ଅବୈଧ ବାଂଲାଦେଶୀଙ୍କୁ ନେଇ ଦେଶର ରାଜନୀତି ଗରମ ଅଛି । ବିଜେପିର ଅଭିଯୋଗ ଯେ, କଂଗ୍ରେସ ଓ ଟିଏମସି ଭଳି ଦଳ ଭୋଟ୍ ବ୍ୟାଙ୍କ ପାଇଁ ବାଂଲାଦେଶୀଙ୍କୁ ଦେଶରେ ଶରଣ ଦେଉଛନ୍ତି । ବାଂଲାଦେଶୀ ନାଗରିକଙ୍କୁ ନେଇ କେବଳ ରାଜନୀତି ଚାଲିଛି । ସେମାନଙ୍କୁ ବିଦା କରିବା ପାଇଁ ସେଭଳି କିଛି ଆଖିଦୃଷ୍ଟିଆ ପଦକ୍ଷେପ ନିଆଯାଉନି । ଏହାରି ଭିତରେ ସୁପ୍ରିମକୋର୍ଟଙ୍କ ଗୋଟିଏ ଟିପ୍ପଣୀ ମାମଲାକୁ ଅଧିକ ତେଜାଇଛି ।
ସୁପ୍ରିମକୋର୍ଟ୍ କ’ଣ କହିଲେ ?
ଏହି ଦେଶ ସମସ୍ତ ପ୍ରକାରର ଲୋକଙ୍କ ପାଇଁ ସ୍ୱର୍ଗ ପାଲଟିଛି । ଯେ କେହି ଆସୁଛି ଏବଂ ଏଠାରେ ରହିଯାଉଛି । ଏଭଳି ମନ୍ତବ୍ୟ ଆଉ କେହି ନୁହେଁ ଖୋଦ ସୁପ୍ରିମକୋର୍ଟ୍ ଦେଇଛନ୍ତି । ଗୋଆରେ ଜଣେ ରୁଷିଆ ନାଗରିକଙ୍କ ସହ ରହୁଥିବା ଜଣେ ଇସ୍ରାଏଲୀ ବ୍ୟକ୍ତିଙ୍କ ସମ୍ପର୍କୀୟ ଦ୍ୱାରା ଦାଏର ଏକ ଆବେଦନର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଏଭଳି ଟିପ୍ପଣୀ କରିଛନ୍ତି । ନ୍ୟାୟମୂର୍ତ୍ତି ସୂର୍ଯ୍ୟକାନ୍ତ ଓ ନ୍ୟାୟମୂର୍ତ୍ତି ଜୟମାଲ୍ୟା ବାଗଚୀଙ୍କ ବେଞ୍ଚ ଏହି ଇସ୍ରାଏଲୀ ବ୍ୟକ୍ତିଙ୍କ ଦୁଇ ନାବାଳିକା ଝିଅଙ୍କୁ ରୁଷିଆକୁ ଫେରାଇବାକୁ ରୋକିବା ପାଇଁ ଦାଖଲ କରାଯାଇଥିବା ଆବେଦନକୁ “ପ୍ରଚାର ପାଇବାର ଏକ ପ୍ରୟାସ” ବୋଲି ଅଭିହିତ କରି ଖାରଜ କରିଦେଇଥିଲେ।
ଭାରତରେ ଅବୈଧ ବିଦେଶୀଙ୍କ ସଂଖ୍ୟା
ଏହି ଘଟଣା ମଧ୍ୟରେ ପ୍ରଶ୍ନ ଉଠିଛି ଯେ ଭାରତରେ କେତେ ବିଦେଶୀ ଅବୈଧ ଭାବେ ରହୁଛନ୍ତି। ସଂସଦରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ୨୦୧୬ରେ ପ୍ରାୟ ୨ କୋଟି ବାଂଲାଦେଶୀ ଭାରତରେ ଅବୈଧ ଭାବେ ରହୁଥିଲେ। ୨୦୦୪ରେ ଏହି ସଂଖ୍ୟା ୧.୨ କୋଟି ଥିଲା। ଏହା ବ୍ୟତୀତ, ଅବୈଧ ରୋହିଙ୍ଗ୍ୟାଙ୍କ ସଂଖ୍ୟା ପ୍ରାୟ ୭୫,୦୦୦, ଯେଉଁଥିରୁ ୨୨,୦୦୦ ଜାତିସଂଘର ଶରଣାର୍ଥୀ ସଂସ୍ଥାରେ ପଞ୍ଜୀକୃତ। ଜାନୁଆରୀ ୨୦୨୨ର ତଥ୍ୟ ଅନୁଯାୟୀ, ଅନୁସାରେ ଭାରତରେ ୪୬,୦୦୦ରୁ ଅଧିକ ପଞ୍ଜୀକୃତ ଶରଣାର୍ଥୀ ଓ ଶରଣ ଚାହୁଁଥିବା ବ୍ୟକ୍ତି ଅଛନ୍ତି, ଯେଉଁମାନେ ଅଧିକାଂଶ ମିଆଁମାର ଓ ଆଫଗାନିସ୍ତାନରୁ ଆସିଛନ୍ତି।
ମାମଲା କ’ଣ ଥିଲା ?
ଏହି ଆବେଦନ ଇସ୍ରାଏଲୀ ନାଗରିକ ଡ୍ରୋର ଶ୍ଲୋମି ଗୋଲ୍ଡଷ୍ଟେନଙ୍କ ଦ୍ୱାରା ଦାଖଲ କରାଯାଇଥିଲା। ଏହି ଆବେଦନରେ ଦୁଇ ନାବାଳିକା ଝିଅଙ୍କ ଅଭିଭାବକତ୍ୱର ଦାବି କରାଯାଇଥିଲା। କିନ୍ତୁ ସୁପ୍ରିମ୍ କୋର୍ଟ ଏହି ଆବେଦନ ବିଚାର କରିବାକୁ ମନା କରି କହିଥିଲେ ଯେ ଭାରତକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ରହିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ସ୍ଥାୟୀ ଆଶ୍ରୟସ୍ଥଳୀ କରାଯାଇପାରିବ ନାହିଁ।
ଜୁଲାଇ ମାସରେ ୪୦ ବର୍ଷୀୟ ରୁଷିଆ ମହିଳା ନିନା କୁଟିନା ଓ ତାଙ୍କର ୬ ଓ ୫ ବର୍ଷୀୟ ଦୁଇ ଝିଅ ଅବୈଧ ଭାବେ ଯାତ୍ରା କରି କୌଣସି ବୈଧ ବାସସ୍ଥାନ ଦସ୍ତାବେଜ ବିନା କର୍ଣ୍ଣାଟକର ଏକ ଜଙ୍ଗଲ ଗୁମ୍ଫାରେ ରହୁଥିବା ଦେଖିବାକୁ ମିଳିଥିଲେ। ସ୍ଥାନୀୟ ପୋଲିସ କିଛି ସପ୍ତାହ ପରେ ସେମାନଙ୍କୁ ଉଦ୍ଧାର କରିଥିଲା। ପରେ ସେମାନଙ୍କୁ ଏକ ବିଦେଶୀ ଅଟକ କେନ୍ଦ୍ରକୁ ପଠାଯାଇଥିଲା। କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ସେମାନଙ୍କୁ ନିଜ ଦେଶକୁ ପଠାଇବା ପାଇଁ ଯାତ୍ରା ଦସ୍ତାବେଜ ଜାରି କରିବାକୁ ନିର୍ଦ୍ଦେଶ ଦେଇଥିଲା। ଗୋଲ୍ଡଷ୍ଟେନ ପୂର୍ବରୁ ଝିଅମାନଙ୍କର ଅଭିଭାବକତ୍ୱ ଦାବି କରି ଏବଂ ସେମାନଙ୍କ ପ୍ରତ୍ୟାର୍ପଣ ରୋକିବା ପାଇଁ କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟରେ ଏକ ଆବେଦନ ଦାଖଲ କରିଥିଲେ। ସେ ଦାବି କରିଥିଲେ ଯେ ସେ ସେମାନଙ୍କର ଯତ୍ନ ନେଉଛନ୍ତି। କିନ୍ତୁ ଉଚ୍ଚ ନ୍ୟାୟାଳୟ ତାଙ୍କ ଆବେଦନକୁ ଖାରଜ କରିଥିଲା, ଏବଂ ପରେ ସୁପ୍ରିମ୍ କୋର୍ଟ ଏହି ନିଷ୍ପତ୍ତିକୁ ବଜାୟ ରଖିଥିଲା।
ALSO READ https://purvapaksa.com/the-us-is-under-shutdown/
