ଯେକୌଣସି ଗଣତନ୍ତ୍ରରେ ରାଜନୀତି ହେଉକି ଅନ୍ୟ କିଛି ହେଉ ସେଥିରେ ପ୍ରତିଯୋଗିତା ରହିବ । ଫଳସ୍ୱରୂପ, ଯେତେବେଳେ ମୋ ଭଳି ଲୋକ କୁହନ୍ତି ଯେ ଆମେ ଆମ ଦଳଗୁଡ଼ିକୁ ସମ୍ମାନ କରୁ, ସେତେବେଳେ ଆମେ କିଛି ମୂଲ୍ୟବୋଧ କଥା ହିଁ କହିଥାଉ । ଏହି ଦୃଢ଼ ବିଶ୍ୱାସ ହିଁ ଆମକୁ ଆମ ଦଳରେ ରଖିଥାଏ । କିନ୍ତୁ ଜାତୀୟ ସୁରକ୍ଷା ସ୍ୱାର୍ଥରେ ଆମକୁ ଅନ୍ୟ ଦଳ ସହିତ ସହଯୋଗ କରିବାର ଆବଶ୍ୟକତା ରହିଛି – ଯେଉଁ ପ୍ରଶ୍ନ ଆପଣ ପଚାରିଛନ୍ତି । ବେଳେବେଳେ ଦଳଗୁଡ଼ିକ ଅନୁଭବ କରନ୍ତି ଯେ ଏହାଦ୍ଵାରା ଦଳ ପ୍ରତି ବିଶ୍ୱାସଘାତକତା କରାଯାଇଛି । ଏବଂ ସେଇଟା ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି ।
ଆପଣଙ୍କର ପ୍ରଥମ ଆନୁଗତ୍ୟ କଣ ? ମୋ ମତରେ, ରାଷ୍ଟ୍ର ପ୍ରଥମେ ଆସେ । ଦଳଗୁଡ଼ିକ ହେଉଛି ଦେଶକୁ ଉନ୍ନତ କରିବାର ଏକ ମାଧ୍ୟମ । ତେଣୁ ମୋ ମତରେ, ଆପଣ ଯେଉଁ ଦଳର ହୁଅନ୍ତୁ ନା କାହିଁକି, ସେହି ଦଳର ଉଦ୍ଦେଶ୍ୟ ହେଉଛି ନିଜସ୍ୱ ଢଙ୍ଗରେ ଏକ ଉନ୍ନତ ଭାରତ ଗଠନ କରିବା ।
ବର୍ତ୍ତମାନ, ଉନ୍ନତ ଭାରତ ଗଠନ କରିବାର ସର୍ବୋତ୍ତମ ଉପାୟଟି କ’ଣ ,କ’ଣ କରାଗଲେ ଠିକ ହେବ ସେ ନେଇ ଦଳଗୁଡ଼ିକ ଭିତରେ ଅସହମତି ପ୍ରକାଶ କରିବାର ସମସ୍ତ ଅଧିକାର ରହିଛି । ଆମମାନଙ୍କ ମଧ୍ୟରୁ କେହି କେହି କହିପାରନ୍ତି, ଧରିନିଅନ୍ତୁ, ଅଧିକ ପୁଞ୍ଜିବାଦ, କେହି କେହି ଅଧିକ ସମାଜବାଦ, କେହି କେହି ନିର୍ଦ୍ଦିଷ୍ଟ ପ୍ରକାରର ନିୟାମକ ଓ ନିୟନ୍ତ୍ରଣ ସପକ୍ଷରେ ଥାଇପାରନ୍ତି, କେହି କେହି ଅତ୍ୟଧିକ ନିୟାମକ ବିରୁଦ୍ଧରେ ଥାଇପାରନ୍ତି, ତେଣୁ ସମସ୍ତଙ୍କର ଭିନ୍ନ ଦୃଷ୍ଟିକୋଣ ରହିଛି, ତାହା ଠିକ୍ । କିନ୍ତୁ ପରିଶେଷରେ, ଆମେ ସମସ୍ତେ ଏକ ଉନ୍ନତ ଭାରତ, ଏକ ସୁରକ୍ଷିତ ଭାରତ, ଏପରି ଏକ ଭାରତ ପାଇଁ ପ୍ରତିଶ୍ରୁତିବଦ୍ଧ ହେବା ଉଚିତ ଯାହାର ସୀମା ସୁରକ୍ଷିତ, ଯାହାର ଅଞ୍ଚଳ ସୁରକ୍ଷିତ, ଯାହାର ଲୋକମାନଙ୍କ କଲ୍ୟାଣ ଓ ମଙ୍ଗଳକୁ ପ୍ରୋତ୍ସାହିତ କରାଯାଇପାରିବ । ଏବଂ ସେଇଟା ହେଉଛି ମୋର ପ୍ରତିବଦ୍ଧତା ଏବଂ ଯଦି ଆମେ ସେହି ଆଦର୍ଶକୁ ବଜାୟ ରଖିବୁ, ତେବେ ସେହି ପ୍ରକାରର ଭାବନା ସମସ୍ତ ଦଳ ଓ ମତକୁ ଅତିକ୍ରମ କରିବା ଉଚିତ, କେବଳ ଦ୍ୱିଦଳୀୟ ନୁହେଁ କି ବହୁଦଳୀୟ ବ୍ୟବସ୍ଥା ନୁହେଁ। ଆପଣ ସଂସଦ ବିଷୟରେ ପଚାରିଥିଲେ, ଆଜି ଆମ ସଂସଦରେ ୪୬ଟି ରାଜନୈତିକ ଦଳ ଅଛନ୍ତି ।
ଏପରି କିଛି ପ୍ରସଙ୍ଗ ନିଶ୍ଚୟ ରହିଛି, ଯେଉଁଥିରେ ସମସ୍ତେ ଏକାଠି ହୋଇଛନ୍ତି। ମୋର ବିଶ୍ୱାସ, ଏହା ନିଶ୍ଚିତ ଭାବେ ଭଲ କଥା। କିନ୍ତୁ ଏହା ଏତେ ସହଜ ନୁହେଁ ତାହା ଆପଣ ଜାଣନ୍ତି ଯଦି ଆପଣ ଖବରକୁ ଅନୁସରଣ କରୁଥିବେ, ତେବେ ଆମର ସଶସ୍ତ୍ର ବାହିନୀ ଏବଂ ଆମ ସରକାରଙ୍କୁ ସମର୍ଥନ କରିବା ପାଇଁ ମୁଁ ଯେଉଁ ଆଭିମୁଖ୍ୟ ଗ୍ରହଣ କରିଆସିଛି, ଏବଂ ନିକଟରେ ଆମ ଦେଶରେ ଏବଂ ଆମ ସୀମାରେ ଯାହା ଘଟିଛି, ସେଥିପାଇଁ ମୁଁ ଯେଉଁ ଷ୍ଟାଣ୍ଡ ନେଇଥିଲି ଅନେକ ଲୋକ ମୋତେ ସେଥିପାଇଁ ସମାଲୋଚନା କରିଛନ୍ତି। କିନ୍ତୁ ମୁଁ ମୋ ମତରେ ଅଟଳ କାରଣ ମୁଁ ବିଶ୍ୱାସ କରେ ଯେ ଏହା ଦେଶ ପାଇଁ ଠିକ୍। ଏବଂ ଯେତେବେଳେ ମୁଁ ଭାରତ ବିଷୟରେ କହୁଛି, ମୁଁ ସମସ୍ତ ଭାରତୀୟଙ୍କ ପାଇଁ କହୁଛି, କେବଳ ମୋ ଦଳକୁ ପସନ୍ଦ କରୁଥିବା ଲୋକଙ୍କ ପାଇଁ କହୁନି।ଏବଂ ମୁଁ ବିଶ୍ୱାସ କରେ ଯେ ଏଭଳି କିଛି ପ୍ରସଙ୍ଗ ରହିଛି ଯାହା ଅନ୍ୟ ଦଳ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବା ଉଚିତ। ମୁଁ ଏହା କେବଳ ମୋ ଦଳକୁ କହୁନାହିଁ, ମୁଁ ଏହା ସବୁ ଦଳକୁ କହୁଛି। ଯେତେବେଳେ ଦେଶ ବିପଦରେ ପଡ଼ିଛି, ସେତେବେଳେ ନିଜ ମତଭେଦକୁ ବାହାରେ ରଖିବା ଦରକାର। କାରଣ ଯଦି ଭାରତ ନାହିଁ ତ କିଛି ନାହିଁ । ନେହେରୁଙ୍କ ଏକ ବହୁତ ପ୍ରସିଦ୍ଧ ଧାଡ଼ି ଅଛି, ଯାହାକୁ ମୁଁ ଉଦ୍ଧୃତ କରିବାକୁ ବହୁତ ଭଲ ପାଏ, ଯଦି ଭାରତ ମରିଯାଏ ତେବେ ବଞ୍ଚିବ କିଏ? ଏହା ଏପରି ଏକ ପ୍ରଶ୍ନ ଯାହାର କୌଣସି ଉତ୍ତର ନାହିଁ। ଦେଶ ଆଗ। ଆଉ ତା ପରେ ଯାଇ ଆମେ ବଞ୍ଚିବା ନବଞ୍ଚିବା କଥା ଉଠିବ।
