ସୀମା ପୁନଃନିର୍ଦ୍ଧାରଣକୁ ନେଇ ଦେଶରେ ରାଜନୀତି ସରଗରମ ହେଉଛି। ଦୁଇଦିନ ହେଲା ସଂସଦ ଏ ବିଷୟକୁ ନେଇ ଉଠୁଛି-ପଡ଼ୁଛି। ତାମିଲନାଡ଼ୁର ସଦସ୍ୟମାନେ ଗୃହକୁ ‘ଫେୟାର ଡିଲିମିଟେସନ୍’ ବା ‘ପରିସୀମନରେ ଯଥାର୍ଥତା’କୁ ସ୍ଲୋଗାନ ଭାବେ ଟି-ସାର୍ଟରେ ଲେଖି ଗୃହରେ ବିରୋଧ ପ୍ରଦର୍ଶନ କରିବାରୁ ଲୋକସଭାକୁ ବାରମ୍ବାର ମୁଲତବୀ କରିବାକୁ ପଡ଼ିଛି। ଆସନ୍ତାକାଲି ଚେନ୍ନାଇଠାରେ ଏ ନେଇ ଏକ ବିରାଟ ସମାବେଶ ବି ଆୟୋଜନ ହେଉଛି। ବିଜେପି ଏହାକୁ ‘ନଈ ନ ଦେଖୁଣୁ ଲଙ୍ଗଳା’ ହେବା ପରିସ୍ଥିତି ବୋଲି ଅଭିହିତ କରୁଥିଲେ ମଧ୍ୟ ଜନସଂଖ୍ୟା ଆଧାରରେ ହେବାକୁ ଥିବା ସୀମା ନର୍ଦ୍ଧାରଣ ଓଡ଼ିଶା ଭଳି କ୍ଷୁଦ୍ର ରାଜ୍ୟକୁ ଦେଶର ରାଜନୀତିରେ ଆଗକୁ ଆହୁରି ସଙ୍କୁଚିତ ହେବାକୁ ବାଧ୍ୟ କରିବ। ହିନ୍ଦିଭାଷୀ ଉତ୍ତରପ୍ରଦେଶ, ବିହାର, ରାଜସ୍ଥାନ ଓ ମଧ୍ୟପ୍ରଦେଶ ତୁଳନାରେ ଓଡ଼ିଶା ନିଜର ରାଜନୀତିକ ସତ୍ତା ହରାଇବ ବୋଲି ଆଶଙ୍କା ସୃଷ୍ଟି ହୋଇଛି।
ତାମିଲନାଡ଼ୁକୁ ଶାସନ କରୁଥିବା ଡିଏମକେ ବା ଦ୍ରାବିଡ଼ ମୁନ୍ନେତ୍ର କଜଗମ୍ ଦ୍ୱାରା ଆସନ୍ତାକାଲି ଚେନ୍ନାଇଠାରେ ଭାରତୀୟ ରାଜନୀତିରେ ହେଉଥିବା ସମ୍ଭାବ୍ୟ ପରିବର୍ତ୍ତନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ମେଳି ହେବାକୁ ଯାଉଛି। ବିଶେଷ କରି ଉତ୍ତରପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ, ବିହାର ଭଳି ଉତ୍ତରାଞ୍ଚଳ ରାଜ୍ୟଗୁଡ଼ିକ ତୁଳନାରେ ଜନସଂଖ୍ୟାକୁ ନିୟନ୍ତ୍ରଣ କରି ପ୍ରଗତି ହାସଲ କରୁଥିବା ଏହି ରାଜ୍ୟଗୁଡ଼ିକ ନିଜର ରାଜନୀତିକ ସତ୍ତା ଆଗାମୀ ଦିନରେ ହରାଇବେ ବୋଲି ଆଶଙ୍କା କରି ମେଳି ହେଉଛନ୍ତି। ଯଦିଓ ବିଜେପି ଏହାକୁ ଦଳୀୟ ସ୍ୱାର୍ଥଭିତ୍ତିକ ବୋଲି ବୟାନ କରୁଛି କିନ୍ତୁ ପରିସଂଖ୍ୟାନ ଓ ଜନସଂଖ୍ୟା ଅଭିବୃଦ୍ଧି ଦେଖିଲେ ଓଡ଼ିଶା ବି ଏଥିରେ ପ୍ରଭାବିତ ହେବ। ଯଦି ଜନସଂଖ୍ୟାକୁ କାରକ କରାଯାଏ ତେବେ ଉତ୍ତର ଭାରତୀୟ ରାଜନୀତିରେ ଓଡ଼ିଶା ଆହୁରି ସଙ୍କୁଚିତ ହେବ।
ଓଡ଼ିଶାର ଜନସଂଖ୍ୟା ଅଭିବୃଦ୍ଧି ହାର ଉତ୍ତରପ୍ରଦେଶ ତୁଳନାରେ ଯଥେଷ୍ଟ କମ୍ ରହିଛି। ସୀମା ପୁନଃନିର୍ଦ୍ଧାରଣ ହେଲେ ଜନସଂଖ୍ୟା ଅନୁପାତ ଅନୁସାରେ ଓଡ଼ିଶାର ଲୋକସଭା ଆସନ ସଂଖ୍ୟା ଯାହା ବର୍ତ୍ତମାନ ୨୧ ରହିଛି ସେଥିରେ ବୃଦ୍ଧି ନ ହୋଇପାରେ, ଏପରିକି ହ୍ରାସ ପାଇପାରେ।
ଆହୁରି ମଧ୍ୟ ସ୍ଥାନୀୟ ରାଜନୀତିରେ ପ୍ରଭାବ ଅନେକ ରହିବ। ବିଧାନସଭା ନିର୍ବାଚନମଣ୍ଡଳୀଗୁଡ଼ିକର ସୀମା ପରିବର୍ତ୍ତନ ହେଲେ ଗ୍ରାମୀଣ ଓ ସହରାଞ୍ଚଳ ଅଞ୍ଚଳର ପ୍ରତିନିଧିତ୍ୱ ବଦଳିପାରେ। ଓଡ଼ିଶାରେ ଅଧିକାଂଶ ଜନସଂଖ୍ୟା ପ୍ରାୟ ୮୩% ଗ୍ରାମାଞ୍ଚଳରେ ରହୁଛି, କିନ୍ତୁ ସହରୀକରଣ ବୃଦ୍ଧି ପାଉଥିବାରୁ ନୂତନ ନିର୍ବାଚନମଣ୍ଡଳୀ ଗଠନ ସହରୀ ଅଞ୍ଚଳକୁ ଅଧିକ ଗୁରୁତ୍ୱ ଦେଇପାରେ। ପୁଣି ଓଡ଼ିଶା ସରକାରଙ୍କ ଆକଳନ ଅନୁସାରେ ୨୦୩୬ ବେଳକୁ ଓଡ଼ିଶା ଜନସଂଖ୍ୟାର ୪୦ ପ୍ରତିଶତ ସହରରେ ରହିବେ। ଅର୍ଥାତ୍ ଗାଁ’ର ପ୍ରଭାବ ରାଜନୀତିରେ କମିବ। କୃଷି, ଗ୍ରାମୀଣ ବିକାଶଭିତ୍ତିକ ରାଜନୀତି ଆଉ ମେରୁଦଣ୍ଡ ହୋଇ ରହିବ ନାହିଁ।
ଆଦିବାସୀ ଓ ଅନୁସୂଚିତ ଜାତି ଆସନରେ ମଧ୍ୟ ଅନେକ ପରିବର୍ତ୍ତନ ଘଟିବ। ଓଡ଼ିଶାରେ ଅନୁସୂଚିତ ଜନଜାତିଙ୍କ ହାର ହେଉଛି ୨୨.୮% ଓ ଅନୂସୂଚିତ ଜାତି ପ୍ରାୟ ୧୭.୧%। ସୀମା ପୁନଃନିର୍ଦ୍ଧାରଣ ହେଲେ ଏହି ସଂରକ୍ଷିତ ଆସନଗୁଡ଼ିକର ସଂଖ୍ୟା ଓ ବିତରଣକୁ ପ୍ରଭାବିତ କରିପାରେ, ଯାହା ରାଜନୈତିକ ଶକ୍ତି ସନ୍ତୁଳନକୁ ବଦଳାଇବ।
ଏ ତ ଗଲା ରାଜ୍ୟ ଭିତରର ପରିସ୍ଥିତି କିନ୍ତୁ ଜନସଂଖ୍ୟା ଆଧାରରେ ହେବାକୁ ଥିବା ଏହି ପୁନଃ ପରିସୀମନ ଦ୍ୱାରା କେନ୍ଦ୍ରୀୟ ସମ୍ପଦ ଓ ନୀତି ନିର୍ଦ୍ଧାରଣରେ ଓଡ଼ିଶାର ପ୍ରଭାବ କମିବ। ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ରାଜସ୍ଥାନ ଭଳି ରାଜ୍ୟ ଆମର ପ୍ରକୃତିକ ସମ୍ପତ୍ତି, ଖଣିଜ, ଶିଳ୍ପ ଉତ୍ପାଦନ ଉପରେ ଅଧିକ ଅଧିକାର ଦାବି କରିବେ। ଅର୍ଥାତ୍ ପରିଶ୍ରମ କରିବୁ ଆମେ ଆଉ ଫଳ ଖାଇବେ ଉତ୍ତର ଭାରତୀୟ ରାଜ୍ୟ।
ଏହାର କାରଣ ହେଉଛି ଜନସଂଖ୍ୟା ନିୟନ୍ତ୍ରଣରେ ଆମର ସଫଳତା। ଗତ ୩୦ ବର୍ଷ ଅର୍ଥାତ୍ ୧୯୯୧ରୁ ୨୦୨୧ ଜନସଂଖ୍ୟା ଅଭିବୃଦ୍ଧି ହାର ତୁଳନା କରିଲେ ଏହା ସ୍ପଷ୍ଟ ହୁଏ। ଆମେ ଜାଣୁ ଯେ ୨୦୧୧ ପରେ ଦେଶରେ କୌଣସି ଜନଗଣନା ହୋଇ ନାହିଁ। ଏଣୁ ଜନସଂଖ୍ୟା ଅଭିବୃଦ୍ଧି ତଥା ପ୍ରକ୍ଷେପଣକୁ ଆଧାର କରି ୨୦୨୧ ପାଇଁ ଆନୁମାନିକ ତଥ୍ୟକୁ ଆଧାର କରାଯାଇଛି। ଏହି ଆଧାରରେ ଓଡ଼ିଶାର ଜନସଂଖ୍ୟା ୧୯୯୧ରେ ୩.୧୬ କୋଟି ଥିବାବେଳେ ୨୦୦୧ରେ ୩.୬୮ କୋଟି , ୨୦୧୧ରେ ୪.୧୯ କୋଟି ରହିଥିଲା। ୨୦୨୧ରେ ଆନୁମାନିକ ପ୍ରାୟ ୪.୫ କୋଟି ରହିଥିବା କୁହାଯାଉଛି।
ଅର୍ଥାତ୍ ଅଭିବୃଦ୍ଧି ହାର ୧୯୯୧-୨୦୦୧ ଭିତରେ ୧୬.୨୫% ରହିଥିଲା। ଏହି ସମୟରେ ଜନସଂଖ୍ୟାରେ ୫.୧୩ ନିୟୁତ ବୃଦ୍ଧି ହୋଇଛି। ୨୦୦୧ ରୁ ୨୦୧୧ ମଧ୍ୟରେ ୫.୧୪ ନିୟୁତ ଅର୍ଥାତ୍ ୧୪.୦୫% ଅଭିବୃଦ୍ଧି ହୋଇଛି। ୨୦୧୧ ରୁ ୨୦୨୧ ମଧ୍ୟରେ ପ୍ରାୟ ୭-୮% ଅଭିବୃଦ୍ଧି ହୋଇଥିବା ଅନୁମାନ କରାଯାଇଛି। ମୋଟ ୩୦ ବର୍ଷ ଅର୍ଥାତ୍ ୧୯୯୧ରୁ ୨୦୨୧ ମଧ୍ୟରେ ପ୍ରାୟ ୧ କୋଟି ୩୦ ଲକ୍ଷରୁ ୧ କୋଟି ୪୦ ଲକ୍ଷ ବା ୪୨-୪୫% ଅଭିବୃଦ୍ଧି ହୋଇଛି। ବାର୍ଷିକ ଅଭିବୃଦ୍ଧି ହାରକୁ ହିସାବକୁ ନେଲେ ରାଜ୍ୟରେ ବର୍ଷକୁ ପ୍ରାୟ ୧.୨ରୁ ୧.୫% ଅଭିବୃଦ୍ଧି ହୋଇଛି।
ଅପରପକ୍ଷରେ ଉତ୍ତରପ୍ରଦେଶରେ ବିଗତ ୩୦ ବର୍ଷରେ ୧୯୯୧ରୁ ୨୦୨୧ ମଧ୍ୟରେ ପ୍ରାୟ ୬୫-୭୦% ଅର୍ଥାତ୍ ୯ କୋଟିରୁ ୧୦ କୋଟି ଲୋକସଂଖ୍ୟା ବୃଦ୍ଧି ପାଇଛି । ବାର୍ଷିକ ଅଭିବୃଦ୍ଧି ହାର ପ୍ରାୟ ୧.୭-୨.୨% ରହିଛି।
ଓଡ଼ିଶାର ଜନସଂଖ୍ୟା ଅଭିବୃଦ୍ଧି ୩ ଦଶନ୍ଧିରେ ୪୨-୪୫% ରହିଥିବାବେଳେ ଉତ୍ତରପ୍ରଦେଶରେ ୬୫-୭୦% ରହିଛି। ଅର୍ଥାତ୍ ଗତ ୩୦ ବର୍ଷରେ ଉତ୍ତର ପ୍ରଦେଶ ତୁଳନାରେ ପ୍ରାୟ ୨୦-୨୫% କମ୍ ବୃଦ୍ଧି ହୋଇଛି ଓଡ଼ିଶାର ଜନସଂଖ୍ୟାରେ।
ଓଡ଼ିଶାରେ ଜନସଂଖ୍ୟା ନିୟନ୍ତ୍ରଣ ନୀତି ଓ ଶିକ୍ଷାସ୍ତର ବୃଦ୍ଧି ଯୋଗୁଁ ଅଭିବୃଦ୍ଧି ହାର କମିଛି, କିନ୍ତୁ ଉତ୍ତରପ୍ରଦେଶରେ ଉଚ୍ଚ ଜନ୍ମହାର ଏହାକୁ ବୃଦ୍ଧି କରିଛି।
ଅପରପକ୍ଷେ ୧୯୯୧ରୁ ୨୦୨୧ ମଧ୍ୟରେ ତାମିଲନାଡ଼ୁ ଜନସଂଖ୍ୟାରେ ୨ କୋଟି ନୂଆ ଜନସଂଖ୍ୟା ସଂଯୋଗ ହୋଇଛି। ଏଠାରେ ବର୍ଷିକ ଅଭିବୃଦ୍ଧି ହାର ୧ରୁ ୧.୨ ପ୍ରତିଶତ। ଆନ୍ଧ୍ର ପ୍ରଦେଶରେ ୦.୮ରୁ ୧ ପ୍ରତିଶତ ଥିବାବେଳେ କେରଳରେ ୦.୬ରୁ ୦.୮ ପ୍ରତିଶତ ଜନସଂଖ୍ୟା ଅଭିବୃଦ୍ଧି ହୋଇଛି। ୧୯୯୧ରୁ ୨୦୨୧ ଭିତରେ କେରଳରେ ମାତ୍ର ୬୦ ଲକ୍ଷ ଲୋକ ବଢ଼ିଛନ୍ତି। କର୍ଣ୍ଣାଟକରେ ବାର୍ଷିକ ଜନସଂଖ୍ୟା ଅଭିବୃଦ୍ଧି ହାର ୧.୩ରୁ ୧.୬ ପ୍ରତିଶତ ରହିଛି । ଏଠାରେ ବିଗତ ୩୦ ବର୍ଷରେ ପ୍ରାୟ ୨ କୋଟି ୨୦ ଲକ୍ଷ ଜନସଂଖ୍ୟା ବଢ଼ିଛି।
ଅର୍ଥାତ୍ ଉତ୍ତରପ୍ରଦେଶ ତୁଳନାରେ ତାମିଲନାଡ଼ୁରେ ଜନସଂଖ୍ୟା ଅଭିବୃଦ୍ଧି ହାର ୨୭ରୁ ୩୪ ପ୍ରତିଶତ କମ୍ ଥିବାବେଳେ କେରଳରେ ୪୧ରୁ ୫୦%, କର୍ଣ୍ଣଟକରେ ୧୩ରୁ ୨୨ ପ୍ରତିଶତ, ଆନ୍ଧ୍ରରେ ୫୫ରୁ ୬୦ ପ୍ରତିଶତ କମ୍ ରହିଛି।
ଏହାର ମୂଳ କାରଣ ହେଉଛି ମୋଟ ପ୍ରଜନନ ହାର ବା ଟିଏଫ୍ଆର୍। ଦକ୍ଷିଣ ରାଜ୍ୟଗୁଡ଼ିକ ଯେମିତି କେରଳରେ ଟିଏଫ୍ଆର୍ ୧.୮ ଥିବାବେଳେ ତାମିଲନାଡ଼ୁରେ ୧.୭, ଆନ୍ଧ୍ରପ୍ରଦେଶରେ ୧.୭, କର୍ଣ୍ଣାଟକରେ ୧.୭ ରହିଛି। ଯାହା ଜାତୀୟ ସ୍ତର ୨.୧ ତଳେ। ଅପରପକ୍ଷେ ଉତ୍ତର ପ୍ରଦେଶରେ ପ୍ରଜନନ ହାର ବା ଟିଏଫ୍ଆର୍ ୨.୭-୩.୦ ରହିଛି। ୨୦୧୯-୨୧ ଏନ୍ଏଫ୍ଏଚ୍ଏସ୍ ସର୍ବେକ୍ଷଣ ରିପୋର୍ଟ ଆଧାରରେ ଏହି ତଥ୍ୟ ଉପସ୍ଥାପନ କରାଯାଇଛି, ଯାହା ଉଚ୍ଚ ଜନ୍ମହାର ଏବଂ ଅଭିବୃଦ୍ଧିକୁ ସୂଚାଉଛି।
ସେହିପରି ଶିକ୍ଷା ଓ ସାକ୍ଷରତା, ସ୍ୱାସ୍ଥ୍ୟସେବା, ଉଚ୍ଚ ସହରୀକରଣ, ସରକାରୀ ନୀତି କାର୍ଯ୍ୟକାରୀତା ପ୍ରଭୃତି ଜନସଂଖ୍ୟା ନିୟନ୍ତ୍ରଣର ପ୍ରମୁଖ କାରଣ ଭିତରେ ଅନ୍ୟତମ। ତେବେ ଏସବୁ ସକରାତ୍ମକ ନୀତି ଓଡ଼ିଶା ଓ ଅନ୍ୟ ଦକ୍ଷିଣ ରାଜ୍ୟଗୁଡ଼ିକ ପାଇଁ ଏବେ ଦେଶ ରାଜନୀତିରେ କୋଣଠେସା କରିବାକୁ ଯାଉଛି। ଜନସଂଖ୍ୟା ଆଧାରରେ ସୀମା ନିର୍ଦ୍ଧାରଣ ହୁଏ। କୌଣସି ରାଜ୍ୟର ଲୋକସଭା ଆସନରେ ଅନ୍ୟ ରାଜ୍ୟକୁ ପ୍ରବେଶ କରିବାରେ ଆଇନଗତ ବାରଣ ରହିଛି। ତେଣୁ ଏହି କମ୍ ଜନସଂଖ୍ୟା ଥିବା ରାଜ୍ୟଗୁଡ଼ିକ କମ୍ ଆସନ ପାଇବେ ଏଥିରେ ସନ୍ଦେହ ନାହିଁ। ଏହି ଆଶଙ୍କା ଦୃଢ଼ ହେବାରୁ ଡିଏମକେ ଆଗତୁରା ଦେଶରେ ସବୁ ରାଜନୀତିକ ଦଳକୁ ଏକାଠି କରିବାକୁ ଯୋଜନା କରିଛି। ଏହିକ୍ରମରେ ଡିଏମକେ ଆସନ୍ତାକାଲି ଯେଉଁ ବୈଠକ ଡାକିଛି ସେଥିରେ କଂଗ୍ରେସ, ସିପିଆଇ, ସିପିଏମ୍, ଏମଡିଏମକେ, ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍, କୋଙ୍କଣି ଦ୍ରାବିଡ଼ ମନ୍ତ୍ରୀ କଜଗମ୍ ଦଳ ସାମିଲ ରହିଛନ୍ତି। ଏହା ସହ ଏଆଇଡିଏମକେ, ପିଏମକେ, ଜେଡିଏସ୍, ଟିଡିପି, ବିଜେଡି ଭଳି ରାଜନୀତିକ ଦଳ ମଧ୍ୟ ଏହାର ଅଂଶୀଦାର ହୋଇପାରନ୍ତି।
ବିଜେପି ଏଥିରେ ରାଜ୍ୟସ୍ୱାର୍ଥ ଅପେକ୍ଷା ରାଜନୀତିକ ସ୍ୱାର୍ଥକୁ ଅଧିକ ଦେଖୁଛି। ଅପରପକ୍ଷେ କେନ୍ଦ୍ର ଗୃହମନ୍ତ୍ରୀ କୌଣସି ରାଜ୍ୟର ଆସନ କମିବ ନାହିଁ ବୋଲି ସ୍ପଷ୍ଟୀକରଣ ଦେଇଥିଲେ ମଧ୍ୟ ଜନସଂଖ୍ୟା ନିୟନ୍ତ୍ରଣକୁ ଠିକଣାଭାବେ ପରିଚାଳିତ କରିଥିବା ରାଜ୍ୟଗୁଡ଼ିକୁ ପ୍ରୋତ୍ସାହନ ଦିଆଯିବ ବୋଲି କହିନାହାନ୍ତି। ଏଣୁ ବିବାଦ ଅଧିକ ତୀବ୍ର ହୋଇଛି। ବିଜେପି ଏହି ବିବାଦ ଓ ରୋଷକୁ କିପରି ପ୍ରଶମିତ କରୁଛି ତାହା ଆଗାମୀ ଦିନ ହିଁ କହିବ।