ଶେଷରେ ଭାରତ ହାଇପରସୋନିକ୍ କ୍ଷେପଣାସ୍ତ୍ର ପରୀକ୍ଷା କରିଛି । ଓଡ଼ିଶା ଉପକୂଳରେ ଥିବା ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଏହି ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଛି। ଧ୍ୱନିର ବେଗଠାରୁ ୫ ଗୁଣ ଅଧିକ ବେଗରେ ଗତି କରୁଥିବା ଏହି କ୍ଷେପଣାସ୍ତ୍ର ପ୍ରଯୁକ୍ତିବିଦ୍ୟାର ସଫଳ ପରୀକ୍ଷଣ କରିବା ମାମଲାରେ ଭାରତ ବର୍ତ୍ତମାନ ବିଶ୍ୱରେ ଚତୁର୍ଥ ଦେଶ ହୋଇପାରିଛି। ଏହା ଭାରତକୁ ସେହି ବିଶିଷ୍ଟ ଗୋଷ୍ଠୀରେ ଅନ୍ତର୍ଭୁକ୍ତ କରିଛି ଯେଉଁମାନଙ୍କ ପାଖରେ ଏହିପରି ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟା ବିକାଶ କରିବାର କ୍ଷମତା ଅଛି । ତେବେ ପ୍ରଶ୍ନ ହେଉଛି ଏହି କ୍ଷେପଣାସ୍ତ୍ରରେ ଏଭଳି କ’ଣ ଅଛି ଯାହା ଏହାକୁ ଏତେ ଗୁରୁତ୍ୱପୂର୍ଣ୍ଣ କରିଛି ଏବଂ ଯେଉଁଥିପାଇଁ ଏହାକୁ ଗେମ୍ ଚେଞ୍ଜର ବୋଲି କୁହାଯାଉଛି ?
ଧ୍ୱନୀଠାରୁ ୫ ଗୁଣ ଅଧିକ ବେଗ
ଆଜିର ସମୟରେ ଯୁଦ୍ଧ ଅସ୍ତ୍ର ମଧ୍ୟରେ କ୍ଷେପଣାସ୍ତ୍ର ହେଉଛି ସବୁଠୁ ବଡ଼ ଶକ୍ତି । କ୍ଷେପଣାସ୍ତ୍ରକୁ ଅଧିକ ମାରକ କରିଥାଏ ଏହାର ଗତି। ଗତି ଅଧିକ ଥିଲେ ଶତ୍ରୁ ଦେଶ ପାଖରେ ଏହାକୁ ଇଣ୍ଟରସେପ୍ଟ ବା ଅଟକାଇବାର ସମୟ ରୁହେ ନାହିଁ। ଯେତେବେଳେ କୌଣସି ଦେଶର ବାୟୁସୀମା ମଧ୍ୟକୁ କ୍ଷେପଣାସ୍ତ୍ର ପ୍ରବେଶ କରେ ସେତେବେଳେ ସେହି ଦେଶ କ୍ଷେପଣାସ୍ତ୍ରକୁ ଆକାଶମାର୍ଗରେ ହିଁ ନଷ୍ଟ କରିବାକୁ ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ର ଉତକ୍ଷେପଣ କରିଥାଏ। ଏଭଳି ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ର ବାୟୁ ମାର୍ଗରେ ଶତ୍ରୁ କ୍ଷେପଣାସ୍ତ୍ରକୁ ନଷ୍ଟ କରିଦିଏ। ଉଦାହରଣଭାବେ ଇସ୍ରାଏଲର ଆଇରନ ଡୋମକୁ ନିଆଯାଇପାରେ। ଏହା ଏମିତି ଏକ ପ୍ରଣାଳୀ ଯିଏ ଶତ୍ରୁ କ୍ଷେପଣାସ୍ତ୍ରକୁ ଟାର୍ଗେଟ୍ କରିଥାଏ। ନିକଟରେ ଇସ୍ରାଏଲର ଏହି ସିଷ୍ଟମ କାରଣରୁ ଇରାନୀ କ୍ଷେପଣାସ୍ତ୍ର ଇସ୍ରାଏଲର ବିଶେଷ କ୍ଷତି କରିପାରିନଥିଲେ। କାରଣ ଇସ୍ରାଏଲ ନିଜର କ୍ଷେପଣାସ୍ତ୍ରଦ୍ୱାରା ବାୟୁମାର୍ଗରେ ହିଁ ଅଧିକାଂଶ କ୍ଷେପଣାସ୍ତ୍ରକୁ ନଷ୍ଟ କରିଦେଇଥିଲା। କିନ୍ତୁ ଯେତେବେଳେ କ୍ଷେପଣାସ୍ତ୍ରର ବେଗ ଧ୍ୱନୀର ବେଗଠାରୁ ଅଧିକ ହୁଏ ସେତେବେଳେ ଏଭଳି ହାଇପରସୋନିକ କ୍ଷେପଣାସ୍ତ୍ରକୁ ରୋକିବା ଅସମ୍ଭବ ହୋଇପଡ଼େ। କାରଣ ହାଇପରସୋନିକ ଓ ସୁପରସୋନିକ କ୍ଷେପଣାସ୍ତ୍ର ଧ୍ୱନୀର ବେଗଠାରୁ ୫ରୁ ୨୫ ଗୁଣ ଅଧିକ ବେଗରେ ଟାର୍ଗେଟ୍ ଆଡ଼କୁ ଗତି କରିଥାଏ । ଘଣ୍ଟାପ୍ରତି ଏଭଳି କ୍ଷେପଣାସ୍ତ୍ରର ଗତି ୬ ହଜାର ୨ଶହ କିଲୋମିଟର ହୋଇଥାଏ ।
ଦିଗ ପରିବର୍ତ୍ତନର କ୍ଷମତା ରଖେ
ହାଇପରସୋନିକ୍ କ୍ଷେପଣାସ୍ତ୍ରର ବିଶେଷତା କେବଳ ଗତି ହୋଇନଥାଏ।ଏହା ମଧ୍ୟ ଯାତ୍ରା କାଳରେ ନିଜ ଦିଗ ପରିବର୍ତ୍ତନର କ୍ଷମତା ରଖେ। ସେଥିପାଇଁ ଏହା ଆଧୁନିକ ଯୁଦ୍ଧର ଅନ୍ୟତମ ଉନ୍ନତ ଜ୍ଞାନକୌଶଳ। ଏଭଳି ମିସାଇଲକୁ ଗାଇଡେଡ୍ ମିସାଇଲ ବୋଲି ମଧ୍ୟ କୁହାଯାଏ। କାରଣ ଥରେ ଉଡ଼ାଣ ଭରିବା ପରେ ବି ଏହାକୁ କମାଣ୍ଡ୍ ସେଣ୍ଟରରୁ ଗାଇଡ୍ କରାଯାଇପାରେ।
ବାଲିଷ୍ଟିକ୍ କ୍ଷେପଣାସ୍ତ୍ରଠାରୁ ହାଇପରସୋନିକ ଅଧିକ ଭଲ କାହିଁକି ?
ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଅପେକ୍ଷା ହାଇପରସୋନିକ୍ କ୍ଷେପଣାସ୍ତ୍ରଗୁଡିକ ଅଧିକ ପ୍ରଭାବଶାଳୀ ଏବଂ ଘାତକ ବୋଲି ବିବେଚନା କରାଯାଏ, ଯାହା ଉତକ୍ଷେପଣ ପରେ ଟାର୍ଗେଟ୍ ଆଡ଼କୁ ଗତି କରୁଥିବାବେଳେ ମଧ୍ୟ ନିଜର ଦିଗ ପରିବର୍ତ୍ତନ କରିବାର କ୍ଷମତା ରଖନ୍ତି। ତେଣୁ ଏହାକୁ ଅଧିକ ବିପଜ୍ଜନକ ବୋଲି ବିବେଚନା କରାଯାଏ। ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ଗତି ଅନେକ ଦଶନ୍ଧି ଧରି ହାଇପରସୋନିକ୍ କ୍ଷେପଣାସ୍ତ୍ରର ପାଖାପାଖି ହୋଇଥିଲେ ବି ଦିଗ ପରିବର୍ତ୍ତନକୁ ନେଇ ସମସ୍ୟା ବାଲିଷ୍ଚିକ୍ ମିସାଇଲକୁ କମ ଘାତକ କରିଥାଏ। ଏକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରକୁ ଉତକ୍ଷେପଣ ପରେ ନିୟନ୍ତ୍ରିତ କରାଯାଇପାରିବ ନାହିଁ। ଅନ୍ୟପକ୍ଷରେ ଏକ ହାଇପରସୋନିକ୍ କ୍ଷେପଣାସ୍ତ୍ରର ଗତିପଥକୁ ଯେକୌଣସି ସମୟରେ ବଦଳା ଯାଇପାରିବ।
Also readhttps://purvapaksa.com/utkarsh-sharma/