ଆଇସିସି ଟି୨୦ ବିଶ୍ୱକପ ୨୦୨୬କୁ ନେଇ ଏକ ବଡ଼ ଏବଂ ଚର୍ଚ୍ଚିତ ଘଟଣା ସାମ୍ନାକୁ ଆସିଛି । ସୁରକ୍ଷା ଚିନ୍ତା ଦର୍ଶାଇ ଭାରତରେ ହେବାକୁ ଥିବା ମ୍ୟାଚ୍ ଖେଳିବାକୁ ଆସିବାକୁ ବାଂଲାଦେଶ ମନା କରିବା ପରେ, ଆଇସିସି ଦ୍ୱାରା ବାଂଲାଦେଶ କ୍ରିକେଟ ଦଳକୁ ଟି୨୦ ବିଶ୍ୱକପ ୨୦୨୬ରୁ ବାଦ୍ ଦିଆଯାଇଛି । ଏହା ସହିତ ସହିତ ବାଂଲାଦେଶୀ କ୍ରୀଡା ପତ୍ରକାରଙ୍କ ଉପରେ ମଧ୍ୟ ଏକ କଡ଼ା ନିଷେଧାଜ୍ଞା ଲାଗୁ କରାଯାଇଛି ।
![]()
ମିଳିଥିବା ସୂଚନା ଅନୁଯାୟୀ, ଆଇସିସି ବାଂଲାଦେଶର ସ୍ପୋର୍ଟସ୍ ଜର୍ଣ୍ଣାଲିଷ୍ଟମାନଙ୍କୁ ଟି୨୦ ବିଶ୍ୱକପ ୨୦୨୬ କଭରେଜ ପାଇଁ ଆକ୍ରିଡେଟେସନ ଦେବାକୁ ମନା କରିଦେଇଛି । ଏହି ନିଷେଧାଜ୍ଞା କେବଳ ଭାରତରେ ହେବାକୁ ଥିବା ମ୍ୟାଚ୍ ପାଇଁ ସୀମିତ ନୁହେଁ ବରଂ ଶ୍ରୀଲଙ୍କାରେ ଆୟୋଜିତ ମ୍ୟାଚ୍ଗୁଡ଼ିକ ପାଇଁ ମଧ୍ୟ ଏହି ରୋକ୍ ଲାଗୁ ହୋଇଛି । ଫଳରେ ବାଂଲାଦେଶୀ ପତ୍ରକାରମାନେ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟକୁ କଭର କରିପାରିବେ ନାହିଁ ।
ତେବେ ଏହି ସମ୍ପର୍କରେ ଆଇସିସି ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ବିବୃତ୍ତି ଜାରି କରାଯାଇନାହିଁ । କିନ୍ତୁ ବିଶ୍ୱସନୀୟ ରିପୋର୍ଟ ଅନୁସାରେ, ସୁରକ୍ଷା ଏବଂ ପ୍ରଶାସନିକ କାରଣକୁ ଆଧାର କରି ଏହି ନିଷ୍ପତ୍ତି ନିଆଯାଇଛି ।
ସୂଚନାଯୋଗ୍ୟ ଯେ, ପୂର୍ବରୁ ବାଂଲାଦେଶ କ୍ରିକେଟ ବୋର୍ଡ ଭାରତକୁ ଟି୨୦ ବିଶ୍ୱକପ ଖେଳିବାକୁ ଆସିବା ନେଇ ସୁରକ୍ଷା ଚିନ୍ତା ପ୍ରକାଶ କରିଥିଲା । ବାଂଲାଦେଶ ଆଇସିସିଙ୍କୁ ଅନୁରୋଧ କରିଥିଲା ଯେ, ସେମାନଙ୍କର ସମସ୍ତ ମ୍ୟାଚ୍ ଭାରତ ପରିବର୍ତ୍ତେ ଶ୍ରୀଲଙ୍କାକୁ ସ୍ଥାନାନ୍ତର କରାଯାଉ । ତେବେ ଆଇସିସି ଦ୍ୱାରା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯିବା ପରେ ଭାରତରେ କୌଣସି ବିପଦ ନାହିଁ ବୋଲି ସ୍ପଷ୍ଟ କରାଯାଇଥିଲା ।

ଏହା ପରେ ଆଇସିସି ବାଂଲାଦେଶକୁ ସଫାସଫା ଅଲ୍ଟିମେଟମ ଦେଇଥିଲା—ଭାରତକୁ ଆସି ମ୍ୟାଚ୍ ଖେଳିବାକୁ ପଡ଼ିବ, ନଚେତ ଟି୨୦ ବିଶ୍ୱକପରୁ ବାଦ୍ ହେବାକୁ ପଡ଼ିବ । ଶେଷରେ ବାଂଲାଦେଶ ଭାରତ ଆସିବାକୁ ଅସ୍ୱୀକାର କରିଥିବାରୁ ଦଳକୁ ଟୁର୍ଣ୍ଣାମେଣ୍ଟରୁ ବାଦ୍ କରାଯାଇଛି ।
ବାଂଲାଦେଶ ବଦଳରେ ସ୍କଟଲାଣ୍ଡକୁ ଗ୍ରୁପ୍ ସିରେ ସାମିଲ କରାଯାଇଛି । ସ୍କଟଲାଣ୍ଡ ଫେବୃଆରୀ ୭ରେ ୱେଷ୍ଟଇଣ୍ଡିଜ୍, ଫେବୃଆରୀ ୯ରେ ଇଟାଲି ଏବଂ ଫେବୃଆରୀ ୧୪ରେ ଇଂଲଣ୍ଡ ବିପକ୍ଷରେ କୋଲକାତାରେ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଖେଳିବ । ଏହା ପରେ ଫେବୃଆରୀ ୧୭ରେ ମୁମ୍ବାଇରେ ନେପାଳ ବିପକ୍ଷରେ ସ୍କଟଲାଣ୍ଡ ସେମାନଙ୍କର ଶେଷ ଗ୍ରୁପ୍ ମ୍ୟାଚ୍ ଖେଳିବ । ଏହି ଘଟଣା ବିଶ୍ୱ କ୍ରିକେଟରେ ଏକ ନୂଆ ଚର୍ଚ୍ଚା ସୃଷ୍ଟି କରିଥିବାବେଳେ, ଆଗାମୀ ଦିନରେ ଆଇସିସିର ଆଧିକାରିକ ସ୍ପଷ୍ଟିକରଣକୁ ସମସ୍ତଙ୍କ ନଜର ରହିଛି ।
also read https://purvapaksa.com/bank-services-disrupted-due-to-bank-strike-loss-of-rs-10000-crore/


