ସୁପ୍ରିମ୍ କୋର୍ଟ କଲେଜିୟମ୍ ଦେଶର ବିଭିନ୍ନ ହାଇକୋର୍ଟରେ ନୂତନ ବିଚାରପତିଙ୍କ ନିଯୁକ୍ତି ପାଇଁ ସୁପାରିଶକୁ ଅନୁମୋଦନ କରିଛି । ଏହା ମାଧ୍ୟମରେ ଦିଲ୍ଲୀ ହାଇକୋର୍ଟରେ ତିନିଜଣ, ପଞ୍ଜାବ-ହରିୟାଣା ହାଇକୋର୍ଟରେ ଦଶଜଣ ଏବଂ ତେଲଙ୍ଗାନା, ମଧ୍ୟପ୍ରଦେଶ, ରାଜସ୍ଥାନ ଆଦି ରାଜ୍ୟର ହାଇକୋର୍ଟରେ ବିଚାରପତି ନିଯୁକ୍ତିର ପଥ ପରିଷ୍କାର ହୋଇଛି । ଏହା ପୂର୍ବରୁ ଜୁଲାଇ ଏକ ଓ ଦୁଇ ତାରିଖରେ ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ କଲେଜିୟମ୍ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ବିଚାରପତି ନିଯୁକ୍ତି ସୁପାରିଶକୁ ଅନୁମୋଦନ କରାଯାଇଛି । ଆସନ୍ତୁ ଜାଣିବା ଓକିଲମାନେ କିପରି ବିଚାରପତି ହୁଅନ୍ତି ।
ଭାରତରେ ଜିଲ୍ଲା ନ୍ୟାୟିକ ମାଜିଷ୍ଟ୍ରେଟ ହେବା ପାଇଁ ନ୍ୟାୟିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିଥାଏ । ଏହା ପୂର୍ବରୁ ଆଇନ ଡିଗ୍ରୀ ଧାରୀଙ୍କୁ ଅତି କମରେ ତିନି ବର୍ଷ ପ୍ରାକ୍ଟିସ କରିବାକୁ ହୋଇଥାଏ । ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ତିନି ବର୍ଷ ଜିଲ୍ଲା ନ୍ୟାୟିକ ମାଜିଷ୍ଟ୍ରେଟ ଭାବେ କାର୍ଯ୍ୟ କରିବାକୁ ହୋଇଥାଏ । ଏହା ପରେ ଜଣେ ପ୍ରାର୍ଥୀ ଜିଲ୍ଲା ବିଚାରପତି ଭାବେ ନିଯୁକ୍ତି ପାଇଁ ଯୋଗ୍ୟ ହୁଅନ୍ତି । ଅଭିଜ୍ଞତା ବଢ଼ିବା ପରେ ହାଇକୋର୍ଟ ଓ ସୁପ୍ରିମ୍ କୋର୍ଟରେ ବିଚାରପତି ହେବା ପାଇଁ ଆବେଦନ କରାଯାଇପାରେ । ଏହାରେ ବିଚାରପତିଙ୍କ ନିଯୁକ୍ତି କଲେଜିୟମ୍ ପଦ୍ଧତି ମାଧ୍ୟମରେ ହୋଇଥାଏ ।
ହାଇକୋର୍ଟରେ ବିଚାରପତି ନିଯୁକ୍ତି ପ୍ରକ୍ରିୟା:
ଦେଶର ହାଇକୋର୍ଟରେ ମୁଖ୍ୟ ବିଚାରପତି ଓ ବିଚାରପତିଙ୍କ ନିଯୁକ୍ତି ସମ୍ବିଧାନର ଅନୁଚ୍ଛେଦ ୨୧୭(୧) ଅନୁଯାୟୀ ହୋଇଥାଏ। ସୁପ୍ରିମ୍ କୋର୍ଟର ଓକିଲ ଅଶ୍ୱିନୀ କୁମାର ଦୁବେଙ୍କ ଅନୁଯାୟୀ, ସମ୍ବିଧାନର ଅନୁଚ୍ଛେଦ ୨୧୭ ଅନୁସାରେ ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତ ହେବା ପାଇଁ ଜଣେ ବ୍ୟକ୍ତି ଭାରତର ନାଗରିକ ହେବା ଆବଶ୍ୟକ । ଏହା ସହିତ ତାଙ୍କୁ ହାଇକୋର୍ଟରେ ଅତି କମରେ ୧୦ ବର୍ଷ ଓକିଲ ଭାବେ କାର୍ଯ୍ୟ କରିଥିବା ଆବଶ୍ୟକ । ହାଇକୋର୍ଟରେ ଜଣେ ବିଚାରପତିଙ୍କ ନିଯୁକ୍ତି ପାଇଁ ପ୍ରସ୍ତାବ ମୁଖ୍ୟ ବିଚାରପତିଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଲଙ୍କୁ ପଠାଯାଇଥାଏ । ଏହାର ନକଲ ସୁପ୍ରିମ୍ କୋର୍ଟର ମୁଖ୍ୟ ବିଚାରପତି ଏବଂ କେନ୍ଦ୍ରୀୟ ଆଇନ, ନ୍ୟାୟ ଓ କମ୍ପାନୀ ବ୍ୟାପାର ମନ୍ତ୍ରଣାଳୟକୁ ମଧ୍ୟ ପଠାଯାଇଥାଏ । କେନ୍ଦ୍ରୀୟ ଆଇନ, ନ୍ୟାୟ ଓ କମ୍ପାନୀ ବ୍ୟାପାର ମନ୍ତ୍ରଣାଳୟ ପ୍ରସ୍ତାବ ଉପରେ ବିଚାର କରି ଏହାକୁ ସୁପ୍ରିମ୍ କୋର୍ଟର ମୁଖ୍ୟ ବିଚାରପତିଙ୍କୁ ତାଙ୍କ ପରାମର୍ଶ ପାଇଁ ପଠାଇଥାଏ ।
ଭାରତର ମୁଖ୍ୟ ବିଚାରପତି ସୁପ୍ରିମ୍ କୋର୍ଟର ଦୁଇ ଜଣ ବରିଷ୍ଠ ବିଚାରପତିଙ୍କ ସହ କଲେଜିୟମ୍ର ପରାମର୍ଶ ଅନୁଯାୟୀ ପ୍ରସ୍ତାବିତ ବ୍ୟକ୍ତିଙ୍କ ନାମ ଉପରେ ବିଚାର କରନ୍ତି । ଏହା ପରେ ଚାରି ସପ୍ତାହ ମଧ୍ୟରେ ମୁଖ୍ୟ ବିଚାରପତି ତାଙ୍କ ସୁପାରିଶକୁ କେନ୍ଦ୍ରୀୟ ଆଇନ, ନ୍ୟାୟ ଓ କମ୍ପାନୀ ବ୍ୟାପାର ମନ୍ତ୍ରଣାଳୟକୁ ପଠାଇ ଦିଅନ୍ତି । ସେଠାରୁ ତିନି ସପ୍ତାହ ମଧ୍ୟରେ ମୁଖ୍ୟ ବିଚାରପତିଙ୍କ ସୁପାରିଶକୁ ପ୍ରଧାନମନ୍ତ୍ରୀଙ୍କୁ ପଠାଯାଇଥାଏ, ଯେଉଁମାନେ ନିଯୁକ୍ତି ପାଇଁ ରାଷ୍ଟ୍ରପତିଙ୍କୁ ପରାମର୍ଶ ଦିଅନ୍ତି । ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିବା ପରେ ପରବର୍ତ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଥାଏ । ସେହିପରି ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ନିଯୁକ୍ତି ମଧ୍ୟ ରାଜ୍ୟପାଲଙ୍କ ପରାମର୍ଶ ଓ କଲେଜିୟମ୍ର ସୁପାରିଶ ଆଧାରରେ ରାଷ୍ଟ୍ରପତିଙ୍କ ଦ୍ୱାରା ହୋଇଥାଏ ।
ସୁପ୍ରିମ୍ କୋର୍ଟରେ ନିଯୁକ୍ତି ଯୋଗ୍ୟତା:
ସୁପ୍ରିମ୍ କୋର୍ଟରେ ବିଚାରପତିଙ୍କ ନିଯୁକ୍ତି ସମ୍ବିଧାନର ଅନୁଚ୍ଛେଦ ୧୨୪(୨) ଅନୁଯାୟୀ ରାଷ୍ଟ୍ରପତିଙ୍କ ଦ୍ୱାରା ହୋଇଥାଏ । ସେ ଅନ୍ୟ ସୁପ୍ରିମ୍ କୋର୍ଟ ବିଚାରପତିଙ୍କ ନିଯୁକ୍ତି ପାଇଁ ଭାରତର ମୁଖ୍ୟ ବିଚାରପତିଙ୍କ ସହ ପରାମର୍ଶ କରିବାକୁ ବାଧ୍ୟ । କିନ୍ତୁ ଭାରତର ମୁଖ୍ୟ ବିଚାରପତିଙ୍କ ନିଯୁକ୍ତି ପାଇଁ କାହା ସହ ପରାମର୍ଶ କରିବା ବାଧ୍ୟତାମୂଳକ ନୁହେଁ। ସମ୍ବିଧାନର ଅନୁଚ୍ଛେଦ ୧୨୪(୩) ଅନୁଯାୟୀ ସୁପ୍ରିମ୍ କୋର୍ଟର ବିଚାରପତିଙ୍କ ଯୋଗ୍ୟତା ହେଉଛି : ତାଙ୍କୁ ଭାରତର ନାଗରିକ ହେବା ଆବଶ୍ୟକ, ଏଲଏଲବି/ଏଲଏଲଏମ୍ ଡିଗ୍ରୀ ଥିବା ଆବଶ୍ୟକ, ଅତି କମରେ ପାଞ୍ଚ ବର୍ଷ ହାଇକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରିଥିବା କିମ୍ବା ୧୦ ବର୍ଷ ହାଇକୋର୍ଟରେ ଓକିଲ ଭାବେ ପ୍ରାକ୍ଟିସ କରିଥିବା ବ୍ୟକ୍ତି ଏଥିପାଇଁ ଯୋଗ୍ୟ ହୋଇଥାନ୍ତି ।
ସୁପ୍ରିମ୍ କୋର୍ଟରେ ସୁପାରିଶ ପ୍ରକ୍ରିୟା:
ସୁପ୍ରିମ୍ କୋର୍ଟରେ ବିଚାରପତି ପଦବୀ ଖାଲି ହେଲେ, ମୁଖ୍ୟ ବିଚାରପତିଙ୍କ ନେତୃତ୍ୱରେ କଲେଜିୟମ୍ ବିଚାରପତିଙ୍କ ନାମ ସୁପାରିଶ କରି ପଠାଇଥାଏ । କେନ୍ଦ୍ରୀୟ ଆଇନ, ନ୍ୟାୟ ଓ କମ୍ପାନୀ ବ୍ୟାପାର ମନ୍ତ୍ରୀଙ୍କୁ ପଠାଯାଇଥିବା ସୁପାରିଶ ଭାରତର ମୁଖ୍ୟ ବିଚାରପତି ଏବଂ ଚାରି ଜଣ ବରିଷ୍ଠତମ ବିଚାରପତିଙ୍କ କଲେଜିୟମ୍ର ପରାମର୍ଶ ଆଧାରରେ ହୋଇଥାଏ ।
ଯଦି ଦେଶର ପରବର୍ତୀ ମୁଖ୍ୟ ବିଚାରପତି ଚାରି ଜଣ ବରିଷ୍ଠତମ ବିଚାରପତିଙ୍କ ମଧ୍ୟରୁ ଜଣେ ନ ହୁଅନ୍ତି, ତାଙ୍କୁ ମଧ୍ୟ କଲେଜିୟମ୍ର ଅଂଶ କରାଯାଇଥାଏ, କାରଣ ବିଚାରପତି ଚୟନରେ ତାଙ୍କର ମଧ୍ୟ ଭୂମିକା ରହିଥାଏ । କାରଣ ଏହି ବିଚାରପତିମାନେ ପରବର୍ତୀ ମୁଖ୍ୟ ବିଚାରପତିଙ୍କ କାର୍ଯ୍ୟକାଳ ସମୟରେ ମଧ୍ୟ କାର୍ଯ୍ୟ କରିଥାନ୍ତି । ନିଯୁକ୍ତି ପ୍ରକ୍ରିୟା:
ଭାରତର ମୁଖ୍ୟ ବିଚାରପତିଙ୍କଠାରୁ କଲେଜିୟମ୍ର ଅନ୍ତିମ ସୁପାରିଶ ମିଳିବା ପରେ କେନ୍ଦ୍ରୀୟ ଆଇନ, ନ୍ୟାୟ ଓ କମ୍ପାନୀ ବ୍ୟାପାର ମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ସୁପାରିଶ ପଠାଇଥାନ୍ତି । ତା’ପରେ ପ୍ରଧାନମନ୍ତ୍ରୀ ଏହି ମାମଲାରେ ରାଷ୍ଟ୍ରପତିଙ୍କୁ ପରାମର୍ଶ ଦିଅନ୍ତି । ରାଷ୍ଟ୍ରପତି ନିଯୁକ୍ତିକୁ ଅନୁମୋଦନ କରିବା ମାତ୍ରେ, ନ୍ୟାୟ ବିଭାଗରେ ଭାରତ ସରକାରଙ୍କ ସଚିବଙ୍କ ତରଫରୁ ଭାରତର ମୁଖ୍ୟ ବିଚାରପତିଙ୍କୁ ସୂଚିତ କରାଯାଇଥାଏ । ରାଷ୍ଟ୍ରପତିଙ୍କ ତରଫରୁ ବିଚାରପତିଙ୍କ ନିଯୁକ୍ତି ପତ୍ର ଜାରି କରାଯାଇଥାଏ ଏବଂ ନିଯୁକ୍ତି ପାଇଁ ଓ୍ଵାରେଣ୍ଟରେ ରାଷ୍ଟ୍ରପତିଙ୍କ ହସ୍ତାକ୍ଷର ହୋଇଥାଏ । ଏହା ପରେ ଭାରତର ରାଜପତ୍ରରେ ଆବଶ୍ୟକୀୟ ବିଜ୍ଞପ୍ତି ପ୍ରକାଶ କରାଯାଇଥାଏ ।
