ବିନା ହେଲମେଟରେ ପେଟ୍ରୋଲ ପମ୍ପକୁ ଯାଉଥିଲେ ବାଇକ୍ ଚାଳକ ହୋଇଯାଆନ୍ତୁ ସାବଧାନ । ମୁଣ୍ଡରେ ହେଲମେଟ ନଥିଲେ ଆଉ ପେଟ୍ରୋଲ ପମ୍ପରେ ମିଳିବନି ପେଟ୍ରୋଲ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ ଅନୁସାରେ ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ପରିବହନ ବିଭାଗ ଏଭଳି ପଦକ୍ଷେପ ନେଇଛି । ଲକ୍ଷ୍ନୌରେ ୨୬ ଜାନୁଆରୀରୁ ଏଭଳି ନିୟମ ଲାଗୁ ହେବ ।
ନିକଟରେ ଜାରି ହୋଇଥିବା ନିର୍ଦ୍ଦେଶ ଅନୁଯାୟୀ, ଲକ୍ଷ୍ନୌର ସମସ୍ତ ପେଟ୍ରୋଲ ପମ୍ପକୁ ୨୬ ଜାନୁଆରୀ ୨୦୨୫ରୁ ବାଇକ୍ ଚାଳକ ଏବଂ ସାଥିରେ ବସିଥିବା ଚାଳକ ଯଦି ହେଲମେଟ ନ ପିନ୍ଧିଥାନ୍ତି, ତେବେ ପେଟ୍ରୋଲ ମିଳିବ ନାହିଁ । ଏହି ପଦକ୍ଷେପ ଉତ୍ତରପ୍ରଦେଶର ପରିବହନ ଆୟୁକ୍ତ ପକ୍ଷରୁ ୮ ଜାନୁଆରୀରୁ ନିର୍ଦ୍ଦେଶ ଜାରି କରିଛନ୍ତି । ନିର୍ଦ୍ଦେଶ ଅନୁସାରେ ପେଟ୍ରୋଲ ପମ୍ପ ସଂଚାଳକଙ୍କୁ ନୀତିନିୟମ ସୂଚନା ଦେବା ସାଇନ ବୋର୍ଡ ଲଗାଇବା ପାଇଁ ୭ ଦିନ ସମୟ ଦିଆଯାଇଛି ।
ମୋଟର ବାହନ ଅଧିନିୟମ ୧୯୮୮ ଧାରା ୧୨୯ ଏବଂ ଉତ୍ତର ପ୍ରଦେଶ ମୋଟର ବାହନ ନିୟମ ୧୯୯୮ ନିୟମ ୨୦୧ ଅନୁସାରେ ବାଇକ ଚାଳକ ସହିତ ବସିଥିବା ଲୋକ ମଧ୍ୟ ବିଆଇଏସ ମାନକ ହେଲମେଟ ପିନ୍ଧିଥିବା ଜରୁରୀ । ଏହି ନିୟମକୁ ଉଲ୍ଲଙ୍ଘନ କଲେ ଧାରା ୧୭୭ ଅଧିନରେ ଦଣ୍ଡିତ କରାଯିବ ।
ଏହାସହିତ ପେଟ୍ରୋଲ ପମ୍ପରେ ଲାଗିଥିବା ସିସିଟିଭି ମଧ୍ୟ ଠିକ୍ କରିବାକୁ ହେବ । ଏହାଦ୍ବାରା ବାହନ ଚାଳକଙ୍କ ଉପରେ ନଜର ରଖାଯାଇପାରିବ । ଫଳରେ ପରେ କୌଣସି ବିବାଦରୁ ବଞ୍ଚିପାରିବେ ।
ସୂଚନାଯୋଗ୍ୟ, ବିନା ହେଲମେଟରେ ଯାତ୍ରା କରିବା ଦ୍ବାରା ପ୍ରତିଦିନ ସଡ଼କ ଦୁର୍ଘଟଣାରେ ଅନେକଙ୍କ ଜୀବନ ଚାଲିଯାଉଛି । ଗତବର୍ଷ ସଡ଼କ ଦୁର୍ଘଟଣାରେ ଲୋକଙ୍କର ଜୀବନ ଚାଲିଯାଇଥିବା ରିପୋର୍ଟ ମିଳିଥିଲା । ତେଣୁ ଲୋକଙ୍କୁ ସଡ଼କ ଦୁର୍ଘଟଣାରୁ ବଞ୍ଚାଇବା ପାଇଁ ୟୁପି ସରକାର ଏଭଳି ପ୍ରୟାସ ଆରମ୍ଭ କରିଛନ୍ତି । ବିନା ହେଲମେଟରେ ପେଟ୍ରୋଲ ପମ୍ପ ଆସିଲେ ବାଇକ ଚାଳକଙ୍କୁ ପେଟ୍ରୋଲ ମିଳିବ ନାହିଁ । ଫଳରେ ଚାଳକ ହେଲମେଟ ନେଇ ଆସିବାକୁ ବାଧ୍ୟ ହେବେ। ତେବେ ସରକାରଙ୍କ ଏଭଳି ପଦକ୍ଷେପ ଲୋକଙ୍କୁ ସଚେତନ କରିପାରିବ ବୋଲି ଆଶା କରାଯାଉଛି ।
Also read https://purvapaksa.com/zeenats-re-release-into-wild/