ମାସକ ତଳେ ଉତ୍ତର ଓ ଉପକୂଳ ଓଡ଼ିଶା ସମେତ ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାରେ ଡାଇରିଆ ବା ଝାଡ଼ାବାନ୍ତିର ଭୟାବହତା ଦେଖିବାକୁ ମିଳିଥିଲା। ଏଥିରେ ୨୧ ଜଣ ପ୍ରାଣ ହରାଇଥିବାବେଳେ ହଜାର ହଜାର ସଂଖ୍ୟାରେ ଆକ୍ରାନ୍ତ ହୋଇଥିଲେ। ବିଶେଷକରି ସ୍ୱାସ୍ଥ୍ୟ ବିଭାଗର ଉଦାସୀନତା ଯୋଗୁଁ ଯାଜପୁର ଜିଲ୍ଲାରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା।
ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତି ଉଗ୍ର ରୂପ ନେଇ ହଇଜାରେ ପରିଣତ ହେବା ସହ ସବୁଠୁ ଅଧିକ ଲୋକଙ୍କ ପ୍ରାଣ ନେଇଥିଲା । ଏହାପରେ କେନ୍ଦ୍ରୀୟ ଟିମ୍ ଆସି ସ୍ଥିତି ଯାଞ୍ଚ କରିଥିଲେ । ବିଷାକ୍ତ ଖାଦ୍ୟ ଓ ଦୂଷିତ ପାଣିରୁ ଡାଇରିଆ ବ୍ୟାପୁଛି ବୋଲି ରାଜ୍ୟ ସରକାର ତଥା ସ୍ଵାସ୍ଥ୍ୟ ବିଭାଗକୁ ରିପୋର୍ଟ ଦେଇଥିଲେ । ତା’ପରେ ସରକାର ଡାଇରିଆ ନେଇ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ କରିଥିବା ନେଇ ଜୋର୍ଦାର ପ୍ରଚାର କଲେ ।
ମାତ୍ର ଏବେ ଦକ୍ଷିଣ ଓଡ଼ିଶା ତଥା ଗଞ୍ଜାମ ଜିଲ୍ଲାରେ ଡାଇରିଆ ବ୍ୟାପିବା ସତ୍ତ୍ୱେ ବି ଲୋକଙ୍କ ଭିତରେ ଆଦୌ ସଚେତନତା ସୃଷ୍ଟି ହୋଇନଥିବା ସ୍ପଷ୍ଟ ହୋଇଛି । ଝାଡ଼ାବାନ୍ତିରେ ଦୁଇଜଣ ମୃତ୍ୟୁବରଣ କରିଥିଲେ ହେଁ ସ୍ୱାସ୍ଥ୍ୟ ବିଭାଗ ଏହାକୁ ସ୍ୱୀକାର କରିବାକୁ ନାରାଜ । ଜଣଙ୍କର ମୃତ୍ୟୁ ବୟସାଧିକ୍ୟ କାରଣରୁ ହୋଇଥିବା କହି ଖଣ୍ଡନ କରିଥିବାବେଳେ ଅନ୍ୟ ଜଣଙ୍କ ମୃତ୍ୟୁ ନେଇ ସ୍ପଷ୍ଟତା ଆସି ନ ଥିବା ବିଭାଗ କହିଛି ।
ହେଲେ ଏବେ ଜଟଣୀ ବେଣାପଞ୍ଜୁରୀ ଅଞ୍ଚଳରେ ଝାଡ଼ାବାନ୍ତିରେ ଜଣଙ୍କର ମୃତ୍ୟୁ ଏବଂ ଶତାଧିକ ଆକ୍ରାନ୍ତ ହୋଇ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ପ୍ରତ୍ୟେକ ଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଡାଇରିଆରେ ଲୋକମାନେ ଆକ୍ରାନ୍ତ ହେଉଛନ୍ତି । ବିଶେଷକରି ଦୂଷିତ ପାଣି ଯୋଗୁଁ ରୋଗ ବ୍ୟାପୁଛି । ସରକାର ଲୋକଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇବାରେ ବିଫଳ ହୋଇଛନ୍ତି ବୋଲି ସାଧାରଣରେ ଅଭିଯୋଗ ହେଉଛି ।
ଝାଡ଼ାବାନ୍ତିର ଭୟାବହତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କିଛିଦିନ ତଳେ ସମୀକ୍ଷା ବୈଠକ କରିଥିଲେ । ଏଥିରେ ସ୍ୱାସ୍ଥ୍ୟ, ପାନୀୟ ଜଳ ଆଦି ବିଭାଗ ସାମିଲ ହୋଇଥିଲେ। ଦୁର୍ଗାପୂଜା ପର୍ଯ୍ୟନ୍ତ ଡାଇରିଆ ଉପରେ ନଜର ରଖୁବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏବେ ପୁଣି ଝାଡ଼ାବାନ୍ତି ବ୍ୟାପିବା ଓ ଲୋକଙ୍କ ପ୍ରାଣ ଯିବା ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବିଭାଗୀୟ ଅଧିକାରୀମାନେ ଖାତିର୍ କରୁ ନ ଥିବା ସ୍ପଷ୍ଟ ହୋଇଛି।
ସ୍ୱାସ୍ଥ୍ୟ ବିଭାଗ କେବଳ ‘ଷ୍ଟପ୍ ଡାଇରିଆ ଅଭିଯାନ’ ଆରମ୍ଭ କରି ଚୁପ୍ ବସିଯାଇଛି। ତୃଣମୂଳସ୍ତରରେ ସ୍ବାସ୍ଥ୍ୟ କର୍ମୀ, ଅଙ୍ଗନବାଡ଼ି କର୍ମୀ, ଆଶା ଦିଦିଙ୍କୁ ଡାଇରିଆ ସଚେତନତା ଦାୟିତ୍ୱ ଦିଆଯାଇଛି। ଲୋକଙ୍କ ଭିତରେ ଖାଦ୍ୟ ଓ ପାନୀୟକୁ ନେଇ ସଚେତନ କରିବା ସହ ହାଲୋଜିନ୍ ବଟିକା, ଓଆର୍ଏସ୍ ପାଉଡର ଆଦି ବଣ୍ଟନ କରିବା ପାଇଁ କୁହାଯାଇଛି।
ପାନୀୟଜଳ ବିଭାଗ ପକ୍ଷରୁ ଜଳ ଉତ୍ସଗୁଡ଼ିକ ସଫା କରିବା ସହ ବ୍ଲିଚିଙ୍ଗ ପକାଇବା ଆଦି ବିଭିନ୍ନ ଦିଗ ଉପରେ ଧ୍ୟାନ ଦେବା ପାଇଁ କୁହାଯାଇଛି। ସାଧାରଣତଃ ଜୁନ୍ ମାସରେ ଡାଇରିଆ ବ୍ୟାପିବାବେଳେ ଏସବୁ କରାଯାଉଥିଲା । ଏବେ ଆଦୌ କରାଯାଉ ନାହିଁ । ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଡାଇରିଆକୁ ନେଇ ସଚେତନତା କାର୍ଯ୍ୟକ୍ରମ ସଂପୂର୍ଣ ଠପ୍ ହୋଇଯାଇଛି ।
ବିଶେଷକରି ଦୂଷିତ ପାଣି ଯୋଗୁଁ ପ୍ରତିବର୍ଷ ଡାଇରିଆ ବ୍ୟାପୁଥିବା ବିଶେଷଜ୍ଞ କହୁଛନ୍ତି । ଏହାସତ୍ତ୍ୱେ ନିୟମିତ ବ୍ୟବଧାନରେ ଜଳର ଗୁଣବତ୍ତା ପରୀକ୍ଷା କରାଯାଉନି। ପ୍ରତି ଜିଲ୍ଲାରେ ଜଳ ପରୀକ୍ଷାଗାର ଅଛି; ହେଲେ ସରକାରୀ ସ୍ତରରେ ଜଳର ନମୁନା ପରୀକ୍ଷାକୁ ବିଶେଷ ଗୁରୁତ୍ଵ ଦିଆଯାଉନାହିଁ। ନିୟମିତ ଜଳର ଗୁଣବତ୍ତା ପରୀକ୍ଷା ହିଁ ଏଭଳି ସ୍ଥିତିକୁ ଏଡ଼ାଇ ପାରିବ ବୋଲି ସ୍ଵାସ୍ଥ୍ୟ ବିଶେଷଜ୍ଞ କହୁଛନ୍ତି । ସ୍ଵାସ୍ଥ୍ୟ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମିଳିତ ଭାବେ ଏହାର ନିରାକରଣ ଦିଗରେ କାମ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ଫଳସ୍ଵରୂପ ସାଧାରଣ ନିରୀହ ଲୋକଙ୍କ ଜୀବନହାନୀ ଘଟୁଛି। ତେଣୁ ଡାଇରିଆ ରୋକିବା ଦିଗରେ ରାଜ୍ୟ ସରକାର ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି।
ALSO READ https://purvapaksa.com/2025-rath-yatra-will-be-remembered-for-the-wrong-reasons/
2025 Rath Yatra will be remembered for the wrong reasons ।। ଭୂଲ କାରଣ ପାଇଁ ସ୍ମରଣରେ ରହିବ ୨୦୨୫ ରଥଯାତ୍ରା
