଲୋଚନା କରିଛନ୍ତି। ଏହି ନେତାମାନେ ନିଜ ଦଳର ଜଣେ ଜାତୀୟ ନେତାଙ୍କୁ ସମର୍ଥନ କରିବା ପରିବର୍ତ୍ତେ ବିଜୁ ବାବୁଙ୍କୁ ସମର୍ଥନ କରିବା ପଛର ରହସ୍ୟ କଣ?
ନେତାଙ୍କ ‘ବିଜୁ ପ୍ରେମ’ର ପୁରୁଣା ଚେର
ଯଦି ଆମେ ଏହି ନେତାମାନଙ୍କ ରାଜନୈତିକ ପୃଷ୍ଠଭୂମିକୁ ଦେଖିବା, ତେବେ ଅନେକ କଥା ସ୍ପଷ୍ଟ ହୋଇଯିବ। ସାଂସଦ ବୈଜୟନ୍ତ ପଣ୍ଡା, ବିଧାୟକ ବାବୁ ସିଂହ ଏବଂ ବିଜେପି ସମର୍ଥନରେ ରାଜ୍ୟସଭାକୁ ଯାଇଥିବା ଦିଲ୍ଲୀପ ରାୟ ଏକଦା ବିଜେଡିରେ ଥିଲେ। ସେମାନେ ବିଜୁ ବାବୁଙ୍କ ଆଦର୍ଶ ଓ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜନୀତି କରି ଆସିଛନ୍ତି। ଆଜି ସେମାନେ ବିଜେପିରେ ଥାଇପାରନ୍ତି, କିନ୍ତୁ ସେମାନଙ୍କ ଶରୀରରେ ଏବେ ବି ‘ବିଜୁ ପ୍ରେମ’ର ରକ୍ତ ପ୍ରବାହିତ ହେଉଛି। ସେମାନେ ନିଜକୁ ବିଜେପିର କଠୋର ନୀତି ଓ ଆଦର୍ଶ ସହ ଏବେ ବି ସମ୍ପୂର୍ଣ୍ଣରୂପେ ଖାପଖୁଆଇ ପାରିନାହାନ୍ତି। ତେଣୁ ନିଜର ପୁରୁଣା ଗୁରୁ ବା ଆଦର୍ଶ ନେତାଙ୍କ ବିରୋଧରେ କିଛି ଶୁଣିବା ସେମାନଙ୍କ ପାଇଁ ସହଜ ନୁହେଁ।
କିନ୍ତୁ ସବୁଠାରୁ ଚର୍ଚ୍ଚାର ବିଷୟ ହେଉଛନ୍ତି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ପୃଥ୍ୱୀରାଜଙ୍କ ବାପା ବିଶ୍ୱଭୂଷଣ ହରିଚନ୍ଦନ ବିଜେପିର ଜଣେ ବରିଷ୍ଠ ନେତା ଥିଲେ। କିନ୍ତୁ ୧୯୮୮ ମସିହାରେ ସେ ବିଜେପି ଛାଡ଼ି ବିଜୁ ପଟ୍ଟନାୟକଙ୍କ ଜନତା ଦଳରେ ସାମିଲ ହୋଇଥିଲେ ଏବଂ ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ବିଜୁ ବାବୁଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ। ସେହି ସୂତ୍ରରେ ପୃଥ୍ୱୀରାଜଙ୍କ ଭିତରେ ବିଜୁ ବାବୁଙ୍କ ପ୍ରତି ଏକ ପ୍ରକାର ଶ୍ରଦ୍ଧା ରହିବା ସ୍ୱାଭାବିକ। କିନ୍ତୁ ଦଳୀୟ ଅନୁଶାସନ ଓ ବ୍ୟକ୍ତିଗତ ଶ୍ରଦ୍ଧା ମଧ୍ୟରେ କେଉଁଠି ସୀମା ରେଖା ଟାଣିବାକୁ ହେବ, ତାହା ବିଜେପି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବୁଝିବା ଉଚିତ। କାରଣ ବିଜେପି ଏଠାରେ ବିଜୁ ବାବୁଙ୍କ ନୀତି ଆଦର୍ଶରେ ରାଜନୀତି କରୁନାହିଁ।
ଇତିହାସର ପୃଷ୍ଠାରୁ: ବିଜେପି ବନାମ ବିଜୁ ପଟ୍ଟନାୟକ
୯୦ ଦଶକର ଓଡ଼ିଶା ରାଜନୀତିକୁ ଯଦି ଫେରିବା, ତେବେ ଦେଖାଯିବ ଯେ ବିଜେପି ଓ ବିଜୁ ପଟ୍ଟନାୟକଙ୍କ ମଧ୍ୟରେ ସମ୍ପର୍କ କେବେ ବି ମଧୁର ନ ଥିଲା। ବିଜୁ ପଟ୍ଟନାୟକ ସେତେବେଳେ ଭାରତୀୟ ଜନତା ପାର୍ଟିକୁ ଏକ ‘ସାଇନବୋର୍ଡ ପାର୍ଟି’ ବୋଲି କହି ତାତ୍ସଲ୍ୟ କରୁଥିଲେ। ବିଜେପି କେବେ ବି ବିଜୁ ପଟ୍ଟନାୟକଙ୍କ ସହ ମେଣ୍ଟ କରିବା କଥା ଚିନ୍ତା କରୁନଥିଲା।
୧୯୯୬ ମସିହାରେ ଲାଲକୃଷ୍ଣ ଆଡଭାନୀ ନିଜର ରଥଯାତ୍ରା ସମୟରେ କେନ୍ଦୁଝରରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ, ସେତେବେଳେ ସେ ସିଧାସଳଖ ବିଜୁ ପଟ୍ଟନାୟକଙ୍କୁ କଠୋର ଭାଷାରେ ସମାଲୋଚନା କରିଥିଲେ। ସେତେବେଳେ କେଉଁଠି ଥିଲେ ଏହି ବିଜୁ ପ୍ରେମୀ ନେତାମାନେ? ଆଜି ଯେତେବେଳେ ବିଜେପି ଏକ ଶକ୍ତିଶାଳୀ ଦଳ ହୋଇଛି, ସେତେବେଳେ ଦଳକୁ ଆମଦାନୀ ହୋଇଥିବା ନେତାମାନେ ନିଜର ପୁରୁଣା ପରିଚୟ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ଦଳ ପାଇଁ ଜୀବନ ଉତ୍ସର୍ଗ କରିଥିବା କର୍ମୀ ଏଭଳି ନେତାମାନଙ୍କ ପାଇଁ ଏବେ ଦଳରୁ ଦୂରେଇ ଯିବାର ଆଶଙ୍କା ଦେଖାଗଲାଣି।
ଦମ୍ ଅଛି ତ ମୋଦୀଙ୍କୁ ଫେରାଦ ହୁଅ!
ରାଜନୈତିକ ସମୀକ୍ଷକଙ୍କ ମତରେ, ଓଡ଼ିଶା ବିଜେପିର ଏହି ନେତାମାନେ ନିଜର ଦୋମୁହାଁ ନୀତି ଛାଡ଼ିବା ଉଚିତ। ଯଦି ସେମାନେ ପ୍ରକୃତରେ ଅନୁଭବ କରୁଛନ୍ତି ଯେ ଡ. ନିଶିକାନ୍ତ ଦୁବେଙ୍କ ବକ୍ତବ୍ୟ ଭୁଲ୍ ଏବଂ ଏହା ଦଳର କ୍ଷତି କରୁଛି, ତେବେ ସେମାନଙ୍କର ଦମ୍ ଥିବା ଦରକାର। ଖାଲି ଗଣମାଧ୍ୟମରେ ବକ୍ତବ୍ୟ ରଖିଲେ ହେବ ନାହିଁ, ଯଦି ସାହସ ଅଛି ସେମାନେ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖକୁ ଯାଇ ଡ. ନିଶିକାନ୍ତ ଦୁବେଙ୍କ ବିରୋଧରେ ଫେରାଦ ହୁଅନ୍ତୁ।
ଡ. ନିଶିକାନ୍ତ ଦୁବେ ଯାହା କହିଛନ୍ତି, ତାହା ମୋଦୀଙ୍କ ରଣନୀତିର ଏକ ଅଂଶ ହୋଇପାରେ। କାରଣ ଡ. ନିଶିକାନ୍ତ ଦୁବେ କେନ୍ଦ୍ରୀୟ ନେତାଙ୍କ ବିନା ଅନୁମତିରେ ବା ବିନା ତଥ୍ୟରେ ଏମିତି ବଡ଼ କଥା କହିବା ନେତା ନୁହନ୍ତି। ଓଡ଼ିଶାର ଏହି ନୂଆ ବିଜେପି ନେତାମାନେ ଦଳର ମୂଳ ଆଦର୍ଶ ଓ ଲକ୍ଷ୍ୟକୁ ବୁଝିବା ପରିବର୍ତ୍ତେ ବିରୋଧୀ ବିଜେଡିର ସୁରରେ ସୁର ମିଶାଇବା ଦୁର୍ଭାଗ୍ୟଜନକ।
ଓଡ଼ିଶା ବିଜେପିର ବରିଷ୍ଠ ନେତାମାନେ ଏହି ବିଷୟରେ ଚିନ୍ତା କରିବା ଉଚିତ। ଦଳକୁ ଆମଦାନୀ ହୋଇଥିବା ନେତାମାନେ କେଉଁ ପର୍ଯ୍ୟନ୍ତ ଦଳର ସିଦ୍ଧାନ୍ତକୁ ମାନୁଛନ୍ତି ଏବଂ କେଉଁ ପର୍ଯ୍ୟନ୍ତ ସେମାନେ ବିଜୁ ପ୍ରେମରେ ଅନ୍ଧ ହୋଇ ନିଜ ପାର୍ଟିକୁ ସମାଲୋଚନା କରୁଛନ୍ତି, ତାହାର ବିଚାର ହେବା ଜରୁରୀ। ଓଡ଼ିଶାର ଜନସାଧାରଣ ଏବେ ବୁଝିଗଲେଣି କିଏ ପ୍ରକୃତରେ ସେବକ ଆଉ କିଏ କେବଳ ରାଜନୈତିକ ସୁଯୋଗବାଦୀ। ଡ. ନିଶିକାନ୍ତ ଦୁବେଙ୍କ ଘଟଣା ଏବେ ଓଡ଼ିଶା ବିଜେପି ପାଇଁ ଏକ ପରୀକ୍ଷା, ଯେଉଁଥିରେ ସଫଳ ହେବାକୁ ହେଲେ ନେତାମାନଙ୍କୁ ନିଜର ‘ବ୍ୟକ୍ତିଗତ ପ୍ରେମ’ ଅପେକ୍ଷା ‘ଦଳୀୟ କର୍ତ୍ତବ୍ୟ’କୁ ଗୁରୁତ୍ୱ ଦେବାକୁ ପଡ଼ିବ।
AlsoRead; https://purvapaksa.com/what-is-the-secret-of-the-temple-gurudwara/
ସେନାମୁଖ୍ୟମାନେ ମନ୍ଦିର – ଗୁରୁଦ୍ୱାର ରହସ୍ୟ କ’ଣ? || What is the secret of the temple – gurudwara?


